Unknown

 

 

 

 

 

 

 

 

 

 

 

ଦୁର୍ଘଟଣା

ଖଗେନ୍ଦ୍ରନାଥ ମଲ୍ଲିକ

 

କିଞ୍ଚିତ୍

 

ରଂଜନ !

 

ଜୀବନ ବୀଣାର ତାର ଛିଡ଼ିଗଲା ପରେ କାହିଁକି କେଜାଣି ଅତୀତର ସେହି ଅଭୁଲା ସ୍ୱର ଝଙ୍କାର ମନଗହନର ଗୋପନ ପ୍ରଦେଶରେ ଅଧିକରୁ ଅଧିକ ନୀରବ ମୂର୍ଚ୍ଛନା ତୋଳେ । କାଦମ୍ବିନୀରେ ତଡ଼ିତଲତାର ଝଲକ ପରି ଭାସିଯାଏ ସ୍ମୃତି ପରେ ସ୍ମୃତି । ନିମିଷକ ମଧ୍ୟରେ ଆତ୍ମସତ୍ତା ହଜିଯାଏ ବସ୍ତୁବାଦୀ ଚିନ୍ତାଧାରା ଠାରୁ ବହୁ ଦୂରକୁ; ଯେଉଁଠାରେ କେବଳ ଶାଶ୍ୱତର ସେହି ଅମୀୟ ତରଂଗମାଳା ନବ ନବ ଉନ୍ମାଦନାରେ ପ୍ରାଣେ ପ୍ରାଣେ ସୀତ୍କାର ତୋଳି ଜଗାଇଦିଏ ଅହେତୁକ ସ୍ପନ୍ଦନ । ମାନବର ଏହି ଦୃଷ୍ଟିକୋଣକୁ ପ୍ରତ୍ୟକ୍ଷ କିମ୍ବା ଅନ୍ଵୀକ୍ଷା ଦୃଷ୍ଟି ନ କହି କୁହାଯାଏ Intuition ବା ଉପଲବ୍ଧିର ଦୃଷ୍ଟି ଭଂଗୀ ।

 

ରଂଜନ !

 

ତୁମେ ନଥିଲ କୌଣସି ଚିରନ୍ତନ ଶାଶ୍ୱତ ବାଣୀର ବାର୍ତ୍ତାବହ କିମ୍ବା ଜଡ଼ବାଦୀ ସତ୍ତାର ବିବର୍ତ୍ତକ । ତୁମ ପାଇଁ ରୋମର ସାମ୍ରାଜ୍ୟ ଧୂଳିସାତ୍ ହୋଇ ନଥିଲା କି ବିରହିଣୀ କ୍ଳିଓ ପାଟ୍ରାର କରୁଣ ରାଗିଣୀ ଆକାଶ ବତାସ ବିଦୀର୍ଣ୍ଣ କରି ନଥିଲା । କିମ୍ବା ସମାଜ ପାଇଁ, ଦେଶ ପାଇଁ ତୁମର ଆତ୍ମତ୍ୟାଗ ଅବା ଆତ୍ମପ୍ରତ୍ୟୟର ଜୀବନ ଜିଜ୍ଞାସା ସୃଷ୍ଟି ହୋଇ ନଥିଲା ।

 

ରଂଜନ !

 

ତୁମ ଭିତରେ ଥିଲା ଛୋଟ ମଣିଷଟିଏ । ସେହି ଛୋଟ ମଣିଷର ସ୍ମୃତି କେଡ଼େ ଲୋଭନୀୟ ସତେ ? ଚନ୍ଦ୍ରଠାରୁ ତାହାଥିଲା ଆହୁରି ନିର୍ମଳ । ସଜ ସରୋଜ ପରି ଆତ୍ମା ଫୁଲଟି, କେଡ଼େ କମନୀୟ ନଥିଲା ? ତେଣୁ ସେ ଗାଉଥିଲା ମୁକ୍ତିର ସଂଗୀତ । ମାତ୍ର ମୁକ୍ତି କାହିଁ ??

 

ସତରେ ତୁମେ କଣ ମୁକ୍ତି ପାଇଥିଲ ? କାହିଁକି ତୁମେ ମୁକ୍ତି ପାଇଲନି ରଂଜନ ? କେଉଁ ଆତ୍ମଶ୍ଳାଘାଲିପ୍ତ କ୍ଷଣକୋପୀ ଦୁର୍ବସାର ଅଭିଶାପରେ ଶୀକାର ହେଲ ? ଏବଂ କାହିଁକି ???

 

ରଂଜନ !

 

ତୁମ ଆତ୍ମାଫୁଲର ନୀରବ ଆମନ୍ତ୍ରଣକୁ ମୁ ଶତ ଚେଷ୍ଟାକରି ଏଡ଼ାଇ ପାରିଲି ନାହିଁ । ଯଦିଓ ମୋର ଆଖି ଆଗରେ ଏମ୍.ଏ. ପରୀକ୍ଷାର କାଳ ଦୈତ୍ୟ ଚାବୁକ୍ ହସ୍ତରେ ଦଣ୍ଡାୟମାନ ହୋଇଥିଲା । ତଥାପି...ତଥାପି...ମୁଁ ଯେ ମାନବ ରଂଜନ । ମୁଁ ଯେ ମଣିଷର ଝରାଲୋତକରେ ଅଧୀର ହୋଇପାରେ । ଆଉ ମଧ୍ୟ ତୁମରି ଯନ୍ତ୍ରଣାରେ ମୁଁ ମୋର କ୍ଷତକୁ ଦୃଷ୍ଟିପାତ କରେ । ତେଣୁ ତୁମର ବ୍ୟକ୍ତିଚରିତ୍ରକୁ ମୋର ସୀମିତ ଜ୍ଞାନରେ ରୂପଦେଇ କେବଳ ଟିକିଏ ସାନ୍ତ୍ୱନା ପାଇବାକୁ ଚେଷ୍ଟା କରିଛି ମାତ୍ର ।

 

ରଂଜନ !

 

ଶେଷରେ ଆଉ ପଦେ କଥା କହି ନଗଲେ ଅବଶୋଷ ରହିଯିବ । ପ୍ରକୃତରେ ତୁମର ବ୍ୟକ୍ତିତ୍ୱକୁ ଲୋକ ଲୋଚନରେ ପ୍ରକାଶ କରାଇବାକୁ ଯିଏ ସବୁଠାରୁ ବେଶି ପ୍ରୟାସ କରିଛନ୍ତି, ସେହି ପ୍ରକାଶକ ବଂଧୁ ଶ୍ରୀ ନବକିଶୋର ବେହେରାଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇ ବିଦାୟ ନେଉଛି ।

 

(ଇତି)

ତୁମର

ଖଗେନ୍ଦ୍ର ନାଥ

Image

 

ଦୁର୍ଘଟଣା

 

ବଂଧୁଗଣ ! କାଶ୍ମୀର ଆସିବାର ଆମର ପାଞ୍ଚଦିନ ବିତିଗଲାଣି । ଆଉ ମାତ୍ର ଦୁଇ ଦିନ ପରେ ଆମେ ପୁଣି ଫେରିଯିବା ଆମର କର୍ମକ୍ଷେତ୍ର କଟକ ସହରକୁ । କର୍ମମୟ ଦୁନିଆରେ ଗତାନୁଗତିକ ଜୀବନଯାତ୍ରାର ତିକ୍ତତାରୁ କେତେ ଦିନ ନିଷ୍କୃତି-ଲାଭ ଉଦ୍ଦେଶ୍ୟରେ ଆମେ ଦିନେ ଶାରଦୀୟ ଦିନାନ୍ତରେ ଆସିଥିଲେ ଭାରତର ଭୂସ୍ୱର୍ଗ କାଶ୍ମୀରକୁ । କାଶ୍ମୀର ଉପକଣ୍ଠରେ ଆମେ ବିଗତ ଚାରି ଦିନଯାକ ପ୍ରକୃତିର ଅପରୂପ ବର୍ଣ୍ଣବୈଚିତ୍ର୍ୟରେ ମୁଗ୍ଧ ହୋଇଛନ୍ତି । ଅଦୂରସ୍ଥ ଗିରିରାଜ ହିମାଳୟର ଶୁଭ୍ର ତୁହିନ ଆମ ପ୍ରାଣରେ ସୃଷ୍ଟି କରିଛି ଆଲୋଡ଼ନ । ଚତୁର୍ଦ୍ଦିଗରେ ଶ୍ୟାମଳ ବନରାଜି–ତା ମଧ୍ୟରେ କଳକଳ ନାଦରେ ପ୍ରବାହମାନ । ସ୍ୱଚ୍ଛ ସ୍ରୋତସ୍ୱିନୀ । ବାରୁଣୀ ଗଗନର ଅସ୍ତାୟମାନ ସୂର୍ଯ୍ୟଙ୍କର ରକ୍ତରଞ୍ଜିତ କିରଣରାଶି ଏ ସମସ୍ତ ପ୍ରକୃତରେ ଲୋଭନୀୟ ଏବଂ ରସପିପାସୁ ହୃଦୟର ଆକର୍ଷଣୀୟ ବସ୍ତୁ । ସେଥିପାଇଁ ଆମେ ପାହାଡ଼ର ଶୀର୍ଷଦେଶକୁ ଉଠୁଛନ୍ତି । ପାହାଡ଼ର ଶୀର୍ଷଦେଶସ୍ଥ ଶିବମନ୍ଦିରର ପ୍ରସ୍ତରବେଦୀରେ ବସି ଜ୍ୟୋତ୍ସ୍ନାବିଧୌତ ରଜନୀକୁ ଉପଭୋଗ କରିବା । ତିନି ଜଣ ଲୋକ ହିମାଳୟର ଶିଖରଦେଶକୁ ଉଠୁଥିବା ବେଳେ ଜଣେ ଯୁବକ ସାଥୀ ଦୁଇ ଜଣଙ୍କୁ ଏକଥା କହିଲା ।

 

ସାଥୀ ତିନିଜଣ ପର୍ଯ୍ୟଟନକାରୀ । ହିମାଳୟର ଗିରିଗହ୍ୱର ଓ ତରୁଲତା ଅଭ୍ୟନ୍ତରରେ ସେମାନେ ପ୍ରକୃତିର ସୁଷମା ଦେଖିବା ଲାଗି ଏ କଠୋର ବ୍ରତ ନେଇଥିଲେ । ତିନି ଜଣଯାକ ଆଧୁନିକ ଶିକ୍ଷାଦୀକ୍ଷାରେ ଦୀକ୍ଷିତ । ପ୍ରୌଢ଼ତ୍ୱର ଅଗ୍ରସର ହୋଇଥିଲେ ମଧ୍ୟ ବୃଦ୍ଧ ନୁହନ୍ତି । ବକ୍ତା ଜଣକ ପୁଣି କହିଲେ—

 

ଆପଣମାନେ ଠିକ୍ ଲକ୍ଷ୍ୟ କରିଥିଲେ ଯେ ପହଞ୍ଚିବାର ପ୍ରଥମ ଦିନରେ ମୁଁ ଖୁବ୍ ଅନ୍ୟମନସ୍କ ହୋଇ ପଡ଼ିଥିଲି । ଏପରି କି ଭୋକ ଶୋଷ ମଧ୍ୟ ଭୁଲି ଯାଇଥିଲି । ପ୍ରକୃତରେ ତାହା ହିଁ ହୋଇଥିଲା । ମୋର ମନେ ହୋଇଥିଲା ମୁଁ ଯେପରି ମୁକ୍ତ ଆକାଶର ଉଡ଼ନ୍ତା ପକ୍ଷୀ । ପ୍ରକୃତିର ଅଫୁରନ୍ତ ନୀଳିମାରେ ମୁଁ ନିଜକୁ ହଜାଇ ଦେଇଥିଲି । ଆଃ କି ଆନନ୍ଦ ! ଜୀବନଟା କେଡ଼େ ଲୋଭନୀୟ ସତେ ! ମୁଁ ଅନୁଭବ କରିଥିଲି ଏହିପରି ଅନେକ କିଛି । ମାତ୍ର ଦୁଃଖର କଥା, ମୁଁ ଆପଣମାନଙ୍କ ଆଗରେ ବିଶେଷ କିଛି ବର୍ଣ୍ଣନା କରିପାରୁନାହିଁ । କ୍ଷମା କରିବେ, ମୁଁ ସାହିତ୍ୟିକ ନୁହେଁ କିମ୍ବା ହେବା ପାଇଁ କେବେ ଚେଷ୍ଟା କରି ନାହିଁ । ଆପଣମାନେ ଜାଣନ୍ତି, ମୁଁ ବିଜ୍ଞାନର ଛାତ୍ର ଥିଲି ଏବଂ ବି.ଏସ୍.ସି ପର୍ଯ୍ୟନ୍ତ ପଢ଼ି କମ୍ପାନୀ ଅଧୀନରେ ଚାକିରି ଜୀବନ ବାଛି ନେଇଥିଲି । ଏସବୁ କଥା ଶୁଣି ଆପଣମାନେ ହୁଏତ ଭାବୁଥିବେ ମୁଁ ଜଣେ ଗପୁଡ଼ୀ । ଆପଣମାନଙ୍କୁ ଶୀଘ୍ର ଶୀଘ୍ର ଘଟଣାଟା ନ କହି ମୁଁ କେବଳ ମୋ ନିଜ କଥା କହି ଚାଲୁଛି । ପ୍ରକୃତରେ ଜୀବନ ସଂପର୍କରେ ଯାହାର ଯେତେ ଅନୁଭୂତି ଅଛି ଏବଂ ସିଏ ବେଶୀ ସଚେତନ, ସିଏ କ’ଣ କେବେ ସଂକ୍ଷପ୍ତରେ ତାରା ଅନ୍ତରର କଥା ପ୍ରକାଶ କରିପାରେ ? ଛାଡ଼ନ୍ତୁ ନା, ଏହା ତ ବ୍ୟକ୍ତିଗତ ବ୍ୟାପାର । ତେବେ ଆପଣମାନେ ସମ୍ମତି ହେବେ ସେ ଏତେ ପ୍ରକାର ବର୍ଣ୍ଣନାର ଛଟା ଶୁଣି ଶୁଣି ହୁଏତ ପାହାଡ଼ର ଶିଖରଦେଶକୁ ଉଠିବାରେ ଯେଉଁ କଷ୍ଟ ତାହା ଅନ୍ତତଃ ବାଧୁ ନ ଥିବ । ଆଉ ଅଳ୍ପ ସମୟ ପରେ ଆମେ ମନ୍ଦିର ନିକଟରେ ପହଞ୍ଚିବା, ବୋଧହୁଏ ଆଉ ଦୁଇଟି କି ତିନୋଟି ଷ୍ଟେପ୍ । ତାପରେ ମୁଁ ଅସଲ ବିଷୟ ଆପଣମାନଙ୍କୁ ନିଶ୍ଚୟ ଧୀରେ ସୁସ୍ଥେ ଜଣାଇବା । ତେବେ ଏହା ମଧ୍ୟରେ ଆଉ କେତେକ ପ୍ରାରମ୍ଭିକ କଥା ଶୁଣି ନିଅନ୍ତୁ । ସେତେବେଳକୁ ଘଟଣାଟା ବୁଝିବାକୁ କଷ୍ଟ ହେବ ନାହିଁ ।

 

ପ୍ରକୃତରେ ମୁଁ ଏଠାରେ ପହଞ୍ଚିବା ପରେ ଏପରି ଏକ ପ୍ରକାର ବସ୍ତୁ ଅନ୍ତରରେ ଅନୁଭବ କରିଥିଲି, ଯାହାର କି ସମଗ୍ର ବିଜ୍ଞାନର ଛତ୍ରେ ଛତ୍ରେ କିମ୍ଵା ମୋର ପଢ଼ିଥିବା ଗଳ୍ପ, ଉପନ୍ୟାସ, କବିତା ବହିର ପୃଷ୍ଠା ମନେ ମନେ ଲୋଉଟାଲ ତାର କିଛି ସୂଚନା ପାଇଁ ନ ଥିଲି । ଏପରି କି ବାସରଘରେ ନବବଧୂର ଆକର୍ଷଣଠାରୁ ମଧ୍ୟ ତାହା ଆହୁରି ଉତ୍କର୍ଷ ଥିଲା । ମଣିଷର ଜୀବନ ଉପରେ ଅନ୍ୟ ଗୋଟିଏ ଜୀବନର ସେ ଅନୁଭୂତି ଥାଏ ତାହା ମୁଁ ହଠାତ୍ ଏଠାରେ ଆବିଷ୍କାର କରିଥିଲି । ଅନ୍ତର ମୋର ଆନନ୍ଦରେ ଉଦ୍‍ବେଳିତ ହୋଇଉଠିଥିଲା । ମୃତ୍ୟୁ ପାଇଁ ଶୋଚନା ନ ଥିଲା । ଦୁନିଆର ସମସ୍ତ ହିଂସ୍ରପ୍ରାଣୀ, ବାଇନଟ୍, ଟ୍ୟାଙ୍କ, ପରମାଣୁ—ଏ ସମସ୍ତ ପ୍ରତି ଭୟ ନ ଥିଲା-। ସମସ୍ତ ପ୍ରକାର ଭୟକୁ ଆଲିଙ୍ଗନ କରିବା ପାଇଁ ମନ ମୋର ସ୍ୱତଃ ଆଗ୍ରହୀ ହୋଇଉଠିଥିଲା । କିଏ ଶତ୍ରୁ ? କିଏ ମିତ୍ର ? କି ଘର, କି ସଂସାର, ମୁଁ କିଛି ଚିନ୍ତା କରି ପାରୁ ନ ଥିଲି । ଏପରି କି ନିଜକୁ ମୁଁ ଖୋଜି ପାଉ ନ ଥିଲି । ବିଶ୍ୱାସ କରନ୍ତୁ, ଆପଣମାନେ କେହି ପାଖରେ ନ ଥିବା ବେଳେ ମୁଁ କେବେଳ ଅନେକ ସମୟରେ ନିଜକୁ ଖୋଜୁଥିଲି । ମୁଁ କାହିଁ ? ମୁଁ କାହିଁ ?? ଏତକ ଉଚ୍ଚାରଣ କରିବା ବ୍ୟତୀତ ମୁଁ ଅନ୍ୟ କିଛି ଭାବି ପାରୁ ନ ଥିଲି । ମାତ୍ର ମୁଖ ମୋର ବନ୍ଦ ଥିଲା । ଏ ଆପଣମାନେ ହସିଲେଣି । ଭାବୁଛନ୍ତି ମୁଁ ପାଗଳ...ନା ନା, ମୋର କିଛି ହୋଇନାହିଁ । ମୋର କଣ୍ଠ ରୁଦ୍ଧ ହୋଇ ନାହିଁ କି ମୁଁ ବେଦନା ଅନୁଭବ କରିନାହିଁ । ଏବେ ମନ୍ଦିର ନିକଟରେ ଆମେ ପହଞ୍ଚିଲେଣି । ଆସନ୍ତୁ ତା ଚଟାଣରେ ବସିବା । ପୂର୍ଣିମାର ଜହ୍ନ ଉଇଁଲାଣି । ଆଜି ଆପଣଙ୍କୁ ସମସ୍ତେ ବିଷୟ ଜଣାଇ ମୁଁ ଶାନ୍ତିରେ ଦୀର୍ଘଶ୍ୱାସ ଛାଡ଼ିବି । ଦୟାକରି ଫ୍ଲସ୍କଟା ଦିଅନ୍ତୁ ତ, ମୋତେ ଖୁବ୍ ଶୋଷ ଲାଗୁଛି । ଯୁବକ ତିନି ଜଣ ମନ୍ଦିର ଚତ୍ୱରରେ ଉପଵେଶନ କଲେ । ଫ୍ଲାସ୍କରୁ ଜଳପିଇ ଯୁବକ ପୁଣି ଆରମ୍ଭ କଲେ—

 

ହଁ ଶୁଣନ୍ତୁ, ମୁଁ ଏବେ ଆଶ୍ୱସ୍ତି ଅନୁଭବ କରୁଛି । ଆପଣମାନଙ୍କୁ କହିବାରେ ଆଉ କିଛି ବାଧା ନାହିଁ । ଆପଣମାନଙ୍କର ମନେଥିବ, ଦ୍ୱିତୀୟ ଦିନର ଗୋଧୂଳି ସମୟରେ ଆମେ ଯେତେବେଳେ ଝରଣାର କୂଳେ କୂଳେ ବନରାଜି ବକ୍ଷ ଭେଦକରି ଆଗେଇ ଚାଲିଥିଲେ, ସେତେବେଳେ ଗୋଟିଏ ଗଛତଳେ ଜଣେ ପାଗଳକୁ ଦେଖିବାକୁ ପାଇଥିଲେ । ଆପଣମାନେ ତାର ବେଶଭୂଷା ତଥା ରୁକ୍ଷ କେଶ, ହାଡ଼ୁଆ ବକ୍ଷ, ଲମ୍ବା ଲମ୍ବା ଦାଢ଼ି, ହିଂସପ୍ରାଣୀ ପରି ଦୀର୍ଘ ନଖ—ଏ ସମସ୍ତ ଦେଖି ଭୟ ପାଇ ଦୂରେଇ ଯାଇଥିଲେ । ମାତ୍ର ମୁଁ ଯାଇପାରି ନ ଥିଲି । କ୍ଷଣକାଳ ନୀରବ ହୋଇ ଛିଡ଼ା ହୋଇଥିଲି । ତେଣୁ ଆପଣମାନେ ମୋ ଉପରେ ବିରକ୍ତି ପ୍ରକାଶ କରିଥିଲେ । ମାତ୍ର ଆପଣମାନେ ବିଶ୍ୱାସ କରିବେ ନାହିଁ ଯେ ମୁଁ ସବୁଠାରୁ ଭୟାଳୁ । ନିଜର ଛାଇକୁ ଦେଖି ନିଜେ ଚମକି ପଡ଼େ ବୋଲି ମୋ ବୋଉ ମୋ ଲାଗି ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କ ମସ୍ତକରେ ନାଗଚମ୍ଫା ଚଢ଼ାନ୍ତି । ତାହାଙ୍କ ମୃତ୍ୟୁ ପରେ ମୋ ସ୍ତ୍ରୀ ମଧ୍ୟ ପ୍ରତ୍ୟେକ ସୋମବାର ଉପବାସ କରନ୍ତି । ଏପରି କି ପିଲାପିଲିମାନେ ମଧ୍ୟ ତାଙ୍କ ବୋଉଙ୍କ ଆଦର୍ଶ ଅନୁସରଣ କରି ସୋମବାର ଆମିଷ ନ ଖାଇବା ତଥା ରାତିରେ ଅନ୍ନଗ୍ରହଣ ନ କରିବା ଇତ୍ୟାଦିର ଗୋଟାଏ ପରମ୍ପରା ସୃଷ୍ଟିକରି ସାରିଛନ୍ତି । ଏ ସମସ୍ତ ସତ୍ତ୍ୱେ ମୁଁ କିନ୍ତୁ ଅଟକି ଯାଇଥିଲି ଏକ ଅଜଣା ଆକର୍ଷଣର ମୋହରେ । ମୋର ମନେ ହୋଇଥିଲା ସେହି ଘଞ୍ଚ ରୁକ୍ଷ ଶ୍ମଶ୍ରୁରାଜି ମଧ୍ୟରେ ଅସ୍ଥି କଙ୍କାଳସାର ମୁଖମଣ୍ଡଳରୁ କରୁଣଦୀପ୍ତ ଚକ୍ଷୁଦୁଇଟି ଯେପରି ମୋତେ କିଛି କହିବା ପାଇଁ ଚାହୁଁଛି । ମୁଁ ଅନୁଭବ କରୁଥିଲି ତାହା ଯେପରି ଥିଲା ଯୁଗଯୁଗର ଭାଷା ଓ ଚିରନ୍ତନ ସତ୍ୟର ପ୍ରତିଛବି । ମାତ୍ର ଅଭୁଝା ମୁଁ କିଛି ବୁଝିପାରିଲି ନାହିଁ । ବରଂ ଆପଣମାନଙ୍କ ସହିତ ଫେରି ଆସୁ ଆସୁ ଅତୀତର ସ୍ମୃତିକୁ ମନ ମଧ୍ୟରେ ରୋମନ୍ଥନ କରୁଥିଲି । ଆଖି ଆଗରେ ମୋର ଭାସି ଉଠୁଥିଲା ଦୀର୍ଘ କୋଡ଼ିଏ ବର୍ଷ ତଳର ପୁରୁଣା କାହାଣୀ । ଭାବନାଗୁଡ଼ିକ ସ୍ଵତଃ ପ୍ରକାଶ ଲାଭ କରିବା ପାଇଁ ଉଦ୍‍ବେଳିତ ହେଉଥିଲେ । ମୁଁ ଚିନ୍ତାରେ ଭାଙ୍ଗି ପଡ଼ିଲି । ଗତ ଦୁଇ ଦିନ କାଳ ମୁଁ ଅସ୍ଵସ୍ତି ଅନୁଭବ କଲି । ଶୟନେ–ସ୍ଵପନେ–ଜାଗରଣେ ଦେଖିବାକୁ ପାଇଲି କେବଳ ସେହି ଛବି ।

 

ରଞ୍ଜନ ମୋର ଥିଲା ଘନିଷ୍ଠ ବନ୍ଧୁ । ମାତ୍ର ଆମେମାନେ ଏକ ପ୍ରଦେଶର ବାସିନ୍ଦା ନ ଥିଲୁ । ରଞ୍ଜନ ଥିଲା ବଙ୍ଗଭାଷୀ ଏବଂ ମୁଁ ଥିଲି ଓଡ଼ିଆ । ଜୀବନର ତିରିଶଟି ଫଗୁଣ ଅତିକ୍ରାନ୍ତ ପରେ ଆମର ପରସ୍ପର ଆକସ୍ମିକ ଭାବେ ପରିଚୟ ହୋଇଥିଲା ଦିଲ୍ଲୀର ନେହେରୁ ପାର୍କ ପାଖରେ-। ଦୁଇ ଜଣ ମଧ୍ୟ ଥିଲୁ ଅଫିସର ସେକ୍‍ସନାଲ୍ ଅଫିସର । ତେଣୁ ଆମର ବନ୍ଧୁତା ଥିଲା ଅଭିନ୍ନ, ଅତୁଟ । ରଞ୍ଜନ ଥିଲା ମିଷ୍ଟଭାଷୀ, ଶାନ୍ତ ସରଳ ପ୍ରକୃତିର ଲୋକ । ମାତ୍ର ମୋ ବ୍ୟତୀତ ତାର ଅନ୍ୟ କାହା ସହିତ ବେଶୀ ସଂପର୍କ ନ ଥିଲା । ଯଦିଓ ସମସ୍ତେ ତାର ବ୍ୟବହାର ପାଇଁ ତାର ପ୍ରଶଂସା କରୁଥିଲେ । ତେଣୁ ତାକୁ ସମସ୍ତେ ଭଲ ପାଉଥିଲେ । ଏହାର ଏକମାତ୍ର କାରଣ ଥିଲା—ସେ ଜାଣି ଜାଣି ବିଶେଷ ଭାବରେ ଅନ୍ୟ ସହିତ ମିଶୁ ନଥିଲା । ସେ ତାର ପିଲାଦିନରୁ ଘଟି ଆସିଥିବା କେତେକ ତିକ୍ତ ଅନୁଭୂତି ଦିନେ ମୋ ପାଖରେ କହିଥିଲା ।

 

ରଞ୍ଜନ ଥିଲା ଗରିବ । ଫଳରେ ସଂସାର ପ୍ରତି ତାର ଅନ୍ତରରେ ସର୍ବଦା ଭୟ ଥିଲା । ତେଣୁ ଯେ କୌଣସି କାମ କରିବା ପୂର୍ବରୁ ନିଜ ବିଷୟରେ ସଚେତନ ହୋଇଉଠୁଥିଲା । ଫଳରେ ଅଫିସର ହୋଇ ମଧ୍ୟ ଆକସ୍ମିକ ଭବିଷ୍ୟତର ଫଳାଫଳ ପାଇଁ ସେ ଜାଗ୍ରତ ଥିଲା । ଏଥିପାଇଁ ସେ ତାର ଶାନ୍ତ ସରଳ ବ୍ୟବହାର ଅତୁଟ ରଖିଥିଲେ ମଧ୍ୟ କାହାରି ସହିତ ଅନ୍ତର ଦେଇ ମିଶିପାରୁ ନ ଥିଲା । ମୋଟ ଉପରେ ତାକୁ ଗୋଟିଏ ଟାଇମ୍‍ପାସ୍‍ର ମଣିଷ କହିଲେ ଭୁଲ୍ ହେବନାହିଁ । ରଙ୍ଗମଞ୍ଚର ଅଭିନେତା ପରି ସେ କେବଳ ଯେତେବେଳେ ଯେଉଁ କାମ ତାହା ସୂଚାରୁରୂପେ ସଂପାଦନ କରୁଥିଲା । ମାତ୍ର ତା ନିକଟରେ ନିର୍ଜନତା ଥିଲା ଅଧିକ ପ୍ରିୟ । ଯେତେବେଳେ ଅବସର ପାଉଥିଲା ନେହେରୁ ପାର୍କର ପଶ୍ଚିମ ପାଖ ସେହି ଗୋଟିକିଆ ବେଞ୍ଚ ପାଖକୁ ସେ ଛୁଟି ଯାଉଥିଲା । କିଛି ସମୟ ବସିଯିବା ପରେ ସେ ଶାନ୍ତିରେ ଦୀର୍ଘଶ୍ୱାସ ଛାଡ଼ି ପୁଣି ନିଜ ରୁମ୍‍କୁ ଫେରିଆସୁଥିଲା । ମୋର ସେତେବେଳକୁ ଚାକିରିରେ ଜଏନ୍ କରିବାର ଚାରିମାସ ହୋଇ ସାରିଥାଏ । ରବିବାର ଅପରାହ୍ନରେ ମୁଁ ମାର୍କେଟିଂ କରି ବସାକୁ ଫେରୁଥିଲି । ନେହେରୁ ପାର୍କଟି ପିଲାମାନଙ୍କର ଘୋ ଘୋ ରାବରେ ମୁଖରିତ ହୋଇଉଠୁଥାଏ । ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ଫୁଲରେ ପାର୍କଟି ସୁଶୋଭିତ-। ଜଞ୍ଜାଳମୟ ଜୀବନଯାତ୍ରାରେ ମୋ ନିକଟରେ ଫୁଲର ଆକର୍ଷଣ ଯେତେ ନ ଥିଲା ପିଲାମାନଙ୍କର ଦରୋଟି ଭାଷା ତାଠାରୁ ଅଧିକ ଆନନ୍ଦଦାୟକ ଥିଲା । ତେଣୁ ଛାଏଁ ଛାଏଁ ମୋର ପାଦ ଯୋଡ଼ିକ ସାଇକେଲ ପ୍ୟାଡ଼େଲ ଉପରେ ସ୍ଥିର ହୋଇଗଲା । ପରିବା ନେଇ ପହଞ୍ଚିଲେ ଘରେ ରୋଷେଇ ହେବ । ପୁଣି ଶୀଘ୍ର ଖାଇପିଇ ମୋ ସ୍ତ୍ରୀ ଏବଂ ଏକମାତ୍ର କନ୍ୟା ମିତା ସିନେମା ଯିବେ । ସେକଥା ଭୁଲିଯାଇ ସାଇକେଲରୁ ଓହ୍ଲାଇ ଚାହିଁ ରହିଲି । ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ବେଶ ପୋଷାକ ପିନ୍ଧି ପିଲାମାନେ ଦଳ ଦଳ ହୋଇ ଖେଳୁଥାଆନ୍ତି । କେଉଁ ଘଞ୍ଚ ଫୁଲବୁଦା ମୂଳେ ପିଲାଟିଏ ଲୁଚି ଯାଉଥାଏ, ଅନ୍ୟ କେତେକ ଏ ବୁଦା ସେ ବୁଦା ହୋଇ ତାକୁ ଖୋଜିବାରେ ଲାଗିଥାଆନ୍ତି । କେଉଁଠି ଦଳେ ଝିଅ ଲୁହା ସିଡ଼ି ଉପର ଦେଇ ଉପରୁ ତଳକୁ ଶୋଇ ଶୋଇ ଅନ୍ୟପଟେ ଖସୁଥାଆନ୍ତି । କେଉଁଠି ପିଲାମାନେ ଦଳ ଦଳ ହୋଇ ଝୁଲୁଥାଆନ୍ତି । କେଉଁଠି ପୁଣି କାଠର ହାତୀ ଘୋଡ଼ା ନିର୍ମିତ ଗୋଲେଇ ଜୀବଜନ୍ତୁ ଉପରେ ବସି ବୁଲୁଥାଆନ୍ତି—କିଏ ବୁଲୁବୁଲୁ ରୁମାଲ ତଳେ ଥୋଇ ଦେଉଥାଏ ତ କିଏ ପୁଣି ସାଏଁ କରି ମୂର୍ତ୍ତି ଦେହରେ ଗୋଡ଼କୁ ଛନ୍ଦିଦେଇ ତଳକୁ ଝୁଙ୍କିପଡ଼ି ସେ ରୁମାଲ ଉଠାଇ ନେଉଥିଲେ । ବିଭିନ୍ନ ଭାଷା, ବିଭିନ୍ନ ବେଶଭୂଷା ମୋତେ ମୋହିତ କରିଦେଉଥାଏ-। ମନେ ହେଉଥାଏ—ଏଇଟା ବୋଧହୁଏ ବିଶ୍ଵର କେନ୍ଦ୍ରସ୍ଥଳ । ଚୀନ୍, ଜାପାନ, ଆମେରିକା, ରୁଷ୍‍ ଓ ଭାରତ ଇତ୍ୟାଦି ସମସ୍ତ ଦେଶର ଲୋକ ଏହିଠାରେ ଠୁଳ ହୋଇଛନ୍ତି । ସେମାନଙ୍କର ଅଶ୍ରାୟଦାତା ଓ ପାଳନକର୍ତ୍ତା ଯେପରି ଉପରେ ଆକାଶ ଓ ତଳେ ବସୁମତୀ । ଆଖି ଆଗରେ ଭାସି ଉଠୁଥାଏ ମୋର ପିଲାଦିନର ସ୍ମୃତି । ନଈକୂଳ ବରଗଛମୂଳେ ଡାଳମାଙ୍କୁଡ଼ି ଖେଳା, ଜହ୍ନରାତିରେ ଗାଆଁ ଦାଣ୍ଡରେ ଚୋର ପୁଲିସ ଖେଳା ଇତ୍ୟାଦି... । ହଠାତ୍ ମୋର ଭାବନାରେ ପୂର୍ଣ୍ଣଛେଦ ପଡ଼ିଲା । ପ୍ରକୃତିସ୍ଥ ହୋଇ ପାର୍କ ମଧ୍ୟକୁ ଚାହିଁଦେଲି । ଦେଖିଲି, ପିଲାମାନଙ୍କର ଖେଳ ବନ୍ଦ ହୋଇଯାଇଛି । ସମସ୍ତଙ୍କ ମୁଖମଣ୍ଡଳରେ ପୂର୍ଣ୍ଣମୀ ଚାନ୍ଦର ମନଭୁଲା ହସ ଲିଭିଯାଇ ଅକାଳ ବଉଦର କାଳିମା ଘୋଟିଯାଇଛି । ସମସ୍ତେ ଝୁଲଣ ଦିଗକୁ ଛୁଟିଛନ୍ତି । ମୁଁ ସଙ୍ଗେ ସଙ୍ଗେ ସାଇକେଲ ନେଇ ପାର୍କ ମଧ୍ୟକୁ ପଶିଗଲି । ଦେଖିଲି, ଗୋଟିଏ ଛୋଟ ପିଲା ଝୁଲୁ ଝୁଲୁ ଖସିପଡ଼ିଛି । ବିଶେଷ କିଛି ଆଘାତ ହୋଇନାହିଁ । କେବଳ ପିଲାଟିର ଚେତା ହଜିଯାଇଛି । ଦୁଇ ଚାରି ଜଣ ଲୋକ ବସି ତାକୁ ବିଞ୍ଚାବିଞ୍ଚି କରୁଛନ୍ତି । ସଙ୍ଗେ ସଙ୍ଗେ ହର୍ଣ୍ଣ ଦେଇ ଆମ୍ବୁଲାନ୍‍ସ ଆସି ମଧ୍ୟ ପହଞ୍ଚିଲା । ପିଲାଟିକୁ ନେଇ କେତେ ଜଣ ନର୍ସ ଆମ୍ବୁଲାନ୍‍ସ ମଧ୍ୟରେ ଶୁଆଇଦେଲେ । ପିଲାମାନେ ପୁଣି ନିଜନିଜ ସ୍ଥାନକୁ ଫେରିଯାଇ ଖେଳରେ ମନଦେଲେ । କାହାରି ମୁଖରେ ଆଉ ପୂର୍ବର ସେ ଚିନ୍ତାନାହିଁ । ସମସ୍ତେ ସ୍ଵାଭାବିକ । ଏହା ଯେପରି ନିତ୍ୟନୈମିତ୍ତିକ ଘଟଣା । ଯାଦୁକର ଖେଳ ପରି ମନେ ହେଲା । ଫେରିବାକୁ ଉଦ୍ୟତ ହେଲି । ହଠାତ୍ ରଞ୍ଜନ ସହିତ ଦେଖାହେଲା । ସେ ମୋତେ ନିକଟସ୍ଥ ସିମେଣ୍ଟ ବେଞ୍ଚ ପାଖକୁ ଆହ୍ଵାନ କଲା । ଚାରିମାସର ସାକ୍ଷାତ । ମାତ୍ର ଏପରି ନିର୍ଜନ ପରିବେଶରେ ଏକାଏକା ତା ସହିତ ମୋର କେବେ ଭେଟ ହୋଇ ନ ଥିଲା । ମୁଁ ଆଗେଇଗଲି । ରଞ୍ଜନ ତାର ବାଇକ୍‍ଟିକୁ ସିମେଣ୍ଟ ବେଞ୍ଚ ପାଖରେ ଡେରିଦେଇ ବସିଥାଏ । ସେ ହସି ହସି କହିଲା—କୁଆଡ଼େ ଆସିଥିଲ ? ମୁଁ ଟିକିଏ ଖୋଲା ପ୍ରକୃତିର ଲୋକ । ମୋର ଜଞ୍ଜାଳମୟ ଜୀବନର କଥା ତା ନିକଟରେ ବାଢ଼ି ବସିଲି । ଗୃହଣୀଙ୍କ ତାଗଦା, ଘରକୁ ମାସକୁମାସ ଟଙ୍କା ପଠାଇବା, ବନ୍ଧୁ ବାନ୍ଧବଙ୍କର ଟଙ୍କା ଲାଗି ମୁହଁ ଫୁଲାଫୁଲି, ପୁଣି ଭାଇ ଭଉଣୀଙ୍କର ପିଲାମାନଙ୍କୁ ଆଣି ମୋ ପାଖରେ ରଖି ପଢ଼ାଇବା ଲାଗି ସେମାନଙ୍କର କିପରି ତାଗଦା—ଏ ସମସ୍ତ ବିଷୟ କହି ଦୀର୍ଘଶ୍ୱାସ ଛାଡ଼ିଲି । ରଞ୍ଜନ ମଧ୍ୟ ମୋ କଥା ଶୁଣିସାରି ଗମ୍ଭୀର ହୋଇଯିବା ପରି ମନେହେଲା । ମୁଁ କହିଲି—କ’ଣ ଭାବୁଛନ୍ତି ?

 

ସେ କହିଲା—ଜୀବନଟାତ ଏଇଆରେ ଭାଇ ! ଯାହାକୁ ଯେତେ ଦେଇପାରିବ ତେତେ ଭଲ । କିନ୍ତୁ ତୁମକୁ କେହି ଦେବେ ନାହିଁ । ଦେବା ବନ୍ଦ କଲେ ସେ ହେବ ତୁମର ଶତ୍ରୁ । ବର୍ଷସାରା ଜଣକୁ ସବୁ ପ୍ରକାର ସାହାଯ୍ୟ କରି ଥରେ ଯଦି ମନା କରିଦେବ ତେବେ ତୁମେ ହେବ ଦାମ୍ଭିକ, ଅହଂକାରୀ ଓ କୃପଣ । ତାପରେ ତୁମେ ବିପଦ ଦେଖିଲେ ସେମାନେ ମୁହଁ ଆଡ଼େଇ ଚାଲିଯିବେ । ତୁମର ସୁଖ କେହି ଦେଖିବେ ନାହିଁ । ସବୁବେଳେ ତୁମର ରକ୍ତ ଶୋଷି ଶୋଷି ଜ୍ଞାତି, ବନ୍ଧୁ କୁଟୁମ୍ବମାନେ ନିଜକୁ ପୁଷ୍ଟ କରିବେ । ରଞ୍ଜନ ଏତକ କହି ଦୀର୍ଘଶ୍ୱାସ ଛାଡ଼ିଲା ।

 

ମୁଁ ହାତଘଣ୍ଟା ଚାହିଁ ଦେଖିଲି, ସମୟ ସନ୍ଧ୍ୟା ଛଅଟା ବାଜିଲାଣି । ଗୃହିଣୀଙ୍କ କଥା ମନେ ପଡ଼ିବାରୁ ମୁଁ ବ୍ୟସ୍ତ ହୋଇପଡ଼ିଲି । ରଞ୍ଜନ ତା ବସାକୁ ମୋତେ ନିମନ୍ତ୍ରଣ କରି ଚାଲିଗଲା । ମୁଁ ମଧ୍ୟ ଫେରି ଆସିଲି । ତା ପରେ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ମୁଁ ରଞ୍ଜନ ପାଖକୁ ଯାଏ । ବିଭିନ୍ନ ବିଷୟରେ ସୁଖଦୁଃଖ ହେଉ । ମୋତେ ଯାଇ ରଞ୍ଜନ ପାର୍କକୁ ଯିବା ଛାଡ଼ିଦେଲା । କ୍ରମେ କ୍ରମେ ପରସ୍ପରର ବନ୍ଧୁତ୍ୱ ନିବିଡ଼ ହେବାକୁ ଲାଗିଲା ।

 

ଦିନକର କଥା । ରଞ୍ଜନ ଏବଂ ମୁଁ ସନ୍ଧ୍ୟାବେଳେ ତାର ବୈଠକ ଘରେ ବସିଥିଲୁ । ବୈଠକ ଘରଟି ସେତେ ଆଡ଼ମ୍ବରପୂର୍ଣ୍ଣ ନ ଥିଲା । ଚାରିକାନ୍ଥରେ ସ୍ଥାନେ ସ୍ଥାନେ ଶିବଙ୍କର ଚିତ୍ରପଟ, ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତିର ଚିତ୍ର, କେଉଁଠି ବା ଅର୍ଦ୍ଧନଗ୍ନ ପାର୍ବତୀ ଶିବଙ୍କ ସମ୍ମୁଖରେ ନ ଯଯୌ ନତସ୍ଥୈ ଅବସ୍ଥାର ଚିତ୍ରପଟ, କଦମ୍ବ ମୂଳରେ ଗୋଡ଼ରେ ଗୋଡ଼ ଛନ୍ଦି ଧେନୁ ଉପରେ ଭରା ଦେଇ ବଂଶୀବାଦନ କରୁଥିବା ଶ୍ରୀକୃଷ୍ଣ, ଗାନ୍ଧୀ ଓ ରବିନ୍ଦ୍ରନାଥ ଇତ୍ୟାଦିଙ୍କ ଚିତ୍ରପଟରେ ଘରଟି ଶୋଭିତ । ଘର ମଧ୍ୟରେ ଗୋଟିଏ ଟେବୁଲ ଏବଂ ଗୋଟିଏ ମାତ୍ର ସୋଫସେଟ । ତା ଉପରେ ଆମେ ଦୁଇ ବନ୍ଧୁ ବସି ନାନା ଆଳାପ ଆଲୋଚନା କରୁଥିଲୁ । ରଞ୍ଜନର ପତ୍ନୀ ମିସେସ ଲୀଳାଦେବୀ ହସହସ ମୁଖରେ ଚା’ ପରିବେଷଣ କଲେ । ରଞ୍ଜନ ପଚାରିଲେ—ବୁଲୁ ଫେରିଲାଣି ?

 

ହଁ, ଅଧଘଣ୍ଟାଏ ହେଲା ଆସିଲାଣି । ଆରଘରେ, ସେ ପଢ଼ୁଛି—ଲୀଳାଦେବୀ କହିଲେ ।

 

ଏହି ସମୟରେ ଟୁଲୁ ଘର ଭିତରକୁ ପଶିଆସି ରଞ୍ଜନ ଦେହରେ ଲଦି ହୋଇପଡ଼ି କହିଲା—ବାପା ବାପା ମୋତେ ଅପା ଛବି ବହି ଦେଉନାହଁ । ତମେ ବଡ଼ ଛବିବହି ମୋ ଲାଗି ଆଣିବ ।

 

‘ହଁ’ କହି ରଞ୍ଜନ ଟୁଲୁକୁ ନେଇ କୋଳରେ ବସାଇଲେ ।

 

ଟୁଲୁ କହିଲା—ବାପା, ତମେ ଚାଲାନା ବଜାରକୁ ଯିବା ।

 

ରଞ୍ଜନ କହିଲା—ହଁ, ତୁ ରହ । ତାପରେ ମୋତେ ଦେଖାଇ ଦେଇ କହିଲା—ହେଇ ଦେଖନା ମଉସା ବସିଛନ୍ତି ପରା ! ତୁ ତାଙ୍କୁ ନମସ୍କାର କଲୁଣି ? ଟୁଲୁ ମୋତେ ଚାହିଁ ଦେଇ ଲାଜେଇଗଲା । ରଞ୍ଜନର ବୁକୁ ଭିତରେ ମୁହଁ ଗୁଞ୍ଜି ଦେଲା । ମୁଁ ହସି ହସି ହାତ ବଢ଼ାଇଲି ଟୁଲୁକୁ ଆଣିବା ପାଇଁ । ମାତ୍ର ଟୁଲୁ ମୋତେ ଚାହିଁ ଚାହିଁ ବାପକୁ ଜାବୁଡ଼ି ଧରିଥାଏ । ଲୀଳା ଦେବୀ ଟେବୁଲ ଉପରେ ଛିଡ଼ାହୋଇ ହସି ହସି କହିଲେ—ସେ ପରା ମାଇଚିଆଟାଏ । ଖାଲି ତାର ବାପା, ବାପା । ବାପା ବ୍ୟତୀତ ସେ ଆଉ ଦୁନିଆରେ କିଛି ଜାଣେ ନାହିଁ ।

 

ଟୁଲୁ କାନ୍ଦ କାନ୍ଦ ହୋଇ କହିଲା—ବାପା, ବୋଉ ମତେ କଉଚି । ତମେ ତାକୁ କୁହନା । ଏ...ଏ ବାପା...

 

ରଞ୍ଜନ ହସି ହସି ଟୁଲୁକୁ ଆଉଁସି ଦେଉ ଦେଉ କହିଲେ—ଆଛା ହଉ, ବୋଉକୁ କହିବା-

 

ତମେ କୁହ । ହେଇ ସେ ଏଠି ରହିଛି । ବାପା, ହେଇ ବୋଉ ମୋତେ ଅନେଇ ହସୁଚି-

 

ଆଚ୍ଛା ହେଉ । ତା ପରେ ସେ ସ୍ତ୍ରୀକୁ କହିଲେ—ତମେ ଯାଅ । ଲୀଳାଦେବୀ ଯାଉ ଯାଉ କହିଲେ—ହଉ ଟୁଲୁ, ମୁଁ ତୋ ବୋଉ ହେବି ନାହିଁ ।

 

ନ ହଅ । ମୋ ବାପା ଅଛି । ପୁଣି ରଞ୍ଜନକୁ ହଲେଇ ଦେଇ କହିଲା—ବାପା ତମେ ଆଉ ଗୋଟିଏ ବୋଉ ଆଣିବ ।

 

ହଁ, ତା ପରେ ରଞ୍ଜନ ହସି ହସି ମୋତେ କହିଲା—ବୁଝିଲେ, ଟୁଲୁ ମୋ ବ୍ୟତୀତ ଆଉ କାହାରିକୁ ଜାଣେ ନାହିଁ । ତାହାର ଯେତେ ଅଭାବ ଅସୁବିଧା ସବୁ ମୋ ନିକଟରେ । ଦମକାଏ ହେମାଳ ପବନ ପରଦା ଆଡ଼େଇ ଘର ଭିତରେ ବହିଗଲା । ଦେହ ରୋମାଞ୍ଚିତ ହୋଇଉଠିଲା । ମୁଁ ବ୍ୟସ୍ତ ହୋଇପଡ଼ି କହିଲି—ରଞ୍ଜନ, ବୋଧହୁଏ ବର୍ଷା ହେବ, ମୁଁ ଏବେ ଯାଉଛି ।

 

ଆରେ, ବସନା । ଏଇଠି ଖାଇଦେଇ ଯିବ । ମୁଁ ବାଧ୍ୟ ହୋଇ ବସି ରହିଲି । ଟୁଲୁ ଏହା ମଧ୍ୟରେ ତାର ବୋଉ ପାଖକୁ ଚାଲିଗଲାଣି । ରୋଷେଇ ଘରେ ତାର ବୋଉଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଥିବା ଶୁଭୁଛି । ଟୁଲୁ କହୁଛି—ବୋଉ, ମୁଁ ଆମ ବିଲେଇକି ପୁଅ କରିବି । ସେ କାହିଁକି ଆଜି ଆସିନାହିଁ ? ତା ବୋଉ ତାକୁ ନ ଦେଖି କାନ୍ଦେନା’ ? ତା ବାପା ନାଆଁ କଣ ? ସେ କାହିଁକି ତୋ ଗୋଡ଼ ପାଖରେ ଶୁଏ ଇତ୍ୟାଦି—ଶିଶୁ ମନର ନାନାଦି ଅବୁଝା ପ୍ରଶ୍ନ । ବାହାରେ ଝିପିପିଝ ବର୍ଷା ଆରମ୍ଭ ହୋଇଗଲା । ମଝିରେ ମଝିରେ ବିଜୁଳିର ଚମକ ଶରୀରରେ ଅଜଣା ପୁଲକ ସୃଷ୍ଟି କଲା । ହଠାତ୍ ରଞ୍ଜନକୁ ଚାହିଁଦେଇ ମୁଁ ବିସ୍ମିତ ହୋଇପଡ଼ିଲି । ଯେଉଁ ରଞ୍ଜନ ହସି ହସି ଅନ୍ତର ଖୋଲା କଥାବାର୍ତ୍ତା କରୁଥିଲା ସେ ଏପରି ଗମ୍ଭୀର ହୋଇଗଲା କାହିଁକି ? ତା ମୁଖମଣ୍ଡଳରେ ଏପରି ଯନ୍ତ୍ରଣାର ରେଖା ଫୁଟି ଉଠିଲା କାହିଁକି ? ଆହା, ବ୍ୟାଧ ଭୟରେ ପଛକୁ ଚାହୁଁଥିବା ହରିଣୀର ଆଖି ପରି ରଞ୍ଜନର ଆଖି କେଡ଼େ କରୁଣ ! କେତେ ଅସହାୟ ତାର ଚାହାଣୀ ! ବୁଝି ପାରିଲିନି ! କିଛି ଅଜଣା ଆଶଙ୍କାରେ ବିଚଳିତ ହୋଇପଡ଼ି ଧୀରେ ଡାକିଲି—ରଞ୍ଜନ !

 

ଏଁ... !

 

କିଛି ଭାବୁଛୁ ?

 

ପ୍ରକୃତିସ୍ଥ ହୋଇ ରଞ୍ଜନ କହିଲା—ଭାବନା ବିନା କ’ଣ ମଣିଷ ବଞ୍ଚିପାରେ ? ଏହି ଭାବନାର ତ ଅପର ନାମ ସ୍ମୃତି । ଏହା ହିଁ ବୋଧହୁଏ ମାନବସମାଜକୁ ପ୍ରକୃତିର ଶ୍ରେଷ୍ଠ ଅବଦାନ । ସ୍ମୃତି ଯାହାର ଯେତେ ଗଭୀର ସେ ସେତେ ବଡ଼ ଦାର୍ଶନିକ । ସେ ଜୀବନ ବିଷୟରେ ସେତେ ସଚେତନ । ତେବେ ମୁଁ ଦାର୍ଶନିକ ନୁହେଁ କି ଜୀବନ ବିଷୟରେ ସଚେତନ ନୁହେଁ । ମାତ୍ର ଏହି ଅଦିନିଆ ବର୍ଷା ହିଁ କାହିଁକି କେଜାଣି ମୋ ପ୍ରାଣରେ ଗଭୀର ବ୍ୟଥା ସୃଷ୍ଟି କରେ । ଅମାନିଆ ଚକ୍ଷୁ ସଜଳ ହୁଏ । ଜୀବନର ସମସ୍ତ ଦୁଃଖ ପୁଞ୍ଜିଭୂତ ହୁଏ । ସଂସାର ପ୍ରତି ଅଭିମାନ ଆସେ ।

 

ମୁଁ କହିଲି—ତୋ ଜୀବନରେ ତ ଅପୂର୍ଣ୍ଣ ବୋଲି କିଛି ନାହିଁ । ତୁ ସୁନ୍ଦରୀ ହୃଦୟବତୀ ପତ୍ନୀ ପାଇଛୁ, କୁଶ ଲବ ପରି ଦୁଇଟି ସନ୍ତାନ ପାଇଛୁ ଏବଂ ସାବିତ୍ରୀ ପରି କନ୍ୟାଟିଏ ମଧ୍ୟ ଲାଭ କରିଛୁ । ତାପରେ ତୋର ଉଚ୍ଚ ଚାକିରି ଅଛି । କାଲି ପରି ପାଞ୍ଚ ଛଅଟି ବର୍ଷ ପରେ ତୋର ବଡ଼ପୁଅ ଏମ୍:ଏ: ପାସ କରିବ, କନ୍ୟା ମଧ୍ୟ ବି:ଏ: ପାସ କରିବ । ତୋର ଭବିଷ୍ୟତ ଉଜ୍ଜ୍ୱଳମୟ । ତେବେ ତୋ ଜୀବନରେ ଅଭାବ କ’ଣ ? ତୋ ମନରେ ଏତେ ନୈରାଶ୍ୟ ସୃଷ୍ଟି ହୁଏ କାହିଁକି ?

 

ମୋ କଥା ଶୁଣି ରଞ୍ଜନ ହସିଲା । କହିଲା—ଏହି କାହିଁକିର ଉତ୍ତର ପାଇବା ପାଇଁ ଯୁଗଯୁଗ ଧରି ମଣିଷ ସନ୍ଧାନ ଚଳେଇଛି । ମାତ୍ର ଉତ୍ତର ପାଇନାହିଁ । ଏହାହିଁ ବୋଧହୁଏ ବିଶ୍ୱ ସଂସ୍କୃତିର ଶ୍ରେଷ୍ଠ ପ୍ରଶ୍ନ ମଣିଷ ସମାଜକୁ । ନହେଲେ ସମସ୍ତେ ଯଦି ଏହି ‘କାହିଁକି’ ପ୍ରଶ୍ନକୁ ଜାବୁଡ଼ି ଧରିଥାନ୍ତେ, ତେବେ ଗାନ୍ଧୀ, ଟଲଷ୍ଟୟଙ୍କ ପରି ଜୀବନଯାପନ କରିବାକୁ ଇଚ୍ଛା କରନ୍ତେ ନାହିଁ । କଣ ନ ଥିଲା ସେମାନଙ୍କ ଜୀବନରେ ? କଣ ବା ପାଇଲେ ସେମାନେ ଜୀବନରେ ? ନା ସୁଖ, ନା ଶାନ୍ତି-। ତଥାପି ସେମାନେ ଆଗେଇ ଚାଲିଥିଲେ ମଣିଷ ଜାତି ଓ ମଣିଷ ସମାଜ ପାଇଁ । ଶତ ବିପଦର ଝଡ଼ଝନ୍‍ଜା ସହ୍ୟକରି, କୁକୁର ପରି ହୀନ ବ୍ୟବହାର ପାଇ ମଧ୍ୟ ସେମାନେ ବିଚଳିତ ହୋଇ ନ ଥିଲେ । ବରଂ ଯୀଶୁଖ୍ରୀଷ୍ଟଙ୍କ ପରି ସେମାନେ କହିଗଲେ—“ପିତା ସେମାନଙ୍କୁ କ୍ଷମା କର-।” ସେମାନେ କଣ କରନ୍ତି, ତାହା ଜାଣନ୍ତି ନାହିଁ ?” କାହିଁକି ସେମାନେ ଜାଣୁ ଜାଣୁ ଏପରି କଲେ ? ବଡ଼ ରହସ୍ୟମୟ ଏ ବିଶ୍ୱ ଜଗତର ପ୍ରତି ଅଣୁ ପରମାଣୁ । ତଥାପି ମଣିଷ ଭୁଲେ । ସବୁ ଜାଣିଶୁଣି ଅଜଣା ହୁଏ । ରକ୍ତ ପିପାସୁ ହୋଇଉଠେ । ଖାଲି ରକ୍ତ ରକ୍ତ କହି ସେ ପାଗଳ ହୁଏ । ମାତ୍ର ପରମୁହୂର୍ତ୍ତରେ ସେହି ରକ୍ତ ପଚାରେ—କାହିଁକି ଏହା ହେଲା ? କାହିଁକି ? ? ମଣିଷ ଶୋଚନା କରେ, ଅନୁତାପ କରେ । ‘କାହିଁକି’ ରୂପ ଗ୍ରହଣ କରେ ? ସେ ହସେ, ତା ହସରୁ କରୁଣାର ବାରି ଝରିପଡ଼େ, ଶୁଭିଯାଏ ଆହା ! କେଡ଼େ ନିଃସ୍ୱ କେଡ଼େ ଅସହାୟରେ ତୁମେ ? ସାମାନ୍ୟ ଖଲିପତ୍ର ଚାଟିବା ପାଇଁ ଏତେ ସଂଗ୍ରାମ, ଏତେ ରକ୍ତ ପିପାସା ! ଧିକ ଧିକ ତୁମର ଜୀବନକୁ, ତୁମର ଜ୍ଞାନକୁ, ତୁମର ଅହଂକୁ ।

 

ରଂଜନ କଥା ଶୁଣି ମୁଣ୍ଡ ମୋର ଘୂରେଇ ଗଲା । ଆଶ୍ଚର୍ଯ୍ୟ ହୋଇ ମୁଁ ତା ମୁହଁକୁ, କେତେବେଳେ ବା ତାର ମୁଣ୍ଡକୁ ଚାହୁଁଥିଲି । ମନରେ ପ୍ରଶ୍ନ—“ଏଡ଼େ ଟିକିଏ ମୁଣ୍ଡ, ନଡ଼ିଆ ସଡ଼ାଇରେ ସଡ଼ାଇଏ ହେବ । ସେଥିରେ ପୁଣି ଏତେ ବୁଦ୍ଧି, ଏତେ ଚିନ୍ତା, ଏତେ ତତ୍ତ୍ୱ ପୁରି ରହିଛି । ମନେହୁଏ ରଞ୍ଜନ ମାନବବାଦୀ, ରଞ୍ଜନ ଆଦର୍ଶବାଦୀ ନୁହେଁ, ବାସ୍ତବବାଦୀ । ଆହା, ସମସ୍ତେ ଯଦି ଏପରି ହୋଇପାରନ୍ତେ ? କ୍ଷଣିକ ପାଇଁ ହୃଦୟରେ ଏହିପରି ଯଦି ପ୍ରଶ୍ନ ଉଠାନ୍ତେ, ତେବେ ମଣିଷ କଣ ନିଃସ୍ୱ ହୋଇପାରନ୍ତା ? ମଣିଷ କଣ ଯନ୍ତ୍ରଣା ପାଆନ୍ତା ?

 

ପ୍ରତିଦିନ ଆମର ଦୁଇଜଣିଆ ବୈଠକ ବସେ । ରଞ୍ଜନ କହିଚାଲେ ଏହିପରି ଅନେକ କିଛି, ମୋତେ ସ୍ୱପ୍ନ ପରି ଲାଗେ । ଚଳଚ୍ଚିତ୍ର ପରି କେତେ ଛବି ଆଖି ଆଗରେ ଭାସିଉଠେ, ପୁଣି ବିଲୀନ ହୁଏ । ଜୀବନ ଆନନ୍ଦରେ ନାଚି ଉଠେ, ହୃଦୟ ଥରାଇ ଦୀର୍ଘଶ୍ଵାସ ଛୁଟେ, ସ୍ୱପ୍ନର ଦୁନିଆ ଜାଲଜାଲିଆ ଦେଖାଯାଏ । କଥାସରେ, ମୁଁ ସଚେତନ ହୁଏ, ସ୍ତ୍ରୀଙ୍କ କଥା ମନେ ପଡ଼େ । ବନ୍ଧୁଙ୍କ ଘରକୁ ଯିବାର ପ୍ରୋଗ୍ରାମ ଥିଲା, ମିତା ପାଇଁ କପଡ଼ା କିଣିବାର ଥିଲା, ଦୋକାନୀ ମାସକର ବାକୀ ଟଙ୍କା ମାଗୁଥିଲା, ଘରବାଲା ବିନା ଅନୁମତିରେ ଭଡ଼ାଟଙ୍କା ପାଇଁ ଘର ଭିତରକୁ ଆସିଥିଲା, କେତେ କଥା କହିଥିଲା । ରକ୍ତ ମୋର ତାତି ଉଠିଥିଲା । ସଂଗ୍ରାମ ପାଇଁ ହାତ ମୁଠା ମୁଠା ହେଉଥିଲା, ଦୁନିଆ ତିକ୍ତ ଲାଗୁଥିଲା ।

 

ରଞ୍ଜନ କହିଥିଲା ତା ପିଲାଦିନର କଥା । ସେ କେତେ ଅସହାୟ ଭାବରେ ଜୀବନ ବିତାଇଥିଲା । ସେ ମାତ୍ର ବାର ବର୍ଷର ହୋଇଥିବା ବେଳେ ମାଆ ତାର ମରିଯାଇଥିଲେ । ପରିବାର ମଧ୍ୟରେ ତାର ପିତା, ସାନ ଭଉଣୀ ସ୍ମିତା ଏବଂ ତା ବ୍ୟତୀତ ଅନ୍ୟ କେହି ନ ଥିଲେ । ସଚଳ ପରିବାର, ପିତା ତାର ମଧ୍ୟ ଗାଁର ଜଣେ ମାନ୍ୟଗଣ୍ୟ ବ୍ୟକ୍ତି । ସେମାନେ ଅଭାବ ଅସୁବିଧା କଣ ଜାଣି ନ ଥିଲେ । ଗାଁର ଦୁଃଖିରଙ୍କିମାନେ ଅଭାବ ଅସୁବିଧାବେଳେ ତାଙ୍କ ଘରକୁ ଆସୁଥିଲେ, ସାହାଯ୍ୟ ମଧ୍ୟ ପାଉଥିଲେ । ଉପରେ କେତେ ପ୍ରଂଶସା ଗାଉଥିଲେ । ମାତ୍ର କଥା ପଡ଼ିଲେ କିମ୍ଵା କେହି ଯଦି ତାର ଆଶାନୁରୂପ ଫଳ ପାଉ ନ ଥିଲା, ବିଲରେ ସାଙ୍ଗହୋଇ ତିନି ଚାରି ଜଣ ଏକାଠି ବସିଗଲେ କି ବେଙ୍ଗଳା ପକାଉ ପକାଉ ଏକଯୋଟ ହୋଇଗଲେ, ମୁହଁ ଛିଞ୍ଚାଡ଼ି, ଲଲାଟ କୁଞ୍ଚନ କରି ତାଙ୍କ ଘର ଯେ ଗୋଟିଏ ଅଭିଶପ୍ତ ଘର, ତାହା କହିବାକୁ ପଛାଉ ନ ଥିଲେ । ବିଶେଷତଃ ରଞ୍ଜନର ମାଆଙ୍କ ଆକାଳ ମୃତ୍ୟୁ ପରେ କଥାଟା ସୁସ୍ପଷ୍ଟ ହୋଇ ଉଠିଲା । ଯେଉଁଠି ଶୁଣିବ ଫୁସ୍‍ଫାସ୍‍ ଟୁପ୍‍ଟାପ୍ । ଏହିପରି ପ୍ରାୟ ମାସେ କାଳ ଚାଲିଥିଲା । କେତେକ କହୁଥିବାର ଶୁଣାଗଲା–ରଞ୍ଜନର ବାପା ଚଇତନ ଦାସ କୁଆଡ଼େ ଖୁବ୍‍ ଗରିବ ଥିଲେ । କଳେ ବଳେ କଉଶଳେ ଟଙ୍କାରେ ଦଶ ପଇସା ପନ୍ଦର ପଇସା ସୁଧ ଲଗାଣ କରି ଦୁଃଖିରଙ୍କିଙ୍କୁ ଡରାଇ, କିଛି ଲୋକଙ୍କୁ ହାତରେ ରଖି ଏ ସମ୍ପତ୍ତି ସବୁ କରିଥିଲା । ଗାଁର ପୁରୁଖ ବୁଢ଼ୀ ଦୀନାମା’ ବୟସ ପ୍ରାୟ ୧୧୦ ବର୍ଷ ହେବ । ଆଖିକୁ ଦିଶୁନାହିଁ, ମାତ୍ର କଥାଗୁଡ଼ାକ ତାର ଭାରି ଠୋସ୍‍ଠାସ୍ ଶୁଭେ । ଚାଲିଯିବା ଲୋକର ପାଦ ଶବ୍ଦ ବାରି ସେ ମଣିଷ ଚିହ୍ନେ । ଦୀନାମା’ କହେ—ସେ ଏ ଗାଁକୁ ଯେତେବେଳେ । ବୋହୂ ହୋଇଆସିଲା, ଚଇତନ ଦାସ ସେତେବେଳେ କୁଆଡ଼େ କୋଡ଼ିଏ ବର୍ଷର ଭେଣ୍ଡିଆ । ପରିବାରରେ ତାର କେହି ନ ଥିଲେ । ୟା’ ତା ଘରେ କାମ କରି କାହା ପିଣ୍ଡାରେ ଶୋଇ ରାତି ବିତାଉଥିଲା । ଧୀରେ ଧୀରେ ରୋଜଗାର କରି ଘରଟିଏ ତିଆରି କଲା । ଏକୁଟିଆ ଲୋକ ଟଙ୍କା ପଇସା କଣ କରିବ ? ଏପରି କି ଅନେକ ଥର ତା’ପାଖରେ ମଧ୍ୟ ସେ ଟଙ୍କା ରଖିଥିଲା । ଗାଁରେ ଅଶିକ୍ଷିତ ମିଳିମୁଣ୍ଡିଆ ଲୋକଙ୍କର ଖୁବ୍ ଗୋଟାଏ ଧର୍ମ ଭୟ ଥିଲା । ଲୋକେ କହୁଥିଲେ—କାହାରି ପଇସାକର ଧନ ଖାଇଥିଲେ, ପର ଜନ୍ମରେ ତା’ ବାଡ଼ିରେ ଲଙ୍କାଗଛ କି ବାଇଗଣ ଗଛ ହୋଇ ଶୁଣିବାକୁ ପଡ଼ିବ । ତେଣୁ ଆକାଳେ ସକାଳେ କେହି ରଞ୍ଜନର ସାଆନ୍ତ ବାପାଠାରୁ ଧାର ନେଉଥିଲେ, ତାକୁ ସୁଧ ମୂଳ ସହିତ ଫେରାଇ ଦେଉଥିଲେ । କ୍ରମେ ସେ ଗାଁରେ ଜମି କିଣିଲା, ବାହାଚୁରା ହେଲା । ଦୀନାମା’ କହେ ଗାଆଁ ଜମିଦାର ବୁଢ଼ାର ଯେଉଁଦିନ ପରଲୋକ ହେଲା, ସେଦିନ କୁଆଡ଼େ ଲକ୍ଷ୍ମୀଦେବୀ ବୁଢ଼ୀ ବେଶରେ କଳସିଟି କାଖରେ ଧରି କାନ୍ଦି କାନ୍ଦି ରଞ୍ଜନର ସାଆନ୍ତବାପା ଘରକୁ ଚାଲି ଆସିଲେ । ଜମିଦାର ଘରଠାରୁ ତାଙ୍କ ଘର ପର୍ଯ୍ୟନ୍ତ ଧାନଚାର ପଡ଼ିଥିବାର ସେ ଦେଖିଥିଲା । ସେହିଦିନଠାରୁ ଜମିଦାର ବଂଶ ଗରିବ ହେଲେ, କିନ୍ତୁ ରଞ୍ଜନଙ୍କ ଘର ଟେକି ଉଠିଲା । ଆଉ କେତେକ କହନ୍ତି—ତାହା ନୁହେଁ । ଜମିଦାର କୁଆଡ଼େ ମଦ୍ୟପ, ନାରୀପ୍ରେମୀ ଥିଲେ । ରଞ୍ଜନର ସାଆନ୍ତ ବାପା ଜମିଦାରକୁ ହାତ କରି ଝିଅ ବୋହୂ ଯୋଗାଇବାର ଭାର ନେଇଥିଲା । ଫଳରେ ଜମିଦାର ତା’ ଉପରେ ଭାରି ଖୁସି ଥିଲେ । ତାହାରି ସୁଯୋଗ ନେଇ ଦିନେ କୁଆଡ଼େ ସଞ୍ଜବେଳେ ଜମିଦାରଙ୍କ ଘରୁ ଗୋଟାଏ ବଡ଼ ପେଟି ନେଇ ଲୁଚି ଲୁଚି ସେ ଚାଲି ଆସିଥିଲା । ସେହିଦିନ ରାତିରେ ଜମିଦାରଙ୍କର ମୃତ୍ୟୁ ହୋଇଥିଲା । ପରେ ଜମିଦାର ମଦ୍ୟପାନ କରିବା ଫଳରେ ପରଲୋକ ଗମନ କରିଥିଲେ ବୋଲି ଶୁଣାଯାଇଥିଲା । ମାତ୍ର ଡାକ୍ତରମାନେ ମତ ଦେଇଥିଲେ—ବିଷପାନ କରିବା ଫଳରେ ଜମିଦାରଙ୍କର ମୃତ୍ୟୁ ହୋଇଥିଲା । ପୋଲିସମାନେ ଜମିଦାର ଘରକୁ ଆସିଥିଲେ । ଜମିଦାରର ପୁଅମାନେ ମକଦ୍ଦମାରେ ଜଡ଼ିତ ହୋଇପଡ଼ିଲେ । କିନ୍ତୁ ଟଙ୍କା ସୁନା ଦେଇ ପୁଲିସ୍ ଙ୍କ ମୁହଁ ବନ୍ଦ କରିଥିଲେ ବୋଲି ପରେ କଥାଟା ଜଣାପଡ଼ିଥିଲା । ଦୀନାମା’ କିନ୍ତୁ ସେ କଥା ବିଶ୍ୱାସ କରେ ନା’ । ସେ କହେ ଲକ୍ଷ୍ମୀଦେବୀ ବିରଜମାନ କରିଥିଲେ । ତାପରେ ସେ କହେ—ସେହି ଦିନଠାରୁ ରଞ୍ଜନଙ୍କ ଘର କୁଆଡ଼େ ଟେକିଥିଲା । ଗାଆଁର ବୁଢ଼ା ଭିକାରୀ ଅଜା କହନ୍ତି—ବାପରେ ଏ ସବୁ ଆମ ଆଖି ଦେଖା କଥା । ତମକୁ ମିଛ ମୋତେ ସତ, କେତେ ରାଣ୍ଡ ଖଣ୍ଡିଙ୍କ ଘର ବୁଡ଼ାଇ ଚଇତା ସମ୍ପତ୍ତି କରିଛି ସେ କଥା ତମେ କିଆଁ ଜାଣିବ ? ଚଇତାର ସମ୍ପତ୍ତି ବଢ଼ିଛି ମଦନା’ ମା ଜମିରୁ ।

 

ସେ ଗୋଟିଏ ସରଳ ଘରର ବୋହୂ ଥିଲା । କିନ୍ତୁ ଗାଁରେ ବାଡ଼ିପଶିବାରୁ ତାର ଗେରସ୍ତ ଦିଅରମାନେ ଆଖି ପିଛୁଳାକେ ସେ ପୁରକୁ ଚାଲିଗଲେ । ଏହା ପରେପରେ ବାତ୍ୟା ହେଲା । ସମୁଦ୍ର ଲହଡ଼ି ମାଡ଼ି ଆସିଲା, ଫସଲ ହେଲା ନାହିଁ । ଲୋକମାନେ ଖାଇବାକୁ ନ ପାଇ ପୋକ ମାଛି ପରି ମଲେ । ତାର ଏକମାତ୍ର ପୁଅ ମଦନା ସେତେବେଳେ ଷୋଳ ବର୍ଷର ଭେଣ୍ଡିଆଟାଏ । ଖାଇବାକୁ ନ ପାଇ ତାର ପିଞ୍ଜରା ହାଡ଼ ଗଣି ହୋଇଗଲା । ମଦନା ମା’ ଆ ପୁଅକୁ ଚାହିଁ ଆଖିରୁ ଲୁହ ଢାଳୁଥିଲା । ମଦନା ଯେତେବେଳେ ପେଟ ଭୋକରେ ବୋଉଲୋ ବୋଉଲୋ କହି ତଳେ ଗଡ଼ୁଥିଲା, ହୃଦୟ ତାର କରତି ହୋଇଯାଉଥିଲା । ଆହାଃ, ତାର ଅନ୍ଧାର ନୟନ, କୋଡ଼ର ସଙ୍ଖାଳି ମଦନାର ଅବସ୍ଥା ଏୟା ହେଲା, ଶେଷରେ ମଦନା ମାଚଇତନ ଦାସ ପାଖକୁ ଗଲା । ତାଙ୍କର ବିଶ୍ୱାସ ଥିଲା ସେ ନିଶ୍ଚୟ ସାହାଯ୍ୟ କରିବେ । ତାର ଦୁଃଖ ଦେଖି ତାଙ୍କର ହୃଦୟ ତରଳିବ । କାରଣ ସେ ଯେତେବେଳେ ଖାଇବାକୁ ପାଉ ନ ଥିଲା ସେତେବେଳେ ମଦନା ମାତାକୁ ସ୍ନେହ କରି ଘରକୁ ଡାକି ଖାଇବାକୁ ଦେଇଥିଲା । ସେ କହେ ତାର ଭାଇ କେହି ନ ଥିଲେ । ତେଣୁ ମଦନା ମାରଞ୍ଜନର ସାଆନ୍ତ ବାପାକୁ ଭାଇ ପରି ସ୍ନେହ କରୁଥିଲା । ଚଇତନ ଦାସ ମଧ୍ୟ ତାଙ୍କୁ ଅପା ଅପା ବୋଲି ଡାକୁଥିଲା । ସମସ୍ତ ପଇସାପତ୍ର ତାଙ୍କରି ପାଖରେ ରଖୁଥିଲା । ମଦନା ମା’ ର ଉପଦେଶ ଅନୁସାରେ ସେ କୁଆଡ଼େ ଘର କରିଥିଲା, ବିଭା ହୋଇଥିଲା । ମଦନା ମା’ ବଡ଼ ଆଶା ନେଇ ପହଞ୍ଚିଲା ତାଙ୍କ ପାଖରେ । କେତେ ଆକୁଳ ମିନତି କଲା—ପୌଟିଏ ଧାନ ପାଇଁ । ଆର ସନ ଚାଷ ହେଲେ ସେ ଶୁଝିଦେବ । ରଞ୍ଜନର ସାଆନ୍ତବାପା ତା କଥା ଶୁଣି କହିଲେ—ଅପା ତୋର ଯଦି ଏପରି ଅବସ୍ଥା ହେଲା ମୋତେ କହିଲୁ ନାହିଁ, କାହିଁକି ? ପୌଟିଏ ଧାନ ନେଇ ବା କଣ କରିବୁ ? ତୁ ମୋର ନିଜର ଲୋକ, ମୋର ଭଉଣୀ ମୁଁ ସୁଖରେ ରହିବି ଆଉ ତୁ କଣ ଓପାସରେ ଗଡ଼ିଯିବୁ । ତା ହବନାହିଁ, ତୁ ବସ୍ତାଏ ଧାନ ନେଇଯା’ । ମଦନା ମା’ ଖୁସି ହେଲା । କୃତଜ୍ଞତାରେ ତାର ମୁଣ୍ଡ ନଇଁଗଲା । ସେ ଠାକୁରଙ୍କ ପାଖରେ ଚଇତନ ନାଆଁରେ ମନେ ମନେ କେତେ କଲ୍ୟାଣ ବାଞ୍ଛା କଲା । ତାପରେ ଚଇତନ ଦାସ ଗୋଟିଏ ଅଲେଖା କାଗଜ ଦେଖାଇ କହିଲେ—ଅପା ଏଇଥିରେ ଖାଲି ତୁ ଟିପଟିଏ ଦେଇଯା’ । କାହିଁକିନା ମୋ ନିଜ ହିସାବ ରଖିବା ପାଇଁ ସୁବିଧା ହେବ । ମଦନା ମା’ ର ଅବିଶ୍ୱାସ କରିବାର କିଛି ନ ଥିଲା । ରଞ୍ଜନର ସାଆନ୍ତବାପାକୁ ସେ ନିଜ ଭାଇଠାରୁ ଅଧିକ ସ୍ନେହ କରୁଥିଲା । ସଙ୍ଗେ ସଙ୍ଗେ ଟିପ ଦେଇ ବସ୍ତାଏ ଧାନ ନେଇଗଲା । ମାତ୍ର ବର୍ଷକ ପରେ ଯେତେବେଳେ ମଦନା ତାର ଘରପାଖ ଅଇଲୁ ନମ୍ବର ମାଣିକିଆ ଜମିକୁ ଚାଷ କରିବାକୁ ଗଲା, ସେତେବେଳେ ଚଇତନ ଦାସଙ୍କ ମୂଲିଆମାନେ ତାର ହଳ ଫିଟାଇ ଦେଲେ । ମଦନା ମାଏ କଥା ଶୁଣି କାନ୍ଦି କାନ୍ଦି ଚଇତନ ଦାସଙ୍କୁ କହିଲା । ତାହା ତାର ଶ୍ୱଶୁରଙ୍କ ପୈତୃକ ସମ୍ପତ୍ତି ଥିଲା । ତାର ଶ୍ୱଶୁର ସମସ୍ତଙ୍କୁ ମୃତ୍ୟୁ ଶଯ୍ୟାରେ କହିଥିଲା ସବୁ କିଛି କରିବ, କିନ୍ତୁ ଏ ଜମି କେବେ ବିକିବ ନାହିଁ । ଏହି ଜମି ତୁମର ବିପଦର ବନ୍ଧୁ । ପ୍ରକୃତରେ ଗାଆଁ ଭିତରେ ସେ ଜମି ଖଣ୍ଡକ ସାରା ଥିଲା । ତାର ଧୋଇ ନ ଥିଲା କି ମରୁଡ଼ି ନ ଥିଲା । କେତେ ଅଭାବ ଅସୁବିଧାରେ ମଧ୍ୟ ମଦନା ମାସେ ଜମିକୁ ଚାହିଁବା ମାତ୍ରେ ତାର ପେଟ ପୂରି ଉଠୁଥିଲା । ମାତ୍ର ତାହା ରହିଲା ନାହିଁ । ରଞ୍ଜନର ସାଆନ୍ତବାପା କହିଥିଲେ—ଅପା ତୋ ଜମି କିଏ ମୋ ଜମି କିଏ ? ସରକାର ଘର ନିଲାମ କରି ନେଉଥିଲେ, ମୁଁ ତାହା କେବଳ ତୋ ପାଇଁ କିଣିଲି । ତୁ ତ ରାଣ୍ଡଛେଉଣ୍ଡ ଲୋକ, ପୁଣି ମଦନାଟା ପିଲା ହୋଇଛି । ସେ କି ଚାଷ କରିବ ? ତେଣୁ ମୁଁ ଚାଷ କରୁଛି । ତୋର ଯଦି ଅଭାବ ଅସୁବିଧା ହେବ, ମୋ ପାଖରୁ ଧାନ ନେଇଯିବୁ । ମାତ୍ର ଏ କଥାରେ ମଦନା ମା’ ର ମନ ମାନିଲା ନାହିଁ । ସେ ଅନେକ କାନ୍ଦିଲା । କିନ୍ତୁ ଜମି ପାଇଲା ନାହିଁ ।

 

ମଦନା ଉତ୍‍କ୍ଷିପ୍ତ ହେଲା । ମୁଣ୍ଡରେ ତାର ପିତ୍ତ ଚଢ଼ିଲା । ସେ ଆଖି ଲାଲ୍ ଲାଲ୍ କଲା । ନାଁ ଏ ଅନ୍ୟାୟ ସେ ସହିବ ନାହିଁ । ତା ଜମି ସେ ଛାଡ଼ି ପାରିବ ନାହିଁ । ଅଢ଼େଇ ଦିନିଆ ଜୀବନ ପାଇଁ ଏତେ ମମତା କାହିଁକି ? ସେ କାହାରି କଥା ମାନିଲା ନାହିଁ, କାହାରି କଥା ଶୁଣିଲା ନାହିଁ । ମୁଣ୍ଡରେ ଠେକାଟାଏ ଭିଡ଼ିଲା, ଆଣ୍ଠୁ ଉପରକୁ ଲୁଗା ଟେକି ମାଲ କଚ୍ଛା ମାରିଲା, ସର୍ବାଙ୍ଗରେ ଧୂଳି ବୋଳି ହେଲା, କଳା କଳା ପାଞ୍ଚ ହାତିଆ ଠେଙ୍ଗା କାନ୍ଧରେ ପକାଇ ଜମି ଉପରକୁ ଚାଲିଲା । ସେ ମରିବ ନ ହେଲେ ମାରିବ । ମାଆ କେତେ କାନ୍ଦିଲେ, କେତେ ବୁଝେଇଲେ, ପୁଅକୁ ଜାବୋଡ଼ି ଧରିଲେ । କିନ୍ତୁ ସେ ମାନିଲା ନାହିଁ । ମାଆକୁ ଠେଲି ଦେଇ ଆଗକୁ ଡେଇଁ ପଡ଼ିଲା । ମାତ୍ର ଶେଷରେ ରଞ୍ଜନଙ୍କ ଘରେ ପହଞ୍ଚିବା ପୂର୍ବରୁ କୁଆଡ଼େ ତାର ମୁଣ୍ଡ ଫାଟିଥିଲା । ମଦନା ଚିତ୍କାର କରି ତଳେ ପଡ଼ିଗଲା । ଗାଆଁର ଲୋକମାନେ ଦୂରରେ ଛିଡ଼ା ହୋଇଥିଲେ । ଭୟରେ କେହି ପାଖକୁ ଆସିଲେ ନାହିଁ । ରକ୍ତର ସୁଅ ଛୁଟିଥିଲା । ମଦନା ମାଚିତ୍କାର କରି ପୁଅକୁ ଜାବୋଡ଼ି ଧରିଲା । ସେତେବେଳକୁ ସବୁ ଶେଷ ହୋଇଯାଇଥିଲା । ସେ ମୋ ମଦନାରେ, ତୁ କୁଆଡ଼େ ଗଲୁରେ କହି କଚାଡ଼ି ହୋଇପଡ଼ିଲା । ଧରଣୀ ସ୍ତବ୍ଧ ହେଲା, ବୃକ୍ଷଲତା କାନ୍ଦିଲେ, ଯିଏ ଏହି କରୁଣ କାହାଣୀ ଶୁଣିଲା ସେ କାନ୍ଦିଲା, ଗାଁର ଝିଅବୋହୂଙ୍କ ଆଖିରେ ଲୁହ ଭରିଗଲା, ମାତ୍ର ମଦନା ଚିରଦିନପାଇଁ ତାର ଦୁଃଖିନୀ ମାଆକୁ ଛାଡ଼ି କେଉଁ ଏକ ଅଜଣା ପୁରକୁ ଚାଲିଗଲା । ସେହି ଦିନଠାରୁ ବୁଢ଼ୀ ବିଛଣାରେ ପଡ଼ିଲା । ମାତ୍ର ଜୀବନ ଦୀପ ତାର ଲିଭିଲା ନାହିଁ । କିନ୍ତୁ ଲୁଚିଥିଲା ତାର ପୂର୍ବର ରୂପ, ପୂର୍ବର ଚିନ୍ତା ଓ ଚେତନା । ତାପରେ ସେ କାହାରି ଘରକୁ ଗଲାନାହିଁ । କାହା ସହିତ ମିଶିଲା ନାହିଁ । ସେ ବାୟାଣୀ ହୋଇଗଲା । ବେଳେବେଳେ ମନକୁ ମନ ହସେ, ଏକୁଟିଆ ଯେଉଁଠି ପାରେ ସେଠି ଗଡ଼େ । ନିଝୁମ ଖରାବେଳେ ଦାଣ୍ଡରେ ତଳେ ଶୋଇ ଉପରକୁ ଅନାଇକହେ—ରେ ବାଡ଼ିପଡ଼ା, ରେ ଯୋଗନୀଖିଆ, ରେ ଅଳପେଇସା । ତା ପରେ ସେ କାନ୍ଦେ, ମୁଠା ମୁଠା ବାଲିଧରି ଦୂରକୁ ଫୋପାଡ଼େ, ହଠାତ୍ କାନ୍ଦଣା ବନ୍ଦ୍ ହୁଏ, ହା ହା ହା କରି ହସିଉଠି ବାଳ ମୁକୁଳା କରି ଅଶ୍ରୁଧାରା ଛୁଟାଇ ଦୂରକୁ ଛୁଟିଯାଏ । ମଦନା ମା’ ର ଏପରି ବେଶ ଦେଖି ତାର ମାଣିକିଆ ଜମିରେ ଆମ୍ବ, ଜାମୁ, ପଣସ ପ୍ରଭୃତି ବୃକ୍ଷଲତାଗୁଡ଼ିକ ଦୋହଲି ହସିଲେ । ତା ପରେ ସେ କୁଆଡ଼େଗଲା ତାର ଖବର କେହି ପାଇଲେ ନାହିଁ ।

 

ରଞ୍ଜନର ପିତା ଅକାଳରେ ପତ୍ନୀକୁ ହରାଇ ବିବ୍ରତ ହୋଇପଡ଼ିଲେ । ଅଧାବୟସରେ ପତ୍ନୀ ବିୟୋଗ କେଡ଼େ ଯନ୍ତ୍ରଣା ଦାୟକ ସେ ଅନୁଭବ କଲେ । କିଏ ଆଉ ମନ ଜାଣି ତାଙ୍କୁ ଖାଇବାକୁ ଦେବ, ବିରସ ବେଳେ ଚାଟୁକଥା କହି ସରସତା କରିବ, ଖାଉଥିବା ସମୟରେ ପଙ୍ଖା କରୁ କରୁ ଏଇଟା ଖାଅ, ସେଇଟା ଖାଅ ବୋଲି କିଏ ଆଉ କହିବ ? କିନ୍ତୁ ଏକଥା କାଇଁ ସେ ତ ପୂର୍ବରୁ ଚିନ୍ତା କରି ପାରି ନଥିଲେ । ପତ୍ନୀକୁ ଦିନେ ହେଲେ ମନ ଖୋଲି କଥା କହି ନଥିଲେ । ପତ୍ନୀର ଆକୁଳ କଥାରେ ବରଂ ସେ ଗର୍ବ ଅନୁଭବ କରିଥିଲେ । ତାଙ୍କ ଆଖିରେ ସମସ୍ତେ ନଗଣ୍ୟ । ପୋକ ମାଛିଠାରୁ ହୀନ ବୋଲି ପ୍ରତୀୟମାନ ହୋଇଥିଲେ । କାରଣ ତାଙ୍କର ଧନ ଥିଲା । ଧନ ଦ୍ୱାରା ସବୁ କିଛି ସାଧନା କରାଯାଇପାରେ ବୋଲି ସେ ଭାବୁଥିଲେ । ମାତ୍ର ସେହି ଧନ ଅଛି, ସୁନା ରୂପା ଓ ହୀରା ଝଲକରେ ଝଲସି ଯାଉଛି, କିନ୍ତୁ ତାଙ୍କର ମନ କଣ ବୁଝୁଛି ? ସମସ୍ତ ଆଜି କିଛି ବିରକ୍ତ ଲାଗୁଛି । କି ଘର, କି ବାହାର ସବୁ ଯେପରି ତାଙ୍କୁ ଗୋଡ଼ାଇ ପକାଉଛି । ରଞ୍ଜନ ସେତେବେଳେ ମାଇନର ପଢ଼ୁଥାଏ । କନ୍ୟା ସ୍ମିତା ଅପର ପ୍ରାଇମେରିରେ । ଭାଇ ଭଉଣୀଙ୍କ ମନରୁ ସରସତା ଲିଭି ଯାଇଛି । ଘର ହସୁନାହିଁ । ପିଲାମାନଙ୍କର କୋଳାହଳରେ ଘର ପୁରି ଉଠୁନାହିଁ । ନା ନା ସେ ଏତେ ଶୀଘ୍ର ଉଦାସ ମନ ନେଇ ଜୀବନ ଅତିବାହିତ କରି ପାରିବେ ନାହିଁ । ସେ ତ ସଂସାରକୁ ହସିବା ପାଇଁ ଆସିଛନ୍ତି । ସେ ହସିବେ । କିନ୍ତୁ ଦୁଃଖରେ ନୁହେଁ ସୁଖରେ, ସେ ଉପଭୋଗ କରିବେ, ହୃର୍ଦୟରେ ନୁହେଁ ମନରେ । ସେ ଠିକ୍ କଲେ ଆଉ ଆଉ ଥରେ ବିବାହ କରିବେ ।

 

ରଞ୍ଜନଙ୍କ ଘରେ ଶଙ୍ଖ ମହୁରୀ ବାଜି ଉଠିଲା । ତାର ପିତା ସେହି ଗାଁରେ ଗୋଟିଏ କନ୍ୟାକୁ ବିବାହ କଲେ । ଘର ପୁଣି ପୂରି ଉଠିଲା । ସ୍ମିତା ନୂଆ ମାଆକୁଁ ପାଇ ଖୁବ୍ ଆନନ୍ଦ ଅନୁଭବ କଲା । ରଞ୍ଜନ ଗାଁଆ ଛାଡ଼ି ଦୂର ହାଇସ୍କୁଲ ବୋର୍ଡ଼ ରେ ରହିପାଠ ପଢ଼ିଲା । ଛୁଟି ହେଲେ ସେ ଘରକୁ ଆସେ, ମାଆ ଭାଉଣୀଙ୍କ ପାଖରେ ସମୟ ଅତିବାହିତ କରେ । କିନ୍ତୁ ଗାଁରେ ବୁଲିଗଲା ବେଳେ କେତେ ଲେଖା ଯୋଖା ମାଆ ମାଉସୀ ଏହି ମାଆ ଛେଉଣ୍ଡ ପିଲାଟିକୁ ଦେଖି ଆହା ଆହା କରନ୍ତି । ଭବିଷ୍ୟତ ପ୍ରତି ଆଶଙ୍କା କରନ୍ତି । ମାତ୍ର ରଞ୍ଜନ କିଛି ଶୁଣେ ନାହିଁ, କିଛି ବୁଝେ ନାହିଁ । ସେ ଭାବେ ନିଜେ ଠିକ୍ ଥିଲେ ଦୁନିଆ ଠିକ୍ । ସେ ନିଜର କର୍ତ୍ତବ୍ୟରେ ଆଗେଇ ଯାଏ, ମନକୁ ଦୃଢ଼କରେ । ଭଉଣୀ ପାଖରେ ମନର ବେଦନା ପ୍ରକାଶ କରି ଆଶ୍ଵସ୍ତ ହୁଏ, ସମୟ ସୁଅ ବହିଚାଲେ-

 

ଏହା ମଧ୍ୟରେ ବର୍ଷଟାଏ ଅତିବାହିତ ହୋଇଯାଇଛି । ରଞ୍ଜନର ନୂଆ ଭାଇଟିଏ ଜନ୍ମଲାଭ କରିଛି । ସମସ୍ତେ ଆନନ୍ଦିତ ହୋଇଛନ୍ତି । ମାତ୍ର ମାଇନର ପରେ ସ୍ମିତାର ପାଠପଢ଼ା ବନ୍ଦ ହୋଇଛି । ରଞ୍ଜନ ଏଥିରେ ଦୁଃଖ ଅନୁଭବ କରିଛି । ସେ ବାପାଙ୍କୁ ଏଥିପାଇଁ ବୁଝେଇଛି । ମାତ୍ର ବାପାଙ୍କର ଲାଲ ଆଖି ନିକଟରେ ନୀରବ ହୋଇଛି । ସ୍ମିତାର ହସ ହସ ମୁଖଦେଖି ମନକୁ ପରିବର୍ତ୍ତନ କରିଛି । ସ୍ମିତା କହିଛି ପିତା ମାତାଙ୍କ ମନରେ ଦୁଃଖ ଦେଇ କୌଣସି କାମ କରିବା ସନ୍ତାନ ପକ୍ଷରେ ଉଚିତ୍ ନୁହେଁ । ତା’ପରେ ଏକା ମାଆ ଘରକାମ କରିବା କଷ୍ଟ । ତେଣୁ ସେ ମାଆକୁ ସାହାଯ୍ୟ କରିବ, ଛୁଆ ଭାଇଟିକୁ ମଣିଷ କରିବ । ରଞ୍ଜନ ଭଉଣୀର ଉପଦେଶ ରେ ଆଶ୍ୱସ୍ତ ହୁଏ । ଛୁଟି ସରିଗଲେ ସ୍କୁଲକୁ ଚାଲିଯାଏ ।

 

ଦିନ ପରେ ଦିନ ବର୍ଷ ପରେ ବର୍ଷ ବିତି ଚାଲିଛି । ସେ ବର୍ଷର ଦୁର୍ଗାପୂଜା ଛୁଟି । ଏଇଟା ଛାତ୍ରମାନଙ୍କ ପକ୍ଷରେ ଆନନ୍ଦର ସମସ୍ତ । କାରଣ ଏତେବେଳେ ସମସ୍ତ ପରୀକ୍ଷା ଦେବାପାଇଁ କୌଣସି ଚିନ୍ତା ନ ଥାଏ । ତାପରେ ବର୍ଷଯାକର ସବୁଠାରୁ ଏଇଟା ବଡ଼ଛୁଟି । ରଞ୍ଜନ ଏ ବର୍ଷ ଶେଷ ପରୀକ୍ଷା ଦେବ । ତା ପକ୍ଷରେ ବାରମ୍ବାର ଘରକୁ ଯିବା ସମ୍ଭବ ନୁହେଁ । ତେଣୁ ସେ ଠିକ୍ କଲା ଏଇଥରକ ମାତ୍ର ଘରକୁ ଯିବ । ତାପରେ ସେ ପଢ଼ାପଢ଼ିରେ ଧ୍ୟାନ ଦେବ । ସ୍କଲର୍‍ସିପ୍‍ ଟଙ୍କା ମଧ୍ୟ ମିଳିଯାଇଛି । ରଞ୍ଜନର ସ୍କଲର୍‍ସିପ୍‍ ବିଷୟରେ ଘରେ କେହି ଜାଣନ୍ତି ନାହିଁ । ସେ ମଧ୍ୟ ଏ ବିଷୟରେ କାହାକୁ କିଛି କହେ ନାହିଁ । କାରଣ ତାର ପଢ଼ାପଢ଼ି ଖର୍ଚ୍ଚ ପାଇଁ ଘରେ ବିଶେଷ ଟଙ୍କା ଦିଅନ୍ତି ନାହିଁ । ଏଥିପାଇଁ ସେ ମଧ୍ୟ କେବେ ପ୍ରତିବାଦ କରେ ନାହିଁ । ସେ ଜଣେ, ପ୍ରତିବାଦ କଲେ କିଛି ଫଳ ହେବ ନାହିଁ । ତାର ମନେଅଛି—ସ୍ମିତାର ଲୁଗାପାଇଁ ଥରେ ବାପାଙ୍କୁ କହିବାରୁ ସେ କହିଥିଲେ ସ୍ମିତା ଏକ ମୋର ସନ୍ତାନ ନୁହେଁ । ତାରି ପରି ଅନ୍ୟମାନେ ଅଛନ୍ତି । ଜଣକପାଇଁ ଏତେ ପଇସା ଖର୍ଚ୍ଚ କରି ପାରିବି ନାହିଁ । ତେଣୁ ଟଙ୍କା ପଇସା ବିଷୟରେ ବାପାଙ୍କୁ କହିଲେ ତାର ପଢ଼ାପଢ଼ି ବନ୍ଦ ହୋଇଯାଇପାରେ । ଏହି ଭୟରେ ସେ କିଛି କହେ ନାହିଁ । ବରଂ ଯାହା ଅଭାବ ଅସୁବିଧା ପଡ଼େ ସେ ସ୍କଲର୍‍ସିପ୍ ଟଙ୍କା ପାଇଲେ ତାହା ପୂରଣ କରିଦିଏ । ପ୍ରତେକ ଥର ଘରକୁ ଯିବା ପୂର୍ବରୁ ସେ ଚିଠିରେ ଜଣାଇ ଦେଇଥାଏ । ମାତ୍ର ଏଥର ଅସୁବିଧା ବଶତଃ ସେ ଜଣାଇ ପାରିଲା ନାହିଁ । ହଠାତ୍ ଦିନେ ମାଆ ଓ ଭଉଣୀଙ୍କ ପାଇଁ ଦୁଇ ଖଣ୍ଡ ଶାଢ଼ି ସାନଭାଇ ପାଇଁ ପେଣ୍ଟସାର୍ଟ କିଣି ସନ୍ଧ୍ୟା ସମୟରେ ଘରେ ଆସି ପହଞ୍ଚିଲା । ଏତେ ଜିନିଷ କେଉଁଠୁ ପାଇଲା ମାଆ ହୁଏତ ସନ୍ଦେହ କରିପାରନ୍ତି ତେଣୁ ସେ ବାକିକରି ନେଇ ଆସିଛି ବୋଲି ଠିକ୍ କଲା । କେବଳ ଭଉଣୀ ପାଇଁ ଶାଢ଼ୀ ନେବାର କଥା । ମାତ୍ର ଫଳ ବିପରୀତ ହେବ ବୋଲି ସେ ବାଧ୍ୟ ହୋଇ ମାଆଙ୍କ ଲାଗି ମଧ୍ୟ ନେଇଥିଲା । ରଞ୍ଜନ ଘର ଦୁଆରେ ପହଞ୍ଚିବାବେଳେ ଘର ଭିତରେ ପାଟି ହେଉଥିବାର ଶୁଣିବାକୁ ପାଇଲା । ଘଟଣା କଣ ଜାଣିବାପାଇଁ ସେ ଦଣ୍ଡ କବାଟ ପାଖରେ ଛିଡ଼ା ହୋଇରହିଲା । ମାଆ କହୁଥିଲେ—ଆଲୋବେହେଜି, ଆଲୋ ଯୋଗୋନିଖାଇ ତୋତେ ପାଣି ଆଣିବାକୁ କହିଥିଲି ତୁ ଆଣିଛୁ ? ଖାଲି ଖାଇବା କଥା ଜାଣିଛୁ, ଏଠି ବାପର ଧନପଡ଼ିଛି । ଆମେ ଆଉ ଝିଅ ହେଇ ନ ଥିଲୁ ବା, ତୁ ଏକା ଝିଅ ହେଇଛୁ । ବୋଉ ! ମୋ ମୁଣ୍ଡ ଘୂରାଉଛି, ଦେହ ଭଲ ନାହିଁ—ଡରି ଡରି ସ୍ମିତା କହୁଥିଲା ।

 

ଆହା...ହା କିଲୋ, କାଇଁକିବା ତୋରି ମୁଣ୍ଡ ଖାଲି ଘୂରଉଛି ? ଟୋକାଙ୍କ ସାଙ୍ଗରେ ହେଁ ହେଁ ଫେଁ ଫେଁ ହେଲାବେଳକୁ ଦେହ, କିଛି ହଉନି ? ଖାଲି ଘରକାମ କଲାବେଳକୁ ତତେ ଯମ ଟାଣୁଛି, ହଇଲୋ ଦେହ ବଥଉଛି ନା ମନ ବଥଉଛି ବା ?

 

ବୋଉ...ଦିନସାରା ତ କାମ କରୁଛି । ପାଣି ନ ଆଣି...

 

କରନ୍ତୁ ନାହିଁନା’ କଣ ବା ? ଏଠି କଣ ଖାଲି ମୋଫତ ଧନ ପଡ଼ିଛି । ହଇଲୋ ହେ ଏଠି କଣ ତୋ ଘଇତା ଧନ ଅର୍ଜନ କରି ରଖିଛି, ତୁ ବସି ବସି ଖାଇଁବୁ ?

 

ବୋଉ... ? କାନ୍ଦି ଉଠିଲା ସ୍ମିତା ।

 

ରଞ୍ଜନ ସହ୍ୟ କରିପାରିଲା ନାହିଁ । ତାର ଇଚ୍ଛା ହେଉଥିଲା କବାଟ ଭାଙ୍ଗି ଘର ଭିତରକୁ ଯାଇ ଏହାର ଜବାବ ଦିଅନ୍ତା । ମାତ୍ର ପରମୁହୁର୍ତ୍ତରେ ଭାବିଲା—ନାଁ, ସେ କିଛି କହିବା ଠିକ୍ ହେବ ନାହିଁ । ସେ ଯଦି କିଛି କହେ-ହୁଏତ ଏ ଘରୁ ଚିରଦିନପାଇଁ ନିର୍ବାସିତ ହେବ । ବାପା ତା କଥା ଶୁଣିବେ ନାହିଁ । ଗାଆଁ ଲୋକେ କହିବେ—ପୁଅଟା ମା’ ଶିରୀ ଦେଖିଲା ନାହିଁ । ମାଆ ହୋଇ କଣ ଝିଅକୁ ଗାଳିଦେବାର ଅଧିକାର ନାହିଁ ? ତା ବୋଲି ଟୋକାଟା ମାଇପଙ୍କ ପରି କାନିରେ ଗଣ୍ଠି ପକାଇ କଜିଆ କରିବ ? ପାଠ ପଢ଼ିଛି ନା, ବାପ ମୁଣ୍ଡ ପଢ଼ିଛି ? ଟୋକାଟାର ଟିକିଏ ବୁଦ୍ଧି ଶୁଦ୍ଧି ନାହିଁ । ମାଆକୁ ଏପରି କଥା କହନ୍ତି ? ଏ ଦୁନିଆଁରେ ଏପରି ପରଚର୍ଚ୍ଚା କରିବା ଲୋକଙ୍କର ଅଭାବ ନାହିଁ । ନ ହେଲେ ଅକାଳେ ସକାଳେ ତେଲଟିକେ, ଲୁଣଟିକେ କିମ୍ବା ଚାଉଳ ମାଣେପାଇଁ ଉଧାର ମାଗିବାକୁ ଆସିଲେ ନିରାଶ ହେବେ । ଏଥିପାଇଁ କିଛି କାରଣ ନ ଥିଲେ ବି ଉପରେ ପଡ଼ି କେତେ ମାଇପେ ମାଆ ମାଉସୀ ସାଜନ୍ତି, ଏଘର କଥା ନେଇ ସେ ଘରେ କହନ୍ତି ? ସ୍ୱାମୀ ସ୍ତ୍ରୀ, ମାଆ ପୁଅ, ଭାଇ ଭାଇ ମଧ୍ୟରେ କରି ଲଗାଇ ଦିଅନ୍ତି । ଦରକାର ବେଳେ ଭିତରେ ଉସୁକଇ ଉପରେ ଉପଦେଶ ଦିଅନ୍ତି, ଯୁଆଡ଼ ମେଘ ଆସେ ସିଆଡ଼କୁ ଛତା ଦେଖାନ୍ତି । ଆହା ! ତାର ମାଆ ଯଦି ଆଜି ଥାଆନ୍ତା ? ସେ କଣ ଏପରି କଥା କହନ୍ତା ? ଆଖି ଆଗରେ ଭାସି ଉଠୁଥିଲା ଅତୀତର ସେହି ଅଲିଭା ସ୍ମୃତିର କଥା । ସଜଳ ଆଖିରେ ଝାପ୍‍ସା ଝାପ୍‍ସା ହୋଇ ଦେଖା ଯାଉଥିବା ପୂର୍ବରୁ ହସିଲା ସଂସାର । ସେତେବେଳେ ସେମାନେ ପିଲା ହୋଇଥିଲେ । ମାଆ ବାଡ଼ିରେ ପନିପରିବା ଗଛ ଲଗାଉଥିବାବେଳେ ଇଞ୍ଜନ ଏବଂ ସ୍ମିତା ମାଆକୁ ସାହାଯ୍ୟ କରୁଥିଲେ । ଉପରେ ପଡ଼ି କାମ କରିବାପାଇଁ ଭାଇ ଭଉଣୀଙ୍କ ମଧ୍ୟରେ ଜିଦ୍ ଲାଗୁଥିଲେ । ସ୍ମିତା କହୁଥିଲା ବୋଉ ଦେଖନା’, ଭାଇଠାରୁ ମୁଁ ଅଧିକ ଗଛ ଲଗେଇଲିଣି । ରଞ୍ଜନ କହୁଥିଲା—ହ, ତତେ ଆଗ ଗଛ ଲଗାଇ ଆସେନା’ । ମାଆ କହୁଥିଲା—ଥାଉ ଥାଉ ପିଲାଗୁଡ଼ାକ ଏଇ ବୟସରୁ କାମ କଲେ କଙ୍କାଳ ଭାଙ୍ଗି ପଡ଼ିବ । ଚାଲ ଘରକୁ ଚାଲ, ଖାଇଦେଇ ଖେଳିବ । ରଞ୍ଜନ ସ୍ମିତା ବୋଉ କଥା ମାନୁ ନ ଥିଲେ । ସେମାନେ କହୁଥିଲେ—ବୋଉ ତୁ ଚାଲ୍ । ତୁ ଏଠି କାମ କରିବୁ ଆଉ ଆମେ ଘରେ ଖେଳିବୁ । ନାଁ ତା ହବ ନାଇଁ । ବାଧ୍ୟ ହୋଇ ମାଆ ଏହି ଅଝଟିଆ ପିଲାଙ୍କୁ ଧରି ଘରକୁ ଆସୁଥିଲେ ।

 

ହଠାତ୍ କବାଟ ଖୋଲିବାର ଶବ୍ଦ ଶୁଣି ରଞ୍ଜନର ଚିନ୍ତାର ଖିଆ ଛିଡ଼ିଗଲା । ରଞ୍ଜନ ଦେଖିଲା–ଆଗରେ ସ୍ମିତା ଛିଡ଼ା ହୋଇଛି । ଚ୍ଛିନ୍ନ ମିଳିନ ବସ୍ତ୍ର, ହାତରେ କଳସୀ । ତଳକୁ ମୁହଁ ପୋତିଛି, ଭାଇ ବୋଲି ଅସ୍ପଷ୍ଟ ଭାବରେ ଡାକି ସେ ଆଉ କିଛି କହିପାରିଲା ନାହିଁ । ରଞ୍ଜନ ଦେଖିଲା ସ୍ମିତାର ଆଗ ଚେହେରା ଆଉ ନାହିଁ । ଏହା ମଧ୍ୟରେ ସେ ଯେପରି ଦଶ ବର୍ଷ ବିତିଯାଇଛି-। କଠିନ ପରିଶ୍ରମ କରିବା ଫଳରେ ଏପରି ଅବସ୍ଥା ହୋଇଛି ବୋଲି ବୁଝିବାକୁ ବାକି ରହିଲା ନାହିଁ । ତା ପରେ ପୁଣି ଅନ୍ଧାର ଅନ୍ଧାର ରାତିରେ ପାଣି ଆଣିବାକୁ ବଢ଼ିଲା ଝିଅଟାକୁ ମାଆ ପଠାଉଛି । ରଞ୍ଜନ ମନରେ ଭାବ ଗୋପନ କରି କହିଲା—ଦେ ଦେ ମୋତେ ସେ ମାଠିଆ ଦେ’ ମୁଁ ପାଣି ନେଇ ଆସୁଛି । ତୁ ଏ ଜିନିଷ ରଖ, ତା ପରେ ସ୍ମିତାର ଉତ୍ତରକୁ ଅପେକ୍ଷା ନ ରଖି ବ୍ୟାଗକୁ ତଳେ ପକାଇ ଦେଇ କଳସୀ ଧରି ଚାଲିଗଲା । ସ୍ମିତା ସେଇଠି ପଥର ପରି ଠିଆ ହୋଇରହିଲା । ପାଣି ନେଇ ଘରେ ପହଞ୍ଚିଲା ପରେ ମାଆ କହିଲେ—ଆରେ ରଞ୍ଜୁ ତୁ କେତେବେଳେ ଆସିଲୁ ? ମୁଁ ଏ ଝିଅଟାକୁ ମନା କରୁଛି, ରାତିଟାରେ ପାଣି ନ ଆଣିନଥିଲେ କଣ ଚଳି ନ ଥାନ୍ତା ? ତାର ଖାଲି ଜିଦ୍-। ଯେଉଁ କଥା ବୁଝିଥିବ ସେଇଆ । ଆ, ବାବା କେତେ ବାଟରୁ ଆସିଲୁଣି ଖାଇଦେଇ ଶୋଇବୁ ଯା-। ରଞ୍ଜନକୁ ଆଶ୍ଚର୍ଯ୍ୟ ଲାଗିଲା । ନିଜ ପ୍ରତି ସନ୍ଦେହ ଆସିଲା । ସେ ଶୁଣିଥିବା କଥା ତାକୁ ଅବିଶ୍ୱାସ ଲାଗିଲା । ମାତ୍ର ସ୍ମିତାର ବେଶ ଏପରି ହୋଇ ନ ଥିଲେ ସେ ହୁଏତ ଏହା ଭୁଲି ଯାଇଥାନ୍ତି । କିନ୍ତୁ ସେ ଭୁଲି ପାରିଲା ନାହିଁ । ନିଜର ରୁଦ୍ଧ ଆବେଗକୁ ସେ ପ୍ରକାଶ କଲା ନାହିଁ । ସେ ନୀରବ ହେଲା-। ମାଆ କଥାରେ କିଛି କହିଲେ ନାହିଁ, ଖାଇବାକୁ ଚାଲିଗଲା ।

 

ଦୁର୍ଗାପୂଜା ଛୁଟି ସରି ଆସିଲାଣି । ଆଉ ଦିନେ ଦୁଇଦିନ ପରେ ରଞ୍ଜନ ସ୍କୁଲକୁ ଫେରିଯିବା । ଏହା ମଧ୍ୟରେ ଆଉ ଦୁଇ ତିନିମାସ ଆସି ପାରିବ ନାହିଁ । ପରୀକ୍ଷା ପାଇଁ ପଢ଼ାପଢ଼ି କରିବ । ପରୀକ୍ଷା ପରେ ଘରକୁ ଆସିବ । ସେଦିନ ରଞ୍ଜନ ଶୋଇଛି । ସେକ୍‍ସପିଅରଙ୍କ ଅଥେଲୋ ଖୋଲା ହୋଇ ଛାତି ଉପରେ ପଡ଼ିଛି । ସନ୍ଧ୍ୟା ହୋଇ ଆସିଲାଣି । ସ୍ମିତା ତାର ଟିକି ଭାଇଟିକୁ କାଖେଇ ହାତରେ ଚା’ କପ୍ ଧରି ଘର ଭିତରେ ପ୍ରବେଶ କଲା । ଭାଇର ନିଦ୍ରିତ ମୁହଁକୁ ଚାହିଁ ସେ ଆନନ୍ଦ ଅନୁଭବ କଲା । ତା ପରେ ଟେବୁଲ୍ ଉପରେ ଚା’ କପ୍‍ଟିକୁ ଥୋଇ ରଞ୍ଜନକୁ ହଲେଇ ଦେଇ ଡାକିଲା, ଭାଇ ଉଠିବନି କି ? ସଞ୍ଜ ହେଲାଣି ।

 

ରଞ୍ଜନ ନିଦରୁ ଉଠି ଦେଖିଲା—ସ୍ମିତା ଆଗରେ ଛିଡ଼ା ହୋଇଛି । ସେ ଆନନ୍ଦରେ ସାନଭାଇକୁ କୋଳକୁ ନେଇ ଗେଲ କଲା ।

 

ସ୍ମିତା କହିଲା—ଭାଇ ତମେ ଚା ପିଅ ?

 

ହଁ ଦେ । ରଞ୍ଜନ ଚା’ ଖାଉ ଖାଉ କହିଲା, ସ୍ମିତା ମୁଁ ପଅର ଦିନ ସ୍କୁଲକୁ ଯାଉଛି । ପରୀକ୍ଷା ପରେ ଆସିବି । ତୋ ପାଇଁ କଣ ଆଣିବି କହିଲୁ ?

 

ସ୍ମିତା କହିଲା—ଭାଇ ମୋର କିଛି ଦରକାର ନାହଁ । ତମେ ଭଲରେ ପରୀକ୍ଷା ଦେଇ ଫେରିଆସ ।

 

ରଞ୍ଜନ କହିଲା–ତୋତେ ଯେତେବେଳେ କହିଲେ ତୋର ସେହି ଏକା କଥା । ତୁ ବୋଧେ ଭାବୁଛୁ ମୁଁ ତୋ ଲାଗି ଜିନିଷ ଆଣିଲେ ମୋତେ ଉପବାସ ରହିବାକୁ ପଡ଼ିବ, କଷ୍ଟରେ ଚଳିବାକୁ ହେବ ?

 

ହଁ ଭାଇ, ମୁଁ କଣ ଦେଖୁନାହିଁ ତମେ କେମିତି ଚଳୁଛ । ବାପା ତମକୁ ଏତେ ଅଳ୍ପ ଟଙ୍କା ଦେଉଛନ୍ତି, ସେଥିରେ ତମେ ପାଠ ପଢ଼ିବ କେମିତି ?

 

ରଞ୍ଜନ ଶୁଖିଲା ହସ ହସି କହିଲା—ତୁ ସେ ପାଇଁ ଚିନ୍ତା କରନା’ ସ୍ମିତା । ଯାହା ଭାଗ୍ୟରେ ଥିବ ତାହା ହେବ । ଆରେ, ମଣିଷ କାହାର କଣ କରିପାରେ ? ଯେତେଦିନ ଆମକୁ ଦୁଃଖ ସହିବାକୁ ଥିବ ଆମେ ଦୁଃଖ ଭୋଗ କରିବା । ହଉ ସେ କଥା ଛାଡ଼—ତୋ ଲାଗି କଣ ଆଣିବି କହ । ତୁ ମୋଟେ କିଛି କହୁନୁ । ସବୁବେଳେ ନୀରବ ରହୁଛୁ । ଆଜି କିଛି ନ କହିଲେ ମୁଁ ଆଉ ଆସିବି ନାହିଁ ।

 

ସ୍ମିତା ବାଧ୍ୟ ହୋଇ କହିଲା—ଭାଇ ତମେ ପାଠ ପଢ଼ି ବଡ଼ ମଣିଷ ହେଲେ ସେତେବେଳେ ସିନା ମୁଁ ସବୁ କିଛି ପାଇଯିବି । ତମେ ତ ଅଛ, ଆଉ ମୋର କଣ ଦରକାର ? ତେବେ ଆସିଲା ବେଳେ ମୋ ପାଇଁ ତାରକସି ମୁଦିଟିଏ ଆଣିବ, ସେଥିରେ ଜଗନ୍ନାଥଙ୍କ ଫଟୋ ଥିବ ।

 

ରଞ୍ଜନ ହସି ହସି କହିଲା—ଏଇ ସାମାନ୍ୟ ଜିନିଷଟାଏ ପାଇଁ କହିଲୁ ।

 

ହଁ ଭାଇ, ମୋର ଆଉ କିଛି ଦରକାର ନାହିଁ । ତମେ କିପରି ଠାକୁରଙ୍କ ଦୟାରୁ ଭଲରେ ଘରକୁ ଫେରି ଆସିବ ତାହା ହିଁ ମୋହର ଏକାନ୍ତ ଇଚ୍ଛା ।

 

ଛୁଟି ସରିଗଲା । ରଞ୍ଜନ ସ୍କୁଲକୁ ଗଲା । ମନ ମଧ୍ୟରେ ଭଉଣୀର ଅନୁରୋଧ କେବଳ ଉଙ୍କି ମାରୁଥାଏ । ସେ ପରୀକ୍ଷା ପରେ ଜଗନ୍ନାଥଙ୍କ ଫଟୋ ଥିବା ତାରକସି ମୁଦିଟିଏ ନେବ । ପରୀକ୍ଷା ନିକଟ ହୋଇଆସୁଛି । ରଞ୍ଜନ ବ୍ୟସ୍ତ ହୋଇପଡ଼ିଲା । ରାତି ରାତି ଅନିଦ୍ରା ହୋଇ ପାଠ ମୁଖସ୍ଥ କଲା । ପରୀକ୍ଷାର ଫଳାଫଳ ଉପରେ ହିଁ ତାର ଭାଗ୍ୟ ନିର୍ଭର କରେ । ଘରେ ଯେପରି ହଇରାଣ କରୁଛନ୍ତି ସେଥିରେ ଉଚ୍ଚଶିକ୍ଷା ପାଇବା ଅସମ୍ଭବ । ପରୀକ୍ଷାରେ ଭଲ କଲେ ସେ ବୃତ୍ତି ପାଇବ । ସେହି ଟଙ୍କାରେ ସେ ପାଠ ପଢ଼ିବ । ଭଲ ଚାକିରୀଟିଏ କରିବ । ଭଉଣୀକୁ ସଙ୍ଗରେ ନେଇଯିବ । ସୁପାତ୍ର ଦେଖି ତାକୁ ବିଭା ଦେବ । ବେଳେବେଳେ ଭଉଣୀର ନିର୍ଯ୍ୟାତିତ ଜୀବନ କଥା ମନେ ପକାଇ ସେ କାନ୍ଦେ । ଆହାଃ ! ଦୁଃଖିନୀ ଭଉଣୀ ତାର, ତା ପାଇଁ ସେ କେତେ ଦେବତାଙ୍କୁ ପୂଜା କରେ । ନିଜେ କଷ୍ଟ ସହି ଭାଇର ମଙ୍ଗଳ ଚିନ୍ତା କରେ । ଭଉଣୀର ସ୍ନେହ ମମତା ସେ ଜୀବନରେ ଭୁଲି ପାରିବ ନାହିଁ । ମାଆଙ୍କ ମୃତ୍ୟୁ ପରେ ଏହି ସାନ ଭଉଣୀ ସ୍ନେହ ମମତାରେ ସେ ନିଜର ଦୁଃଖକୁ ପାଶୋରି ଦିଏ । କର୍ତ୍ତବ୍ୟ ପଥରେ ଆଗେଇ ଯାଇ, ମନରେ ସାହସ ଆସେ । ଦଶ ଜଣଙ୍କ ସାଙ୍ଗରେ ଜଣେ ହୋଇ ଛିଡ଼ା ହେବାପାଇଁ ମନକୁ ଦୃଢ଼ କରେ ।

 

ପରୀକ୍ଷା ଆଉ ମାସଟିଏ ରହିଲା । ଏହା ମଧ୍ୟରେ ଭଉଣୀର ଇଚ୍ଛାନୁସାରେ ସେ ମୁଦିଟିଏ କିଣି ସାରିଛି । ଅନେକ ଥର ଇଚ୍ଛା ହେଲାଣି ସେ କାହାରି ହାତରେ ପଠାଇ ଦେବ । କେତେ ଲୋକ ଗାଁରୁ ଆସୁଛନ୍ତି, ମୁଦି ପଠାଇ ଦେଲେ ଭଲ ହୁଅନ୍ତା । ତା ପରେ ପୁଣି ମନରେ ଭାବେ, ନାଁ ସିଏ ନିଜେ ଭଉଣୀ ହାତରେ ପିନ୍ଧାଇ ଦେବ, ଭଉଣୀର ଆନନ୍ଦ ଦେଖି ସେ ଖୁସି ହେବ-। ବେଳେ ବେଳେ ବାକ୍ସରୁ ମୁଦି କାଢ଼ି ଦେଖେ । ମନରେ ଆନନ୍ଦ ଆସେ । ସେ ଭାବେ, ପ୍ରଥମେ କହିବ ନା ମୁଦି ପାଇଲି ନାହିଁ । ଏଥିରେ ସ୍ମିତା ଦୁଃଖ ଅନୁଭବ କରିବ । ତା ପରେ ସେ ଯେତେବେଳେ ମୁଦି ବାହାର କରି ପିନ୍ଧାଇ ଦେବ, ଆଃ ସ୍ମିତା କେତେ ଖୁସି ନ ହେବ ? ପୁଣି ମନରେ ଆସେ, ନାଁ ସେ ମନା କଲେ ବି ସ୍ମିତା କେବେ ଦୁଃଖ ଅନୁଭବ କରିବ ନାହିଁ । କାରଣ ସେ ତ କିଛି କହୁ ନ ଥିଲା । ସେ କେବଳ ତା’ କଥାରେ ବାଧ୍ୟ ହୋଇ କହିଛି । ଏହିପରି ଅନେକ ପ୍ରଶ୍ନ ମନରେ ଆସେ । ମୁଦି ବାକ୍ସରେ ରଖି ଦିଏ । ନିଜ କର୍ତ୍ତବ୍ୟରେ ଲାଗେ । ପରୀକ୍ଷା ସରି ଆସିଲା । ପରୀକ୍ଷାରେ ତାର ଭଲ ହୋଇଛି, ସ୍ମିତାକୁ ଏ ସମ୍ବାଦ ଦେବ । ସ୍ମିତା ଖୁସି ହେବ ।

 

ରଞ୍ଜନ ତାର ରୁମ୍‍ରେ ବସିଥିଲା । ଟ୍ରଙ୍କ ବାକ୍ସ ସମସ୍ତ ସଜାଡ଼ି ସାରିଲାଣି । ଆଉ କିଛି ଅସୁବିଧା ନ ଥିଲା । ମେସ୍ ଡ଼ିଉଜ୍ କ୍ଳିଅର ହୋଇସାରିଛି । ପରୀକ୍ଷା ସରି ଯାଇଛି । କାଲି ସେ ବଡ଼ି ଭୋରୁ ଫାଷ୍ଟ ବସ୍ ଧରି ଗାଆଁକୁ ଚାଲିଯିବ । ମାଆ ଭଉଣୀଙ୍କ ପାଇଁ ଲୁଗା, ବାପାଙ୍କ ପାଇଁ ଜାପାନୀ ଛତା, ସାନଭାଇ ପାଇଁ କେତେ ପ୍ରକାର ଖେଳନା କିଣା ହୋଇସାରିଛି । ଆଉ କିଛି ଜଞ୍ଜାଳ ନାହିଁ । ଅନେକ ବନ୍ଧୁ ମଧ୍ୟ ଚାଲି ଗଲେଣି । ବନ୍ଧୁମାନଙ୍କ ମଧ୍ୟରେ ଥିବା ରାଗ, ଅହଙ୍କାର ଯିବାବେଳେ ଆଖିର ଲୁହରେ ସମସ୍ତେ ଲିଭେଇ ଦେଇଛନ୍ତି । ଯୁଗ ଯୁଗର ବିଚ୍ଛେଦ ପରି ମନେ ହୋଇଛି । ହୃଦୟରେ କି ନିର୍ମଳ ପ୍ରେମର ଅଫୁରନ୍ତ ଜୁଆର । ବିଦାୟ ବେଳେ ଜଣେ ଜଣଙ୍କ ପ୍ରତି କେତେ ଆନ୍ତରିକତା, କେତେ ମମତା ! କେହି କାହାରିକୁ କିଛି ନ କହିଲେ ମଧ୍ୟ ପରସ୍ପର ପରସ୍ପରକୁ ସାହାଯ୍ୟ କରିବାରେ ପାଉଛନ୍ତି ଅଶେଷ ତୃପ୍ତି । କିଏ କାହାର ବାକ୍ସ କାନ୍ଧେଇ ନେଇଯାଉଛି ତ, କିଏ କାହା ହାତରୁ ବ୍ୟାଗ ଟାଣି ଆଣି ନେଇଯାଉଛି । ରଞ୍ଜନ ବିଛଣାରେ ଶୋଇ ଭାବୁଥିଲା । ସନ୍ଧ୍ୟା ହୋଇ ଆସିଲାଣି । ତଥାପି ତାର ବତୀ ଲଗାଇବାକୁ ଇଚ୍ଛା ହେଉ ନ ଥିଲା । ଭୟ ଥିଲା ଆଜିର ଏହି ଆନନ୍ଦ ମୁହୂର୍ତ୍ତର ଭାବନା ଗୁଡ଼ିକ ହୁଏତ ବତୀର ଆଲୋକରେ ବିଚ୍ଛିନ୍ନ ହୋଇଯିବ ? ତେଣୁ ସେ ଆଖିବୁଜି ଭାବନାରେ ବୁଡ଼ି ଯାଇଥିଲା । ଏହା ମଧ୍ୟରେ ବି ତାର ଘର କଥା ମନେ ପଡ଼ୁଥିଲା । ନିଜ ଭାଇ ଭଉଣୀ, ଗାଆଁ ଦାଣ୍ଡ ତା ଆଖି ଆଗରେ ଭାସି ଉଠୁଥିଲା । ଘରକୁ ଯିବାପାଇଁ, ସେମାନଙ୍କୁ ଦେଖିବା ପାଇଁ ମନ ବ୍ୟସ୍ତ ହୋଇ ପଡ଼ୁଥିଲା । ତା ପରେ କାହିଁକି କେଜାଣି, ତାକୁ ଭାରି କାନ୍ଦ ମାଡ଼ିଲା । ଆଖିରୁ ଧାର ଧାର ହୋଇ ଲୁହ ଗଡ଼ି ପଡ଼ିଲା । ବିଛଣା ତାକୁ କଣ୍ଟକର ଶେଯ ପରି ମନେ ହେଲା । ରୁମ୍ ତାକୁ ଖାଁ ଖାଁ ଗୋଡ଼ାଇଲା । ସେ ନିଜକୁ ଆୟତ୍ତ କରିପାରିଲା ନାହିଁ । ଏହାର କାରଣ ମଧ୍ୟ କିଛି ଜାଣି ପାରିଲା ନାହିଁ । ଛାଟିପିଟି ହୋଇ ସେ ବିଛଣାରେ ଉଠି ବସିଲା । ନିକଟସ୍ଥ ବଜାରରେ ହୁଏତ ବୁଲି ଆସିଲେ ମନ ପରିବର୍ତ୍ତନ ହେବ ବୋଲି ଭାବିଲା । ସଙ୍ଗେ ସଙ୍ଗେ ନିଜର ଦଦରା ସାଇକେଲକୁ ଗଡ଼ାଇ ଗଡ଼ାଇ ଉଦାସ ମନରେ ସେ ଆଗକୁ ଚାହିଁ ଚାହିଁ ଅନିଶ୍ଚିତ ଭାବରେ ଆଗେଇ ଚାଲିଲା ।

 

ରାସ୍ତା ଉପରେ ରଞ୍ଜନ ଆଗେଇ ଚାଲିଛି ।

 

ରାସ୍ତା ଦୁଇ କଡ଼ରେ ଦୋକାନ ଘର ଗୁଡ଼ିକ ଆଲୋକରେ ଉଦ୍‍ଭାସିତ । ଗରାଖମାନଙ୍କର କୋଳାହଳରେ ଦୋକାନ ଗୁଡ଼ିକ ମୁଖରିତ । ବଜାର ମଝିରେ ସିନେମା ଘର ରହିଛି । ଏଠାରେ ସନ୍ଧ୍ୟାବେଳେ ସ୍କୁଲ କଲେଜ ପିଲାମାନଙ୍କର ଭିଡ଼ ହୁଏ । ସିନେମା ପଇସା ଅଭାବରୁ ଦେଖି ନ ପାରିଲେ ମଧ୍ୟ ପିକ୍ଚରପୋଷ୍ଟ ଦେଖିବା ପାଇଁ ପିଲାଙ୍କର ଲୋଭ ହୁଏ । ରଞ୍ଜନ ସେଠାରେ ପହଞ୍ଚିବା ମାତ୍ରେ ତାର ଲେଖାଯୋଖା ଭାଇ ସିନେମା ହଲ୍ ଆଡ଼କୁ ଯାଉଥିବାର ଦେଖିଲା । ସେ ଡାକିଲା ମିଲନ । ମିଲନ ରଞ୍ଜନକୁ ଦେଖିକହିଲା—ଭାଇ ମୁଁ ତ ତମକୁ ଖୋଜୁଥିଲି-। ଆଜି ଗାଁରୁ ଆସିଲି । ତୁମ ପାଖରେ କଥା ଅଛି । ଏହି ସମୟରେ ଆଉ ଦଳେ ପିଲା ରାସ୍ତା ଉପରୁ ଡାକୁଥିଲେ ରଞ୍ଜନବାବୁ ଶୁଣନ୍ତୁ । ରଞ୍ଜନ ଆଗେଇ ଗଲା । ମିଲନ ମଧ୍ୟ ରଞ୍ଜନ ନିକଟରେ ପହଞ୍ଚିଲା । ମାତ୍ର ରଞ୍ଜନକୁ କିଛି କହୁନାହିଁ । ରଞ୍ଜନ ବିସ୍ମିତ ହେଲା । କେଜାଣି କାହିଁକି ଦେହ ତାର ଥରି ଉଠିଲା । ମନରେ ଅଜଣା ଆଶଙ୍କା ଦେଖା ଦେଲା । ସେ ଉଭୟ ଦିଗକୁ ଚାହିଁଲା-। ପିଲାଦଳକ କିଛି କହି ପାରିଲେ ନାହିଁ-। ସେମାନେ ରଞ୍ଜନକୁ କରୁଣ ଦୃଷ୍ଟିରେ ଚାହିଁଥିଲେ-। ମିଲନ କହିଲା ଭାଇ ଘର ଖବର କିଛି ଶୁଣିଛନ୍ତି ?

 

ରଞ୍ଜନ କହିଲା ନା, କଣ ହୋଇଛି ? ସେ ବ୍ୟସ୍ତ ହୋଇପଡ଼ିଲା ।

ମିଲନ କହିଲା ଆପଣଙ୍କ ଭଉଣୀ ସିରଏସ୍ । ଆପଣଙ୍କ ବାପା ଟେଲିଗ୍ରାମ କରିବାକୁ କହୁଥିଲେ ।

ରଞ୍ଜନର ମୁଣ୍ଡ ଘୂରାଇଲା । ଆଖି ଆଗରେ ଶହ ଶହ ଜୁଳୁଜୁଳିଆ ପୋକ ବାହାରିବା ପରି ମନେ ହେଲା । ସେ ଅଧୀର ହୋଇ ପଡ଼ି କହିଲା—କଣ ହୋଇଛି ? ପରିଷ୍କାର କୁହ ।

ମିଲନ କହିଲା—ତାକୁ ସାପ କାମୁଡ଼ିଛି ବୋଲି ଶୁଣି ଆସିଲି ।

ରଞ୍ଜନ କିଛି କହିପାରିଲା ନାହିଁ । ସଙ୍ଗେ ସଙ୍ଗେ ବସାକୁ ଫେରି ଆସିଲା । ବସା ନିକଟସ୍ଥ ବନ୍ଧୁମାନେ ରଞ୍ଜନର ଏପରି ଅବସ୍ଥା ଦେଖି ପାଖକୁ ଧାଇଁ ଆସିଲେ । କଣ ହେଲା କଣ ହେଲା ବୋଲି କେତେ କଥା ପଚାରିଲେ ।

ରଞ୍ଜନ କିଛି କହିପାରିଲା ନାହିଁ । ଛାତି ଫଟାଇ କୋହ ଯେପରି ବାହାରି ଆସୁଥିଲା । ସେ କହିଲା ମୋର ଜିନିଷପତ୍ର ରହିଲା, ମୁଁ ଘରକୁ ଯାଉଛି । ମୋର ଭଉଣୀକୁ ସର୍ପାଘାତ ହୋଇଛି-। ସାଙ୍ଗମାନେ ଆହା କଲେ । କିଏ କେତେ ପ୍ରକାର ବୁଝେଇଲେ । ରଞ୍ଜନକୁ ଧରି ଧରି ଆଣି ଟ୍ୟାକ୍ସିରେ ବସାଇ ଦେଇଗଲେ । ରଞ୍ଜନ କିଛି ଭାବିପାରୁ ନ ଥିଲା । ତାର କଥା କହିବାର ଶକ୍ତି ଯେପରି ଲୋପ ପାଇଥିଲା । ସେ କେବଳ ଆଖି ବନ୍ଦକରି ମୁଣ୍ଡରେ ହାତଦେଇ ଟ୍ୟାକ୍ସିର ଆଗ ସିଟ୍‍ରେ ବସି ରହିଥିଲା । କିଛିବାଟ ଯିବା ପରେ ପଛସିଟ୍‍ରେ ଲୋକଙ୍କ ଆଲୋଚନା ତା କାନରେ ପଡ଼ିଲା । ସେ ଉତ୍କଣ୍ଠିତ ଭାବରେ ତାହା ଶୁଣିବାକୁ ଲାଗିଲା । ଜଣେ କିଏ କହୁଥିଲା—ବୁଝିଲୁନା ଦନେଇ ହରିପୁରର ଚୌଧୁରୀଙ୍କ କନ୍ୟାକୁ ଦନ୍ତଘାତ ହୋଇଛି । ଆଉ ଜଣେ କିଏ କହିଲା—ଆଜିର ଏ ବିଜ୍ଞାନ ଯୁଗରେ ସାପ କାମୁଡ଼ାଟା ବଡ଼ କଥା ନୁହେଁ । କଲିକତାର ବିଶିଷ୍ଟ ଗୁଣିଆ ମୋହନ ଦେ ରୋଗୀର ନାଁ ଶୁଣିବା ମାତ୍ରେ ରୋଗୀ ଭଲ ହୋଇ ଯାଉଛି । ଚୌଧୁରୀ ଅବହେଳା କରୁଛନ୍ତି । ତା ନ ହେଲେ ବିଷ ଝଡ଼ି ଯାଆନ୍ତା ନାହିଁ ।

ଦନେଇ କହିଲା—ଆଃ ଥାଉ ଥାଉ । ତାଙ୍କର ନିଜ କନ୍ୟା ପ୍ରତି ସ୍ନେହ ନାହିଁ ? ମୁଁ ପରା ଶୁଣିଲି କୁଆଡ଼େ ପାଞ୍ଚ ଛଅ ଜଣ ଗୁଣିଆ ଆସି ଝାଡ଼ି ଝାଡ଼ି ଥକି ଗଲେଣି ।

ଏହି ସମୟରେ କିଏ ଜଣେ ଆଗକୁ ଅନେଇ ଦେଇ ଧୀରେ କହିଲା—ହେ ଥାଉ ଥାଉ ଆଗରେ ପରା ଚୌଧୁରୀଙ୍କ ବଡ଼ ପୁଅ ବସିଛି ବେ ।

ରଞ୍ଜନ ସେମାନଙ୍କୁ କାହାରିକି ଚିହ୍ନେ ନାହିଁ, ଜାଣ ନାହିଁ । ସେ କିଛି ନ କହି ଖାଲି ଦୀର୍ଘଶ୍ଵାସ ଛାଡ଼ୁଥିଲା । କିଏ ଜଣେ କହିଲା—ବାବୁ କଣ ହୋଇଛି ?

ରଞ୍ଜନ ବିକଳ ଭାବରେ ସଂକ୍ଷିପ୍ତ ଉତ୍ତର ଦେଲା—ମୁଁ କିଛି ଜାଣେ ନାହିଁ । ଆଜି ଖବର ପାଇ ଘରକୁ ଯାଉଛି ।

ବାବୁ ! ମୋହନ ଦେ ପାଖକୁ ଟିକିଏ ଫୋନ କରିଦେଲେ ନାହିଁ ? ଏହା ଶୁଣି ଆଗ ସିଟ୍‍ରେ ଜଣେ କିଏ ଭଦ୍ରଲୋକ କହିଲା—ମୋହନ ଦେ ମରିଗଲେଣିରେ ଭାଇ । ଆଉ ଝାଡ଼ିବ କିଏ ? ତେବେ ‘ନିଜଗାଁ’ ହାଇସ୍କୁଲର ହେଡ଼୍‍ମାଷ୍ଟର ଜଣେ ବଡ଼ ଗୁଣିଆ । ତାଙ୍କ ପାଖକୁ ଗଲେ ହୁଏତ କିଛି ଫଳ ମିଳିପାରେ । ଟ୍ୟାକ୍ସି ରଶ୍ମୀପୁର ବଜାରରେ ପହଞ୍ଚିଲା । ଲୋକଗୁଡ଼ାକ କିଏ କୁଆଡ଼େ ଓହ୍ଲାଇ ଗଲେ । ନୀରବରେ ରଞ୍ଜନ ବସିଥାଏ । ଆଉ ପାଞ୍ଚମାଇଲ ଯିବା ପରେ ସେ ମୀନାକ୍ଷୀପାଟଣାରେ ପହଞ୍ଚିବ । ସେଠାରୁ ଓହ୍ଲାଇ ଚାଲି ଚାଲି ଦୁଇ ତିନିମାଇଲ ଗଲେ ତାଙ୍କ ଗାଁ ହରିପୁର ପଡ଼ିବ । ଟ୍ୟାକ୍ସି ଚାଳକ ବି କହିଲାଣି ତାର ପାସେଞ୍ଜର ଆଉ ନାହାନ୍ତି, ତେଣୁ ସେ ମୀନାକ୍ଷୀପାଟଣାରୁ ଫେରି ଆସିବ । ସେଠାରୁ ତାଙ୍କ “ନିଜଗାଁ” ଆହୁରି ଦଶ ମାଇଲ ଦୂର । ସୁତରାଂ ସେ ମୀନାକ୍ଷୀପାଟଣାରେ ତାର ମାଉସୀ ଘରକୁ କାହା ହାତରେ ବ୍ୟାଗଟା ପଠାଇ ଦେଇ ସେହି ରାତାରାତି ଗାଆଁକୁ ଚାଲିଯିବା ଠିକ୍‍କଲା । ତାର ଭାବନା ସହିତ ତାଳ ଦେଇ ଟ୍ୟାକ୍ସି ଗଡ଼ି ଚାଲିଥିଲା । ମୀନାକ୍ଷୀପାଟଣାରେ ସେ ଟ୍ୟାକ୍ସିରୁ ଓହ୍ଲାଇ ନିକଟସ୍ଥ ବଜାରରେ ତାର ବ୍ୟାଗ୍କୁ ଫୋପାଡ଼ି ଦେଇ ରାସ୍ତା ଉପରକୁ ଆସିଲା । ନିବିଡ଼ ଅନ୍ଧକାର । ମୁହଁକୁ ମୁହଁ ଦିଶୁନାହିଁ । ରାସ୍ତା ଉପରେ ବସି ଉତ୍କଣ୍ଠାର ସହିତ ରଞ୍ଜନ ଚାହିଁ ରହିଛି ଗାଡ଼ିକୁ । ଯେକୌଣସି ଗାଡ଼ି ପହଞ୍ଚିଲେ ସେ ‘ଗାଁ’କୁ ଯିବ । ମାତ୍ର ଗାଡ଼ି କାହିଁ ? କୌଣସି ଗାଡ଼ି ଆସିବାର ସୂଚନା ନାହିଁ । ଅଧଘଣ୍ଟାଏ ବିତିଲା, ଘଣ୍ଟାଏ ବିତିଲା । ଭାଗ୍ୟରକି ନିର୍ମମ ପରିହାସ ? ବ୍ୟସ୍ତ ହୋଇ ପଡ଼ିଲା ସେ । ତାକୁ ଯେପରି ମୂହୁର୍ତ୍ତକ ଯୁଗପରି ମନେ ହେଲା । ହଠାତ୍ କାହାର ଡାକରେ ସେ ପ୍ରକୃତିସ୍ଥ ହେଲା । ଦୂରକୁ ଚାହିଁ ଦେଖିଲା—ଅନ୍ଧକାର ମଧ୍ୟରେ ଜଣେ ଲୋକ ତା ଆଡ଼କୁ ଆଗେଇ ଆସୁଛି । ତାର ମାଉସୀପୁଅ ଭାଇ ଯେ ତାର ଆସିବା ସମ୍ବାଦ ପାଇ ଆସୁଛି, ତାହା ତାଙ୍କ କଣ୍ଠ ସ୍ଵରରୁ ସେ ଜାଣି ପାରିଲା । ରଞ୍ଜନ ନିକଟକୁ ଗଲା । ତାର ମାଉସୀପୁଅ ଭାଇ ଦୋଲନ ରଞ୍ଜନ ଅପେକ୍ଷା ବୟସରେ ବଡ଼ ଥିଲା-। ରଞ୍ଜନ ତାଙ୍କୁ ଭୟ କରି କିଛି କହୁ ନ ଥିଲା । ଏପରି କି ତାଙ୍କ ସମ୍ମୁଖକୁ କେତେବେଳେ ଆସିବାକୁ ସେ ସଙ୍କୋଚ ପ୍ରକାଶ କରୁଥିଲା । ମାତ୍ର ଆଜି ଆଉ ସେ ସେପରି ନ ଥିଲା । ଦୁନିଆର ସମସ୍ତ ଭୟ, ଭ୍ରାନ୍ତି, ଯେପରି ତା ପାଖରୁ ଦୂରେଇ ଯାଇଥିଲା । ସେ ନିଶ୍ଚୟ ‘ନିଜ ଗାଁକୁ’ ଯିବ ଏହି ଚିନ୍ତା ବ୍ୟତୀତ ତା ମନରେ ଆଉ କିଛି ନ ଥିଲା । ତେଣୁ ଦୋଲନ ଭାଇ ତାଙ୍କ ଘରକୁ ଯିବାକୁ ଯେତେ ଡାକିଲେ ସେ ପରିଷ୍କାର ନ ଯିବାପାଇଁ ମନା କରିଦେଲା । ‘ଗାଁ’ରୁ ନ ଫେରିବା ପର୍ଯ୍ୟନ୍ତ ସେ ଜଳ ସ୍ପର୍ଶ ନ କରିବା ପାଇଁ ପ୍ରତିଜ୍ଞାବଦ୍ଧ । ଦୋଲନ ରଞ୍ଜନର ମାନସିକ ବ୍ୟଥା ଉପଲବ୍ଧି କରି କୌଣସି ପ୍ରକାରେ ଧରାଧରି କରି ତାଙ୍କ ଘରକୁ ନେଇଗଲା । ମାତ୍ର ରଞ୍ଜନ ଘରକୁ ଯିବାପାଇଁ ଯିଦ୍ ଧରିଲା । କିନ୍ତୁ ମାଉସୀ ହୃଦୟର ଦୁଃଖକୁ ହୃଦୟରେ ରଖି କହିଲେ—ବାପ ! ରାତିଟାରେ ଯାଇପାରିବୁନାହିଁ । ବନ୍ୟାପାଣି ଏବେ ମଧ୍ୟ ଛାଡ଼ିନାହିଁ । ରାସ୍ତାରେ ଘାଇ ହୋଇଯାଇଛି । ଭୋରରୁ ଦୋଲନ ଭାଇ ତୋତେ ସାଙ୍ଗରେ ନେଇ ଘରେ ଛାଡ଼ି ଆସିବ । ରଞ୍ଜନ ନିରୁପାୟ । ମୁଣ୍ଡ ତାର ଘୂରେଇଲା । ମାଉସୀ ଓ ଭାଇଙ୍କର ଅନୁରୋଧ ସତ୍ତ୍ୱେ ସେ ତାଙ୍କ ଘରୁ ଜଳ ସ୍ପର୍ଶ କଲା ନାହିଁ । ସମସ୍ତେ ଶୋଇଲେ । କିନ୍ତୁ ସେ ଶୋଇ ପାରିଲା ନାହିଁ । ଭଉଣୀର ଛବି ତାର ଆଖି ଆଗରେ ଭାସି ଉଠିଲା-। ମୁଣ୍ଡ ତାର ଘୂରାଉଥିଲା । ଆଉ କଣ ସତେ ତାର ଭଉଣୀ ହସ ହସ ମୁଖରେ ତା ପାଖକୁ ଛୁଟି ଆସିବ ? ବେଳେ ବେଳେ ସେ କଇଁ କଇଁ ହୋଇ କାନ୍ଦି ଉଠୁଥିଲା । ମାଉସୀ ବୁଝାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ କଥାଗୁଡ଼ାକ ସେ ପରିଷ୍କାର କହିପାରୁ ନ ଥିଲେ । ତାଙ୍କର କଣ୍ଠ ବେଦନାରେ ରୁଦ୍ଧ ହୋଇ ଯାଉଥିଲା । ସେ ରହି ରହି ବୁଝାଉଥିଲେ । ମାତ୍ର ରଞ୍ଜନ ତାହା ଶୁଣିପାରୁ ନଥିଲା । ତାର ଆଖି ଆଗରେ ଭାସି ଉଠୁଥିଲା–ଭଉଣୀର ହସ ହସ ମୁହଁଟି । ସକଳ ଆଖିରେ ସେ ଚାହିଁ ରହିଥିଲା ଅନ୍ଧକାର ମଧ୍ୟରେ । ସାନ ଭାଇକୁ କାଖେଇ ଭଉଣୀ ଯେପରି ତା ଆଗରେ ଛିଡ଼ା ହୋଇଛି ? ରଞ୍ଜନର ମନେ ହେଉଥିଲା—ନାଁ ସ୍ମିତାର କିଛି ହୋଇନାହିଁ, କିଛି ହୋଇନାହିଁ । ଭାବନା ବେଳେବେଳେ ଅଜାଣତରେ ବାହାରକୁ ପ୍ରକାଶ ପାଉଥିଲା । ସେ ଡାକ ଛାଡ଼ୁଥିଲା—ସ୍ମିତା ସ୍ମିତା । ମାଉସୀଙ୍କର ଛାଇନିଦ ପୁଣି ଭାଙ୍ଗି ଯାଉଥିଲା । ସେ ହାତ ବଢ଼େଇ ମୋ ବାବାଟା, ମୋ ଧନଟା କହି ରଞ୍ଜନର ପିଠି ସାଉଁଳେଇ ଦେଉଥିଲେ । ରଞ୍ଜନ ପ୍ରକୃତିସ୍ଥ ହେଉଥିଲା । ମାଉସୀ, ମାଉସୀ କହି ସେ କଇଁ କଇଁ ହୋଇ କାନ୍ଦି ଉଠୁଥିଲା ।

ଭୋର୍‍ହେଲା—କାଉ କା କା ରାବିଲେ । ରଞ୍ଜନ ବିଛଣାରୁ ଉଠି ପଡ଼ିଲା । ଦେହ ଥରୁଛି, ଆଖି ପଶି ଯାଇଛି, ଆଖିକୁ ଜାଲ ଜାଲିଆ ଦେଖାଯାଉଛି । ଲୁଙ୍ଗି ପିନ୍ଧି ସାର୍ଟଟା ଗଳେଇ ଦେଇ ଦୋଲନ ଭାଇ ସହିତ ସେ ଗାଆଁ ଆଡ଼େ ଛୁଟି ଚାଲିଲା । ଦେହ ଦୁର୍ବଳ ଲାଗୁ ନ ଥିଲାକି, ପାଦ ଅବଶ ହେଉ ନ ଥିଲା । ବାଟର ବାଟୋଇମାନଙ୍କୁ ସେ ଦେଖି ପାରୁ ନ ଥିଲା । ତଳକୁ ମୁହଁ ପୋତି, କେବେ ବା ଆଗକୁ ଚାହିଁ ଚାହିଁ ସେ ଆଗେଇ ଚାଲିଥିଲା । ରଞ୍ଜନ ଗାଆଁ ମୁଣ୍ଡରେ ପହଞ୍ଚିଲା । ରଞ୍ଜନକୁ ଦେଖି ଗାଆଁର କେତେଜଣ ମୁଖିଆ ଲୋକ ପହଞ୍ଚିଲେ । ରଞ୍ଜନ କାହାରିକୁ କିଛି କହିଲା ନାହିଁ, କାହାରିକୁ ମଧ୍ୟ ଚାହିଁ ପାରିଲା ନାହିଁ । ମାତ୍ର କେତେଲୋକ ତା ସଙ୍ଗେ ସଙ୍ଗେ ଚାଲୁ ଚାଲୁ ବୁଝେଇବାକୁ ଲାଗିଲେ—“ମଣିଷ ଜୀବନ ପାଣି ଫୋଟକା । କିଏ କେତେବେଳେ ଯିବ କହି ହେବନାହିଁ । ଦୁଃଖକରି କିଛି ଲାଭ ନାହିଁ । ଯେତେ କାନ୍ଦିଲେ, ବାଡ଼େଇ ହେଲେ—ଯେ ଯାଇଛି ସେ ଆଉ ଫେରିବ ନାହିଁ । ରଞ୍ଜନ ବିସ୍ମିତ ହେଲା । ସେ ଏ କଣ ଶୁଣୁଛି ? ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ । ତେବେ ଭଉଣୀ କଣ ତାର... । ନା ନା’ ଏହା କେବେ ସମ୍ଭବ ନୁହେଁ । ସେ ମୋତେ କେବେ ଛାଡ଼ି ଯାଇ ପାରେନା । ପାଦ ତାର ଦ୍ରୁତରୁ ଦ୍ରୁତତର ହେଲା । ସେ କେବଳ ଥରେ ତାର ଭଉଣୀକୁ ଦେଖିବ । ମୁହଁ ଲଗାଇ ଭଉଣୀ ଦେହରୁ ବିଷ ଟାଣିନେବ । ଯଦି ନ ହୁଏ, ତେବେ ଭାଇ ଭଉଣୀ ସାଙ୍ଗ ହୋଇଯିବେ । ସେ ଏକା କାହିଁକି ରହିବ ? ଘର ନିକଟରେ ପହଞ୍ଚିଲା ରଞ୍ଜନ-। ଛୁଆ ପିଲାଠାରୁ ଆରମ୍ଭ କରି ଗାଆଁର ସ୍ତ୍ରୀଲୋକମାନେ ତାଙ୍କ ଘରେ ରୁଣ୍ଡ ହୋଇଛନ୍ତି । କାହାରି ମୁହଁରୁ କଥା ବାହାରୁ ନାହିଁ । ସମସ୍ତେ ଉତ୍କଣ୍ଠିତ ଭାବରେ ତାକୁ ଚାହିଁ ରହିଛନ୍ତି । ସମସ୍ତଙ୍କ ଆଖିରେ ଲୁହର ଜୁଆର ଯେପରି କୂଳ ଭାଙ୍ଗି ଛୁଟି ଆସିବାକୁ ଢଳ ଢଳ ହେଉଛି । ରଂଜନର ଆଖି ଖୋଜିଲା-। ସମସ୍ତଙ୍କୁ ଥରେ ଚାହିଁଦେଲା । କିନ୍ତୁ ସେ ଭଉଣୀକୁ ଦେଖିଲା ନାହିଁ । ଘର ଭିତରକୁ ଚାଲିଯିବା ସମୟରେ ଦୁଇ ଜଣ ଲୋକ ତାର ହାତକୁ ଧରିଲେ । ତାଙ୍କ ଭିତରୁ ଜଣେ କହିଲା—ଦେଖ୍ ରଞ୍ଜୁ, ତୁ ଛୋଟ ପିଲା ନୋହୁ । ତୋର ଜ୍ଞାନ ଆସିଲାଣି, ତୁ ଉଚ୍ଚ ଶିକ୍ଷିତ, ଅଧୈର୍ଯ୍ୟ ହେବା ଉଚିତ ନୁହେ-। ତୋ ମାଆ ସେ ଘରେ ବେହୋସ ହୋଇପଡ଼ିଛି, ତୋ ବାପାଙ୍କୁ ଅନ୍ୟଆଡ଼େ ଲୋକ ବୁଝାଉଛନ୍ତି, ତାଙ୍କର ତାଳୁ ଫାଟି ରକ୍ତ ବହୁଛି । ତୋ ଉପରେ ଆମର କେବଳ ଭରସା ଅଛି । ତୁ ଯଦି ଅଧୈଯ୍ୟ ହେବୁ—କିଏ ତୁମକୁ ସାନ୍ତ୍ଵନା ଦେଇ ପାରିବ ? କାହାକୁ ଦେଖି ତୋର ବାପା ମାଆ ଦୁଃଖ ଭୁଲିବେ-?

ରଞ୍ଜନ କହିଲା—ସ୍ମିତା କାହିଁ ? ତାକୁ ଥରେ କେବଳ ମୁଁ ଦେଖିବି । ତମକୁ ଅନୁରୋଧ କରୁଛି, ମୋତେ କେବଳ ଥରେ ତାକୁ ଦେଖାଇଦିଅ । ଲୋକଟି କହିଲା—ତୁ ବ୍ୟସ୍ତ ହୁଅନା ରଞ୍ଜୁ ! ମାଆ ପାଖକୁ ଯାଆ । ତାଙ୍କୁ ତୁ ସାନ୍ତ୍ଵନା ଦେ । ସେ ତିନି ଦିନ ହେଲା ଜଳସ୍ପର୍ଶ କରି ନାହିଁ । ତାପରେ ତୁ ସ୍ମିତା କଥା ଶୁଣିବୁ । ଦୁଇ ଜଣ ଲୋକ ରଞ୍ଜନର ଦୁଇ ବାହାକୁ ଧରି ଘର ଭିତରକୁ ନେଇଗଲେ । ଗୋଟିଏ ଛିଣ୍ଡା ଅଖାରେ ବିପର୍ଯ୍ୟସ୍ତ ଭାବରେ ରଞ୍ଜନର ମାଆ ପଡ଼ିଥିଲେ । ଜଣେ କିଏ କହିଲା—ହେ ବିଶାଳ ଝିଅ ! ହେଇ ତୋ ପୁଅ ଆସିଲାଣି ପରା । ଉଠ୍ ମୁହଁ ହାତ ଧୋ ।

ଏଁ...କିଏ ମୋ ରଞ୍ଜୁ ଆସିଛି ? ଆଖି ଖୋଲିଲେ ସେ । ରଞ୍ଜନ ତାଙ୍କ ମୁଣ୍ଡ ପାଖରେ ବସିଲା । ମାଆ କଇଁ କଇଁ ହୋଇ ରଞ୍ଜନ କୋଳରେ ମୁଣ୍ଡ ରଖି କାନ୍ଦିଲେ । ତାପରେ ସେ କହିଲେ ମୋ—ବାୟାଣୀ ଆଉ ନାହିଁ ରେ...କିଏ ମୋତେ ଆଉ ବୋଉ ବୋଉ ଡାକିବ ରେ । ବୋଉ ଡାକ ଆଉ ଶୁଣିବି ନାହିଁ ରେ । ରଂଜନ ସ୍ତବ୍ଧ ହେଲା । ଆଖିରୁ ତାର ଲୁହ ଝରିଲା ନାହିଁ । ସେ କେବଳ ସମସ୍ତଙ୍କୁ ଚାହୁଁଥିଲା । ପଡ଼ିଶା ଘରର ସ୍ତ୍ରୀ ଲୋକଟିଏ ଆସି ତାର ମାଆଙ୍କୁ ତୁନି କଲା । ପିଲାଛୁଆମାନେ ନିଜ ନିଜ ଘରକୁ ଚାଲିଗଲେ । ମାଆ ଉଠି ମୁହଁହାତ ଧୋଇଲେ । ରଞ୍ଜନ ଘରୁ ଦାଣ୍ଡ ମେଲାକୁ ଉଠି ଆସିଲା । କାହାରିକୁ କିଛି କହିଲା ନାହିଁ । ନୀରବରେ କାନ୍ଥକୁ ଭରାଦେଇ ଆଖି ବୁଜି ବସି ରହିଲା । ପଡ଼ିଶା ଘରର ସ୍ତ୍ରୀଲୋକଟି ଆସି ପାଖରେ ବସିଲେ । ରଞ୍ଜନର ମୁହଁକୁ କାନିରେ ପୋଛି ଦେଉ ଦେଉ କହିଲେ—କିଏ ବାବା ଜାଣିଥିଲା ଏପରି ହେବ ? ଦୁର୍ଗା ପରି ଝିଅଟା ଝଳୁଥିଲା । କେତେ କଥା କହୁଥିଲା—ମୋ ଭାଇ ଆସିବ । ଆମେ ଏ ଛୁଟିରେ ଦିଅଁ ଦେଖିବାକୁ ଯିବୁ । ରଞ୍ଜନ କିଛି ଶୁଣି ପାରିଲା ନାହିଁ, ଆଖିରେ ଲୁହର ବନ୍ୟା କୂଳ ଭାଙ୍ଗି ବହିଯିବାକୁ ଲାଗିଲା । ସେ କିଛି କହି ପାରିଲା ନାହିଁ । ସ୍ତ୍ରୀଲୋକଟି କହିବାକୁ ଲାଗିଲା । ତିନି ଦିନ ତଳେ ରାତିରେ ଆମ ଘରଆଡ଼େ ସେ ବୁଲିବାକୁ ଯାଇଥିଲା । ସେଠାରୁ ଫେରି ଖାଇଦେଇ ଶୋଇଲା । ହଠାତ୍ ତୋ ବୋଉର କାନ୍ଦଣାରେ ଆମେମାନେ ଉଠି ଆସିଲୁ । ସ୍ମିତା ପଡ଼ିଥାଏ । ପାଟିରୁ ତାର ଗରଳ ବୋହି ଯାଉଥାଏ ।

ତୋ ମାଆ କହିଲେ ତାକୁ ଦନ୍ତଘାତ ହୋଇଛି । କେତେ ଗୁଣିଆ ଆସିଲେ ଝାଡ଼ିଲେ କିଛି ହେଲା ନାହିଁ । ସେ ଚୋରଣୀ, ସଇତାନୀ ଚାଲିଗଲା ବାପରେ ଚାଲିଗଲା । ତୋ ଲାଗି ତଥାପି ତାକୁ ଦିନଟିଏ ରଖିଥିଲୁ । ତୋ ବାପା କହିଲେ ରଞ୍ଜୁର ପରୀକ୍ଷା ଚାଲିଛି । ଏ ବେଳେ ତାକୁ ଜଣାଅ ନାହିଁ । ଶେଷରେ ତାକୁ ନେଇ ସମାଧି ଦେଲେ । ରଞ୍ଜନ ଶେଷବେଳକୁ ଧୈଯ୍ୟ ଧରି ପାରିଲା ନାହିଁ । ସେ ତଳେ ପଡ଼ିଗଲା । ତାର ଯେତେବେଳେ ଚେତନା ଫେରିଲା, ସେ ଦେଖିଲା ବାପା ତା ପାଖରେ ବସି ପଙ୍ଖା କରୁଛନ୍ତି । ଜୀର୍ଣ୍ଣ ଶୀର୍ଣ୍ଣ ଶରୀର, ଆଖି କ୍ରୋଟରଜଗତ । ଆହୁରି କେତେ ଆଖି ତାରି ଆଡ଼କୁ ଚାହିଁ ରହିଛି, ଘର ଭିତରୁ ମାଆଙ୍କର କାନ୍ଦଣା ଭାସି ଆସୁଛି । ଦୁଇ ଜଣ ସ୍ତ୍ରୀଲୋକ ତାକୁ ଧରି ବସାଇଲେ । ମୁହଁ ଧୋଇଦେଇ କାନିରେ ପୋଛଦେଲେ । ଜଣେ ସ୍ତ୍ରୀଲୋକ କହିଲା—ଆ’ ବାପ ! ତୁ କାଲିରୁ ଖାଇନାହୁଁ । ଜଳଖିଆ ଦି’ ଟା ଖାଇଦେବୁ । ରଞ୍ଜନ ମୁଣ୍ଡ ହଲାଇ ଖାଇବା ପାଇଁ ମନାକଲା । ସ୍ତ୍ରୀଲୋକଟି ଆହୁରି ଅନେକ ବୁଝାଇଲା । ସେ ନ ଖାଇଲେ ତାର ମାଆ ବାପା ଖାଇବେ ନାହିଁ ବୋଲି କହିଲା । ତୋ ମାଆଙ୍କ ପାଖରେ ଭାତଥାଳି ରଖାଯାଇଛି । ତୁ ଗଲେ ସାଙ୍ଗ ହୋଇ ଖାଇବ । ରଞ୍ଜନକୁ ଧରାଧରି କରି ମାଆ ପାଖକୁ ନେଲେ । ମାଆକୁ ମଧ୍ୟ ଉଠାଇ ବସାଇଲେ । କିନ୍ତୁ ରଞ୍ଜନ ଖାଇ ପାରିଲା ନାହିଁ । ଭାତଗୁଣ୍ଡା ପାଟିକୁ ନେବାବେଳେ ଭଉଣୀ କଥା ମନେ ପଡ଼ିଲା । ଲୁହରେ ଆଖି ଛଳ ଛଳ ହେଲା । କେଇଟୋପା ଲୁହ ଗଡ଼ି ଭାତ ଥାଳିରେ ପଡ଼ିଲା । ମାଆ ଧୀରେ ଧୀରେ ଖାଉଛନ୍ତି । କିନ୍ତୁ ରଞ୍ଜନକୁ ଭାତ ବିଷ ପରି ବୋଧ ହେଲା । ପାଟି ଭିତରକୁ ଗୁଣ୍ଡା ଯିବାକୁ ଅରାଜି ହେଲା, କଣ୍ଠ ବନ୍ଦ ହୋଇଗଲା । ସେ ଛାଟି ପିଟି ହୋଇ ଉଠି ଆସିଲା । ଦିନଟିଏ ବିତିଗଲା । ତହିଁ ପରଦିନ ଉପରଓଳି ହେଲା । ତଥାପି ଏପର୍ଯ୍ୟନ୍ତ ରଞ୍ଜନ ଖାଇପାରି ନାହିଁ । ସମସ୍ତଙ୍କ ବାଧ୍ୟବାଧକତାରେ ଗୁଣ୍ଡାଏ ଦୁଇଗୁଣ୍ଡା ଯୋର କରି ଢୋକିଛି । ବେଳଓଲି ଛୋଟପିଲାଙ୍କୁ ପଚାରି ସେ ତାର ଭଉଣୀର ସମାଧି ପାଖକୁ ଏକୁଟିଆ ଗଲା । ବିଲ ମଝିରେ ଚାରିପାଖ ଘଞ୍ଚ କଞ୍ଚାବୁଦା ଭିତରେ ମାଟିର ସମାଧିଟିଏ । କୌଣସି ଏକ ନିର୍ଜୀବ ସାଧକର ମୁଣ୍ଡ ପରି ଉପରିଭାଗ ଦେଖାଯାଉଛି । ସମାଧି ଉପରେ ଲାଲ ଗୋଲାପଟି ଏବେ ବି ସତେଜ ଦେଖାଯାଉଛି । ରଞ୍ଜନ ଘଡ଼ିଏ କାଳ ନୀରବରେ ସେଠାରେ ବସି ରହିଲା । ଆଖିରୁ ତାର ଲୁହଧାର ଛୁଟିଲା । ସେ ଗୁଣୁଗୁଣୁ ହୋଇ କହିବାରେ ଲାଗିଲା—ଭଉଣୀ, ଶେଷରେ ଆସି ଏଇଠି ରହିଲୁ । ମୋତେ ଥରେ ଦେଖା ଦେଲୁ ନାହିଁ । ସତରେ ତୁ କଣ ଚାଲିଗଲୁ ? ଦେଖ, ତୋ ପାଇଁ ମୁଁ ମୁଦି ଆଣିଛି । ତୁ ପିନ୍ଧିବୁ ବୋଲି ଅଳି କରିଥିଲୁ । ଆ, ତୋତେ ପିନ୍ଧେଇଦେବି । ଛିଃ ସୁନା ଭଉଣୀଟା ପରା, ମୋ ପାଖରେ ଅଭିମାନ କରୁଛୁ ! ଆଉ ଏଣିକି ତୋ ପାଖରୁ ମୁଁ ଛାଡ଼ି ଯିବି ନାହିଁ । ତୋତେ ସଙ୍ଗରେ ନେଇଯିବି । ହଠାତ୍ ଖସ୍ ଖସ୍ ଶବ୍ଦରେ ରଞ୍ଜନ ପ୍ରକୃତିସ୍ଥ ହୋଇ ଡାହାଣ ପାଖକୁ ଚାହିଁଦେଲା । ଅଦୂରରେ ଶୃଗାଳଟିଏ କରୁଣ ଆଖିରେ ପଛକୁ ମୁହଁକରି ଅପଲକ ନୟନରେ ତା ଆଡ଼କୁ ଚାହିଁ ରହିଛି । ରଞ୍ଜନର ମୁଣ୍ଡ ଗୋଳମାଳ ହୋଇଗଲା । ଦେଖିଲା ସନ୍ଧ୍ୟା ହେଲାଣି । ସେ ନୀରବରେ ଘରକୁ ଫେରିଆସିଲା ।

ଏହା ମଧ୍ୟରେ ଦଶ ଦିନ ବିତି ଗଲାଣି । ସ୍ମିତାର ଶୁଦ୍ଧିକ୍ରିୟା ସରିଯାଇଛି । ରଞ୍ଜନ ଆଉ ସମାଧି ନିକଟକୁ ଯାଏ ନାହିଁ । ସେ ଏକୁଟିଆ ବସେ । ବେଳେ ବେଳେ ଅନେକ କିଛି ଭାବେ । ଖରା ନରମିଗଲେ ସେ ଗାଆଁ ମୁଣ୍ଡ ପୋଖରୀ କୂଳକୁ ଯାଏ । ପୋଖରୀ ଚାରିପାଖ ହୁଡ଼ା ଉପରେ ନଡ଼ିଆ ଗଛ । ପୋଖରୀ ମଝିରେ ନୀଳ, ଲାଲ କଇଁ କେତେଟା କେବଳ ଢଳ ଢଳ ହୋଇ ନାଚୁଥାଆନ୍ତି । ନିର୍ଜନ ପରିବେଶ । ଗାଆଁର ମାଇପେ ସକାଳେ ସନ୍ଧ୍ୟାବେଳେ କେତେବେଳେ କେମିତି ପାଣି କଳସୀଏ ପାଇଁ ସେଠାକୁ ଯାଆନ୍ତି । ଦୁଇପାଖ ଘଞ୍ଚ କିଆବଣ ହେତୁ ଏକା ଏକା ଯିବାକୁ ମଧ୍ୟ ଭୟ ଲାଗେ । ରଞ୍ଜନ ଚାରିଟା ବାଜିଲେ ସେଠାକୁ ଚାଲିଯାଏ । ନଡ଼ିଆ ଗଛମୂଳେ ଏକୁଟିଆ ବସି କେତେ ଜଣ ଚିନ୍ତା କରେ । ମନକୁ ମନ ଗୁଣୁଗୁଣୁ ହୋଇ କନ୍ଦେ । ବେଳେବେଳେ ଉପରକୁ ଚାହିଁ ଦୀର୍ଘ ନିଶ୍ଵାସ ଛାଡ଼େ । ସ୍ମିତା ମାରିବାକୁ ଆଜକୁ ବର ଦିନ ହେଲାଣି । ରଞ୍ଜନ ପୂର୍ବପରି ଗୋଧୂଳି ବେଳରେ ନଡ଼ିଆ ଗଛମୂଳେ ଏକାକୀ ବସିଛି । ଆଖିରୁ ଲୁହଧାର ଗଡ଼ି ଗଣ୍ଡଦେଶରେ ଶୁଖିଯାଇଛି । ସେ କେବଳ ଅପଲକ ନୟନରେ ଚାହିଁ ରହିଛି ଦୂରକୁ । କିଛି ସମୟ ପରେ କାହାର ପଦଶବ୍ଦରେ ତାର ଚିନ୍ତାଧାରା ଛିନ୍ମ ହେଲା । ସେ ଦେଖିଲା ଲାଲ ଶାଢ଼ୀ ପରିହିତା ବିନୀତା କରୁଣ ନୟନରେ ତା ପାଖରେ ଛିଡ଼ା ହୋଇଛି । ରଞ୍ଜନ କିଛି କହି ପାରିଲା ନାହିଁ । ତଳକୁ ମୁହଁ ପୋତିଲା । ବିନୀତା ଧୀରେ ରଞ୍ଜୁଭାଇ ଡାକିଦେଇ ପଣତକାନିଦ୍ଵାରା ଆଖି ବନ୍ଦ କଲା ତାପରେ ଚିଠିଟି ରଞ୍ଜୁ ତାହାକୁ ବଢ଼ାଇଦେଲା । କିଛି ବୁଝିପାରିଲା ନାହିଁ ରଞ୍ଜନ । ଛାତି ତାରି ଥରି ଉଠିଲା । ସେ ଥରିଲା ହାତରେ ଚିଠି ନେଇ ପଢ଼ିଲା—

ପୂଜ୍ୟଭାଇ,

ଦୁଃଖିନୀର ସୁଦୂରରୁ ଟିକି ନମସ୍କାର ନେବ । ଅନେକ ଥର ତୁମ ପାଖକୁ ଚିଠି ଦେବି ବୋଲି ଇଚ୍ଛାକରି ଲେଖିଛି । ମାତ୍ର ତୁମର ଅସହାୟ କଥା ଚିନ୍ତାକରି ତାପରେ ଚିରି ଦେଇଛି । ଆଉ ସହି ପାରୁନି ଭାଇ, ମାଆକୁ ହରାଇ ଆମେ ମାଆ ପାଇଥିଲେ । ଭାବିଥିଲି ଜୀବନରେ ଆମେ ମାଆର ବିଚ୍ଛେଦ ଯନ୍ତ୍ରଣା ପାଇବା ନାହିଁ । କିନ୍ତୁ ସେ ଆଶା ଆଶାରେ ହିଁ ରହିଗଲା । ଜୀବନ ଆଜି ତିକ୍ତ ଲାଗୁଛି । ବଞ୍ଚିରହିବା ମୃତ୍ୟୁଠାରୁ ବଳି ଭୟଙ୍କର ମନେ ହେଉଛି । କେବଳ ତୁମରି କଥା ଭାବି ମୁଁ ହସି ହସି ସହିବାକୁ ଚେଷ୍ଟା କରୁଛି । କିନ୍ତୁ କେତେ ସହିବି ? ମଣିଷ ହୃଦୟ ଧରି କେତେଦିନ ଆଉ ଏ ଦୁଃଖର ଭାର ବହନ କରିବି । ଜୀବନରେ କଣ ସେହି ସୁଦିନ ଆସିବ ନାହିଁ । ମଣିଷ ଇର୍ଷା, କପଟ ଭୁଲି ହୃଦୟକୁ ଚିହ୍ନିବ ନାହିଁ ? ଯନ୍ତ୍ରଣା ଜର୍ଜରିତ ହୃଦୟରେ ସ୍ନେହର ବାଣୀ ଶୁଣାଇ ଅମୃତର ଚନ୍ଦନ ଲେପନ କରିବ ନାହିଁ ? ? ସମସ୍ତ ସେହି ପରମେଶ୍ଵର ଜାଣନ୍ତି । ଆଶାକରେ ଭଲରେ ଥିବେ । କେବେ ପରୀକ୍ଷା ସରିବ ? ଶୀଘ୍ର ଆସିବ ।

(ଇତି)

ତୁମର ଆଦରର କୁନି ଭଉଣୀ ସ୍ମିତା ।

ରଞ୍ଜନ ଚିଠିର ଶେଷଆଡ଼କୁ ପଢ଼ିପାରିଲା ନାହିଁ । ଆଖିର ଲୁହରେ ଅକ୍ଷରଗୁଡ଼ିକ ଅସ୍ପଷ୍ଟ ହୋଇଉଠିଲା । ବକ୍ଷ ଥରାଇ ନିଶ୍ୱାସ ବାହାରି ଆସିଲା । ସେ ଚିଠିର ତାରିଖରୁ ବୁଝିଲା—ସ୍ମିତା ମରିବାର ପାଞ୍ଚ ଦିନ ପୂର୍ବରୁ ତାହା ଲେଖା ହୋଇଥିଲା । ପୂର୍ବରୁ ସେ ଜାଣିଥିଲା ଯେ ସ୍ମିତା ଏବଂ ବିନୀତା ଘନିଷ୍ଠ ବନ୍ଧୁ । ତେଣୁ ପରସ୍ପର ପରସ୍ପର ନିକଟରେ ହୃଦୟ ଖୋଲିବାରେ ସଂକୋଚ ପ୍ରକାଶ କରୁ ନ ଥିଲେ । ରଞ୍ଜନ କହିଲା—ବିନୀ ! ଏ ଚିଠି ମୋ ପାଖକୁ ପଠାଇଲା ନାହିଁ କାହିଁକି ?

ବିନୀ କହିଲା—ଭାଇ ସ୍ମିତା ଚିଠି ଲେଖିସାରି ମୋତେ ପଠାଇ ଦେବାକୁ କହିଥିଲା । ତାପରେ ପୁଣି ସେ ମନା କଲା । କହିଲା, ଭାଇର ତ ପରୀକ୍ଷା ସରି ଆସିଲାଣି, ସେ ଆସିବେ । ତାଙ୍କ ମନରେ ଏତେବେଳେ କଷ୍ଟ ଦେବା ଉଚିତ ନୁହେଁ । ତେଣୁ ସେ ଏହାକୁ ଚିରି ଦେବାକୁ ବସିଥିଲା । କିନ୍ତୁ କାହିଁକି କେଜାଣି ତା ଲେଖା ମୋ ପାଖରେ ରଖିବା ପାଇଁ ଇଚ୍ଛା ହେଲା । ତେଣୁ ମୁଁ ରଖି ଦେଇଥିଲି ।

 

ରଞ୍ଜନ କହିଲା—ବିନୀ, ଏ ପର୍ଯ୍ୟନ୍ତ କାହିଁକି ମୁଁ ନିଜକୁ ବିଶ୍ଵାସ କରିପାରୁନି ଯେ ସ୍ମିତା ନାହିଁ ବୋଲି । ମୋର ସବୁବେଳେ ମନେ ହେଉଛି, ସେ ଯେପରି କେଉଁଠି ଅଛି । ଦୁଃଖିନୀ ଭଉଣୀ ମୋର କାହାରି ତ କିଛି କ୍ଷତି କରି ନାହିଁ । ଭଗବାନ କାହିଁକି ତା ପ୍ରତି ନିଷ୍ଠୁର ହେବେ ? କାହିଁକି ଏପରି ଅକାଳରେ ତାକୁ ସର୍ପ ଦଂଶନ କରିବ ? ନା ନା, ମୁଁ ଏହା ବିଶ୍ୱାସ କରି ପାରୁନି । ମୋର ଦେଖିବାକୁ ତାକୁ ସବୁବେଳେ ଇଚ୍ଛା ହେଉଛି । ସତେ କଣ ମୁଁ ତାକୁ ହରାଇ ଦେଲି ? ଆଉ ଦେଖି ପାରିବି ନାହିଁ ?

 

ବିନୀ କହିଲା—ଭାଇ, ମୁଁ ଆଜି ତୁମକୁ ସମସ୍ତ କଥା କହିବି । ତୁମେ ଅଧୈର୍ଯ୍ୟ ହୁଅ ନାହିଁ । ଯେତେ ଭାବିଲେ ସ୍ମିତାକୁ ଆଉ ଫେରି ପାଇବା ନାହିଁ । ଦେଖିଲା ଆଠଟା ଦିନରେ ତୁମେ କଣ ହୋଇଗଲଣି ! କେତେ ଝଡ଼ିଗଲଣି ! ସମସ୍ତ ଧୈର୍ଯ୍ୟଧରି ସହିନିଅ । ନ ହେଲେ ଦୁନିଆରେ ମଣିଷ କିପରି ହେବ ?

 

ରଞ୍ଜନ ନିଜକୁ ବିଶ୍ୱାସ କରିପାରୁ ନ ଥିଲା । ସେ ନିଜକୁ ଭୁଲି ଯାଉଥିଲା । ମନେ ହେଉଥିଲା—ସ୍ମିତା ଯେପରି ତା ପାଖରେ ଛିଡ଼ାହୋଇ ପୂର୍ବପରି ତାକୁ ଉପଦେଶ ଦେଉଛି, ଦୁନିଆରେ ମଣିଷ ପରି ହେବାପାଇଁ ଅନୁରୋଧ କରୁଛି । ଦୁନିଆ ପ୍ରତି ଯେତିକି ତାର ଅବିଶ୍ୱାସ ଆସିଥିଲା ସେଥିରେ ବ୍ୟାଘାତ ସୃଷ୍ଟି ହେଲା । ତାର ମନେହେଲା—ନିଶ୍ଚୟ ମଣିଷ ପାଇଁ ମଣିଷ ଭାବେ । ସେ ତାକୁ ଜାଣିଥାଉ ଅଥବା ନ ଜାଣିଥାଉ, ସେ ତାକୁ ଚିହ୍ନି ଥାଉ ଅଥବା ନ ଚିହ୍ନି ଥାଉ, ସେ ତା ପାଖରୁ କିଛି ପାଉ ଅଥବା ନ ପାଉ । ତଥାପି ଅନ୍ତର ଅନ୍ତର ପାଇଁ କାନ୍ଦେ, କିଛି କାରଣ ନ ଥାଇବି ଅନେକ କିଛି କାରଣର ଉଦିତ ହୁଏ । ତାପରେ ସେ ଯେତେବେଳେ ସଚେତନ ହେଉଥିଲା ସମସ୍ତ କିଛି ଭୁଲି ଯାଉଥିଲା, ସମସ୍ତ ବିଷ ପରି ମନେ ହେଉଥିଲା, ସ୍ମିତାକୁ ଅନ୍ତରରେ ଖୋଜୁଥିଲା-

 

ବିନୀତା କହୁଥିଲା—ରଞ୍ଜୁ ଭାଇ, ମୋର କାହିଁକି ମନେ ହେଉଛି ସ୍ମିତାକୁ ମାରି ଦିଆଯାଇଛି ।

 

ବିନୀତା କଥାରେ ରଞ୍ଜନ ନିଜକୁ ବିଶ୍ୱାସ କରିପାରିଲା ନାହିଁ । ସେ ଯେପରି ସ୍ତବ୍ଧ ହୋଇଗଲା । ସ୍ମିତାର ମୃତ୍ୟୁ କଥା ଭୁଲିଗଲା । କାରଣ ଜାଣିବା ପାଇଁ ଉଦ୍‍ବିଗ୍ନ ହୋଇଉଠିଲା । ନିଜର ଅଜାଣତରେ ପାଟିରୁ ବାହାରିଗଲା ମାରି ଦିଆ......ଯା.....ଇଛି.........

 

ହଁ ଭାଇ, ତୁମେ ତ ଆଉ ପୂଜା ପରେ ଆସିଲ ନାହିଁ । ହଷ୍ଟେଲରେ ରହିଲ ଯେ, ସିଆଡ଼େ ରହିଲ । ତୁମେ ଦେଖିଥିଲେ ଜାଣିଥାନ୍ତ, ସ୍ମିତା କିପରି ସମୟ କଟାଉଥିଲା । କେତେ ଅସହାୟ ଭାବରେ ସେ କେବଳ ତୁମ ପାଇଁ ବଞ୍ଚି ରହିଥିଲା ।

 

ରଞ୍ଜନର ଆଖି କ୍ରୋଧରେ ଲାଲ୍ ହୋଇଗଲା । ହାତ ମୁଠା ମୁଠା ହେଲା । ସେ କହିଲା–କଣ ହୋଇଛି କହି ବିନୀ—ମୁଁ ଏହାର ପ୍ରତିଶୋଧ ନେବି, ଘରେ ନିଆଁ ଲଗାଇଦେବି, ପୋଡ଼ି ଜାଳି ସମସ୍ତ ଧ୍ୱଂସ କରିଦେବି । ସ୍ମିତା ଯାଇଛି, ମୁଁ ବି ଯିବି । ମୁଁ କାହାରିକୁ କ୍ଷମା ଦେଇ ପାରିବିନି । କଇଁ କଇଁ ହୋଇ କାନ୍ଦି ଉଠିଲା ରଞ୍ଜନ ।

 

ବିନୀତା କହିଲା—ମୁଁ ଜାଣେ ତୁମେ ରାଗିବ, ସେଥିପାଇଁ କିଛି କହୁ ନ ଥିଲି । ଭାଇ, ମୋର ଅନୁରୋଧ, ରାଗିଲେ କି ପ୍ରତିଶୋଧ ନେଲେ ତୁମେ କଣ ଶାନ୍ତି ପାଇ ପାରିବ ? ସ୍ମିତାଙ୍କୁ କଣ ଫେରି ପାଇବ ? କେବଳ ଚିନ୍ତା କରି କରି ନିଜକୁ କଷ୍ଟ ଦେବ । ତାପରେ ଅନୁତାପ କରିବ । ଭାଇ, ତୁମେ ଆଗେ ପ୍ରତିଜ୍ଞା କର, କାହାରିକୁ କିଛି କହିବ ନାହିଁ, ନିଜ ପଥରେ ଆଗେଇଯିବ । ସେଇଥିରେ ସ୍ମିତାର ଆତ୍ମା ଶାନ୍ତି ପାଇବ । ସ୍ମିତା ତୁମ ଅନ୍ତରରେ ଜୀଇ ରହିବ ।

 

ରଞ୍ଜନ କହିଲା—ତୁ ଠିକ୍ କହିଛୁରେ ଭଉଣୀ, ତୁ ଠିକ୍ କହିଛୁ । କିନ୍ତୁ ରକ୍ତ ମାଂସ ଦେହଧରି ସହିହେଉ ନାହିଁ ରେ । ମୁଁ ଜାଣେ, ସ୍ମିତାକୁ ଆଉ ଫେରି ପାଇବ ନାହିଁ । ମୋ ଆଖିରୁ ଲୁହ ପୋଛି ଦେବାପାଇଁ ସେ ଆଉ ଧାଇଁ ଆସିବ ନାହିଁ । କିନ୍ତୁ କହି ପାରିବୁ ଭଉଣୀ ସ୍ମିତା କାହାର କଣ କରିଥିଲା ? ଏପରି ସରଳା ଝିଅପ୍ରତି କେହି ଯେ ଈର୍ଷା କରିପାରେ ମୁଁ ବିଶ୍ଵାସ କରି ପାରୁନି ? କାହିଁକି ମାଆ ତା ପ୍ରତି ବିରକ୍ତ ହୁଅନ୍ତି । ମୁଁ ମଧ୍ୟ ଅନେକଥର ଗୋପନରେ ଥାଇ ଏସବୁ ବିଷୟରେ କିଛି କିଛି ଶୁଣିଛି, ଉତ୍ତ୍ୟକ୍ତ ହୋଇଛି, ଏହାର ସମାଧାନ ଚାହିଁଛି । କିନ୍ତୁ ସ୍ମିତାର ଉପଦେଶରେ ନିଜକୁ ଦୁର୍ବଳ ମଣିଛି, ସବୁ କିଛି ଗୋଳମାଳ ହୋଇଯାଇଛି ।

 

ଭାଇ, ନାରୀର ସହଜାତ ଗୁଣ ହିଁ ଈର୍ଷା । ନାରୀ ଯେତେବେଳେ ସମବୟସୀ ନାରୀର ସୌନ୍ଦର୍ଯ୍ୟ ଦେଖେ, ନିଜକୁ ହୀନ ମଣେ । ସେତେବେଳେ ମାଆ, ଭଉଣୀ, କନ୍ୟା ଏସବୁର ସଂପର୍କ ବିଚାର କରେ ନାହିଁ । ଦୈହିକ ମିଳନ ନିକଟରେ ସେ ସବୁକିଛି ତୁଚ୍ଛ ମନେକରେ । ଏପରି କି ପୁତ୍ରକନ୍ୟା ବେକରେ ଛୁରୀ ଚଳେଇବାକୁ ସେ ପାଶ୍ଚତ୍‍ପଦ ହୁଏ ନାହିଁ । ମାତ୍ର ଯେଉଁମାନେ ଉଚ୍ଚଶିକ୍ଷାସମ୍ପନ୍ନ, ଯେଉଁମାନେ ଜୀବନ ବିଷୟରେ ବିଶ୍ଳେଷଣ କରନ୍ତି, ସମାଜ ବିଷୟରେ ଚିନ୍ତା କରନ୍ତି, ସେମାନେ କେତେକାଂଶରେ ଏପରି ଦୁର୍ବୁଦ୍ଧିରୁ ନିଜକୁ ରକ୍ଷା କରି ପାରିଥାନ୍ତି । ମାତ୍ର ଯେଉଁମାନେ ପ୍ରେମ ବିଷୟରେ ଅନଭିଜ୍ଞ, ସ୍ଥୂଳ ଶରୀରରେ ଦୁନିଆର ସୌନ୍ଦର୍ଯ୍ୟକୁ ମାପି ବସନ୍ତି, ସେମାନେ କଣ ଜୀବନ ବିଷୟରେ ଜାଣନ୍ତି ?

 

ବିନୀତା କଥାରେ ରଞ୍ଜନ ଆଶ୍ଚର୍ଯ୍ୟ ହେଲା । ସେ କେବଳ ଜାଣିଥିଲା ତା ମା’ ଅଶିକ୍ଷିତା, ମଫସଲୀ ହୋଇଥିବାରୁ ହୁଏତ ସେ ତାର ସହଜାତ ଗୁଣ ଯୋଗୁ ସ୍ମିତା ଉପରେ ଏପରି ବିରକ୍ତ ହୁଏ । କିନ୍ତୁ ବିନୀତାଠାରୁ ଏସବୁ ତତ୍ତ୍ୱ କଥା ଶୁଣି ସେ ଆହୁରି ଆଶ୍ଚର୍ଯ୍ୟ ହୋଇ କହିଲା—ଏସବୁ ତୁ କଣ କହୁଛୁ ବିନୀ, ମୁଁ କିଛି ବୁଝି ପାରୁ ନାହିଁ ।

 

Unknown

ବିନୀତା କହି—ଲାହଁ ଭାଇ, ସମସ୍ତ ବିଷୟ ମୋତେ ସ୍ମିତା କହିଛି । କିନ୍ତୁ ମୁଁ ଜାଣିପାରି ନ ଥିଲି ଯେ ଏତେଶୀଘ୍ର ଏପରି କାଣ୍ଡ ହୋଇଯିବ ବୋଲି । ନ ହେଲେ ତାର ଏପରି ଦୁର୍ଦ୍ଦଶା ହୋଇ ନ ଥାନ୍ତା । ଶୁଣ ଭାଇ, ଆଜିଠାରୁ ତୁମେ ସତର୍କ ରୁହ, ନିଜ କର୍ତ୍ତବ୍ୟରେ ଆଗେଇ ଯାଅ । ବାପାଙ୍କ ଉପରେ ଭରସା ରଖ ନାହିଁ । ସେ ଆଜି ତାଙ୍କ ଆୟତ୍ତରେ ନାହାନ୍ତି । ତୁମ ବାପା ମାଆଙ୍କଦ୍ୱାରା କବଳିତ ହୋଇଛନ୍ତି । ନହେଲେ ବଂଶର ପ୍ରଦୀପ ଥାଉଁ ଥାଉଁ ସେ ଦ୍ଵିତୀୟା ସ୍ତ୍ରୀଙ୍କ ନାମରେ ଜମିବାଡ଼ି କରି ନ ଥାନ୍ତେ ।

 

ରଞ୍ଜନ ବିସ୍ମିତ ହେଲା । ସେ ଆଶ୍ଚର୍ଯ୍ୟ ହୋଇ କହିଲା—ବିନୀ.... ? ହଁ ଭାଇ, ସ୍ମିତା କହୁଥିଲା ଯେ ତୁମ ବୋଉ କେଉଁ ଗୁଣିଆ ସହିତ ପରାମର୍ଶ କରି ତୁମ ବାପାଙ୍କୁ ଔଷଧ କରିଛି, ଯାହା ଫଳରେ ସେ ଯାହା କହୁଛନ୍ତି ତୁମ ବାପା ସେଥିରେ ପରିଚାଳିତ ହେଉଛନ୍ତି । ତୁମ ବାପାଙ୍କର ଜମି ସମୁଦାୟ ଦଶ ଏକର ଥିଲା । ଏବେ ସେ ଆଉ ଦଶ ଏକର ତୁମ ବୋଉଙ୍କ ନାଁରେ କିଣିଛନ୍ତି । ସ୍ମିତା ଏକଥା ଶୁଣି କହିଲା—ବାପା, ଭାଇ କଣ ତୁମ ପୁଅ ନୁହେଁ ? ତୁମେ କାହିଁକି ଏପରି ପକ୍ଷପାତ ନୀତି ଧରିଲ ? ତୁମ ବାପା କିଛି ଉତ୍ତର ଦେଇ ପାରିଲେ ନାହିଁ ସ୍ମିତା କଥାରେ । କିନ୍ତୁ ତୁମ ବୋଉ କୋଉଠି ଥିଲା କେଜାଣି ରାଗରେ ଜଳିଯାଇ ଝାଡ଼ୁ ଧରି ଆସି ପିଟି ଦେଇଗଲା । କହିଲା ହଇଲୋ, ତୁ କଣ ତୋ ଗେରସ୍ତ ଘରକୁ ଜମି ନେବୁ ? ଏଠି ଭାଇ ଭାଗ ଖୋଜି ବସୁଛୁ ? ତୋତେ ଶୁଖେଇ ଶୁଖେଇ ଯଦି କଣ୍ଟା ନ କରିଛି, ମୁଁ ବିଶାଳ ଘର ଝିଅ ନୁହେଁ । ଛାଞ୍ଚୁଣୀ ପ୍ରହାରରେ ସ୍ମିତାର ପିଠି ଫାଟିଯାଇ ରକ୍ତ ବୋହିଲା । ତଥାପି ତୁମ ବାପାଙ୍କର ପାଷାଣ ହୃଦୟ ତରଳିଲା ନାହିଁ ।

 

ବିନୀ, ବନ୍ଦ୍ କର । ମୁଁ ଆଉ କିଛି ଶୁଣି ପାରିବି ନାହିଁ । ମଣିଷ ପୁଣି ମଣିଷ ଉପରେ ଏପରି ଅତ୍ୟାଚାର କରିପାରେ ? ଗାଆଁର ଲୋକ ପରା ସରଳ ! ସେମାନେ ଛନ୍ଦ କପଟ କିଛି ଜାଣନ୍ତି ନାହିଁ ?

 

ତା ନୁହେଁ ଭାଇ, ତା ନୁହେଁ । ସବୁ ମଣିଷର ହୃଦୟରେ ଯେପରି ସରଳତା ଅଛି, ସେପରି ହଳାହଳ ମଧ୍ୟ ପୂର୍ଣ୍ଣ ହୋଇ ରହିଛି । ଟିକିଏ ସୁବିଧା ସୁଯୋଗ ପାଇଲେ ସେହି ହଳାହଳ ଭୟଙ୍କର ରୂପ ଧାରଣ କରେ । ତୁମେ ତ ଗାଆଁରେ ରହିଲ ନାହିଁ, ଲୋକଙ୍କ ସଙ୍ଗରେ ମିଶିଲ ନାହିଁ-। ଲୋକଚରିତ୍ର ବୁଝିବ କିପରି ? ଲୋକଚରିତ୍ର ବୁଝିବା ପାଇଁ ପୁସ୍ତକ ଅଧ୍ୟୟନ ଯଥେଷ୍ଟ ନୁହେଁ ଭାଇ, ଲୋକଙ୍କ ସହିତ ମିଶିଲେ ଯାଇ ସେମାନଙ୍କ ଚରିତ୍ର ବିଶ୍ଳେଷଣ କରିପାରିବ । ସେ ସହର ହେଉ କି ପଲ୍ଲୀ ହେଉ, ସେ ଗାଆଁ ହେଉ କି ବଜାର ହେଉ, ଅତି ସରଳତା ହିଁ ମୂର୍ଖତାର ପରିଚାୟକ । ସରଳତାରେ ପଶୁ ଭୁଲେ, ପକ୍ଷୀ ଭୁଲେ; କିନ୍ତୁ ମଣିଷ ଭୁଲେ ନାହିଁ । ସରଳତାର ସୁଯୋଗ ନେଇ ସେ ଗରଳ ଢାଳିବାକୁ ପଶ୍ଚାତ୍‍ପଦ ହୁଏ ନାହିଁ ।

 

ଏ ଘଟଣାର ମାତ୍ର ଦୁଇ ଦିନ ପରେ ଦାଣ୍ଡଘରେ ଶୋଇଥାଏ ସ୍ମିତା । ତୁମ ବାପା କୌଣସି କାମରେ ବାହାରକୁ ଯାଇଥିଲେ । ସେଦିନ ସେ ଫେରି ପାରିବେନାହିଁ ବୋଲି କହି ଯାଇଥିଲେ । ଅମାବାସ୍ୟା ରାତି, ମୁହଁକୁ ମୁହଁ ଦିଶୁ ନାହିଁ । ପୂର୍ବରୁ ବର୍ଷା ହୋଇ ଯାଇଥିବାରୁ ହିମପବନ ବହି ଯାଉଥିଲା । ତୁମର ମାଆ ତାଙ୍କ ଘରେ ପୁଅକୁ ନେଇ ଶୋଇଥିଲେ । ସ୍ମିତା ଦ୍ୱି ପ୍ରହରେ ଯାହା ଦି’ଟା ଖାଇଥିଲା, ଭୋକରେ ପେଟ ଜଳୁଛି । ମାଆଙ୍କୁ ଡାକିଲେ ସେ ବିରକ୍ତ ହେବେ, ତେଣୁ କଣ କରିବ, ପାଖରେ ଡିଆସିଲି ନାହିଁ କି ଡିବିରି ମଧ୍ୟ ନାହିଁ । ରାତିରେ ମାଆ ହୁଏତ ରୋଷାଇ କରି ଡାକି ପାରନ୍ତି । କିନ୍ତୁ ଭୋକରେ ରହି ହେଉ ନାହିଁ । ପେଟ ଖାଁ ଖାଁ ହେଉଛି । ସ୍ମିତା କାନ୍ଦି କାନ୍ଦି ଦାଣ୍ଡଘରେ ଭାବୁ ଭାବୁ କେତେବେଳେ ଶୋଇ ଯାଇଛି । କବାଟ ଦେବାକୁ ଭୁଲି ଯାଇଛି । ହଠାତ୍ କାହା ସ୍ପର୍ଶରେ ତାର ନିଦ ଭାଙ୍ଗିଗଲା । ଦେହରେ ତାର ଶାଢ଼ୀ ନ ଥିଲା । ସେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇଥିବା ପରି ମନେ ହେଲା । କାହାର ଘନ ଘନ ନିଶ୍ଵାସ ତାର ମୁହଁରେ ବାଜୁଥିଲା ଏବଂ ଓଠଟି ତାର ଓଠ ପାଖରେ ଲାଗି ଯାଇଥିଲା । ହଠାତ୍ ସ୍ମିତା ଛାଟି ଦେଇ ଭୟରେ କିଏ ବୋଲି କହିଲା । ସ୍ମିତାର ଚିତ୍କାରରେ ଅନ୍ଧାରରେ ତରବରରେ ଲୋକଟି ମିଳାଇଗଲା । ତାର ମାଆ କବାଟଖୋଲି ପଦାକୁ ଆସି କହିଲେ—ଆଲୋ ସବାଖାଇ, ରାତିଟାରେ ଏପରି ଚିଲଉଛୁ କାହିଁକି ? ଲୋକଙ୍କୁ ଶୋଇଦେବୁ ନାହିଁ କିଲୋ ? ସ୍ମିତାର ଦେହ ଥରୁଥିଲା, ସେ କଣ କହିବବୋଲି ଭାବୁଥିବା ସମୟରେ ମାଆ ହଠାତ୍ ଘରଭିତରକୁ ପଶିଯାଇ କବାଟବନ୍ଦ କରିଦେଲେ । ସ୍ମିତା ଏହାର କାରଣ କିଛି ବୁଝି ପାରିଲା ନାହିଁ । ଭୟରେ ଦେହ ଥରୁଛି । ସେ ଆଉ କିଛି ନ କହି କବାଟ ବନ୍ଦ କରି ପୁଣି ଶୋଇବାକୁ ଗଲା । ତଥାପି ଭୟ ହେଉଥାଏ ସେ ଲୋକଟି ରହିଗଲା କି ? ଦାଣ୍ଡ କବାଟ ତ ବନ୍ଦ ଥିଲା । ତେବେ ସେ ଗଲା କୁଆଡ଼େ ? ନିଜ ପ୍ରତି ଅବିଶ୍ଵାସ ଆସିଲା । ମାତ୍ର ତାର ଗଣ୍ଡଦେଶ ଓଦାଥିବା ପରି ମନେ ହେବାରୁ ସେ ଅବିଶ୍ଵାସ କରିପାରିଲା ନାହିଁ । କିନ୍ତୁ କାହାକୁ ସେ ଏ କଥା କହିବ ? କିଏ ତାର ଦୁଃଖରେ ଆଶ୍ଵାସନା ଦେବ ? ବରଂ କଥା ପ୍ରଘଟ ହେଲେ ନିନ୍ଦାରେ ସେ ଆଉ ମୁଣ୍ଡ ଟେକି ପାରିବ ନାହିଁ । ସ୍ମିତାର ଭାବନାଧାରାକୁ ଚ୍ଛିନ୍ନ କରି ପହରିକିଆ ବିଲୁଆ ଭୁକି ଉଠିଲେ । ସ୍ମିତା ଅନୁମାନ କଲା ପହରେ ରାତି ହେଲାଣି । ସକାଳ ହେବାକୁ ଆହୁରି ଦୀର୍ଘ ସମୟ ବାକି । ଭୋକରେ ପେଟ ଜଳୁଛି । ମାଆ ତ କାହିଁ ରୋଷେଇ କଲେ ନାହିଁ । ତାକୁ ଖାଇବାକୁ କହିଲେ ନାହିଁ । ଏ ପାଖରେ ଛାତି ପୋଡ଼ୁଛି, ଓଠ ପୋଡ଼ୁଛି । ସେ କଣ କରିବ କିଛି ଭାବି ପାରିଲାନାହିଁ । ଆଖିରୁ ଲୁହଧାର ଗଡ଼ିପଡ଼ିଲା । ମନେ ମନେ ଚିନ୍ତା କଲା—ଭଗବାନ, ଏହି କଣ ତୋର ଦୟା ! ଏହି କଣ ତୋର ସଂସାର ! କିଛି ସମୟ ପରେ ଅନ୍ୟ ଘରୁ ଭୁଟ ଭାଟ୍ ଶବ୍ଦରେ ତାର ଚିନ୍ତାରେ ବ୍ୟାଘାତ ଘଟିଲା । ସେ ଭାବିଲା ତାର ବାପା କଣ ଆଉ ଆସିଲେ ? ସେ ଉତ୍କଣ୍ଠିତ ହେଲା । ତା ବାପା ହୁଏତ ତାକୁ ଖାଇବା ପାଇଁ ଡାକିପାରନ୍ତି, ଅଧଘଣ୍ଟାଏ ଗଲା, ଘଣ୍ଟାଏ ଗଲା, କେହି ତାକୁ ଡାକିଲେ ନାହିଁ । ଶୋଷରେ ତଣ୍ଟି ଶୁଖିଗଲା, ସେ ନିଜକୁ ଆୟତରେ ରଖି ପାରିଲା ନାହିଁ । ଧୀରେ ଧୀରେ କବାଟ ଖୋଲି ବାହାରକୁ ଆସିଲା । ଆକାଶକୁ ଚାହିଁଲା । ଆକାଶରେ ମେଘର ସୂଚନା ନ ଥିଲା । ତାରାମାନେ ଖଇଫୁଟିଲା ପରି ବିଛାଡ଼ି ହୋଇ ପଡ଼ିଥିଲେ । ତାଙ୍କ ମାଆଙ୍କ ଘରୁ କ୍ଷୀଣ ଆଲୋକ ରେଖା ବାହାରେ ପଡ଼ିଥିଲା । ମାଆ କାହା ସହିତ କଥାବାର୍ତ୍ତା କରୁଥିବା ପରି ମନେ ହେଲା । ସେ କୌତୁହଳୀ ହୋଇ ଘର ପାଖକୁ ଆଗେଇ ଗଲା । କବାଟ ଫାଙ୍କରେ ଚାହିଁଲା । କିଛି ଦେଖାଗଲା ନାହିଁ । ମାତ୍ର କଥା ଗୁଡ଼ିକ ତା କାନରେ ପଡ଼ିଲା । ସେ ନିଶ୍ଵାସ ବନ୍ଦ କରି କବାଟରେ କାନ ଦେଲା । ତାର ମାଆ କହୁଥିଲେ—ତମେ ଏପରି କାହିଁକି କଲ-? ଯଦି ଧରାପଡ଼ି ଥାଆନ୍ତ, ଅବସ୍ଥା କଣ ହୋଇଥାଆନ୍ତା ?

 

ଅନ୍ୟ ଜଣେ କିଏ କହୁଥିଲା—ମୋତେ ବିଶ୍ୱାସ କର, ମୁଁ ଭାବିଲି ସିନା ତୁମେ ଶୋଇଛ-। ମୋର କଣ ଧାରଣା ଥିଲା ସେ ସ୍ମିତା ବୋଲି ।

 

ମାଆ ଅଭିମାନ କରି କହୁଥିଲେ—ନା’ ନା’ ତୁମେ ମୋତେ ଭୁଲିଗଲଣି ।

 

ଲୋକଟି କାନ୍ଦ କାନ୍ଦ ହୋଇ କହୁଥିଲା—ଏ କଥା ତୁମେ କହି ପାରୁଚ ? ତୁମ ଲାଗି ପରା ମୁଁ ଘର ଦ୍ଵାର ଭୁଲି ଏଠାରେ କୋଡ଼ିଏ ବର୍ଷ ହେଲା ରହିଲିଣି । ତୁମପାଇଁ ମୁଁ ବିଭା ହେଲି ନାହିଁ । କିନ୍ତୁ ତୁମେ ବିଭା ହୋଇ ଶାନ୍ତିରେ ରହିଲ । ଥରେ କଣ ତୁମେ ଭାବି ପାରିଲ ନାହିଁ—ଆମ ଅତୀତ ଜୀବନର କଥା । ସେଦିନ ଆମେ କେତେ ଖୁସିରେ ନ ଥିଲେ । ସ୍କୁଲ ଛୁଟି ପରେ ପିଲାମାନେ ଚାଲିଗଲା ପରେ ତୁମେ ରହୁଥିଲ । ସ୍କୁଲଘରେ ଆମେ ବସି କେତେ ଆନନ୍ଦରେ ସମୟ ବିତାଉ ଥିଲେ । ସେଦିନ ପରା ତୁମେ ନିୟମ କରି କହିଥିଲ—ତୁମ ବିନା ମୁଁ ଜୀବନରେ କାହାରିକୁ ଚାହିଁବି ନାହିଁ ।

 

କିନ୍ତୁ ଆଜି....

 

ମାଆ ମଧ୍ୟ କାନ୍ଦ କାନ୍ଦ ହୋଇ କହୁଥିଲେ—ମୁଁ କଣ କରିଥାନ୍ତି କହିଲ ? ତୁମେ ତ ଜାଣ ବାପା ମାଆ ମୋର ନ ଥିଲେ । ମୋ ମାମୁଁ ଟଙ୍କା ଲୋଭରେ ମୋତେ ଜୋରକରି ଦୋଜ ବର ହାତରେ ଛନ୍ଦି ଦେଲେ ।

 

ତୁମେ ପରା କହିଥିଲ—ଆମେ ଚାଲିଯିବା ବୋଲି । ଏବେ ଦେଖୁଛି, ତୁମେ ବୋଧହୁଏ ଆଉ ଯିବ ନାହିଁ ।

 

—ମୋତେ ତୁମେ ଅବିଶ୍ଵାସ କରୁଛ ? ବିଶ୍ୱାସକର, ମୁଁ ସବୁ ଠିକ୍ କରି ଦେଇଛି । କୌଣସି ପ୍ରକାରେ ଏ ବୁଢ଼ାକୁ ଶେଷ କରିଦେଲେ ଆଉକିଛି ଅସୁବିଧା ନାହିଁ । ମୋ ନାଆଁରେ ତ ସଂପତ୍ତି ହୋଇଗଲାଣି । ଆମେ ସୁଖରେ ଚଳିବା ।

 

ରଞ୍ଜନ ବିଷୟରେ କଣ କରିବା ? ସେ ହୁଏତ ଗାଆଁ ଲୋକଙ୍କୁ ମତାଇ କିଛି କରିପାରେ ?

 

ରଞ୍ଜନକୁ ଗୁଣିକରି ପାଗଳ କରାଇ ଦେବା । ଗାଆଁର କେତେଜଣଙ୍କୁ ଟଙ୍କା ପଇସା ଦେଇ ହାତ କରି ଦେଲେ ଆମର ଆଉ କେହି କିଛି କରି ପାରିବେ ନାହିଁ ।

 

ଲୋକଟି ହସି ହସି କହିଲା—ଆଃ କେତେ ବୁଦ୍ଧି ସତେ ତୁମର ! ତାପରେ ହଠାତ୍ ସମସ୍ତ ନୀରବ ହୋଇଗଲା । ଖାଲି ଘନ ଘନ ନିଃଶ୍ଵାସ ବହିବାର ଶବ୍ଦ ହେଲା । ସ୍ମିତା ଚମକି ପଡ଼ିଲା । ଛାତି ତାର ଥରିବାକୁ ଲାଗିଲା । ରଞ୍ଜନକୁ ପାଗଳ କରିଦେବା କଥା ଶୁଣି ସେ ଆତଙ୍କିତ ହୋଇପଡ଼ିଲା । ତାପରେ ପଛେଇ ପଛେଇ ସେ ଘର ଭିତରକୁ ଆସି କବାଟ ଦେଇଦେଲା । ଶୋଇ ଶୋଇ ସେ ଚିନ୍ତା କରିବାକୁ ଲାଗିଲା ତାର ମାଆ ପୁଣି ଏପରି ଦୁଃଶ୍ଚରିତ୍ରା । ଜନନୀ ହୋଇ ମଧ୍ୟ ସେ ତଥାପି ଶାନ୍ତି ପାଇ ନାହିଁ । ସ୍ୱାମୀ ତାର ବୃଦ୍ଧ ବୋଲି ସେ ଅନ୍ତରରେ ଘୃଣା କରେ । ତେବେ ସେହି ଅନ୍ୟ ଲୋକଟି କିଏ ? ବୋଧହୁଏ ତାଙ୍କ ଗାଆଁ ସ୍କୁଲ ମାଷ୍ଟର ନଟବାବୁ । ଶୁଣିଥିଲା କେଉଁ ଏକ ବନ୍ୟାରେ ତାଙ୍କ ଗାଆଁ ଭାସି ଯାଇଥିଲା । ସେତେବେଳକୁ ସେ କୁଆଡ଼େ କୋଡ଼ିଏ ବର୍ଷର ଯୁବକ । ବନ୍ୟାରେ ତାଙ୍କର ମାଆ ବାପା କିଏ କୁଆଡ଼େ ଗଲେ । ସେ କେବଳ ଭାଗ୍ୟକୁ ଗୋଟିଏ ଗଛ ଉପରେ ଭାସି ଯାଉଁ ଯାଉଁ ଏହି ଗାଆଁରେ ରହି ଯାଇଥିଲେ । ଲୋକମାନେ ତାଙ୍କୁ ସାହାଯ୍ୟ କଲେ । ସେତେବେଳକୁ ଗାଆଁରେ ସ୍କୁଲ ନ ଥିଲା । ପିଲାମାନେ ପାଠ ପଢ଼ିପାରୁ ନ ଥିଲେ । ନଟବାବୁ ପ୍ରଥମେ ଏହି ଗାଆଁରେ ଚାଟଶାଳୀ ଖୋଲି ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କଲେ । ଲୋକମାନେ ଖୁସି ହୋଇ ତାଙ୍କୁ ଚାନ୍ଦା ଭେଦା ଦେଇ ସ୍କୁଲରେ ରଖିବାର ବ୍ୟବସ୍ଥା କରିଦେଲେ । ସେହିଦିନଠାରୁ ସେ ଏ ଗାଆଁକୁ ଆପଣାର ମଣି ରହି ଆସିଛନ୍ତି । ସେହି ନଟବାବୁ ପୁଣି ଏପରି କାମୁକ, ଲମ୍ପଟ । ମୁଣ୍ଡ ତାର ଗୋଳମାଳ ହୋଇ ଯାଉଥିଲା । ସେ ଭାବି ଭାବି କେତେବେଳେ ଯେ ଶୋଇ ଯାଇଥିଲା ତାର ମନେ ନ ଥିଲା । ମାଆଙ୍କର ପାଟି ଶୁଣି ସ୍ମିତାର ନିଦ ଭାଙ୍ଗିଗଲା । ସେ କବାଟ ଖୋଲି ଦେଖିଲା, ବେଳ ଅନେକ ହୋଇଗଲାଣି । ଦେହ ଦୁର୍ବଳ ଲାଗୁଥିଲା । ସ୍ମିତା ଉଠିଲା । ମାଆ କହୁଥିଲେ ଆଲୋ ସବାଖାଇ, ଯୋଗନୀଖାଇ, ଦେଖିଲୁ ବେଳ କେତେ ହେଲାଣି । ବାସିଘର ଏ ପର୍ଯ୍ୟନ୍ତ ପଡ଼ିଛି ତୋ ଆଖିକୁ ଦେଖାଯାଉ ନାହିଁ କି ? ହଇଲୋ, ତୁ ସାହେବାଣୀ ହୋଇଗଲୁଣି ନା କଣ ବା । ସ୍ମିତାର ଭାରି ରାଗ ହେଉଥିଲା । କଣ କହିବ ବୋଲି ଭାବୁଥିଲା । କିନ୍ତୁ କିଛି କହି ପାରିଲା ନାହିଁ । ଆଖିରେ ତାର ଲୁହ ଢଳ ଢଳ ହେଲା । କେବଳ ଏତକ କହିଲା ବୋଉ ଭୋକରେ ମୋ ଦେହ ଥରୁଛି ।

 

କିଲୋ କାହିଁକି ବା । ପେଟ ନାଁ ଗୋବର ଗାଡ଼ିଆ । ଆମେ କଣ ଦି କଂସା ଲେଖାଏଁ ଖାଇଥିଲୁ ? ତୋତେ ଏତେ ଭୋକ ଲାଗୁଛି । ପାଣି ଦି’ଟା ନେଇ ଆସିବୁ ଯା’ ।

 

ସ୍ମିତା କିଛି କହିଲା ନାହିଁ । କଳସୀ ନେଇ ପାଣି ଆଣିବାକୁ ଚାଲିଗଲା । ପୋଖରୀରୁ ଗାଧୋଇପଡ଼ି ଓଦା ଲୁଗାରେ ପାଣି ନେଇ ଆସିଲା । ଦେହ ଥରୁଛି, ହାତ ଥରୁଛି । ତଥାପି ସେ ପାଣି ନେଇ ଆସୁ ଆସୁ ଦ୍ୱାର ପାଖରେ ଝୁଣ୍ଟି ପଡ଼ିଲା । କଳସୀ ହାତରୁ ଖସି ପଡ଼ି ଚୂନା ଚୂନା ହୋଇଗଲା । ମାଆ କୁଆଡ଼େ ଥିଲେ ପାଟି କରି କରି ଆସି ପହଞ୍ଚିଗଲେ । ମୋର ସବୁ ସାରି ଦେଲା ଲୋ, ଏ ସବାଖାଇ ସବୁ ସାରିଦେଲା । କେଡ଼େ ସୁନ୍ଦର ମାଧପୁର କଳସୀ ମୁଁ କିଣିଥିଲି—ଏ ଘଇତାଖାଇ ସବୁ ସାରିଦେଲା । ସ୍ମିତା ଭୟରେ ଥରିଲା । ସେ ଦୋଷ କରିଛି । ସେ କଳସୀ ଭାଙ୍ଗି ଦେଇଛି । କବାଟ ପାଖରେ ଦୋଷୀ ପରି ଛିଡ଼ା ହୋଇଥାଏ । ସେ ଭାବିଥିଲା, ପାଣି ରଖି ମାଆ ପଛେ ଗାଳି ଦିଅନ୍ତୁ, ସେ ଖାଇ ଦେଇ ଯାହା କିଛି କରିବ । କିନ୍ତୁ ଏ ପରିସ୍ଥିତିରେ ସେ ଭୋକ ଶୋଷ ଭୁଲିଗଲା । କଳସୀ ଖସିପଡ଼ିଲା ବୋଲି ନିଜପ୍ରତି ରାଗ ହେଲା । ମାଆ ରାଗରେ ଧାଇଁ ଆସିଲେ । ସତେକି କଣ ଗୋଟାଏ କରିଦେବେ । ଆଖିରୁ ତାଙ୍କର ନିଆଁ ବାହାରୁଥାଏ । କଳସୀକୁ ଚାହିଁଲେ । ତାପରେ ସ୍ମିତାର ବେଣୀକୁ ଧରି ପିଠିରେ ଦୁଇ ବିଧା କଷିଦେଲେ । ସ୍ମିତା ବୋଉଲୋ ବୋଲି କହି ତଳେ ବସି ପଡ଼ିଲା । ତା ମନରୁ ଭୟ ତୁଟିଗଲା । ହୃଦୟ ଦୃଢ଼ କରି ସେ ଟିକିଏ ଉଚ୍ଚା ଗଳାରେ କହିଲା—ମୁଁ କଣ ଜାଣି ଜାଣି ଖସାଇ ପକାଇଲି ।

 

କଣ କହିଲୁ । ପୁଣି ଜବାବ ଦେଉଛୁ ? ମାଆ ତା ଆଡ଼କୁ ଉହୁଁକି ଆସିଲେ । ସ୍ମିତା ଛିଡ଼ା ହୋଇପଡ଼ି କହିଲା—ମୁଁ କଣ ଇଚ୍ଛା କରି ଭାଙ୍ଗି ଦେଇଛି ? ମାଆ କଣ ଭାବିଲେ କେଜାଣି ଫେରିଗଲେ । କହିଲେ ସେ ବୁଢ଼ାର ଏତିକି ଗୁଣ । ସେ ଆସିଲେ ତାର ମୋର କଥାବାର୍ତ୍ତା । ସ୍ମିତା ଶାଢ଼ୀ ବଦଳାଇ ବସିଲା । ଆଖିରେ ତାର ଲୁହର ବନ୍ୟା । ଅନ୍ୟ ଘରେ ସାନ ଭାଇର ଅଝଟ ଶୁଭୁଛି । ମୁଁ ଅପା ସହିତ ଖାଇବି ଲୋ । ମୁଁ ଅପା ପାଖକୁ ଯିବି । ଚାକରାଣୀ ହାତରେ ପୁଅକୁ ପଠାଇଦେଇ ତା ମାଆ ବାସି ପଖାଳ କଂସାଏ ଆଣି ଥୋଇ ଦେଇଗଲେ । ସରୁ ପତ୍ରରେ ଖଟା ଏବଂ ଲୁଣ ବ୍ୟତୀତ ଅନ୍ୟ କିଛି ନ ଥିଲା । ସ୍ମିତାର ଭୋକ ସହସ୍ର ଗୁଣ ବଢ଼ିଗଲା । ସେ ନ ଖାଇବାଲାଗି ଯାହା ମନରେ ଭାବିଥିଲା, ମନରଭାବନା ଭବନାରେ ରହିଲା । ମାଆ ସେଠାରୁ ଅନ୍ତର୍ହିତ ହେବା ସଙ୍ଗେ ସଙ୍ଗେ ସେ ଖାଇ ବସିଲା । ଖାଇସାରି ବାସନ ମାଜିଦେଇ ତାର ସାଙ୍ଗ ଘରକୁ ଚାଲିଗଲା । ଦ୍ଵିପ୍ରହର ହେଲା । ସ୍ମିତା ଘରକୁ ଫେରିଲା । ମନରେ ଅଜଣା ଭୟ । ସେ ମାଆକୁ ନ କହି ଚାଲି ଯାଇଥିଲା । ଆଜି ସେ ବିଶେଷ କିଛି କାମ କରି ନଥିଲା । ପୁଣି କିଛି ଗୋଟାଏ କାଣ୍ଡ ମାଆ ହୁଏତ କରିବସିବେ । ବାପା ଆସିଥିଲେ ବନେଇ ଚୂନେଇ କହିବେ । ବାପା ରାଗିବେ । ମୁହଁ ରଙ୍ଗାକରି ଗାଳି ଦେବେ । ସେ ଥରେ ହେଲେ ସ୍ମିତାର ଅନ୍ତରର ଦୁଃଖକୁ ବୁଝିବାପାଇଁ ଚେଷ୍ଟା କରିବେ ନାହିଁ । ବୁଢ଼ାକାଳେ ତରୁଣୀ ଭାର୍ଯ୍ୟାର ମୋହ ତାଙ୍କୁ ଆଚ୍ଛନ୍ନ କରିଛି । ତେଣୁ ସ୍ତ୍ରୀଙ୍କର ଦୋଷ ସେ ଦେଖି ପାରୁନାହାନ୍ତି । ନିଜର ଦୁର୍ବଳତାଥିବାରୁ ସ୍ତ୍ରୀକୁ ଭୟ କରୁଛନ୍ତି । ସ୍ମିତା ଧୀରେ ଧୀରେ ଘର ଭିତରକୁ ଗଲା । ଘଡ଼ିଏ ଛିଡ଼ାହୋଇ ରହିଲା । ନାଁ ପାଟି–ତୁଣ୍ଡ କିଛି ଶୁଭୁ ନାହିଁ । ବାପା ବୋଧହୁଏ ଫେରିନାହାନ୍ତି । ମାଆ ଖାଇଦେଇ ଶୋଇଲେଣି । ତାର ଛାତି ଥରିଉଠିଲା । ସେ ଖାଇବ କେମିତି । ପୁଣି କାଲିପରି ଆଜି ତାକୁ ଉପବାସ ରହିବାକୁ ହେବ ? ସେ ମନରେ ଠିକ୍ କଲା ମାଆ ରାଗିଛନ୍ତି, ତାଙ୍କର ଗୋଡ଼ଧରି କ୍ଷମା ମାଗିବ । ନିଜେ ଭୁଲ କରିଛି ବୋଲି ସେ ସ୍ୱୀକାର କରିବ । ନାରୀ ସେ । ଯନ୍ତ୍ରଣା କଣ ସହିପାରିବ ନାହିଁ ? ସମସ୍ତ ଦୁଃଖକୁ କଣ ସେ ହସି ହସି ଏଡ଼ାଇ ଦେଇପାରିବ ନାହିଁ ? ମାଆ ତାର ପାଷାଣୀ ନୁହନ୍ତି । ସେ ରକ୍ତ–ମାଂସଧାରୀ ମଣିଷ । ତାର ଆଖିର ଲୁହରେ କ’ଣ ମାଆଙ୍କର ହୃଦୟ ତରଳିବ ନାହିଁ ? ମାତ୍ର ମାଆ ଯଦି ପୁଣି ତାର ସରଳତାର ସୁଯୋଗ ନିଅନ୍ତି ? ସେ ଯଦି ଜାଣି ଜାଣି ଏପରି ବ୍ୟବହାର କରନ୍ତି ? ନାଁ ନାଁ ସେ ଥରେ ପରୀକ୍ଷାକରି ଦେଖିବ । ନ ହେଲେ ସେ ଆତ୍ମହତ୍ୟା କରିବ । ଜୀବନ୍ତ ମରଣ ଅପେକ୍ଷା ସେ ଚିରଦିନପାଇଁ ଯନ୍ତ୍ରଣାରୁ ମୁକ୍ତି ପାଇବ । ମନେପଡ଼ିଲା ତାର ଭାଇର କଥା । ଘଡ଼ିଏ ତାକୁ ନ ଦେଖିଲେ ସେ ପାଗଳ ହୋଇଯାଆନ୍ତି । ସ୍ମିତାକୁ ସଙ୍ଗରେ ନ ଖୋଇଲେ ସେ ଖାଇବେ ନାହିଁ, ଅଭିମାନ କରିବେ, ଘରକୁ ନ ଆସିବାପାଇଁ କହିବେ । ସ୍ମିତାର ଆଖିରେ ଲୁହ ଦେଖିଲେ ସେ ପାଗଳ ହୋଇଯିବେ । ସ୍ମିତାର ଆଖିରେ ଲୁହ ଦେଖାଦେଲା । ସଙ୍ଗେ ସଙ୍ଗେ ସେ ପଣତ କାନିରେ ପୋଛିଦେଇ ମାଆଙ୍କ ଘରଆଡ଼େ ଆଗେଇ ଗଲା । ମାଆଙ୍କ ଘରୁ କିଛି ଶବ୍ଦ ଆସୁ ନଥିଲା । ସେ କବାଟ ପାଖରେ ଛିଡ଼ାହେଲା । ମନକୁ ଦୃଢ଼ କଲା । ସେ ଆଜି ମାଆଙ୍କ ଗୋଡ଼ଧରି କ୍ଷମାମାଗିବ । ତାପରେ ସେ କବାଟ ଖୋଲି ଦେଲା । ଖଟ ଉପରକୁ ଚାହିଁଲା । ମାଆଙ୍କ ଦେହରେ ଶାଢ଼ୀ ନଥିଲା-। ନଟବାବୁ ମଧ୍ୟ ପୂରା ଉଲଗ୍ନହୋଇ ମାଆଙ୍କୁ କୋଳରେ ଧରିଥିଲେ । ମାଆଙ୍କ ମୁହଁ ପାଖରେ ନଟବାବୁଙ୍କ ମୁହଁ । ସ୍ମିତା ତାଙ୍କ ଘରକୁ ଆସିବେ ବୋଲି ମାଆ ଭାବି ନଥିଲେ । ସ୍ମିତାକୁ ଚାହିଁଦେଇ ସଙ୍ଗେ ସଙ୍ଗେ ତଳକୁ ମୁହଁ ପୋତି ଶାଢ଼ୀଟା ଟାଣିଆଣି ଘେରାଇ ହୋଇପଡ଼ିଲେ । ସ୍ମିତାର ଛାତି ଥରି ଉଠିଲା । ସେ ମାଆଙ୍କୁ ଏପରି ଅବସ୍ଥାରେ ଦେଖି ଲଜ୍ଜାରେ ତଳକୁ ମୁହଁପୋତି ପଛେଇ ପଛେଇ ନିଜ ଘରଆଡ଼େ ଫେରି ଆସିଲା । ସେ ଘର ଭିତରେ ବସି ଚିନ୍ତା କରୁଥିଲା । ପୂର୍ବ ରାତି କଥା ମନେ ପଡ଼ୁଥିଲା । ଏହି ନଟବାବୁ ତାହେଲେ କାଲି ରାତିରେ ତାକୁ ବିବସ୍ତ୍ର କରିଥିଲେ ? ସ୍ମିତା ଡାକିବା ସଙ୍ଗେ ସଙ୍ଗେ ସେ ମାଆଙ୍କ ଘର ଭିତରକୁ ଚାଲି ଯାଇଥିଲେ । ଏହି ନଟବାବୁ ତାର ଶିକ୍ଷକ ଥିଲେ । ତାକୁ ଅପର ପ୍ରାଇମେରୀ ପର୍ଯ୍ୟନ୍ତ ପାଠ ପଢ଼ାଇ ଥିଲେ । ସେ କାଲି ଯାହା ମାଆଙ୍କୁ କହୁଥିଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା । ସେ ଜାଣିଶୁଣି ସ୍ମିତାର ନିଦ୍ରିତାବସ୍ଥାର ସୁଯୋଗ ନେଇଥିଲେ-। ମନମଧ୍ୟରେ ଖେଳୁଥିଲା କେତେ ଚିନ୍ତା–ଉତ୍ତରାଙ୍କୁ ବୃହନ୍ନଳା ଶିକ୍ଷା ଦେଇଥିଲେ ବୋଲି ବିବାହ କରିବାକୁ ମନା କରି ଦେଇଥିଲେ । ତେବେ ରାମାୟଣ ପୁରାଣ କ’ଣ କେବଳ ଆଦର୍ଶର କଥା କହୁଥିଲା । ଏହି ନଟବାବୁ ଏତେ ନୀଚ୍ଚ, ଏମିତି ପ୍ରତାରକ । ସେ ଜାଣିଶୁଣି ଗୋଟିଏ ନିରୀହା ଅବଳାର ସତୀତ୍ୱ ଲୁଣ୍ଠନ କରିବାକୁ ଚାହିଁଥିଲେ । ବାହାରେ ଲୋକମାନେ ନଟବାବୁଙ୍କୁ ଶାନ୍ତଶିଷ୍ଟ ବୋଲି ସମ୍ମାନ କରନ୍ତି । କିନ୍ତୁ ଅନ୍ଧାରରେ ଏହି ନଟବାବୁ ସତେ କଣ ? ସବୁ ପୁରୁଷ କଣ ଏୟା ? ସମସ୍ତଙ୍କର ଅନ୍ତର କଣ ପଶୁତ୍ୱରେ ପୂର୍ଣ୍ଣ ? ନାରୀର ଦେହ ବିନା ଆଉ କିଛି ଜାଣନ୍ତି ନାହିଁ ? ସ୍ମିତାର ଚିନ୍ତାଧାରାକୁ ଚ୍ଛିନ୍ନକରି ମାଆ ହସ ହସ ମୁଖରେ ଘର ଭିତରେ ପ୍ରବେଶ କଲେ । ସ୍ମିତା ଆଶ୍ଚର୍ଯ୍ୟ ହେଲା । ମାଆଙ୍କର ସତେ ଯେପରି କିଛି ହୋଇନାହିଁ । ସମସ୍ତଥିଲା ପ୍ରହେଳିକା, ସମସ୍ତ ତାର ଆଖିର ଭ୍ରମ ଥିଲା ପରି ମନେ ହେଲା । ମାଆ କହୁଥିଲେ–କେତେବେଳେ ଖାଇବୁକିଲୋ ? ଛାଇ ନେଇଟିଲାଣି ବୋଲି ତୋତେ ଦେଖାଯାଉ ନାହିଁ କି ? ମଆଙ୍କଠାରୁ ଏପରି ବ୍ୟବହାର ପାଇବା ତାର ପ୍ରଥମ । ସେ କିଛି ବୁଝିପାରିଲା ନାହିଁ । ସେ କିଛି ଉତ୍ତର ଦେଲାନାହିଁ । ଖାଇବା ପାଇଁ ଉଠିଗଲା । ଖାଇ ସାରିବା ପରେ ମାଆ ତାକୁ ଆଉ କୌଣସି କାମ ବତାଇଲେ ନାହିଁ । ସେ ସାହୀଆଡ଼େ ବୁଲିବାକୁ ଚାଲିଗଲା । ବିନୀତା ସହିତ ସ୍ମିତାର ଦେଖାହେଲା । ସ୍ମିତାର ବିନୀତା ଅନ୍ତରଙ୍ଗ ବନ୍ଧୁ । ବିନୀତା ନିକଟରେ ସେ ଅନ୍ତ୍ରରର ସମସ୍ତ ଦୁଃଖ ବାଢ଼ିଦେଇ ଆଶ୍ୱସ୍ତ ହୁଏ । ବିନୀତା ବନ୍ଧୁର ଦୁଃଖରେ ସମବେଦନା ଜ୍ଞାପନ କରେ । ବାନ୍ଧବୀର ଆଖିରେ ଲୁହ ଦେଖି ଯେ ମଧ୍ୟ ଲୁହ ଝରାଏ । ସମସ୍ତ ଈଶ୍ୱରଙ୍କ ଉପରେ ନିର୍ଭର କରି ପଥ ଚାଲିବାକୁ ଉପଦେଶ ଦିଏ । ସେଦିନ ମଧ୍ୟ ସେ ସମସ୍ତ ବିଷୟ ଶୁଣିଲା । ସ୍ମିତାକୁ କହିଲା–ଭଉଣୀ ! ମୋର ମନେ ହେଉଛି—ଈଶ୍ୱର ତୋ ଉପରେ ଶୁଭଦୃଷ୍ଟି ପକାଇଲେ । ଆଉ ଏଣିକି ତୋର କିଛି କଷ୍ଟ ରହିବ ନାହିଁ । କାରଣ ତୋ ମାଆ ତୋତେ ଏବେ ଭୟକରି ଚାଲିବେ ।

 

ସ୍ମିତା କହିଲା—ନା ଭଉଣୀ ! ମୁଁ ତ କାହିଁ ମାଆଙ୍କ ମୁଖରୁ ଏପରି କିଛି ଆଭାସ ପାଇଲି ନାହିଁ ।

 

ତୁ ଯେଉଁଠି ଆଭାସ ପାଇଲୁ ନାହିଁ, ସେଇଠି ତ ଭୟ ଅଛି ବୋଲି ବୁଝିବାକୁ ପଡ଼ିବ । ସବୁ ମଣିଷ ହୃଦୟ ସେୟାରେ ଭଉଣୀ, ସମସ୍ତେ କେବଳ ଅଭିନୟ କରନ୍ତି । ପାପକୁ ଘୋଡ଼ାଇ କିଛି ହୋଇନାହିଁ ବୋଲି ମୁହଁରେ ଦମ୍ଭ ଦେଖାନ୍ତି । କିନ୍ତୁ ପାପରୂପ ଗ୍ରହଣ କରେ, କିଛି ନ ଥିଲେ ବି ହୃଦୟ ମାଡ଼ିପଡ଼େ । ନିଜ ଭୂତ ନିଜକୁ ଡରାଏ । ସମୟ ଆସେ, ମଣିଷ କୃତ କର୍ମ ପାଇଁ ଅନୁତପ୍ତ ହୁଏ ।

 

—କିନ୍ତୁ ଏମାନେ ଯେ ଭାଇକୁ ପାଗଳ କରିଦେବେ ? ବାପାଙ୍କୁ ବିଷଦେଇ ଦେବେ । ମୁଁ ଭାବୁଛି ବାପାଙ୍କୁ ଏ ବିଷୟରେ ଜଣାଇଦେବି । ତେଣିକି ଯାହା ହେଉ ।

 

ତୁ ଠକି ଯିବୁରେ ଭଉଣୀ, ଠକି ଯିବୁ । ତୋ କଥା କେହି ବିଶ୍ଵାସ କରିବେ ନାହିଁ, ବରଂ ଦୋଷଟା ଓଲଟି ତୋ ଉପରେ ପଡ଼ିବ । ତୁ ଅନୁତାପ କରିବୁ । କାହାରି ପାଖରେ ମୁହଁ ଦେଖାଇପାରିବୁ ନାହିଁ । କୌଣସି କୁମାରୀ ଝିଅ ପୁରୁଷଙ୍କ ସହିତ କଥା କହିଲେ, ହସିଲେ, ସାଙ୍ଗରେ ବୁଲିଲେ ସମାଜ ଟିଟିକାରୀ ମାରେ, ଆଙ୍ଗୁଳି ଦେଖାଇ ହସେ; କିନ୍ତୁ କୌଣସି ବିବାହିତା ନାରୀ ପରପୁରୁଷ ସହିତ ରାତ୍ରି ଯାପନ କଲେ ମଧ୍ୟ ତାର ଦୋଷ ହୁଏ ନାହିଁ । କାରଣ ତା ହାତରେ ଅଛି ଶଙ୍ଖା, କପାଳରେ ଅଛି ସିନ୍ଦୂର । ତେଣୁ ବିବାହିତା ଝିଅ କେଉଁଠି ବସିଲେ କାହା ସହିତ ହସିଲେ ପିତା ମାତା କିମ୍ବା ଜ୍ଞାତି ବନ୍ଧୁ କୁଟୁମ୍ବ କେହି ଚିନ୍ତା କରନ୍ତି ନାହିଁ । ବରଂ କନ୍ୟାର ଏପରି ବାକ୍ ଚାତୁରୀ ଦେଖି ସେମାନେ ମୁଗ୍ଧ ହୁଅନ୍ତି । କନ୍ୟାର ବୁଦ୍ଧି ଦେଖି ପ୍ରଶଂସା କରନ୍ତି । ମାତ୍ର ଗୋଟିଏ କୁମାରୀ ଝିଅ ସନ୍ଧ୍ୟାବେଳେ ଯଦି କାହା ଘରେ ରହିଯାଏ, ପିତା ମାତାଙ୍କର ଅଶେଷ ଚିନ୍ତା ହୁଏ, ଲୋକମାନେ ଏହାର ସୁଯୋଗ ନିଅନ୍ତି । କାରଣ ଏଥିପାଇଁ ସମାଜରେ କୌଣସି ସ୍ଵୀକୃତି ନାହିଁ । ତେଣୁ ମାଆ ତୋର ତ ବିବାହିତା ନାରୀ, ତାପରେ ସେ ଜନନୀ । ସେ ଯାହା କଲେ ବି କେହି ଶୁଣିବେ ନାହିଁ, କେହି ବିଶ୍ଵାସ କରିବେ ନାହିଁ । ଯଦି କେହି ବା ବିଶ୍ଵାସ କରେ, ତାର ଲାଭ ହେବ କଅଣ ? ତୋ ମାଆ ତ ଆଉ କାନ୍ଦିବେ ନାହିଁ କିମ୍ବା ତାଙ୍କର ବିବାହିତା ଜୀବନର ତ ପୂର୍ଣ୍ଣଚ୍ଛେଦ ପଡ଼ିବ ନାହିଁ । ବରଂ ଯିଏ କହିଥିବ ତାର ସ୍ୱାର୍ଥରେ ବ୍ୟାଘାତ ଘଟିବ ! କେତେବେଳେ କେମିତି ପାଉଥିବା ଟଙ୍କାଏ, ଦୁଇଟଙ୍କା କିମ୍ବା ଚାଉଳ ମାଣେ, ସେରେ ବନ୍ଦ ହୋଇଯିବ । କିନ୍ତୁ କୁମାରୀ ଝିଅ ନାଁରେ ଅପବାଦ ଦେଲେ ସେଥିରେ ମଜା ଅଛି, ସେଥିରେ ଅହେତୁକ ଆନନ୍ଦ ଅଛି । କାରଣ ତାର ଭବିଷ୍ୟତ ଅନ୍ଧକାରମୟ । ସେ ଆଉ ବିବାହ କରିପାରିବ ନାହିଁ । ସ୍ଵାମୀ ସୁହାଗିନି ହୋଇ ପାରିବ ନାହିଁ । ତେଣୁ ସେ ଏଥିପାଇଁ ଝୁରେ, ଆଖିରୁ ଲୁହ ଢାଳେ, ସମସ୍ତଙ୍କ ନିକଟରେ ମଥା ତଳକୁ ପୋତି ଚାଲେ । ତାର ବିପଦର ସୁଯୋଗ ନିଅନ୍ତି ସମସ୍ତେ । ଚାକର ପୂଜାରୀଠାରୁ ଆରମ୍ଭ କରି ଯେ କେହି ଲୋକ ହେଲେ ମଧ୍ୟ ସେ ଅନ୍ୟକୁ ହଜାଇଥିବା ପରି ମନେକରେ । ସେଥିରେ କିଛି ସ୍ଵାର୍ଥ ଥାଉ ବା ନ ଥାଉ, ସେଥିରେ ନିଜ ମହତ୍ତ୍ଵ ବଢ଼ୁ ଅବା ନ ବଢ଼ୁ, ସମସ୍ତଙ୍କର ଅନ୍ତର ଚାହେଁ—ମୋତେ କେହି ଭୟ କରନ୍ତା କି, ମୋତେ କେହି ମାନନ୍ତା କି ? ତେଣୁ କୁମାରୀଙ୍କର ସମସ୍ତେ ହିଁ ଗୁରୁ, ସମସ୍ତେ ହିଁ ପ୍ରଭୁ । ତାର ଚାଲିଠାରୁ ଆରମ୍ଭ କରି କଥା କହିବା, ହସିବା, ବୁଲିବା, ଚାହିଁବା ସମସ୍ତ କାର୍ଯ୍ୟରେ ସାମାଜିକ ବିଧି ନିଷେଧ ରହିଛି ।

 

ସ୍ମିତା ବିନୀତାର କଥାଶୁଣି ଦୀର୍ଘ ନିଃଶ୍ଵାସ ପକାଇ କହିଲା—ମୁଁ ଆଉ ସହି ପାରୁନି ଭଉଣୀ । ଭାଇ ଆସିଲେ—ସମସ୍ତ କଥା କହି ମୁଁ ତାଙ୍କ ସାଙ୍ଗରେ ଚାଲିଯିବି । ଏପରି ଅନ୍ୟାୟ ଅନୀତି ମୁଁ ଆଉ ଦେଖିପାରିବିନାହିଁ । ତାପରେ ସନ୍ଧ୍ୟା ହୋଇଯିବାରୁ ବିନିତା ପାଖରୁ ବିଦାୟନେଇ ଆଖ ପାଖ ପଡ଼ୋଶୀ ଜଣେ ଦୁଇଜଣଙ୍କ ଘରକୁ ଯାଇ ଫେରି ଆସିଥିଲା । ଘରେ ପହଞ୍ଚିବା ମାତ୍ରେ ମାଆ କହିଲେ—ତୋ ବାପା ଯେଉଁ କେସ୍ କାମରେ ଅଟକି ଯାଇଛନ୍ତି । ସେ ଆଜି ଫେରିବେ ନାହିଁ-। ତୁ ଖାଇ ଦେଇ ଶୋଇବୁ ଯା । ସ୍ମିତା କିଛି ନକହି ଖାଇଦେଇ ଶୋଇବାକୁଗଲା । ବିନୀତା କହିଲା–ରାତି ଅଧବେଳକୁ ତୁମ ମାଆଙ୍କ କାନ୍ଦଣା ଶୁଣି ସାଇ ପଡ଼ୋଶୀ ରୁଣ୍ଡ ହୋଇଗଲେ । ସ୍ମିତା ଶୋଇବା ଘରୁ ଗୋଟିଏ କଳା ସାପ ବାହାରି ଯାଉଥିବାର ସେ ଦେଖିଥିବା କଥା କହିଲେ । ସେତେବେଳକୁ ସ୍ମିତାର ପାଟିରୁ ଗରଳ ବୋହିଯାଉଥାଏ । ମାଆ କାନ୍ଦି କାନ୍ଦି ମୋ ବାୟାଣୀର କଣ ହେଲାରେ କହି ମଥା ପିଟିଦେଲେ । ଲୋକମାନେ ତାଙ୍କୁ ବୁଝା ସୁଝା କରି ସ୍ମିତାକୁ ଗୁଣିଆ ଘରକୁ ବୋହି ନେଇଗଲେ । କିନ୍ତୁ ଗୁଣିଆ ଘରେ ପହଞ୍ଚିବା ପୂର୍ବରୁ ତାର ଜୀବନ ଦୀପ ଲିଭି ସାରିଥିଲା । ସକାଳୁ ଏ ଖବର ପାଇ ତୁମ ବାପା ଘରେ ଆସି ପହଞ୍ଚିଲେ । କନ୍ୟାର ଏପରି ଅବସ୍ଥା ଦେଖି ମଥା ପିଟି ଦେଲେ । ତା’ ପରେ ବାସି ମଡ଼ା ପକାଇ ରଖିବା ଅନୁଚିତ ବୋଲି କନ୍ୟାକୁ ନେଇ ସମାଧି ଦେଲେ ।

 

ରଞ୍ଜନ କଇଁ କଇଁ ହୋଇ କାନ୍ଦି ଉଠିଲା । ସେ କଣ କହିବ ବୋଲି ଭାବୁଥିଲା । କିନ୍ତୁ କିଛି କହିପାରିଲା ନାହିଁ । ଭଗବାନଙ୍କ ଉପରେ ତାର ରାଗହେଲା, କ୍ରୋଧରେ ଦେହ ଥରିଲା । ନାଁ ନାଁ ସେ ଆଉ କିଛି ମାନିବ ନାହିଁ । ସେ ଏହାର ପ୍ରତିଶୋଧ ନେବ । ବିନୀତା ରଞ୍ଜନର ମୁହଁକୁ ଚାହିଁ ଭୟ ପାଇଲା । ସେ କହିଲା, ଭାଇ ଏପରି ଅଧୈର୍ଯ୍ୟ ହେଲେ ଆଉ କଣ ସ୍ମିତାକୁ ଫେରି ପାଇବ ? ବରଂ ତୁମେ ସତର୍କ ହୋଇ ତୁମର କର୍ତ୍ତବ୍ୟ ପଥରେ ଆଗେଇଯାଅ ।

 

ରଞ୍ଜନ କିଛି ଭାବିପାରୁ ନ ଥିଲା । ସେ କଣ କରିବ ? ତା କଥା ଶୁଣି କେହି ବିଶ୍ୱାସ କରିବେ ନାହିଁ । ବରଂ ସେ ସମସ୍ତଙ୍କର ଶତ୍ରୁ ହେବ, ସମସ୍ତେ ତାକୁ ପାଗଳ ବୋଲି କହିବେ । ଵିନୀତା ଚାଲିଗଲା । ମାତ୍ର ଯାଇ ପାରିଲା ନାହିଁ ରଞ୍ଜନ । ସେ ବସି ଚିନ୍ତା କରିଥିଲା ଅନେକ କଥା-। ତାର ବାପାଙ୍କ ଉପରେ ମଧ୍ୟ କ୍ରୋଧ ହେଉଥିଲା । ସେ ଭାବୁଥିଲା—ବାପା ବିବାହ କରିବାରୁ ସିନା ଏପରି ହେଲା । ସେ ବିବାହ କରୁଥିଲେ କାହିଁକି ? ତାଙ୍କର ତ ଅଭାବ କିଛି ନ ଥିଲା । ପିତୃତ୍ଵର ପରିଚୟ ଦେଇ ସାରିଥିଲେ । ଗୃହସ୍ଥ ଜୀବନ ତାଙ୍କର ଅପୂର୍ଣ୍ଣ ନ ଥିଲା । ତେବେ ବୃଦ୍ଧ ବୟସରେ ତାଙ୍କର ସେବାର ଆବଶ୍ୟକ ଥିଲା । ରଞ୍ଜନ କଣ ତାଙ୍କୁ ଜୀବନ ସାରା ସେବାକରି ପାରି ନ ଥାନ୍ତା ? ସ୍ମିତା କଣ ଭାତ ଗଣ୍ଡାଏ ଫୁଟାଇ ଦେଇ ପାରି ନ ଥାନ୍ତା ? ନାଁ ନାଁ ଏଥିପାଇଁ କେବେ ବାପା ବିବାହ କରି ନାହାନ୍ତି । ସେ କେବଳ ନିଜର ଦୈହିକ ମିଳନର ପରିତୃପ୍ତି ନିମନ୍ତେ ବିବାହ କରିଛନ୍ତି । ମନରେ ତାର ପ୍ରଶ୍ନ—ସନ୍ତାନର ମମତାଠାରୁ, ସନ୍ତାନର ସ୍ନେହଠାରୁ ଦୈହିକ ମିଳନ କଣ ଆହୁରି ଶ୍ରେଷ୍ଠ ? ଆହୁରି ସୁଖପ୍ରଦ ? ? ତେବେ ସନ୍ତାନ ପ୍ରାପ୍ତି ଲାଗି ମଣିଷ ପାଗଳ ହୁଏ କାହିଁକି ? କାହିଁକି ରାଜାଧିରାଜ ଦିଲୀପ ହେଲେ ଅରଣ୍ୟଚାରୀ ? ତେବେ ସେ କଣ ଏ ବିଷୟରେ ବାପାଙ୍କୁ ପଚାରିବ ? କହିବ—ବାପା, ଆମପରି ପୁତ୍ର, କନ୍ୟାଙ୍କର ଜନକ ହୋଇ ତୁମେ କାହିଁକି ପୁଣିଥରେ ବିବାହ କଲ ? କାହିଁକି ତୁମେ ଜାଣୁ ଜାଣୁ କାଳସର୍ପକୁ ଘରେ ସ୍ଥାନ ଦେଲ ? ଦ୍ଵିତୀୟ ପତ୍ନୀଠାରୁ ତୁମର କନ୍ୟା କଣ ଏତେ ନୀଚ୍ଚ, ଏତେ ହେୟ ? ତମେ ତାକୁ ଶେଷରେ ବିଷଦେଇ ହତ୍ୟା କରିବାକୁ କୁଣ୍ଠିତ ହେଲାନାହିଁ ? ଯେଉଁ ନାରୀକୁ ତୁମେ ବିବାହ କରି ଦାମ୍ପତ୍ୟ ଜୀବନର ମଧୁପାନ କରୁଛ, ଜାଣିଛ କି ସେ ସହସ୍ର ଶଯ୍ୟାର ନାୟିକା ବୋଲି ? ତା ମନରେ ନିତି କାହାର ମୁରଲୀ ଧ୍ଵନି ଶୁଭୁଛି ? ଛିଃ ଛିଃ ଏସବୁ ସେ କଣ ଚିନ୍ତା କରୁଛି ? ମାଆର ଗାଳି ଅପେକ୍ଷା ସାବତ ମାଆର ଅଭିଶାପ ଶୀଘ୍ର କାର୍ଯ୍ୟକାରୀ ହୁଏ । ପିତାମାତାଙ୍କର କଥା ଚିନ୍ତା କରିବା ମଧ୍ୟ ସନ୍ତାନ ପକ୍ଷେ ଅନୁଚିତ । ସେମାନେ ପୃଥିବୀ ଏବଂ ସ୍ଵର୍ଗଠାରୁ ଆହୁରି ବଡ଼, ଆହୁରି ଶ୍ରେଷ୍ଠ । ସେ ଭାଇ ନୁହେଁ, ବନ୍ଧୁ ନୁହେଁ, ଜ୍ଞାତି ନୁହେଁ—ସେ ସନ୍ତାନ । ପିତାମାତାଙ୍କର ଭୁଲକୁ ଧରିବା ତା’ ପକ୍ଷରେ ଅନ୍ୟାୟ । ତେବେ କଥା ହେଉଛି—ଜାଣୁ ଜାଣୁ କଣ ସେମାନେ ଏପରି ଅନ୍ୟାୟ କରିଯିବେ, ଜୀବନ ସଙ୍ଗରେ ଖେଳି ଖେଳିବେ—ସନ୍ତାନ ହୋଇ ସେ କିଛି କହିବ ନାହିଁ ? କିଛି ଉତ୍ତର ଦେବନାହିଁ ? ନା’ ନା’ ସେ ଏହାର ପ୍ରତିକାର କରିବ ? ସେ ପୋଲିସରେ ଖବର ଦେବ । ସେ ଦୋଷୀର ଉପଯୁକ୍ତ ବିଚାର ଚାହେଁ ? କିଏ ଦୋଷୀ ? ତାର ସାବତ ମାଆ ଦୋଷୀ, ସେ ସ୍ମିତାକୁ ବିଷ ଦେଇଛି । ମାତ୍ର ପ୍ରମାଣ କରାଇ ପାରିବ ତ ? ପୋଲିସ ହୁଏତ ତାର ମାଆକୁ ଗିରଫ କରିବେ । ହତ୍ୟା ଅଭିଯୋଗରେ ମକଦ୍ଦମାର ବିଚାର ଚାଲିବ । ପ୍ରମାଣ ମିଳିଲେ ତାର ମାଆ ଦ୍ୱୀପାନ୍ତର ଦଣ୍ଡ ଭୋଗ କରିବେ, ନଚେତ୍‍ ଯାବଜ୍ଜୀବନ କାରାଦଣ୍ଡ ଭୋଗ କରିବେ । ତାପରେ... ? ପିତା ଯଦି ଏ ଅପମାନ ସହି ନ ପାରି ଆତ୍ମହତ୍ୟା କରନ୍ତି... ? ଗ୍ରାମବାସୀମାନେ ଯଦି ଏହାର ସୁଯୋଗ ନିଅନ୍ତି...... ?? ଆଗାମୀ ବଂଶଧର ଏଥିପାଇଁ ତାକୁ କ୍ଷମା କରିବେ ତ ? ସେ ମୁହଁ ଟେକି ବାଟ ଚାଲି ପାରିବ ତ ? ଭଞ୍ଜନର ମୁଣ୍ଡ ଗୋଳମାଳ ହୋଇଗଲା । ସେ କିଛି ଭାବିପାରିଲା ନାହିଁ । ସେ ଉପରକୁ ଚାହିଁଲା । ଚନ୍ଦ୍ର ହସୁଚି, ପ୍ରକୃତି ହସୁଚି, ସଂସାର ହସୁଚି, କୋକିଶିଆଳୀ ଏ ବୁଦାରୁ ବାହାରି ପଛକୁ ଟିକିଏ ଫେରିପଡ଼ି ଚାହିଁଦେଇ ସେ ବୁଦାରେ ତରବରରେ ପଶିଯାଉଛି । ବାଦୁଡ଼ି ଗୁଡ଼ାକ ଫଡ଼୍‍ଫଡ଼୍‍ ଉଡ଼ିଯାଉଛନ୍ତି । ରଞ୍ଜନ ଉଠିପଡ଼ି ଧୀରେ ଧୀରେ ଗୃହାଭିମୁଖେ ଚାଲିଲା ।

 

ଏହା ମଧ୍ୟରେ ବର୍ଷଟାଏ ବିତି ଯାଇଛି । ରଞ୍ଜନ ମୁଖରୁ ହସ ଲିଭିଯାଇଛି । ସେ କାହାରି ସହିତ ବିଶେଷ କଥାବାର୍ତ୍ତା କରେନାହିଁ । କାହାରି ସାଥିରେ ତାର ବିଶେଷ ସମ୍ପର୍କ ନାହିଁ । ନିର୍ଜନତା ହିଁ ତାର ପ୍ରିୟ, ନିର୍ଜନତା ହିଁ ତାର ସାଥୀ । ବେଳେ ବେଳେ ସେ କାନ୍ଦେ । ରାତିରେ ଶୋଇଥିବା ବେଳେ ହଠାତ୍ ନିନ୍ଦ ଭାଙ୍ଗି ଯାଏ । ଘର ଗୋଡ଼ାଇ ପକାଏ, ମୁଣ୍ଡ ଗୋଳମାଳ ହୋଇଯାଏ, ସେ ପାଗଳ ହୋଇଯିବା ପରି ଅନୁଭବ କରେ । ଛାଟିପିଟି ହୋଇ ବାହାରକୁ ପଳାଇ ଆସେ । ଅଗଣାରେ ବସି ବସି ଆକାଶକୁ ଚାହେଁ । ଆଖିରୁ ଲୁହଧାର ଛୁଟେ, ମଶାରୁ ତ୍ରାହି ପାଇବା ପାଇଁ ଚଟ୍ ଚାଟ୍ ଚାପୁଡ଼ା ମାରେ, ତଉଲିଆରେ ବିଞ୍ଚି ହେଉଁ ହେଉଁ ମନର କୋହ ମନରେ ମାରେ । ଲୁହଧାର ବନ୍ଦ ହୁଏ, ନିଦରେ ମୁଣ୍ଡ ଭାରିଲାଗେ । ସେ ବିଛଣାକୁ ଚାଲିଯାଏ । କିନ୍ତୁ ନିଦ ହୁଏ ନାହିଁ-। ସ୍ମିତାକଥା ମାଆ କଥା ଭାବୁ ଭାବୁ ପୁଣି କେତେବେଳେ ନିଦ ହୋଇଯାଏ ସେ ଜାଣିପାରେ ନାହିଁ-। କେହି ନ ଉଠିବା ପୂର୍ବରୁ ସେ ସକାଳୁ ଉଠେ । ଗାଈ ବଳଦଙ୍କୁ ତୋରାଣୀ ଦିଏ, ଗୁହାଳ ସଫାକରେ, ତାପରେ ବିଲକୁ ହଳନେଇ ଚାଲିଯାଏ । ମୁଣ୍ଡ ଉପରକୁ ଖରା ଉଠେ । ଚାକର ଟୋକା ପଖାଳଭାତ, ଖଟା, ଲୁଣ ନେଇ ହିଡ଼ମୁଣ୍ଡରେ ପହଞ୍ଚିଯାଏ । ରଞ୍ଜନ ହଳ ବନ୍ଦକରି ଟଳଟଳ ପାଦରେ ହିଡ଼ ଉପରକୁ ଉଠିଆସେ । ନିକଟରେ ଥିବା ଗୋହିରୀରୁ ମୁହଁ ହାତ ଧୋଇ ପକାଏ । ଗୋହିରୀର ଆରପାଖରେ ଭାସୁଥିବା ମଡ଼ାପ୍ରତି ତାର ଲକ୍ଷ୍ୟ ନ ଥାଏ । କଠିନ ପରିଶ୍ରମ କରି ସେ କ୍ଳାନ୍ତ, ମୁଣ୍ଡ ତାର ବୁଲାଉଛି । କପାଳରୁ ଗମ୍ ଗମ୍ ଝାଳ ବୋହି ପଡ଼ୁଛି । ଭୋକରେ ପେଟ ପଶି ଯାଉଛି । ରଞ୍ଜନ କିଛି ଭାବେ ନାହିଁ, ସେ ମୁଣ୍ଡରୁ ଠେକା ଖୋଲି ମୁହଁ ହାତ ପୋଛିହୋଇ ଖାଇବସେ । ଭାତଗୁଣ୍ଡା ପାଟିକି ନେବାବେଳେ କେଜାଣି କାହିଁକି ତା’ ଆଖିରେ ଲୁହ ଜକାଇ ଆସେ-। ସ୍ମିତାର କଥା ମନେ ପଡ଼େ—“ଭାଇ ତୁମେ ମଣିଷ ହୁଅ, କର୍ତ୍ତବ୍ୟ ପଥରେ ଆଗେଇ ଯାଅ, ମୁଁ ସେଇଥିରେ ସବୁ କିଛି ପାଇଯିବି ?” ଲୁହରେ ଭାତ-କଂସା ଜାଲଜାଲୁଆ ଦେଖାଯାଏ । ବାଆଁ ହାତରେ ଲୁହ ପୋଛିଦେଇ ସେ ଭାତଗୁଣ୍ଡା ପାଟିକୁ ନିଏ । ମନ ମଧ୍ୟରେ ଅଶେଷ ଚିନ୍ତା ଲହଡ଼ି ମାରେ । ସେ କେତେଜଣ ଚିନ୍ତା କରେ । ଏଇଆ କଣ ତାର ଭାଗ୍ୟରେ ଥିଲା, ଏଇଆ କଣ ତାର କର୍ତ୍ତବ୍ୟ ? ସାରାଜୀବନ ଏହିପରି ହନ୍ତସନ୍ତ ହୋଇ ସେ ଜୀବନ ବିତାଇବ ? ସ୍ମିତା ମରିବାର ଦୁଇ ମାସ ପରେ ତାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ସେ ମେଟ୍ରିକ୍‍ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍‍ କରିଥିଲା । ସେଦିନ କିନ୍ତୁ ସେ ଆନନ୍ଦିତ ହୋଇପାରି ନ ଥିଲା । ତଥାପି ପଢ଼ିବା ପାଇଁ ସେ ପ୍ରତିଜ୍ଞା କରିଥିଲା । କିନ୍ତୁ ତାର ପ୍ରତିଜ୍ଞାରେ ରହିଗଲା । ମାଆ କହିଲେ—ମୋ ଛୁଆ ସଙ୍ଗେ ବାଦ ଲାଗାଉଛି । ସେ ତାକୁ ଦୁଇଆଖିରେ ଦେଖିପାରୁ ନାହିଁ । ବାପା କହିଲେ—ପଇସା ନାହିଁ । କେତେ କଷ୍ଟରେ ମୁଁ ମେଟ୍ରିକ ପର୍ଯ୍ୟନ୍ତ ପଢ଼ାଇଛି—ଆଉ ପାରିବି ନାହିଁ । ଏବେ ନିଜେ ରୋଜଗାର କରି ନିଜେ ଚଳ । ଆଉ ମୁଁ ଚଳାଇ ପାରିବି ନାହିଁ । ରଞ୍ଜନ ଏକଥା ଶୁଣି ସେଦିନ ଖୁବ୍ କାନ୍ଦିଥିଲା । ପିତାଙ୍କର କଥା ଅପେକ୍ଷା ମାଆଙ୍କ କଥା ତାକୁ ବେଶୀ ବାଧି ଥିଲା । ସେ ପୁଣି ତାର ସାନଭାଇକୁ ଦେଖିପାରୁନାହିଁ । ତା ସଙ୍ଗେ ବାଦ ଲଗାଉଛି ? ବାଦ କର ଈର୍ଷା କଣ ? ସେ କିଛି ବୁଝିପାରୁ ନ ଥିଲା । ସେମାନେ ଗୋଟିଏ ବାପର ପୁଅ । ଗୋଟିଏ ରକ୍ତର ଧାରା ଦୁହିଁଙ୍କ ଅନ୍ତରରେ ବୋହୁଛି । ସେ ରକ୍ତର ଧାରାକୁ କଣ ସେମାନେ ଚ୍ଛିନ୍ନ କରି ପାରିବେ ? ରକ୍ତ କଣ ରକ୍ତକୁ ଚିହ୍ନିବ ନାହିଁ ? ସ୍ଵପ୍ନରେ ତ ସେ ଏକଥା ଚିନ୍ତା କରି ନାହିଁ । ବରଂ ସ୍ମିତାର ମୃତ୍ୟୁପରେ ସାନଭାଇକୁ ସେ ବେଶି ଆଦର କରୁଥିଲା । ତାକୁ ନ ଦେଖିଲେ ସେ ଶାନ୍ତି ପାଉ ନ ଥିଲା, କୋଳେଇ କାଖେଇ ନେବା ପାଇଁ ତା’ ମନ ସବୁବେଳେ ହାଇଁପାଇଁ ହେଉଥିଲା । କିନ୍ତୁ ମାଆ ଏକଥା ସହି ପାରିଲେ ନାହିଁ । ମନେ ପଡ଼ୁଥିଲା ଦିନକର କଥା । ରଞ୍ଜନ ଖାଇ ବସିଥାଏ । ତାର ସାନଭାଇ ପାକୁଆ ପାଟିରେ ହସି ହସି କାନ୍ଥକୁ ଭରଦେଇ ବାଇ ବାଇ ଡ଼ାକି ଆଗେଇ ଆସିଲା । ରଞ୍ଜନ ପାଟିରୁ ନେଉଥିବା ଗୁଣ୍ଡା ଅଟକିଗଲା । ସେ ଆନନ୍ଦରେ ତାକୁ ଖୋଲ ଦେବାପାଇଁ ଗୁଣ୍ଡାଦେଖାଇ ଆ ଆ ବୋଲି ଡ଼ାକିଲା । ତାର ସାନଭାଇ ହାମୁଡ଼େଇ ହାମୁଡ଼େଇ ତା ପାଖକୁ ଗଲା-। ରଞ୍ଜନ ତା ପାଟିରେ ଗୁଣ୍ଡା ଦେଉଥିବା ବେଳେ ମାଆ କେଉଁଠି ଥିଲେ କେଜାଣି କାନିକୁ ଛାଟିଦେଇ ଗର ଗର ହୋଇ ପହଞ୍ଚିଗଲେ । ମୁହଁ ଛିଞ୍ଚାଡ଼ି କେତେକଣ ବିକିଗଲେ । ତମେ କଣ ମୋ ଛୁଆକୁ ମାରିବାକୁ ବସିଛ ? କୋଡ଼ର ଛୁଅକୁ ଭାତ ଖାଇବାକୁ ଦେଉଛ । ତାପରେ ନିଜର ରାଗକୁ ଆୟତ୍ତରେ ରଖି ନ ପାରି ପାଟିର ଗୁଣ୍ଡା କାଢ଼ି ଫୋପାଡ଼ିଦେଇ ତା ପିଠିରେ ଦୁଇବିଧା କଷିଦେଇ କହିଲେ ମର୍ ମର୍ । ବେହେଜା ଚାଲିଆସିଲା । ତାପରେ ଡ଼ାକ ପକେଇଲେ ଚାକରକୁ–ରେ ରାଣ୍ଡି ଘରପୁଅ ତୁ କୁଆଡ଼େ ମଲୁକି । ଛୁଆକୁ ଛାଡ଼ିଦେଇ କେଉଁଠି ମରୁଛୁ ? ଚାକର ଟୋକା ଭୟରେ ଆସି ତାର ସାନଭାଇକୁ ନେଇଗଲା । ରଞ୍ଜନ କିଛି କହିପାରିଲା ନାହିଁ । ଆଖିରୁ ତାର ଟପ ଟପ ହୋଇ ଲୁହ ଗଡ଼ିପଡ଼ିଲା । ସେ ଖାଇବା ଥାଳିରୁ ଉଠି ଚାଲିଗଲା ।

 

ବିନୀତା ସାନ୍ଵନା ଦିଏ । ଜୀବନର ଦୁଃଖକୁ ହସି ହସି ସହିଯାଅ ଭାଇ । ଭବିଷ୍ୟତରେ ମଣିଷ ପରି ମଣିଷ ହେବ । ଅଧୈର୍ଯ୍ୟ ହୁଅ ନାହିଁ । ଭାଗବାନ ଏତେ ନିଷ୍ଠୁର ନୁହନ୍ତି । ପ୍ରଥମେ ଦୁଃଖସହିଲେ ତାପରେ ସୁଖ ପାଇବ । ଠିକ୍ ଏହିକଥା କହୁଥିଲା ସ୍ମିତା ଆଜି ନାହିଁ । ସେ ହଜିଯାଇଛି । ଚିରଦିନପାଇଁ ସେ ହୃଦୟର ଯେଉଁ ଦାଗ ଟାଣି ଦେଇଯାଇଛି ତାହା କଣ ଲିଭିବ ? ଆଜି ବିନୀତା କହୁଚି । ସେ ବି କେଇଟା ଦିନପରେ ଚାଲିଯିବ । ଜୀବନଟା କେବଳ ଏହି ସ୍ନେହ ପ୍ରୀତି ନେଇ ବଞ୍ଚେ । ଏହି ସ୍ନେହ ପ୍ରୀତିର ଅଭାବରେ ଜୀବନ ନିଃସ୍ୱ ଲାଗେ, ସମସ୍ତ ଅନ୍ଧାର ଦେଖାଯାଏ, ମନରେ ଶୂନ୍ୟତା ଖେଳେ । ତଥାପି ବିନୀତାର କଥା କ୍ଷତିକର ହୃଦୟ ଦୁଃଖକୁ ଲାଘବ କରେ । ରଞ୍ଜନ ଖାଲି ଲୁହ ଝରାଏ । ସମସ୍ତ ଦୁଃଖ ଯନ୍ତ୍ରଣାକୁ ସେ ଭୁଲେ । ଦିନରେ ଥରେ ବିନୀତାକୁ ନ ଦେଖିଲେ ମୁଣ୍ଡ ଗୋଳମାଳ ହୋଇଯାଏ । ପ୍ରତିଦିନ ଦ୍ଵିପ୍ରହରେ ବିନୀତା ତାଙ୍କ ଘରକୁ ଆସେ । ମାଆ ମୁହଁ ମୋଡ଼ନ୍ତି । ରଞ୍ଜନ ଖାଇସାରି ବିଶ୍ରାମ ନେଉଥାଏ । ବିନୀତା ପହଞ୍ଚେ । ହସି ହସି କେତେ କଥା କହେ । କ୍ଷଣକ ପାଇଁ ରଞ୍ଜନର ହୃଦୟ ଆନନ୍ଦରେ ନାଚିଉଠେ । ମାତ୍ର ସେ ଆନନ୍ଦରେ କିଛି ସଂକୀର୍ଣ୍ଣତାର ଆଭାସ ନ ଥାଏ । ବର୍ଷା ଖରା କାକରରେ ବିଲକୁ ନ ଯିବା ପାଇଁ ବିନୀତା କହେ, ହାଟକୁ ଗଲେ ବାଟ ମଝିକୁ ବିନୀତା ବାଟୋଇ ଦେବାପାଇଁ ଯାଏ । ରଞ୍ଜନ ବିନୀତାର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରେ । କେତେବେଳେ କେମିତି ଜଳଖିଆ ଖାଉଥିଲେ କିମ୍ଵା ଭାତ ଖାଉଥିଲେ ବିନୀତା ପହଞ୍ଚେ । ରଞ୍ଜନ ଖାଇ ପାରେନାହିଁ ବିନୀତାକୁ ଡାକେ-। ବିନୀତା ନିଃସଙ୍କୋଚରେ ସାଙ୍ଗରେ ଖାଏ, ରଞ୍ଜନକୁ ଖୋଇଦିଏ । ଆଖିବୁଜି ରଞ୍ଜନ ସେତକ ଉଦରସ୍ଥ କରେ । ବିନୀତାର ସ୍ନେହ ପ୍ରୀତି ନିକଟରେ ସେ ନିଜକୁ ଛୋଟ ମଣେ । ବିନୀତା ମୁହଁକୁ ଚାହିଁପାରେ ନାହିଁ । ଦିନେ ଦିନେ ଖାଇସାରି ରଞ୍ଜନ ଶୋଇଥିବାବେଳେ ବିନୀତା ପହଞ୍ଚେ । ପାଖରେ ବସେ, ଡ଼ାକେ—ଭାଇ ଦେହ ଭଲ ଲାଗୁନାହିଁ କି ? ବିନୀତା ଦେହର ସ୍ପର୍ଶରେ ସେ ସ୍ପର୍ଗୀୟ ସୁଖ ଅନୁଭବ କରେ । ବିନୀତା ରଞ୍ଜନର କପାଳରେ ହାତ ବୁଲାଇ ଦିଏ । ରଞ୍ଜନର ରକ୍ତ ଗରମ ହୁଏ । ଶରୀରରେ ଅପୂର୍ବ ପୁଲକ ଜାତ ହୁଏ, ସେ ବିନୀତା କୋଳରେ ହଜିଯିବା ପାଇଁ ଚାହେଁ । ଆଖି ଆଗରେ ଭାସି ଉଠେ—ଧ୍ୟାନସ୍ଥ ଆଖଣ୍ଡଳମଣିର ଛବି । ଠାକୁର ହସୁଛନ୍ତି—ଯେମିତି ସେହି ହସିବା ମୁଖରେ ସେ କହୁଛନ୍ତି—ତୁମେ ତ ମୋର ପରିଚୟ ବହୁ ଦିନରୁ ପାଇସାରିଛ । ତେବେ କାହିଁକି ନିଜକୁ ଭୁଲାଉଛ । ଅସତ୍ୟର ଦଣ୍ଡ ଭାରି କଠିନ । ନିଜକୁ ସଂଯତ କର, ହୃଦୟକୁ ଦୃଢ଼ କର । ସ୍ଥୂଳ ଶରୀରର ଭୋଗ ଭୋଗନୁହେଁ ତାହା କେବଳ ଆତ୍ମ-ଦହନ ପାଇଁ ଅଭିପ୍ରେତ । ରଞ୍ଜନର ରକ୍ତ ଶିଥିଳ ହୁଏ । ନଥାପି ସେ କୁନି ପୁଅ ମାଆ କୋଳରେ ହଜିଯିବା ପରି ବିନୀତା କୋଳରେ ହଜିଯିବାକୁ ଚାହେଁ । କିଛି ସମୟ ପରେ ବିନୀତା ଉଠି ଚାଲିଯାଏ । ଲୁଚି ଲୁଚି ରଞ୍ଜନ ଝରକା ଫାଙ୍କରେ ବିନୀତା ମୁହଁକୁ ଚାହେଁ । ଶୁଭ୍ର ଶରତର ପୂର୍ଣ୍ଣମୀ ଚାନ୍ଦପରି ଝଟକି ଉଠେ ବିନୀତାର ମୁହଁ । ରଞ୍ଜନ ନିଜକୁ ନିରୀକ୍ଷଣ କରେ, ମନ ଭିତରେ କିଛି କାଳିମା ଥିବା ପରି ସେ ଅନୁଭବ କରେ । ନିଜକୁ ସେ ଖୁବ୍ ଛୋଟ ବୋଲି ମନେକରେ । ବିନୀତା ଚାଲିଯାଇ ସାରିଥାଏ । ମାତ୍ର ଝରକା ପାଖରେ ଛିଡ଼ାହୋଇ ଧ୍ୟାନସ୍ଥ ହୁଏ ରଞ୍ଜନ । ତା ଆଖି ଆଗରେ ଭାସିଉଠେ—ଆଖଣ୍ଡଳମଣିଙ୍କର ସେହି ହସିଲା ମୁଖମଣ୍ଡଳ । କାନ ପାଖରେ ଗୁଞ୍ଜରି ଉଠେ—ଏଇ ମଣିଷ ନିକଟରେ ସବୁଅଛି । କେହି କାହାରିକୁ କଳଙ୍କ କାଳିମାରେ ଲିପ୍ତ କରିପାରେ ନାହିଁ । ମନ ନିର୍ମଳ ଥିଲେ ଗୋବର ଗାଡ଼ିଆ ଗଙ୍ଗା ଜଳ ପରି ପ୍ରତୀୟମାନ ହୁଏ । ସେ ନିଜକୁ ସଂଯତ କରେ, ନିମିଷକ ପାଇଁ ତାର ଓଠରେ ହସ ଖେଳିଯାଏ ।

 

ଦିନେ ଦିନେ ସଂଧ୍ୟାବେଳେ ରଞ୍ଜନ ରୁକୁଣା ମା’ ଘରକୁ ଯାଏ । ଏହି ରୁକୁଣା ମା’ର ପୁଅଟିଏ ଝିଅଟିଏ ବ୍ୟତୀତ ଆଉ କେହି ନାହିଁ । ଝିଅଟି ବାହା ହୋଇଯାଇଛି । ରୁକୁଣା ମାର ପୁଅ ମଧୁ ସହିତ ରଞ୍ଜନର ଭାରି ସାଙ୍ଗ । ଦୁଇଜଣ ସାଙ୍ଗ ହୋଇ ବିଲରେ ଖଟନ୍ତି । ଏକା ସାଙ୍ଗରେ ବି ଖାଆନ୍ତି, ଖେଳନ୍ତି, ସୁଖଦୁଃଖ ହୋଇଥାନ୍ତି । ରାଣ୍ଡ ଛେଉଣ୍ଡ ଲୋକ ଏହି ରୁକୁଣା ମା । କାହାରି ମନ୍ଦ ଚିନ୍ତା କରେ ନାହିଁ । ବରଂ ପର ପିଲାକୁ ଆପଣାର କରେ । ସମସ୍ତଙ୍କ ସହ ମିଳିମିଶି ଆନନ୍ଦରେ ଜୀବନ ବିତାଏ । ଗାଆଁ ମଝିରେ ରୁକୁଣା ମା’ ଘର । ପ୍ରତିଦିନ ସନ୍ଧ୍ୟାବେଳେ ସାହିର କେତେକ ପୁଅ ଝିଅ, ରାଣ୍ଡ ଛେଉଣ୍ଡ ଲୋକ ସେଠାରେ ଏକତ୍ରିତ ହୋଇ ତାସ ଖେଳ, ଲୁଡ଼ୁଖେଳ—ନ ହେଲେ ବିଭିନ୍ନ ସୁଖଦୁଃଖ ଆଲୋଚନାରେ ନିମଗ୍ନ ରହନ୍ତି । ରଞ୍ଜନ ଘରେ ରହିବା ଦିନରୁ ସନ୍ଧ୍ୟାବେଳେ ରୁକୁଣା ମା ଘରକୁ ଯାଇ ତାସ ଖେଳେ । ବିନୀତା ମଧ୍ୟ ଆସେ । ବିନୀତାକୁ ସମସ୍ତେ ଭୟ କରନ୍ତି । ତେଣୁ ବିଶେଷ ଭାବରେ ତା ସହିତ କେହି ହାସ ପରିହାସ କରନ୍ତି ନାହିଁ । ଯେତେକ ଅଧାବୟସୀ ବିଧବା ସ୍ତ୍ରୀ ଲୋକ ସେମାନେ ସାଧାରଣତଃ ଅନ୍ୟ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଚାହିଁଥାନ୍ତି । ସେମାନଙ୍କର ଧାରଣା ଯେ ସେମାନେ ସଂସାର ବିଷୟରେ ଅଭିଜ୍ଞ । ତେଣୁ ସେମାନେ ଯାହା କହିବେ ତାହା ଠିକ୍ । ତେଣୁ ପ୍ରତ୍ୟେକ ଘରକୁ ବୋହୂ ଆସିଲେ କିମ୍ବା କାହାରି ଘରେ କିଛି ଝଗଡ଼ା ଲାଗିଲେ ଏହି ବିଧବା ସ୍ତ୍ରୀ ଲୋକମାନେ ହିଁ ସେଥିରେ ମଧ୍ୟସ୍ଥତା କରିଥାନ୍ତି । କାହାରି କଥା କିଛି ସେମାନେ ବୁଝନ୍ତୁ ବା ନ ବୁଝନ୍ତୁ, ଘଟଣା ସେମାନେ ଜାଣନ୍ତୁ ବା ନ ଜାଣନ୍ତୁ, ଯେଉଁ ପାଖ ଟିକେ ଉତ୍ତ୍ୟକ୍ତ ଜଣାପଡ଼େ ସେହି ପାଖକୁ ଢଳି ଯାଆନ୍ତି । ଦୁର୍ବଳକୁ ଛି ଛାକର କରି ଭୁଲ୍ ମଗାନ୍ତି । କଳି ତୁଟେ—ସେମାନେ ବାହାବା ପାଇଥାନ୍ତି, ପାନଖଣ୍ଡେ, ଦୋକ୍ତା ମେଞ୍ଚାଏ ଅଣ୍ଟିରେ ଗୁଞ୍ଜି ଘରକୁ ଆସନ୍ତି । ଗାଁର ଅନୁଢ଼ା କିଶୋରୀଙ୍କର ଏମାନଙ୍କୁ ଭୟ କହିଲେ ନ ସରେ । ଚାଲିଗଲାବେଳେ ଏମାନେ ରୋକି ଦିଅନ୍ତି, ଚାହିଁ ଦେଲା ବେଳେ ଥଟ୍ଟା କରନ୍ତି—କେହି ତାଙ୍କ କଥାରେ ଉତ୍ତର ଦିଏନାହିଁ । ଉତ୍ତର ଦେଲେ ମହାମୁସ୍କିଲ । ସାଇ ପଡ଼ିଶାରେ ଘର କରିଥିଲେ ମାଆ ମାଉସୀ ହୋଇ ଆମେ ପିଲାମାନଙ୍କୁ କହିବୁ ନାହିଁ ତ ଆଉ କିଏ କହିବ କହି ଉପଦେଶ ଦିଅନ୍ତି । କାହାରି ଉପରେ ରାଗିଗଲେ–ପୋଖରୀ ତୁଠରେ ହେଉ କି କାହାରି ମେଲାରେ ହେଉ, ଆଳାପ ଆଲୋଚନାରେ ବସିଯାଆନ୍ତି । ଅମୁକ ଝିଅ ଉପର ମୁହିଁଟାଏ, ମ, ସମୁକ ଝିଅ ଭାରି ଜାଣି ସିଆଣୀ-। ଘଇତାଙ୍କୁ ଦେଖିବା ଲାଗି ମନ ଖାଲି ଛଟ୍ ପଟ୍, ଟୋକା ଦେଖିଲେ ହସୁଥାଏ ଫଟ୍ ଫଟ୍ ଚାଲେ ପୁଣି ଚଟ୍ ଚଟ୍, କି କାଳ ହେଲା ଲୋ ମା’, ଧରମ ଛାଡ଼ିଲା, ଏତେ ବଡ଼ ମରୁଡ଼ି ପଡ଼ୁଛି କାହିଁକି ? ବସୁଧା ମା’ ଆଉ ସହିପାରୁ ନାହିଁ । ତେଣୁ ଏମାନଙ୍କ ଆଲୋଚନାର ଶରବରୁ ବର୍ତ୍ତିବାପାଇଁ ଝିଅମାନେ ରାଣ୍ଡଛେଉଣ୍ଡ ଲୋକଙ୍କ ସଙ୍ଗରେ ପ୍ରିୟ ଲଗାନ୍ତି, ଲୁଚେଇ ଚୋରେଇ ସେମାନଙ୍କ ଚାଉଳ ମାଣେ କି, ବଢ଼ି ପୁଞ୍ଜାଏ ଦେଇଥାନ୍ତି । କିନ୍ତୁ ମାନେନାହିଁ ଏହି ବିନୀତା । ସଙ୍ଗେ ସଙ୍ଗେ ଉତ୍ତର ଦେଇଦିଏ । ସେ ଦିନ ଶଙ୍କରା ମା କହିଦେଲା—ଆଲୋ ବିନୀ ଘଇତାସାହିକୁ ଯିବାପାଇଁ ସଜ ହେଉଛୁ ନା କଣ ବା ? ସଙ୍ଗେ ସଙ୍ଗେ ବିନୀତା କହିଲା—ମୁଁ କାହିଁକି ଘଇତା ସାହିକି ଯିବି ମ’, ତୁ ମୋ ଘଇତା ସାହିକି ଯାଉନୁ ? ଉପସ୍ଥିତ ବୋହୂ ଭୁଆସୁଣୀମାନେ ହସିଦେଲେ-। ଶଙ୍କରା ମା’ ମୁହଁ କଳା ପଡ଼ିଗଲା । ତଥାପି ସେ ଛାଡ଼ିବା ଲୋକ ନୁହେଁ । ରାଜା ଝିଅକୁ ଉତ୍ତର ଦେବା ଲୋକ ସେ । ତେଣୁ ହସି ହସି ବିଦ୍ରୂପ କରି କହିଲା—ଆମର କଣ ଆଉ ବଳ ବୟସ ଅଛି-। ତମେ ସଜ ଫୁଲ ଲୋ ଖାଲି ମହମହ ବାସୁଚ । ଭଅଁର ଗୋଡ଼ାଇବେ । ବିନୀତା କହିଲା କାହିଁକି ତମ ଫୁଲ କଣ ମଉଳି ଗଲାଣି ନା କ’ଣ ମ’ ? କାହିଁ ଚେହେରାରୁ ତା ଜଣା ପଡ଼ୁନି । ଭଅଁରକୁ ଡାକି ପରୀକ୍ଷା କରୁନାହ ।

 

ଶଙ୍କରା ମାଆ ଏଥର ଖୁବ୍‍ ରାଗିଗଲା । କହିଲା, ତୋତେ ଟିକେ ଲାଜ ଲାଗୁନାହିଁ ? ବେହିଆଣୀଟା କେମିତି ଘରକରିବୁ ଲୋ ? ବିନୀ କହିଲା ମୋ ଘର ତୁ କରିଦେବୁଲୋ; ମୋତେ କାହିଁକି ଲାଜ ମାଡ଼ିବ ମ ? ମୁଁ କାହିଁକି ବେହିଆଣି ହେବି ? ମୁଁ ତ ଆଉ ଘଇତାକୁ ଛାଡ଼ି ଆଉ କାହା ସଙ୍ଗରେ ଚାଲି ଯାଇନି । ଉପସ୍ଥିତ ବୋହୂ ଭୁଆସୁଣୀଙ୍କୁ ହସିବାର ଗୋଟେ ଖୋରାକ ମିଳିଗଲା । ସେମାନେ ବହେ ହସିଲେ, କିଏ ବା ହସୁ ହସୁ କାନ୍ଦି ପକାଇଲା । କିଏ ବା ପାଟିରେ ଲୁଗା ଦେଇ ହସୁ ହସୁ ଖେଁ ଖେଁ ହୋଇ କିଛି ସମୟ ଯାଏ କାଶି ଉଠିଲା । କାହାର ପେଟ କାମୁଡ଼ି ଧରିଲା ଯେ ସେ ପେଟକୁ ଦୁଇହାତରେ ମୁଠାଇଧରି ରହି ରହି ହସିଲା । ଶଙ୍କରାମା’ ମୁହଁ କଳାପଡ଼ିଗଲା । ମନେପଡ଼ିଲା ବିଗତ କୋଡ଼ିଏ ପଚିଶ ବର୍ଷ ତଳର କଥା । ସେତେବେଳେ ସେ ନୂଆ ବାହାହୋଇ ଆସିଥାଏ । ସ୍ୱାମୀ ତାର ବିଦେଶରେ ଥାଆନ୍ତି । ବାହା ହେବାର ସାତ ଦିନ ପରେ ସ୍ଵାମୀ ବିଦେଶ ଗଲେ ଯେ ପ୍ରାୟ ବର୍ଷକ ଯାଏ ଆଉ ଫେରିଲେନାହିଁ । ଶଙ୍କରା ମା’ ମନ କାନ୍ଦିଉଠିଲା । ଶାଶୁ ଶଶୁରଙ୍କ ଗଞ୍ଜଣା କହିଲେ ନ ସରେ । ଆଖି ଆଗରେ ଭାସିଉଠିଲା ବାପ ଘରର ସ୍ନେହ ମମତା ଦୃଶ୍ୟ । ସେ ଅଥୟ ହେଲା । ବାପଘର ଯିବାଲାଗି ମନ ଛଟପଟ ହେଲା । ତା ବାପଘର ଗାଆଁ ରୁ ପାନ ବେପାରି ରଘୁଆ ସାଥିରେ ଦିନେ ସନ୍ଧ୍ୟାବେଳେ ଲୁଚି ଲୁଚି ସେ ପଳାଇ ଯାଇଥିଲା । ସ୍ଵାମୀ ଶୁଣିଲେ । ରାଗରେ ଜଳିଲେ, ଘରକୁ ନ ଆଣିବାପାଇଁ ଜିଦ୍ ଧରି ବସିଲେ । କେତେ କାଣ୍ଡକାରଖାନାପରେ ସେ ତାକୁ ଘରକୁ ଆଣିଲେ । ସମୟର ଆବର୍ତ୍ତନରେ ସେ କଥା ଧୀରେ ଧୀରେ ଲୁଚି ଲୁଚି ଯାଇଥିଲା । ସେତେବେଳେ ବିନୀତା ଜନ୍ମ ହୋଇ ନ ଥିଲା । ସେ ପୁଣି ଜାଣିଲା କିପରି ? ତାକୁ ଆଜି ଖୁଣ୍ଟା ଦେବାକୁ ସୁବିଧା ହେଲା । ଶଙ୍କରା ମା’ ଦେଖିଲା କଥା ବଢ଼ାଇଲେ ବଢ଼ିବ ପଛେ ଛାଡ଼ିବ ନାହିଁ । ସେ ମନେ ମନେ କେତେ ପ୍ରକାର ଅପଶାଇପ ଦେଇ ଗରଗର ହୋଇ ଉଠି ଚାଲିଗଲା । ସେହି ଦିନରୁ ବିନୀତାସହ ତାର ପଡ଼େ ନାହିଁ । ବିନୀତା କଥାରେ ସେ ବେଶୀ କଥା କହେନାହିଁ ।

 

ସେହି ଶଙ୍କରା ମାଆର ନାତି ହିସାବ ହେବ ରଞ୍ଜନ । ଶଙ୍କରାମା’ ରଞ୍ଜନକୁ ବାଟରେ ଘାଟରେ ନାନାଦି ପରିହାସ କରେ । ରଞ୍ଜନ କିଛି କହେନାହିଁ, ହସିଦେଇ ଚାଲିଯାଏ । ଦିନେ ରଞ୍ଜନ ଚାଲିଯାଉଥିବାବେଳେ ଶଙ୍କରା ମା’ ପଛରୁ ହସି ହସି କହିଲା—କଣ ଡାକିନୀଖିଆ କୁଆଡ଼େ ଯାଉଛ । ରଞ୍ଜନ ଚମକିପଡ଼ିଲା । ମନରେ ରାଗ ଜାତ ହେଲା, ଇଚ୍ଛାହେଲା—ଦୁଇପଦ ଶୁଣାଇ ଦେବାକୁ, ସେ କାହିଁକି ତାକୁ ଡାକିନୀଖିଆ ବୋଲି କହିବ ? ସେଦିନ ମଧୁଆ ମା ନିଧିଆକୁ ଏହିପରି ଗାଳି ଦେଇଥିଲା ବୋଲି ନିଧିଆ ତାକୁ ନାନା ଖରାପ କଥା କହି ଠେଙ୍ଗାଧରି ପିଟିବାକୁ ଗୋଡ଼ାଇଥିଲା । ମାତ୍ର ସେ ଆଜି କିଛି କହିପାରିଲା ନାହିଁ । କହିଲେ, ଶଙ୍କରାମା’ କହିବ—ସେ ମୋର ନାତି ହେବବୋଲି ଗେଲରେ କହୁଥିଲି । ତା’ହେଲେ ମଧୁଆମା କଣ ଗେଲରେ କହୁ ନ ଥିଲା ? ମଧୁଆମା’ କହିବାବେଳେ ଏପରି ହସିକରି କହି ନ ଥିଲା । ନାଗୁଣୀ ପରି ଫଁ ଫଁ ଗର୍ଜନ କରିଥିଲା—ସେଇଟା ହେଲା ତାର ବଡ଼ ଦୋଷ । ଲୋକେ ଯଦି ଏହିପରି ମୋଟେ ଆଖି ନ ତରାଟି, ମୁହ ଫଣ ଫଣ ନ କରି, ହସି ହସି କହନ୍ତି ତା ହେଲେ ଅନେକ କିଛି ତ ମନର କଥା କହି ନିଜର ଭୁଲିଯାଏ କାହିଁକି ? ଭାରି ବାଧିଥିଲା ସେ ଦିନ ରଞ୍ଜନକୁ । ପଛରେ ଶୁଣିଲା ଦୁଇଜଣ ସ୍ତ୍ରୀ ଲୋକ ଶଙ୍କରା ମା’କୁ କହିଥିଲେ ଏମିତି ପୁଅଟାକୁ କହନ୍ତି ? ତୋତେ ମରଣ ହେଉ ନାହିଁଲୋ ଶଙ୍କରା ମା’ । ଶଙ୍କରା ମା ହସି ହସି କହିଥିଲା ମୋତେ ମରଣ ହେଲେ ରଞ୍ଜୁକୁ ଆଉ କିଏ ବାହା ହବ ଲୋ ? ରଞ୍ଜୁ ପୁଣି ରାଣ୍ଡିଆ ହୋଇଯିବ । ରଞ୍ଜନ ଶଙ୍କରା ମା’ କଥାରେ ଆହତ ହୋଇଥିଲେ ସୁଦ୍ଧା ତାର ଶେଷ ଦୁଇପଦ କଥାରେ ଲଜ୍ଜିତ ହୋଇ ହସିଦେଇ ଚାଲି ଯାଇଥିଲା । ତଥାପି ମନରେ ଭାବେ—କାହିଁକି ଶଙ୍କରା ମା ତାକୁ ଏପରି କହେ । ସେ କେତେ ସାହାର୍ଯ୍ୟ ନ କରେ ମା ପୁଅକୁ । ସେ ଦିନ ସେମିତି ଶଙ୍କର ହାଟରେ ଚା’ଜଳଖିଆ ଖାଇସାରି ପଇସା ଦେବା ବେଳକୁ ଆଠ ଅଣା ପଇସା ଅଭାବ ପଡ଼ିଲା । ଦୋକାନୀ ତାର ସଉଦାପତ୍ର ଛଡ଼ାଇ ରଖିଲା । ରଞ୍ଜନ ହାଟକାମ ଯାଇ ଫେରୁଥିବା ସମୟରେ ଶଙ୍କରାର କାନ୍ଦ କାନ୍ଦ ମୁହଁ ଦେଖି ସମସ୍ତ କଥା ପଚାରି ବୁଝିଲା । ଶେଷରେ ପକେଟରୁ ଆଠଅଣା ପଇସା ଦେଇ ତାର ଜିନିଷପତ୍ର ଫେରାଇ ଆଣିଲା । ଆଉ କେଉଁଦିନ ଯଦି ଘରେ ଚାଉଳ ନ ଥାଏ କି ପରିବା ନ ଥାଏ ଏଇ ଶଙ୍କରା ମା କାନ୍ଦ କାନ୍ଦ ହୋଇ ରଞ୍ଜନକୁ ଏକୁଟିଆ ଡାକି ଚାଉଳ ମାଣେ କି ପଇସା ଆଠଅଣା ପାଇଁ କେତେ ନାଉଲୀ ଛାଉଲୀ ହୁଏ । ରଞ୍ଜନ ତାର ବିକଳ ସହି ନ ପାରି ମାଆକୁ ଲୁଚାଇ ତାକୁ ସାହାର୍ଯ୍ୟ କରେ । ତଥାପି ଏକଥା ତ କାହିଁ ଶଙ୍କରା ମା’ କେବେ ଭାବେ ନାହିଁ । ବରଂ ଲୋକଙ୍କ ଆଗରେ ନିଜକୁ ବଡ଼ ବୋଲି ଦେଖାଏ, ନାନାକଥା କହେ । ମାତ୍ର ବିନୀତା ଆଗରେ ରଞ୍ଜନକୁ କେହି ସମାଲୋଚନାକଲେ ସେ ସହିପାରେ ନାହିଁ । ସେ ପ୍ରତିବାଦ କରେ । କଥାଟା ହସରେ ହସରେ ସିନା ଉଡ଼ିଯାଏ, ମାତ୍ର ବାଦୀ ପ୍ରତିବାଦୀଙ୍କ ଅନ୍ତର ଈର୍ଷାରେ ଜଳି ଉଠେ । ଦିନେ ଏହିପରି ତାସଖେଳୁ ଖେଳୁ ରଞ୍ଜନ କହିଲା ଶୁଣିଛି—ଆର ଗାଁରେ କାଲି ଏମିତି ଗଣ୍ଡଗୋଳ ହେଲା ସେ ବାବାରେ ବାବା କଣ କହିବି ? ନିମିଷକେ ଯେମିତି ପୃଥ୍ୱୀ ପ୍ରଳୟ ହୋଇଯିବ । ମୁଁ ହଳସାରି ଫେରୁଥାଏ ମାଟି ଶୁଣି ସେ ଗାଆଁ ଆଡ଼େ ଗଲି । ଦେଖିଲ, ଦଳେ ଠେଙ୍ଗା ଉଞ୍ଚାଇ ମାଲକଛା ଭିଡ଼ି ଏ ପାଖରେ ନାଚୁଛନ୍ତି ତ ସେ ପାଖରେ ଦଳେ ମୁଣ୍ଡରେ ଠେକାଭିଡ଼ି, ଦେହରେ ପାଉଁଶ ନାଚୁଛନ୍ତି ତ ସେ ପାଖରେ ଦଳେ ମୁଣ୍ତରେ ଠେକାଭିଡ଼ି, ଦେହରେ ପାଉଁଶ ବୋଳିହୋଇ ତେଣ୍ଟା, ସୁଆଁତି ଧରି ଆସବେ ଆସବେ କହି ଚିତ୍କାର କରୁଛନ୍ତି । ରଞ୍ଜନର ଏକଥା ଶୁଣି ହସିଦେଇ ଶଙ୍କରା ମା କହିଲା ଯୋଗିନୀଖିଆ ତୋ ତାଳୁରେ ପାହାର ବସିଲା ନାହିଁ ? ବିନୀତା ଚଟକିନା କଥାକୁ ଧରି ପକାଇ କହିଲା–କାହିଁକି ବସିବ ? ଭଲ ଶୁଭ ମନାସୁଚୁଲୋ । ତୋ ମୁଣ୍ଡରେ ବସୁନାହିଁ ? ଶଙ୍କରା ମା ରାଗିଯାଇ କହିଲା–ମୁଁ ତାକୁ କହିଲି ତୋର କଣ ହେଲା । ତୁ କାହିଁକି ବାହାରି ପଡ଼ିଲୁ ? କାହିଁକିନା ତୋର କଣ ମୁଁ ଶହେ ପଚାଶ ଖାଇଛି କିଲୋ ? ତୁ କାହିଁକି ଏମିତି ସବୁ କଥାରେ ବାହାରିବୁ ବା ? ଆଲୋ ପୁତୁଖାଇ ଝିଅ କହ, କହ, ୟା’ର ଉତ୍ତର ଦେ । ଶଙ୍କରା ମାଆ ପାଗିଳୀଙ୍କ ପରି ଚିତ୍କାର କରି ଉଠିଲା । ସମସ୍ତେ ତା ମୁହଁକୁ ଚାହିଁ ରହିଲେ । ବିନୀତା କିଛି କହି ପାରିଲା ନାହିଁ । କଣ ସେ କହିବ ? ରଞ୍ଜନ ତାର କିଏ ? କାହିଁକି ସେ ତାହାଲାଗି ପ୍ରତ୍ୟୁତ୍ତର ଦେଲା ? ସମସ୍ତେ ହୁଏତ ଏହିକଥା ଧରି ବସିବେ । ଜାଣୁ ଜାଣୁ ସେ ଭୁଲ କରି ବସିଚି । କି ଉତ୍ତର ସେ ଦେବ ? ଆଖି ତା’ର ଛଳ ଛଳ ହୋଇ ଉଠିଲା । ଭଞ୍ଜନ ପରିସ୍ଥିତି ବୁଝି ପାରିଲା । ବିନୀତାର ଅପମାନକୁ ସେ ସହ୍ୟ କରି ପାରିଲାନାହିଁ । ସେ ଚିତ୍କାର କରି ଉଠିଲା । ସମସ୍ତେ ନୀରବ ହୋଇଗଲେ । ରଞ୍ଜନ ଶଙ୍କରା ମା’କୁ ଟାଣ ଟାଣ କରି କହିଦେଲା–ଦେଖ, ତମ ବ୍ୟବହାର ଆଦୌ ଭଲ ନୁହେଁ । ତମେ କାହିଁକି ସବୁବେଳେ ମୋତେ ଏମିତି କୁହ ? ତମେ କଣ ମୋତେ କାଠର ଖେଳଣା କରି ପାରିଛ ? ତମ କଥା ଗୁଡ଼ାକ ମତେ ଭଲ ଲାଗେ ନାହିଁ ? ଏଣିକି ବୁଝି ଶୁଝି କଥା ବାର୍ତ୍ତା କର । ନ ହେଲେ ପରିସ୍ଥିତି ଭଲ ହେବ ନାହିଁ । ଶଙ୍କରା ମା’ କିଛି କହି ପାରିଲା ନାହିଁ । ସେ କାନ୍ଦି କାନ୍ଦି ହୋଇ ଉଠି ଚାଲିଗଲା । ଖେଳ ବନ୍ଦ୍ ହେଲା । ସମସ୍ତେ ନିଜ ନିଜ ଘରକୁ ୟା’ନାଁରେ ତା ନାଆଁରେ ସମାଲୋଚନା କରୁ କରୁ ଉଠି ଚାଲିଗଲେ ।

 

ରଞ୍ଜନ ଦିନେ ରୁକୁଣା ମା ନାତିଠାରୁ ଶୁଣିଲା ଯେ ତା ନାଆଁରେ କଣ ସବୁ ଆଲୋଚନା ହେଉଛି । ରଞ୍ଜନ ଘଟଣାଟା କଣ ଜାଣିବାଲାଗି କୌତୁହଳୀ ହୋଇଉଠିଲା । ରୁକୁଣାମା’ ନାତି ଚାରି, ପାଞ୍ଚ ବର୍ଷର ପିଲାଟାଏ, ସେ ବେଶି କିଛି କହି ପାରୁନାହିଁ । କେବଳ କହୁଛି—କାଲି ଦ୍ୱିପ୍ରହରରେ ବିନୀତା ଏବଂ ତା କଥା ପଡ଼ିଥିଲା । ରଞ୍ଜନ ତାକୁ ପଚାରିଲା, ହଇରେ ଟୁନିଆ ସେଠି କିଏ କିଏ ଥିଲେ ?

 

ଟୁନିଆ କହିଲା ମୋ ଆଇ, ଶଙ୍କରା ମାଆ, କୁନାବୋଉ, ନିଧିଆ ବୋଉ ଥିଲେ ।

 

ରଞ୍ଜନ ଚମକି ପଡ଼ିଲା—ଏ କୁନା ବୋଉ ? ତା ମା ତାହେଲେ ତା ବିରୋଧରେ ଭିତରେ ଭିତରେ ଏପରି ଲାଗିଛି ? କିଛି ବୁଝି ପାରିଲା ନାହିଁ ରଞ୍ଜନ । ସନ୍ଧ୍ୟାବେଳେ ରୁକୁଣା ମା’ ପାଖରେ ପହଞ୍ଚିଲା । ଘରେ କେହି ନାହିଁ । ରୁକୁଣା ମା’ ସଞ୍ଜଦେଇ ଆସି କହିଲା—ତୁ କେତେବେଳେ ଆସିଲୁରେ ପୁଅ । ହଉ ବସ । ମଧୁ ତା ଭଉଣୀ ଘରକୁ ଯାଇଛି । ଏଇନେ ଫେରିବ ।

 

ରଞ୍ଜନ କହିଲା ମାଉସୀ ଗୋଟିଏ କଥା ପଚାରିବି ସତ କହିବ ? ରଞ୍ଜନ କଥା ଶୁଣି ଉତ୍କଣ୍ଠିତ ଭାବରେ ରୁକୁଣାମା’ କହିଲା କଣରେ ପୁଅ ?

 

ମାଉସୀ ଦେଖ୍ ମଧୁ ଯେପରି ତୋ ପୁଅ, ମୁଁ ବି ସେପରି ତୋ ପୁଅ । ତେଣୁ ମୋ ପାଖରେ କିଛି ଲୁଚାଇବୁ ନାହିଁ । କାଲି ମୋ ବିଷୟରେ କି କଥା ପଡ଼ିଥିଲା କହ ।

 

ରୁକୁଣା ମା ରଞ୍ଜନକୁ ଭାରି ଭଲପାଏ । ମଧୁ ଏବଂ ରଞ୍ଜନ ଦୁଇ ଭାଇ ପରି ଚଳନ୍ତି । ତେଣୁ ରୁକୁଣା ମା’ ଟିକେ ଚାରିଆଡ଼କୁ ଚାହିଁଦେଇ ଧୀରେ ଧୀରେ କହିଲା ତୋ ମାଆ କୁନା ବୋଉ ଆଉ ଶଙ୍କରା ମା’ତ ବେଶୀ ତୁମରି କଥା ପକାଇଥିଲେରେ ପୁଅ । ନିଧିଆ ବୋଉ କହିଲା ତୁ ଆଉ ବିନୀ କୁଆଡ଼େ ସେଦିନ ସଞ୍ଜବେଳେ ଆମ୍ବତୋଟାରେ ବସିଥିଲ—ସେ ଗଲାରୁ ତୁମେ ଦୁହେଁ ଉଠି ଚାଲିଗଲ । ଶଙ୍କରା ମା’ କହିଲା—ବିନୀ କୁଆଡ଼େ ତୋ ପାଖକୁ ଚିଠି ଦିଏରେ ପୁଅ, ସେ କୁଆଡ଼େ ଖଣ୍ଡିଏ ପାଇବି । କୁନା ବୋଉ—କହିଲା ତମେ ଦୁହେଁ କୁଆଡ଼େ ଘର ଭିତରେ ପଶି କବାଟ କିଳି ହି ହି ହୁଅ । ଶଙ୍କରା ମାଆ କହିଲା—ରଞ୍ଜୁର ଏଥିରେ କିଛି ଦୋଷ ନାହିଁ । ସେଇ ବୁଢ଼ୀମାଙ୍କିଡ଼ି ବିନୀ ତାକୁ ପାଇଲେ ପକାଇଛି । କୁନା ବୋଉ କହିଲା—ତମେ କିଛି ଜାଣନା’ ଗୋ ଜେଠା—ଏ ଟୋକାଖଣ୍ଡକ ଆମର କମ୍ ନୁହେ । ସାକ୍ଷାତ୍ କୃଷ୍ଣ । ନିଧିଆ ମା’ କହିଲା—ବେଶ୍ ବେଶ୍ “ଏ କୃଷ୍ଣ, ସେ ରାଧା; ମିଳନ ପାଇଁ ନାହିଁତ ବାଧା” ସମସ୍ତେ ହସିଲେ । କୁନା ବୋଉ କହିଲା—ତମେ ଚନ୍ଦ୍ରାବଳୀ ହଉନା ଗୋ ଜେଠା ।

 

ମଲା ମୋର ମୁଁ କିଆଁ ଚନ୍ଦ୍ରାବଳୀ ହେବି ମ ? ମୋର କଣ ଆଉ ବଳ ବୟସ ଅଛି ?

 

ଆଉ କିଛି ଶୁଣି ପାରିଲା ନାହିଁ ରଞ୍ଜନ । ମୁଣ୍ଡରେ ଯେପରି ତାର ବଜ୍ର ପଡ଼ିଲା ପରି ଲାଗିଲା । ସ୍ୱପ୍ନେଶ୍ୱର ଦାସଙ୍କ ଲିଖିତ ଗୋଟିଏ ଧାଡ଼ି ମନେପଡ଼ିଲା

 

“ଏକ ରାଣ୍ଡ, ଦୁଇ ରାଣ୍ଡ

ତିନି ରାଣ୍ଡରେ କମ୍ପେ ବ୍ରହ୍ମାଣ୍ଡ ।”

 

ଏ ରାଣ୍ଡମାନେ ଏକ ହେଲେ ତ କୁଆକୁ ଛୁଆ କରି ଉଡ଼େଇ ଦେବେ । କଳାକୁ ଧଳା କରିଦେବେ । ବିଭିନ୍ନ କଥା ଉଠେଇବେ । ମିଛକୁ ସତ କରିବେ । କହିଲେ କହିବେ—ଗୋଟେ ହାତରେ ତାଳି ବାଜେ ନାହିଁ ମ । ନିଆଁ ନଥିଲେ କେଉଁଠି ଧୂଆଁ ଉଠିଲାଣି ? ସଭିଏଁ ବିଶ୍ଵାସ କରିବେ । ଅଶିକ୍ଷିତ ପଲ୍ଲୀବାସୀ ଧର୍ମଭୀରୁ ହେଲେ ମଧ୍ୟ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଏତିକି । ସେମାନେ କୋର୍ଟ ଜାଣନ୍ତି ନାହିଁ, କଚେରୀ ଜାଣନ୍ତି ନାହିଁ । ତାଙ୍କ କୋଟ ଷଣ୍ଢ ଲାଙ୍ଗୁଳ, ତାଙ୍କ କୋର୍ଟ ଦେବତା ମନ୍ଦିର, ତାଙ୍କ ଉଦାହରଣ ଗ୍ରାମ୍ୟ ପ୍ରବଚନ । ଏତକ ହିଁ ଯଥେଷ୍ଟ । ଏଇଥିରେ କଳିମେଣ୍ଟେ ଲୋକେ ଘର ସଂସାର କରି ସମୟ ଅତିବାହିତ କରନ୍ତି । ରଞ୍ଜନର ଦେହ ଥରି ଉଠିଲା । ତା’ପରେ ସେ ମନକୁ ସାନ୍ତ୍ୱନା ଦେଇ କହିଲା—ମୁଁ ସିନା ଦୋଷ କରିଥିଲେ ମୋ ଗୋଡ଼ରେ କଣ୍ଟା ପଶିବ । ମୁଁ ତ କେବେ ଭୁଲ କାମ କିଛି କରିନାହିଁ । ଅସାମାଜିକ କର୍ମ କରିବାକୁ ଆଗ୍ରହୀ ହୋଇନାହିଁ, ତେବେ ଭୟ କରିବି କାହିଁକି ? କାହାର ଆଲୋଚନା ପ୍ରତି କାନ ଦେବି କାହିଁକି ? ସେହି ଈଶ୍ୱର ଏହାର ବିଚାର କରିବେ । ରୁକୁଣା ମା କହିଲା ତା ନୁହେଁ ଆଉ କଣ ପୁଅ । କିନ୍ତୁ ଏ ମଣିଷ ବୁଝେନା ରେ । ସଭିଙ୍କ ଆଖିରେ ମାୟାପୁଟୁଳା ବନ୍ଧା ହୋଇଛି ରେ । ସେଇଥିପାଇଁ ମନି ଶାଗଖିଆକୁ ପେଜଖିଆ ଦେଖିପାରେନାହିଁ । ତୁ ସେଥିପାଇଁ ଭାବନା କରନା ପୁଅ । ସେ କଥା ଉପରେ ଛେପ ପକାଇ ଦେ । ସୁନାକୁ ନିଆଁରେ ପକାଇ ପକାଇ ତାକୁ ପରଖ କରିବାପରି ଦୁଃଖ ପରେ ଦୁଃଖ ଦେଇ ଭଗବାନ ମଣିଷକୁ ପରଖ କରନ୍ତି । ଦଳେ ନିନ୍ଦା ନ କଲେ ଭଲ ମଣିଷ ବାହାରିବେ ନାହିଁ । ସବୁ ସହିଯା ପୁଅ, ଭବିଷ୍ୟତରେ ସୁଖ ପାଇବୁ । ରଞ୍ଜନ କହିଲା, ହଉ ଭଗବାନଙ୍କର ଯାହା ଇଚ୍ଛା ଥିବ ତାହା ହେବ । ତାପରେ ଉଠି ଆସିଲା ରଞ୍ଜନ ।

 

ଏହା ମଧ୍ୟରେ ଦୁଇ ତିନି ମାସ ଅତିବାହିତ ହେଇଗଲାଣି । ରଞ୍ଜନ ଅତୀତର ଆଲୋଚନାକୁ ଭୁଲିଗଲାଣି । ପୂର୍ବପରି ତାର ଜୀବନ ବିତାଇବାରେ ଲାଗିଛି । ସବୁ ସମୟରେ କାମ ପରେ କାମ ଲାଗି ରହିଛି । ଆଜି ବଳଦଙ୍କ ପାଇଁ ଘାସ ନାହିଁ ତ ଘାସକାଟି ଯାଆ, କାଲି ଧାନ ଭଙ୍ଗା ହେବାପାଇଁ ଭଲକୁ ନେବାକୁ ପଡ଼ିବ, ବିଲରେ ପାଣି ଶୁଖିଲାଣି ଧାନଗଛ ମରିଯିବ । ତେଣୁ ରାତି ଥାଉଁ ଥାଉଁ ଯନ୍ତ ନେଇ ପାଣି ବୋହିବାକୁ ପଡ଼ିବ । ନଇପାଖ କିଆରୀଗୁଡ଼ିକରେ ପାଣି ରହୁ ନାହିଁ, ତେଣୁ ଉଚ୍ଚାକର ବନ୍ଦାଳ ପଳାଇବାକୁ ପଡ଼ିବ, ବାଡ଼ିରେ ଗଛଗଡ଼ାକ ମରିଯାଉଛି ସାର ଦେବାକୁ ହେବ, ହେଁ ସୁଆତି ଯନ୍ତ୍ରଗୁଡ଼ାକ ବର୍ଷେ ହେଲା ସଙ୍ଗାରେ ପଡ଼ି ଶୁଖିଗଲାଣି ଦୁଇଟା ହେଁସ ବୁଣିବାକୁ ପଡ଼ିବ, ଗୋରୁଗୁହାଳରେ ଯେଉଁ ହେଁସଟା ଦିଆଯାଇଥିଲା ତାହା ଚିରିଗଲାଣି, ସେଥିରେ ପାଲ ଦେଇ ଢାଳି ପକାଇବାକୁ ପଡ଼ିବ, କାଠିଗୁଡ଼ିକ ନଷ୍ଟ ହୋଇଯାଉଛି ସେଥିରେ ଖଇଁଚି ବୁଣିଦେଲେ କେନାଲ ନାଳିରେ ବସାଇ ମାଛ ଧରିବାକୁ ହେବ । ନୂଆ କଣ ହୋଇଥିବ । ପାଲବାଡ଼ିକୁ କୋଡ଼ିରେ ନ ହାଣି ଦେଲେ—ଆସନ୍ତା ବର୍ଷକୁ ଜମିଟା ସାର ହେବ ନାହିଁ. ଫଳରେ ଫସଲ ହେବ ନାହିଁ । ଅନେକ କାମ ଅଛି କରିବାକୁ । ଯେତେ ପରିଶ୍ରମ କଲେ ମଧ୍ୟ ମାଆ ସନ୍ତୁଷ୍ଟ ନୁହନ୍ତି । ସବୁବେଳ ଘରେ ଅଶାନ୍ତି ଲାଗି ରହିଛି । ହାଟରୁ ସେ ଯେତେ ଦରଦାମ୍ କଷି ଭଲ ପରିବା ଆଣିଲେ ମଧ୍ୟ ମାଆ କହିବେ ଏ ପଚା ଆଳୁଲୋ-ମା—ଏହାକୁ ଖାଇବ ? ହୋଇ ବାଇଗଣ ଗୁଡ଼ାକ ବୁଢ଼ା ପୁଣି ପୋକା, ପୋଟଳଗୁଡ଼ିକ ନାଲି ପଡ଼ିଲାଣି, ପୋଇ ଅଗଗୁଡ଼ାକ ଶୁଖିଯାଇଛି, ପତ୍ରଗୁଡ଼ାକ କଣା କଣା ହୋଇଛି, ମାଛଗୁଡ଼ାକ ମଲା—ଏହାକୁ ମଣିଷ ଖାଆନ୍ତି ? ଆମ ପଇସା କଣ ପଚା ? ଏଥିରେ ପୁଣି ଏତେ ଦାମ୍ ନେଇଛି ? ରାଗରେ ଗରଗର ହୋଇ ଛାଟି ଦିଅନ୍ତି । ରଞ୍ଜନ କିଛି କିଛିପାରେ ନାହିଁ । ଆଖି ଛଳ ଛଳ ହୁଏ । ସେ ନୀରବରେ ଫେରିଆସେ । ଘଣ୍ଟାଏ ବିତେ, ଦୁଇଘଣ୍ଟା ବିତେ । ମନକୁ ମନ ମାଆ ପୁଣି ତାକୁ ଗୋଟାଇ ଆଣି କାଟି ବସନ୍ତି । ହଳ କରିସାରି ଦ୍ଵିପ୍ରହରେ ରଞ୍ଜନ ଘରକୁ ଫେରିଲେ, ମାଆ ଭଲି ପାଖରୁ ଉଠିଯାଇ କୁହନ୍ତି—ଭାତ ଫୁଟିଲାଣି ଟିକେ ଗାଳି ପକାଇ ଆସି— ମୁଁ କୁନାକୁ ଦୁଧ ଦେବି । ତାପରେ ମାଆ ଉଠି ଯାଆନ୍ତି, ଶୋଇବା ପିଲାକୁ କୋଳକୁ ନିଅନ୍ତି । କୁନା କାନ୍ଦି କାନ୍ଦି ଛାଟିପିଟି ହୁଏ, ସେ ଶୋଇବା ପାଇଁ ଚାହେଁ-। ମାତ୍ର ମାଆ ତାକୁ ଶୁଆଇ ଦିଅନ୍ତି ନାହିଁ । ଦଶାଦିଆ ଏମିତି କାହିଁକି ହେଉଛୁ ମ ? ଦୁଧ ଖାଇଦେଲେ ତ ଶୋଇବୁ । କୁନା ମାନେ ନାହିଁ । ମାଆ ତା ପିଠିରେ ଦୁଇବିଧା କଷି ଦିଅନ୍ତି । କୁନା ରାହାଧରି କାନ୍ଦେ । ମାଆ ତାକୁ ବହିଲେଇ ଦେଉଁ ଦେଉଁ ଏ ଘର ସେ ଘର ହୁଅନ୍ତି । ରଞ୍ଜନ ଦୀର୍ଘଶ୍ଵାସ ପକାଇ ଭାତ ଗାଳି ବସେ । ଭାତ ଗାଳିସାରି ଗାଇ ବଳଦଙ୍କୁ ତୋରାଣୀ ଦିଏ । ସେମାନଙ୍କ ପାଖରେ ନଡ଼ା ପାକାଇ ଦେଇ ଦେହରୁ ଝାଳ ପୋଛିହୋଇ ଥକାରେ ବସିଯାଏ । ଆଖିରେ ଲୁହ ଜକାଇ ଆସେ । ସ୍ମିତାର ମୁହଁ ଭାସି ଉଠେ । ଇଚ୍ଛାହୁଏ ସେ ପାଗଳ ହୋଇ ଯାଆନ୍ତି କି ? ସେ ଖାଲି କାନ୍ଦିକାନ୍ଦି ବୁଲନ୍ତା । ଆଃ ସେ ଜୀବନଟା କେତେ ଭଲ ନ ହୁଅନ୍ତା ? ହସି ହସି ଘର ଭିତରକୁ ପଶି ଆସେ ବିନୀତା ? ରଞ୍ଜନକୁ ଦେଖି ଚମକିପଡ଼ି ରହେ, କଣ ଭାଇ ଏପର୍ଯ୍ୟନ୍ତ ଗାଧୋଇ ନାହିଁ ? କେତେବେଳ ହେଲାଣି ଦେଖିଲ ? ଖାଇବ କେତେବେଳେ ? ରଞ୍ଜନ ବିନୀତାର ଆକାଶତରେ ଆଖିରୁ ଲୁହ ପୋଛେ । ସ୍ମିତାକୁ ଭୁଲିଯାଏ । ମନ ଆନନ୍ଦ ହୁଏ, ସେ ଗାଧୋଇସାରି ଖାଇବସେ । ବିନୀତା ପାଖରେ ବସି ଏଣୁତେଣୁ କେତେ କଥା ଗପେ । ଖୁଡ଼ୀ ତୁମେ ରୁହ ମୁଁ ଦେଉଛି । କହି ଭାତ ଆଣିବା ପାଇଁ ହାଣ୍ଡିଶାଳ ଭିତରକୁ ପଶିଯାଏ । କୁନାବୋଉ ମୁହଁ ମୋଡ଼ନ୍ତି । ରୋଷେଇ ଘରୁ ଭାତ, ତରକାରୀ ବିନୀତା ହାତରେ ପଠାଇ ଦିଅନ୍ତି ।

 

ରଞ୍ଜନ ଏବଂ ବିନୀତା ଉଭୟେ ନୀରବ । ବିନୀତା ଯେତେ ଯାହା ପଚାରୁଛି ରଞ୍ଜନ କିଛି ଉତ୍ତର ଦେଉନାହିଁ । କେବଳ ହଁ, ନାଁ, ବ୍ୟତୀତ ସେ ଆଉକିଛି କହିପାରୁ ନାହିଁ । କଣ ସେ କହିବ ? ରଞ୍ଜନ ମନରେ ଉଭୟ ଚିନ୍ତାର ଢ଼େଉ ମଥା ପିଟୁଛି । ଏହି ବିନୀତା ଆଉ ଆଠଦିନ ପରେ ତାକୁ ଛାଡ଼ି ଚାଲିଯିବ । କେହି କାହାକୁ ଦେଖିପାରିବେ ନାହିଁ । ଭାଇ ଭାଇ ଡ଼ାକି ବିନୀତା ଏ ଘରକୁ ଆସିବ ନାହିଁ । ତାର ଛଳ ଛଳ ଆଖିରୁ ଲୁହ ପୋଛି ଦେବ ନାହିଁ, ଭାତଥାଳି ଧରି ବସିଥିଲେ ସେ ଆସି ହାତ ପୁରାଇ ତାକୁ ଖୁଆଇ ଦେବନାହିଁ, ସମସ୍ତ ସ୍ନେହର ଚୋରି ନିମିଷକେ ତୁଟିଯିବ ? ଦେଓପୁରର ରାଘବ ବୋଷଙ୍କ ପୁଅ ଖୋକନ ବୋଷ ଏ ବର୍ଷ କଲେଜରେ ନାଆଁ ଲେଖେଇଛି । ତାହାରି ସହିତ ବିନୀତାର ବିଭାଘର ହେବ । ବିନୀତା ବୋହୂ ସାଜି ହସି ହସି ଘର କରିବ । ମାତ୍ର ସେ... I ପରମୂହୁର୍ତ୍ତରେ ରଞ୍ଜନ ମନରେ ଚିନ୍ତା ଉଦ୍ରେକ ହେଲା ତେବେ ସେ କଣ ବିନୀତକୁ ସ୍ନେହକରେ ନାହିଁ ? ଯଦି ସେ ବିନୀତାକୁ ସ୍ନେହକରେ, ତେବେ ତାର ସୁଖର ସଂସାର ଦେଖି ସେ ଆନନ୍ଦିତ ହେବା କଥା । କିନ୍ତୁ କାହିଁକି ତା ଅନ୍ତରରେ ଏମିତି କୋହ ସୃଷ୍ଟି ହେଉଛି ? ବିଦାୟର ନାଆଁ ମନେ ପଡ଼ିବା ବେଳକୁ ତାକୁ ଯେମିତି ସମସ୍ତ ଅନ୍ଧାର ଦେଖାଯାଉଛି । ତେବେ କଣ ବିନୀତା ବିବାହ ନ କରି ସବୁଦିନ ଏମିତି ତା ପାଖରେ ଥିବାକୁ ସେ ଚାହେଁ । ସ୍ନେହରେ କଣ ଏତେ ସ୍ୱାର୍ଥ ଥାଏ ? ତେବେ କଣ ସେ ସ୍ୱାର୍ଥପର ? ତାର ଭଲପାଇବାର ପ୍ରତିଦାନ କଣ ଏୟା ? ରଞ୍ଜନର ମୁଣ୍ଡ ଗୋଳମାଳ ହୋଇଯାଏ । ନାଁ, ନାଁ ସେ ସ୍ୱାର୍ଥପର ନୁହେଁ । ସେ ବିନୀତାର ହସିଲା ମୁଖ ସବୁବେଳେ ଦେଖିବାକୁ ଚାହେଁ । କିନ୍ତୁ......ତା ଅନ୍ତରରେ ଏ ବ୍ୟଥାର ଜୁଆର ଉଠୁଛି କାହିଁକି ? ଅମାନିଆ ଲୁହଧାର ଗଡ଼ି ପଡ଼ୁଛି କାହିଁକି ? ସେ ଏହାର କିଛି ଉତ୍ତର ପାଏ ନାହିଁ ।

 

ବିନୀତା କହିଲା—କଣ ଦେହ ଭଲ ଲାଗୁ ନାହିଁକି ରଞ୍ଜୁ ଭାଇ । ମୁହଁ କାହିଁକି ଫଣଫଣିଆ ଦେଖାଯାଉଛି । ରଞ୍ଜନ ନିଜର କୋହକୁ ଚାପିରଖି କହିଲା—ନାହିଁରେ ମୋ ମୁଣ୍ଡ ବିନ୍ଧୁଛି ।

 

ବିନୀତା ଉତ୍କଣ୍ଠିତା ହୋଇପଡ଼ି କହିଲା—ଏଁ ମୁଣ୍ଡ ବିନ୍ଧୁଛି ! ତମେ ଶୋଇଲ, ମୁଁ ଟିକିଏ ଚିପି ଦିଏଁ । ଖଟ ଉପରେ ମୁହଁ ବୁଲାଇ ଶୋଇଥାଏ ରଞ୍ଜନ । ଆଖିରେ ତାର ଲୁହ ଛଳ ଛଳ ହେଉଥାଏ । ଏଇ ବିନୀତା ଆଉ ଆଠଟି ଦିନପରେ ଚାଲିଯିବ । ଆଉ ସେ ତାକୁ ଦେଖି ପାରିବନି । ଭୁଲିଗଲା ନିଜକୁ ରଞ୍ଜନ । ଅନ୍ତରରେ କୋହ ଉଠିଲା । ବିନୀତା ପାଖରେ ବସି ମୁଣ୍ଡ ଚିପି ଦେଉଥାଏ । ଦାଣ୍ଡ ମେଲାରେ ମାଆ କୁନାକୁ ଗେଲ କରୁଥାଆନ୍ତି, କେତେକଥା କହୁଥାଆନ୍ତି । ରଞ୍ଜନ ମନରେ ବିନୀତାର ବିଚ୍ଛେଦଜନିତ ଭାବନା ବ୍ୟତୀତ ସେ ଆଉ କିଛି ଭାବିପାରୁ ନ ଥାଏ । ଇଚ୍ଛା ହେଉଥାଏ—ଏହି ବିନୀତା ସବୁ ସମୟ ପାଇଁ ତା ପାଖରେ ଏପରି ବସି ପିଠିରେ ମୁଣ୍ଡରେ ହାତ ବୁଲାଉ ଥାଆନ୍ତା କି ? ବିନୀତା ରଞ୍ଜନ ପିଠିକୁଲାଗି ଢଳି ପଡ଼ିଛି । ହଠାତ୍ ସେ ଘର ଭିତରକୁ ପଶି ଆସିଲା ଶଙ୍କରା । ଚମକିପଡ଼ି ଉଠିପଡ଼ିଲେ ବିନୀତା ଏବଂ ରଞ୍ଜନ । ରଞ୍ଜନ ଦେହ କ୍ଷଣିକ ପାଇଁ ଥରିଉଠି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲା । ସେ କହିଲା—କୁଆଡ଼େ ଆସିଥିଲ ?

 

ଶଙ୍କରା କହିଲା—ଦଶ ଟଙ୍କା ଅଛି କି ଭଙ୍ଗେଇ ଦେଲ ।

 

ରଞ୍ଜନ କହିଲା—ମୋ ପାଖରେ ତ ଟଙ୍କା ନାହିଁ ।

 

ଫେରିଗଲା ଶଙ୍କରା । ହଠାତ୍ ରଞ୍ଜନ ମନରେ ଭାବାନ୍ତର ଦେଖାଦେଲା । ସେ କହିଲା–ବିନୀ କେବେ ତ ଶଙ୍କରା ଟଙ୍କା ଭଙ୍ଗେଇବାକୁ ଆସେ ନାହିଁ । ତେବେ ଆଜି ଆସିବାର ଉଦ୍ଦେଶ୍ୟ କଅଣ ? ମାଆଙ୍କର ପାଟି ଶୁଭୁନାହିଁ । ମାଆ କୁଆଡ଼େ ଗଲେ ? କେତେବେଳେ ଗଲେ କିଛି ଜାଣିପାରି ନାହିଁ ରଞ୍ଜନ । ବାହାରକୁ ଚାହିଁଲା ଘରେ କେହି ନାହାନ୍ତି । ଦାଣ୍ଡ କବାଟ ବାଡ଼ି କବାଟ ଖୋଲା ରହିଛି । ରଞ୍ଜନର ଭୟ ଲାଗିଲା । କେଜାଣି କାହିଁକି ଅଜଣା ଆଶଙ୍କାରେ ଥରି ଉଠିଲା । ସେ କହିଲା କଣ କରିବା ବିନୀ । ଶଙ୍କରା ହୁଏ ତ......

 

ବିନୀ ମୁହଁରେ ଦାମ୍ଭିକତା ଦେଖାଇ କହିଲା—କଣ କରିବ ସେ ? ତାପରେ ସେ ଚାଲିଗଲା । ରଞ୍ଜନକୁ ବାହାରକୁ ଯିବାକୁ ଇଚ୍ଛା ହେଲା ନାହିଁ । ସେ ପୁଣି ଖଟ ଉପରେ ଶୋଇ ପଡ଼ିଲା ।

 

ଦିନ ଆସି ପହରେ ହେଲାଣି । ବିଲକୁ ଏପର୍ଯ୍ୟନ୍ତ ରଞ୍ଜନ ଯାଇନାହିଁ । ମାଆ ଦେଖେଇ ଦେଖେଇ କେତେକଥା ଗପି ଗଲେଣି । ବାପା ସକାଳୁ ଦାଆ ଖଣ୍ଡେ ନେଇ ଚାଲିଗଲେଣି । କହି ଯାଇଛନ୍ତି—ଆଜି ଦିନକ ଭିତରେ ଗୋଟେ କିଆରୀ ଧାନକାଟି କଳେଇତକ ବୋହି ଆଣିବାକୁ ପଡ଼ିବ । କାଲି ଆଡ଼କୁ ସେଥିରେ ହଳ କରି ମୁଗ ପକାଇବାକୁ ପଡ଼ିବ । ରଞ୍ଜନ ଖାଇଦେଇ ଶିଘ୍ର ଯିବ ବୋଲି ଭାବିଥିଲା । ଚାକରାଣୀ ବୁଢ଼ୀ ଭାତ ବାଢ଼ିଦେଇ ହାଣ୍ଡି ଧୋଇବାକୁ ନେଇ ଗଲାଣି । ମାତ୍ର ରଞ୍ଜନର ବିଲକୁ ନ ବାହାରିବା ଦେଖି ମାଆ ଖାଲି ଯେମିତି ରବେଇ ଖବେଇ ହେଉଛନ୍ତି । ସେ ବୁଢ଼ାଲୋକ ଏ ବୟସରେ ଖଟି ଏମାନଙ୍କୁ ପୋଷିବେ । କି’ ତମ ହାତ ଗୋଡ଼ ଛିଣ୍ଡି ଯାଇଛି କି, ବସି ବସି ଖାଇବ । ଦିନ ଆସି କେତେ ହେଲାଣି ଆଖିକି ଦେଖାଯାଉ ନାହିଁ କି ? ଇତ୍ୟାଦି ଅନେକ କଥା । ମାତ୍ର ରଞ୍ଜନର ସେ କଥାଗୁଡ଼ାକ ଏକାନରେ ପଶି ଯେମିତି ସେ କାନରେ ବାହାରି ଯାଉଛି । ଭୋକ ଶୋଷ ସମସ୍ତ ଉଭେଇ ଯାଇଛି । ସେ ଦାଣ୍ଡରେ ବସି ଦାନ୍ତ ଘସୁଥିବା ସମୟରେ ରୁକୁଣାମା ନାତି ଟୁନା ଚିଠିଟିଏ ଆଣି ଦେଇଗଲା । କହିଲା—ସୁଲଦାଦା ଦେଇଛି । ରଞ୍ଜନ ଦାନ୍ତ ଘଷୁ ଘଷୁ ଚିଠିଟି ଖୋଲି ପଢ଼ିଗଲା । ଭୟରେ ତାର ଦେହ ଥରି ଉଠିଲା । ଆଖିରେ ଲୁହ ବୋହିଗଲା । ସେ ଏକଣ ଶୁଣୁଛି ? ଏ କଣ ତାକୁ ଲେଖା ହୋଇଛି ? ମୁଣ୍ଡ ଗୋଳମାଳ ହୋଇଗଲା । ଦାନ୍ତକାଠିକୁ ପାଟିରେ ପୁରାଇ ଘର ଭିତରକୁ ଛୁଟିଯାଇ ଘଡ଼ିଏ କାଳ ବସିଗଲା । ଆଗରେ ଚିଠି ଖୋଲାହୋଇ ପଡ଼ିଛି । ରଞ୍ଜନର ଆଖିରୁ ଲୁହ ଧାର ଧାର ହୋଇ ଗଡ଼ି ପଡ଼ୁଛି । ସେ କଣ ଭାବୁଛି ଜାଣିପାରୁନାହିଁ-। ଚିଠିରେ ଲେଖାଅଛି—

 

ରଞ୍ଜୁ,

 

କଣ ତୋ ପାଖକୁ କଣ ଲେଖିବି କିଛି ଭାବିପାରୁନାହିଁ । ତୁ ଏଡ଼େ ବଡ଼ ବିଶ୍ଵାସଘାତକ । ଏଇଥିପାଇଁ କଣ ତୋତେ ମୁଁ ନିଜର ସାନଭାଇ ପରି ସ୍ନେହ କରୁଥିଲି ? ତୁ ଆଜି ବିଶ୍ଵାସରେ ବିଷ ଦେଲୁ । ଠାକୁର ଏହାର ନିଶ୍ଚୟ ବିଚାର କରିବେ ।

 

। ଇତି ।

ତୋର...

 

ରଞ୍ଜନର ଆଖିଆଗରେ ଭାସିଉଠିଲା ଗଲାଦିନର ସ୍ମୃତି । ତେବେ କଣ ସେ ଯାହା ଅନୁମାନ କରୁଥିଲା ଶଙ୍କରା ସେୟା କଲା । ସୁଲଭାଇକୁ ମିଛରେ କିଛି କହିଲା । କିପରି ସେ ସୁଲ ଭାଇକୁ ବିଶ୍ୱାସ କରାଇବ ଯେ—ସେ ଏ ପର୍ଯ୍ୟନ୍ତ ନିର୍ମଳ । ସେ ତାଙ୍କର ସ୍ନେହର ପ୍ରତିଦାନରେ ବିଷ ଦେଇନାହିଁ । ସତରେ ଆଉ କଣ ସୁଲ ଭାଇଙ୍କର ଫଟା ମନ ଯୋଡ଼ି ହେବ ? ତାଙ୍କ ଅନ୍ତରରେ ଯେଉଁ ସନ୍ଦେହର ଦାଗ ରହିଲା ସେ ଦାଗ ସତରେ କଥା ଆଉ ଲିଭିବ ? କିଛି ଭାବି ପାରିଲା ନାହିଁ ରଞ୍ଜନ । ଏହି ସମୟରେ ପହଞ୍ଚିଲା ରୁକୁଣା ମା’ ପୁଅ ମଧୁ । ରଞ୍ଜନ କିଛି କହିଲା ନାହିଁ । ମଧୁ କହିଲା ମୁଁ ସବୁ ଶୁଣି ସାରିଛି—ସେଇଥିପାଇଁ ତୋ ପାଖକୁ ଆସିଛି । ଘଟଣା କଣ । ଏପରି କାହିଁକି ହେଲା ?

 

ରଞ୍ଜନ କହିଲା—ତୁ ତ ପିଲାଟି ବେଳୁ ମୋ ସାଙ୍ଗରେ ମିଶିଛୁ । ତେଣୁ ଯାହା ଭାବୁଥିବୁ ସେୟା । ମୋର ଆଉ କିଛି କହିବାର ନାହିଁ ।

 

ମଧୁ କହିଲା—ମୁଁ ସବୁ ଜାଣେରେ—ତୋତେ ମଧ୍ୟ ଜାଣିଛି । ବିନୀଅପା ସହିତ ମଧ୍ୟ ଭଲ ଭାବରେ ମିଶିଚି । ତମ ଅନ୍ତରରେ ଯେ କିଛି କାଳିମା ରହିଛି । ଏ କଥା ମୁଁ ବିଶ୍ୱାସ କରିପାରୁନାହିଁ । କିନ୍ତୁ ଜାଣିଛୁ କଣ ହୋଇଛି ? କାଲି ଶଙ୍କରା ସୁଲଦାଦାକୁ ଠାକୁର ଘରେ ବସାଇ ତମ ଦୁହିଁଙ୍କର ଅବୈଧ ପ୍ରଶୟ ସେ ଦେଖିଥିବା କଥା କହିଲା । ତେଣୁ ସୁଲ ଦାଦାଙ୍କର ଅବିଶ୍ୱାସ କରିବାର କିଛି ନଥିଲା । ତାପରେ ଶଙ୍କରା ବୋଉ କୁଆଡ଼େ ବିନୀର ଚିଠି ଖଣ୍ଡେ ପାଇ ରଖିଚି ।

 

ରଞ୍ଜନ କହିଲା, ହିଁ ବିନୀ ମୋ ପାଖକୁ ଚିଠି ଦିଏ ସେ କଥା ମୁଁ ଅସ୍ଵୀକାର କରୁନାହିଁ । ହେଇ ଦେଖ୍ ତାର ଚିଠି । ସଙ୍ଗେ ସଙ୍ଗେ ପୁରୁଣା ପେଡ଼ି ମଧ୍ୟରୁ ସେ କନାରେ ଗୁଡ଼ାଇ ରଖିଥିବା ପ୍ରାୟ ପଚାଶ ଷାଠିଏ ଖଣ୍ଡ ଚିଠି ମଧୁ ପାଖରେ ରଖି ଦେଲା । ଦୁଇ, ଚାରିଖଣ୍ଡ ଚିଠି ଉପରେ ମଧୁ ଆଖି ବୁଲାଇ ନେଇ କହିଲା—ମୁଁ କଣ ବିନୀଆପାକୁ ଜାଣିନାହିଁ ରେ ? ତାକୁ ଭଲ ଭାବରେ ଜାଣେ ହଉ ମୁଁ ଖଣ୍ଡ ଦିଖଣ୍ଡ ଚିଠି ନେଉଛି ସୁଲ ଦାଦାକୁ ଦେବି । ସେ ତାଙ୍କର ଭୁଲ ବୁଝିପାରିବେ ।

 

ରଞ୍ଜନ କହିଲା—ଏଥିରେ ମୁଁ ଯେତେ ଦୁଃଖିତ ନୁହେଁ, ସୁଲ ଦାଦାଙ୍କ ଚିଠି ପାଇ ସେତିକି ଦୁଃଖିତ । ସେ ଏ ପର୍ଯ୍ୟନ୍ତ ମୋ ସହିତ ମିଶି କ୍ଷଣକରେ ମୋତେ ଭୁଲ୍ ବୁଝିଲେ ତାହା ହିଁ ମୋତେ ଦୁଃଖ ଲାଗିଲା ।

 

ମଧୁ କହିଲା—ତୋତେ ମାରିବା ପାଇଁ ସେମାନେ ଷଡ଼ଯନ୍ତ୍ର କରିଥିଲେ । ଶଙ୍କରା ସୁଲଦାଦାଙ୍କୁ ଏଥିପାଇଁ କମ୍ ଉତ୍ୟକ୍ତ କରିଥିଲା । କାଲି ରାତିସାରା ସୁଲଦାଦା ଶୋଇପାରି ନାହାନ୍ତି-। କାନ୍ଦି କାନ୍ଦି ତାଙ୍କ ଆଖି ଲାଲ ପଡ଼ି ଯାଇ ଦଉ ସହିଯା’ ଭାଇ ।

 

‘ଅଖ ବୁଲୁଥିଲେ ଚକ ବୁଲୁଥାଏ

ବୁଲି ପଡ଼ୁଥାଏ ପହି

ଦୁନିଆ ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି ।’

 

ରଞ୍ଜନ ଟିକେ ଆଶ୍ୱସ୍ତ ଲାଭ କଲା । ମନର ଅବ୍ୟକ୍ତ ଭାଷାକୁ ସେ ମଧୁ ପାଖରେ ବ୍ୟକ୍ତ କରିବା ପରେ ତାକୁ ଶାନ୍ତି ଲାଗିଲା । ଦୁନିଆରେ ସମସ୍ତେ ତାକୁ ଅବିଶ୍ୱାସ କରନ୍ତୁ ସେଥିରେ କିଛି ଭାବିବାର ନାହିଁ । କେବଳ ତାର ବନ୍ଧୁ ମଧୁ ତ ତାକୁ ବିଶ୍ୱାସ କରିଛି । କେହିହେଲେ ଜଣେ ତ ତାର ହୃଦୟର ଭାବକୁ ବୁଝି ପାରୁଛି । ରଞ୍ଜନ କହିଲା—ଯେଉଁ ଶଙ୍କରା ଆଉ ତା ମାଆକୁ ମୁଁ ଏତେ ସାହାଯ୍ୟ କଲି, ସେମାନେ ପୁଣି ଏପରି ମୋ ନାଆଁରେ ନିନ୍ଦା ରଟାଇବାକୁ ପଛେଇଲେ ନାହିଁ । ମୋତେ ମାଡ଼ ଦେଲେ ସେମାନଙ୍କର କଣ ଲାଭ ହୋଇଥାନ୍ତା ।

 

ମଧୁ ରଞ୍ଜନ କଥାରେ ହସିଲା । କହିଲା—ତୋତେ ମାଡ଼ ଦେବା ତାଙ୍କର ଲକ୍ଷ୍ୟ ନୁହେଁରେ ରଞ୍ଜନ । କଥା ହେଲା, ତୁ ଯେବେ ଗୋଟେ ଗର୍ଭଣୀ ସ୍ତ୍ରୀ ଉପରେ ରାଗି ତାକୁ ବିଷ ଦେଉ, ତେବେ ନିଷ୍କପଟ ଶିଶୁ ମଧ୍ୟ ମାଆ ସହିତ ମୃତ୍ୟୁ ମୁଖରେ ପଡ଼ିବ । କିନ୍ତୁ ସେ ଛୁଆକୁ ମାରିବା କଣ ତୋର ଲକ୍ଷ୍ୟ ଥିଲା ? ତା ନୁହେଁଏ ଦୁନିଆଟା ବଡ଼ ବିଚିତ୍ର ଭାଇ । ସବୁ ସମୟରେ ଦୁର୍ଘଟଣାରେ ସମ୍ମୁଖୀନ ହେବାକୁ ପଡ଼େ । କେତେବେଳେ ଜାଣି ଜାଣି କେତେବେଳେ ମଧ୍ୟ ଅଜଣା ଭାବରେ । ତୁ ଜାଣିଛୁ ବିନୀତାଙ୍କ ଘର ସହିତ କେଉଁ ପୂର୍ବ ପୁରୁଷ ଅମଳରୁ ଶଙ୍କରାଙ୍କ ଘରର ପଡ଼େ ନାହିଁ । ଏବେ ଖାଲି ଉପରେ ମନରେ ସେମାନେ କଥାବାର୍ତ୍ତା ହେଲେ ବୋଲି କଣ ସେମାନଙ୍କର ଅନ୍ତରର କ୍ରୋଧ ଲିଭିଯାଇଛି ? ବିନୀ ଅପାର ବର୍ତ୍ତମାନ ବିଭାଘର ଠିକ୍ ହୋଇଯାଇଛି । ତେଣୁ କଣ୍ଟାକୁ କଣ୍ଟାରେ କାଢ଼ିବା ନୀତିରେ ଯଦି ବର୍ତ୍ତମାନ ଏହିପରି ଗୋଟିଏ କାଣ୍ଡ ସୃଷ୍ଟି କରାଯାଏ, ତେବେ ବିନୀ ଅପା ବିଭାହୋଇ ପାରିବନାହିଁ ଏବଂ ସେମାନେ ମଧ୍ୟ ନିରାପଦରେ ରକ୍ଷା ପାଇଯିବେ-

 

ରଞ୍ଜନକୁ ଏକୁଟିଆ ଭଲ ଲାଗୁ ନ ଥିଲା । ସେ ମଧୁକୁ କହିଲା—ଚାଲ ସାଙ୍ଗହୋଇ ସାହିଆଡ଼େ ବୁଲି ଆସିବା । ତାପରେ ସେମାନେ ସାଙ୍ଗ ହୋଇ ବୁଲିବାକୁ ଚାଲିଗଲେ ।

 

ଦ୍ଵିପ୍ରହର ବେଳକୁ ରଞ୍ଜନ ବୁଲିବୁଲି ଘରକୁ ଫେରିଲା । ବିନୀଙ୍କ ଘରପାଖ ଦେଇ ଯିବା ଆସିବା କଲା । ମାତ୍ର ବିନୀତାଙ୍କୁ ଥରେ ହେଲେ ସେ ଦେଖିପାରିଲା ନାହିଁ । ବିନୀ କଣ ତାହାହେଲେ ଘରେ ନାହିଁ ? ହୁଏତ ସୁଲ ଦାଦା ତାକୁ ନ ଜାଣି ଅନେକ କିଛି କହିଥିବେ । ବିଚାରୀ ହୁଏତ ଦୁଃଖରେ ଭାଙ୍ଗିପଡ଼ି ଘରେ ବସି କାନ୍ଦୁଥିବ । ରଞ୍ଜନର ଆଖି ଛଳଛଳ ହେଲା । ସେ ଘରର ଦ୍ଵାର ପାଖରେ ପହଞ୍ଚିବା ମାତ୍ରେ ଘର ଭିତରେ ବାପାଙ୍କ ପାଟି ତାକୁ ଶୁଭିଲା । ସେ ଚମକି ପଡ଼ିଲା-। ତାପରେ ଭୟରେ କବାଟ ପାଖରେ ଛିଡ଼ା ହୋଇରହିଲା । ମାଆ କହୁଥିଲେ ଗାଧୋଇ ଆସି କାହିଁକି ବସିଛୁ; ଥଣ୍ଡା ଧରିବ, ଚାଲ ଖାଇବ ।

 

ବାପା ଗର୍ଜନ କରି କହୁଥିଲେ—ନାଁ ଖାଇବି ନାହିଁ । ଦେଖ ହୋ, ସେ ଟୋକାଟାର ଟିକେ କାଣ୍ଡଜ୍ଞାନ ନାହିଁ । ମୂଲିଆଗୁଡ଼ାକ ଖଟୁଛନ୍ତି । ମୁଁ ଖରାଟା ସାରା ହିଡ଼ ମୁଣ୍ଡରେ ବସିଛି । ଏ ଟୋକା ଯାଇଥିଲେ କଳେଇ କିଛି କଟାହୋଇ ଯାଇଥାନ୍ତା । ଏହାର ଦେଖାନାହିଁ । ଖାଇଦେଇ ଘରେ ବାବୁ ସାଜୁଛି । ଆଜି ତାର କିଛି ପ୍ରତିକାର ନ କଲେ ମୁଁ ପାଣି ଛୁଇଁବି ନାହିଁ । ତାକୁ ଆଗେ ଘରୁ ବାହାର କରିବି । ତାପରେ ଯାଇ ଯାହା ହେବ ।

 

ମାଆ କହୁଥିଲେ—ଚୋରକୁ ମାନ କରି ଖପରାରେ ଖାଇବ ନା କଣ ? ମୋ କଥାକୁତ ମାନୁ ନ ଥିଲ, ଏବେ ଦେଖିଲ ତ ? ହଉ ଚାଲ ଚାଲ—ତମେ କାହିଁକି ପେଟକୁ କଷ୍ଟ ଦେଇ ବସିବ-? ସତ କହୁଛି, ତମେ ଯଦି ନ ଖାଇବ ମୁଁ କୁନାକୁ ନେଇ ଶୋଇଲି । ହଁ ଆଉ ଯେତେ ଡାକିଲେ ଉଠିବି ନାହିଁ । ଖାଇସାରି କିଛି ଗୋଟାଏ କର ।

 

ବାପା ଉଠୁ ଉଠୁ କହୁଥିଲେ ହଉଚାଲ । ଆଜି ତାର ଖାଇବା ବନ୍ଦ କର । ତା ପରେ ଯାଇଁ ଯେଉଁକଥା । ବାପା ଉଠିଗଲେ । ରଞ୍ଜନ ଧୀରେ ଧୀରେ ତା ଶୋଇବା ଘରକୁ ଯାଇ ଶୋଇଲା । ସକାଳୁ ଏପର୍ଯ୍ୟନ୍ତ ସେ ପାଣି ଛୁଇଁ ନାହିଁ । ଭୋକରେ ଦେହ ଥରୁଛି । ତାପରେ ବାପା ପୁଣି ଏମିତି ତାକୁ ଗାଳି ଦେଉଛନ୍ତି ? ସେ କଣ ଜାଣି ଜାଣି ଅବହେଳା କରିଛି ? ସବୁଦିନେ ତ ଖଟୁଚି । ଦିନେ ଅଧେ ରହିଗଲା ବୋଲି କଣ ତାର ଦୋଷ ହେଲା । ଆଖିରୁ ଅମାନିଆ ଲୁହ ଝରିଲା । ରଞ୍ଜନକୁ କାନ୍ଦିବାକୁ ଯେମିତି ଭାରି ଭଲ ଲାଗିଲା । ସେ ଭାବୁଥିଲା—ଏଇ କୁନାକୁତ ବାପା ସାଙ୍ଗରେ ନ ଖୋଇଲେ ଖାଆନ୍ତି ନାହିଁ । ଦେହରେ ଟିକିଏ ଧୂଳି ଲାଗିଗଲେ ବ୍ୟସ୍ତ ହୋଇପଡ଼ନ୍ତି । କୁନା କୋଳରୁ ଯିବା ପାଇଁ ଛାଟିପିଟି ହେଲେ ମଧ୍ୟ ସେ ତାକୁ କୋଳରେ ଧରି ଗେଲ କରାନ୍ତି । ତାକୁତ ଏପରି ପିଲାଦିନେ ଗେଲ କରୁଥିବେ, କୋଳେଇ କାଖୋଇ ଚାନ୍ଦ ଦେଖାଉଥିବେ—ମାତ୍ର ସେ ପିତୃ ହୃଦୟ ଆଜି ଏତେ ନିଷ୍ଠୁର ହେଲା କିପରି ? ସେ କ’ଣ ତାଙ୍କ ପିତାଙ୍କର ଶତ୍ରୁ । ଚାକରଠାରୁ ସେ ହୀନ । ଭାବୁ ଭାବୁ ଯେ କେତେବେଳେ ସେ ଶୋଇ ଯାଇଥିଲା ଜାଣି ପାରି ନ ଥିଲା । ଚାକରାଣୀ ଡାକରେ ଯେତେବେଳେ ନିଦ ଭାଙ୍ଗିଲା, ଦେଖିଲା ଛାଇ ଲେଉଟିଲାଣି । ଭୋକରେ ଦେହ ଥରୁଛି । ପାଦ ଟଳଟଳ ହେଉଛି । ଚାକରାଣୀ କହିଲା—ମା’ ଆଉ ବାବୁ କେତେବେଳୁ ଠାକୁରାଣୀଙ୍କ ପାଖକୁ ଚାଲିଗଲେଣି । ତମେ କଳରୁ ପାଣି ଆଣିବ ବୋଲି ମାଆ କହି ଯାଇଛନ୍ତି । ରଞ୍ଜନ କହିଲା—ମାଉସୀ, ସକାଳୁ ମୁଁ କିଛି ଖାଇନାହିଁ, ପଖାଳ ଅଛି ନାଁ ଦେଲ ଭାରି ଭୋକ ଲାଗୁଛି । ଚାକରାଣୀ ଚମକି ପଡ଼ି କହିଲା—ଏ ବାବୁ ତମେ ଖାଇନାହିଁ ? କିମିତିଆ ମା ହୃଦୟ ଲୋ... କହୁ କହୁ ଜିଭ କାମୁଡ଼ି ପକାଇ ଚାକରାଣୀ ଚାରି ଆଡ଼କୁ ଚାହିଁଦେଲା । ତା’ପରେ ଧୀରେ କହିଲା ସବୁ ଭାଗ୍ୟରେ ପୁଅ । ଆଜି ଯଦି ତୁମ ମାଆ ଥାଆନ୍ତେ...

 

ସେ କଥା ତୁ ଆଉ ମୋତେ ମନେ ପକାଇ ଦେ’ନା ମାଉସୀ । କିଛି କହି ପାରିଲା ନାହିଁ ରଞ୍ଜନ—ଭୋକିନା କାନ୍ଦି ଉଠିଲା । ଚାକରାଣୀ ପଖାଳ ଭାତ ବେଲାଏ ବାଢ଼ି ଆଣିଲା । ଲଙ୍କା ପିଆଜ ଘେନି ସେତକ ଖାଇ ବସିଲା ରଞ୍ଜନ । ଚାକରାଣୀ କଳସୀ ଭାର ସଜାଡ଼ି ଦେଲା । ସଞ୍ଜହୋଇ ଆସିଲାଣି । ତରବରରେ ରଞ୍ଜନ ପାଣି ଆଣିବା ପାଇଁ ଭାର କାନ୍ଧେଇ କଳ ପାଖକୁ ଚାଲିଗଲା । କଳ ପାଖରେ ସୁଲଦାଦାଙ୍କ ସହ ଭେଟ ହେଲା ରଞ୍ଜନର । ରଞ୍ଜନ ମନରେ ଅଭିମାନ ଆସିଲା । ସେ ସୁଲଦାଦାଙ୍କ ମୁହଁ କୁ ନ ଚାହିଁ ତଳକୁ ମୁହଁ ପୋତି ଭାର ଖୋଲିବାରେ ଲାଗିଲା । ସୁଲଦାଦା ରଞ୍ଜନଙ୍କୁ ଡାକିଲେ । ରଞ୍ଜନ କିଛି ନ କହି ମୁହଁ ଟେକି ଚାହିଁଲା । ସୁଲଦାଦା ରଞ୍ଜନକୁ ନିର୍ଜନ ସ୍ଥାନକୁ ଡାକିନେଇ କହିଲେ—ମୁଁ ଭୁଲ୍ କରିଛି ରେ ରଞ୍ଜୁ । ତୁ କଣ ମୋତେ କ୍ଷମା କରିବୁ ନାହିଁ । ମୁଁ ସେତେବେଳେ ମୋ ଆୟତରେ ନ ଥିଲି, ତେଣୁ କ’ଣ ପଦେ ଲେଖିଦେଇଛି । ତୁ ତ ଜାଣୁ ଗୋଟିଏ ଝିଅ ବାହାଘର କରିବା କେତେ କଷ୍ଟ । ଯଦି ବିନୀର ବାହାଘର ଭାଙ୍ଗିଯାଏ ମୁଁ କଣ କରିବି କହିଲୁ ? ଏହି ଭୟରେ ମୋ ମୁଣ୍ଡରେ କିଛି ପଶିଲା ନାହିଁ । ତେଣୁ କଣ ବୋଲି କଣ କରି ବସିଲି । ତୁ ଭୁଲି ଯିବୁରେ ରଞ୍ଜୁ । ମନରେ ସେ କଥା ଆଣିବୁ ନାହିଁ । ଏହି ଭିକ୍ଷା ଆଜି ମୁଁ ତୋ ପାଖରେ ବଡ଼ ହୋଇ କରୁଛି । ମୁଁ ସବୁ ଜାଣିଲେ ସୁଦ୍ଧା ବର୍ତ୍ତମାନ ତାଙ୍କୁ କିଛି କହିପାରିବି ନାହିଁ । କହିଲେ, ସେମାନେ ନିନ୍ଦା ରଟାଇବେ, କେତେ କ’ଣ କାଣ୍ଡ କରି ବସିବେ, ବାହା ଘର ଭାଙ୍ଗିଯିବ । ତେଣୁ ଯାହା ଦୁଃଖ ଆସୁଛି ସବୁ ସହିଯିବାରେ । ଶ୍ରୀକୃଷ୍ଣ ଗଧପାଦ ଧରିବା ପରି କାର୍ଯ୍ୟ ନିମନ୍ତେ ଆମକୁ ସବୁକିଛି ସହିବାକୁ ହେବ । ବିନୀ ଶାଶୁ ଘରକୁ ଯିବା ନିମନ୍ତେ ଆମକୁ ସବୁକିଛି ସହିବାକୁ ହେବ । ବିନୀ ତୁମ ଘରକୁ ଯିବା ଆଉ ଠିକ୍ ହେବ ନାହିଁ । ତେଣୁ ତୁ କିଛି ଭାବିବୁ ନାହିଁ । କିଛି କହି ପାରିଲା ନାହିଁ ରଞ୍ଜନ । ଲୁହ ଢଳ ଢଳ ଆଖିରେ ପାଣିନେଇ ଘରକୁ ଫେରିଲା ।

 

ଭୋରୁ ଭୋରୁ ରଞ୍ଜନର ନିଦ୍ରା ଭାଙ୍ଗିଗଲା । ଦେଖିଲା କେହି ଉଠି ନାହାନ୍ତି । ପୂର୍ବଦିନ ଘଟଣା ତାର ମନେ ପଡ଼ିଲା । ସେ କାମ କରିବାକୁ ଯାଇ ନ ଥିଲା ବୋଲି ବାପା ଅସନ୍ତୁଷ୍ଟ ହୋଇ ଗାଳି ଦେଇଥିଲେ । ରାତିରେ ମଧ୍ୟ କେହି ତା ସାଙ୍ଗରେ କଥା କହିଲେ ନାହିଁ । ତାକୁ ଖାଇବା ପାଇଁ ମଧ୍ୟ ଡାକିଲେ ନାହିଁ । ସମସ୍ତେ ଶୋଇବାକୁ ଯିବା ପରେ ଚାକରାଣୀ ଆଣି ଭାତ ଦେଲା । ସେ ନୀରବରେ ଖାଇଦେଇ ଶୋଇଗଲା । ତେଣୁ ସଙ୍ଗେ ସଙ୍ଗେ ସେ ମୁହଁ ହାତ ଧୋଇ ପକାଇ କିଳା କାନ୍ଧରେ ପକାଇ ଦାଆ ଧରି ବିଲଆଡ଼େ ଚାଲିଲା । ଦ୍ଵିପ୍ରହରେ ବିଲରୁ ଫେରି ଖାଇଦେଇ ପିଣ୍ଡାରେ ମୁହଁ ଧୋଉଛି, ଦୃଷ୍ଟି ପଡ଼ିଲା ବିନୀଙ୍କ ଘରଆଡ଼େ । ବିନୀ ପିଣ୍ଡାରେ ବସି ମୁହଁ ଧୋଉ ଧୋଉ ତା ଆଡ଼େ ଚାହିଁ ରହିଛି । ପୂର୍ବର ସତେଜତା ସେ ମୁହଁରେ ଆଉ ଖେଳୁନାହିଁ । କାନିରେ ଆଖି ପୋଛୁଛି-। ସହ୍ୟ କରି ପାରିଲା ନାହିଁ ରଞ୍ଜନ । ସେ ଚିନ୍ତା କରୁଥିଲା ସବୁଦିନ ବିନୀ ହସି ହସି ତାଙ୍କ ଘରକୁ ଆସେ, ପାଖରେ ବସେ, କେତେକଥା କହେ, ହାତରେ ଖୋଇଦିଏ । ମାତ୍ର ଆଜି ସେହି ବିନୀ ଅଛି, କିନ୍ତୁ ତା ପାଖକୁ ଯିବାର ତାର ସାହାସ ନାହିଁ, କଥା କହିବାର ଅଧିକାର ନାହିଁ, ପାଖରେ ଥାଇ ଯେମିତି ଆଜି ସେମାନେ ବହୁ ଦୂରରେ କଣ ପାଇଁ ? ହେଇ ତ ବିନୀ ସେଠି ବସିଚି, ସେ ଏଠି ବସିଚି—ଦାଣ୍ଡ ଘାଟରେ କେହି ନାହିଁ, ପଥ ପରିଷ୍କାର ପଡ଼ିଛି—ତଥାପି କେହି କାହାରି ପାଖକୁ ଯାଇପାରୁ ନାହାନ୍ତି କାହିଁକି ? ମନଖୋଲି କଥା କହିପାରୁ ନାହାନ୍ତି କାହିଁକି ? ଏହି କଣ ସାମାଜିକ ନୀତି ନିୟମ । ଏହି କଣ ସମାଜପତିଙ୍କର ଶାସନର ପ୍ରାଚୀର ? ଯାହା ଦେଖାଯାଏ ନାହିଁ, ଯାହା ଖୋଜିଲେ ମିଳେନାହିଁ—ମାତ୍ର ଅଦୃଶ୍ୟ ଭାବରେ ତାହା ପ୍ରାଚୀର ପକାଏ, ଅଜଣା ଭାବରେ ତାହା ଚାବୁକ୍ ପିଟେ, ସ୍ଵାଧୀନ ହୋଇ ମଧ୍ୟ ପରାଧୀନତାର ଜୀବନ ଅତିବାହିତ କରିବାକୁ ହୁଏ । ରଞ୍ଜନର ମନେହେଲା ସେ ଯେମିତି ଯୁଗଯୁଗ ଧରି ଏପରି ପରାଧୀନ ହୋଇ ରହି ଆସିଛି–ରହିବ ମଧ୍ୟ । ମନରେ ତାର ଘୃଣା ଆସିଲା । କେଉଁ ବହିରେ ଦିନେ ସେ ପଢ଼ିଥିଲା—‘‘ମାନବ ମୁକ୍ତ ଏବଂ ସ୍ଵାଧୀନ ଜୀବ”—ତା’ପ୍ରତି ତାର ଆସ୍ଥା ତୁଟିଗଲା । ଅନ୍ତର ଭିତରୁ କିଏ ଯେପରି କହି ଉଠୁଥିଲା ସବୁ ଛଳନା, ସବୁ ମାୟା—ମଣିଷ ମୁକ୍ତ ନୁହେଁ ସ୍ଵାଧୀନ ନୁହେଁ—ସେ ପରାଧୀନ, ସେ ପରାଧୀନ । ଆଖିରେ ଲୁହ ଛଳ ଛଳ ହୋଇଉଠିଲା । ସେ ଚାହିଁଲା—ବିନୀ ନାହିଁ, ସେହି ସ୍ଥାନରେ ବସିଛନ୍ତି ସୁଲଦାଦା । ରଞ୍ଜନ ଘର ଭିତରକୁ ଉଠି ଆସିଲା ।

 

କୁନା ପାଠ ପଢ଼ିଲାଣି । ବେଳେବେଳେ ରଞ୍ଜନ ପାଖକୁ ଆସି କହେ ବାଇ ମତେ ଛବି ବହି ଦିଅ । ମୁଁ ଚିତର ଦେଖିବି । ରଞ୍ଜନ କହେ—ହଉ ଦେବି ରହ । ଆଚ୍ଛା ତୁ କହିଲୁ କୁନା ଅ ଆ ପରେ କଅଣ ?

 

ହସେଇ’ ଜୋର କରି କହେ କୁନା ।

 

ହସିଉଠେ ରଞ୍ଜନ— ‘ହସେଇ’ ? ନୁହେଁ, ତୁ ଲେଖିପାରିବୁ ?

 

ହଁ ଲେଖିଦେବି । ମାଟି ଖଡ଼ି ଆଣି ତଳେ ମୁଣ୍ଡୁଳା କାଟେ । ରଞ୍ଜନ କହେ ନାଁରେ ସେମିତି ନୁହେଁ—ଏମିତି । ତଳେ ବଡ଼ ‘ଅ’ ଲେଖିଦିଏ ରଞ୍ଜନ । କୁନାର ହାତ ଧରି ‘ଅ’ ଉପରେ ଖଡ଼ି ବୁଲାଏ । ମାତ୍ର ହାତ ଛାଡ଼ିଦେଲେ କୁନା ଏପଟ ସେପଟ କରି ଗାରେଇ ପକାଏ । ମାଆ ଦୂରରୁ ଥାଇ କାହିଁକି କେଜାଣି ଘଡ଼ିଏ ଚାହିଁ ରହନ୍ତି । ପାଖକୁ ଆସି ପାରନ୍ତି ନାହିଁ । ରଞ୍ଜନ ଯେତେବେଳେ ସ୍ଵାଭାବିକ ଅବସ୍ଥାକୁ ଫେରିଆସେ, ଦେଖେ—କୁନା ମୁତି ପକାଇ ସେଥିରେ ଖଡ଼ି ବୁଲାଇଲାଣି । ରଞ୍ଜନ ଛିଃ ଛିଃ କହି ତାକୁ ଉଠାଇ ଆଣିବାବେଳକୁ ମାଆ ହଠାତ୍ ହାଁ ହାଁ କରି ଦଉଡ଼ି ଆସନ୍ତି । ରାଗରେ ଗର ଗର ହୋଇ କହନ୍ତି–ମଣିଷ କଣ ଏଠି ଅଛନ୍ତି ? ପିଲାଟା ମୁତି ଘାଣ୍ଟି ଘାଣ୍ଟି ଆସି ଦେହ ସାରା କାଦୁଅ ବୋଳି ହେଲାଣି । କାହାକୁ କଣ ଦେଖା ହେଉଛି ? ଯା କରିବି ମୁଁ । ଦୁମ୍‍ ଦୁମ୍ ହୋଇ ପୁଅକୁ କାଖୋଇ ଚାଲି ଯାଆନ୍ତି । କ୍ଷଣକ ଭିତରେ ଯେ କଣ ଏଠି ଘଟି ଗଲା କିଛି ଭାବି ପାରେ ନାହିଁ ରଞ୍ଜନ । ସେ ଖାଲି ଆଁ କରି ଚାହିଁ ରହିଥାଏ । କିଛି ସମୟ ପରେ ତା ଆଖିରେ ଲୁହ ଢଳ ଢଳ ହୁଏ । ସେ ବାହାରକୁ ପଳାଇ ଯାଏ । ସଞ୍ଜ ବେଳେ କୁନା ଆସି ରଞ୍ଜନ କୋଳରେ ବସେ । ରଞ୍ଜନ ଅଗଣାରେ ବସି ତାକୁ ଜହ୍ନ ଦେଖାଏ । କେତେ କଣ କଥା କହେ । କୁନା କେତେ କଣ ପଚାରି ଯାଏ । ବାଇ ମୁଁ ଜଜକୁ ଆନିବି । ରାତି କଅନ ? ବୋଉ ତର କଅନ ହୁଏ ? ମୁଁ ପାଥ ପଡ଼ୁଚି ଇତ୍ୟାଦି ଅନେକ କଥା, ଅନେକ ପ୍ରଶ୍ନ; ଯାହା ଉତ୍ତର ଦେବା ରଞ୍ଜନ ପକ୍ଷରେ କଷ୍ଟକର । କୌଣସି କଥାରେ ଉତ୍ତର ନ ଦେଲେ କୁନା କାନ୍ଦିବ, କୋଳରେ ରହିବ ନାହିଁ । ତେଣୁ ରଞ୍ଜନ ସବୁ କଥାରେ ହଁ ମାରେ । ହଁ, ତୁ ଚାନ୍ଦକୁ ଆଣିବୁ, ବଡ଼ ହେଲେ ଉଡ଼ାଜାହାଜରେ ବସିବୁ, ଇତ୍ୟାଦି । ରାତିରେ କୁନା କାନ୍ଦେ—ବୋଉ ମୁଁ ବାଇ ପାଖଲେ ଥୋଇବି । ବାଇ ମୋତେ କଥା କହିବ । ମାତ୍ର ମାଆ ତାକୁ ମନା କରନ୍ତି । କୁନା ଅଝଟ କରେ । ସେ ବିଛଣାରେ ଗୋଡ଼ ହାତ ବାଡ଼ାଏ । ମାଆ ଅନେକ ପ୍ରକାର ବହଲାନ୍ତି—ହେଇରେ ବାଘ ଆଇଲାଣିରେ, ତୋତେ ଧରି ନେବ ରେ—କୁନା ଟିକିଏ ରହିଯାଏ, ତାପରେ କାନ୍ଦେ । ମାଆ ବିରକ୍ତ ହୁଅନ୍ତି । ବିଧାଏ ଦୁଇ ବିଧା କଷି ଦିଅନ୍ତି କୁନା ପିଠିରେ । କୁନା ରାହା ଧରି କାନ୍ଦି ଉଠେ । ରଞ୍ଜନ ଅନୁଭବ କରେ ଯେପରି ତା ପିଠିରେ କିଏ ବିଧା ମାରୁଛି । ରକ୍ତ ଶୁଖିଯାଏ—ଇଚ୍ଛା ହୁଏ ଉଠିଯାଇ କୁନାକୁ ନେଇ ଆସିବ, ମାତ୍ର ପାରେ ନାହିଁ । ମାଆ ଗାଳିଦେବେ । କହିବେ ମୋ ପୁଅ ଉପରେ ତମର କି ଅଧିକାର ଅଛି ? ତମେ ସେ ପିଲାକୁ ଖରାପ କରିଦେଉଛ, ତମକୁ ବିଶ୍ୱାସ ନାହିଁ । ଦୀର୍ଘଶ୍ଵାସ ଛାଡ଼େ ରଞ୍ଜନ । ଶୁଣେ, ମାଆ କହୁଛନ୍ତି ସେ ଘରେ ଭୂତ ଅଛିରେ । ତୋତେ ନେଇଯିବ, କୁନା ଭୂତ ନାଆଁ ଶୁଣି ଡରିଯାଏ, କଳା କଳା ଛାଇ ଦେଖି ଚମକି ପଡ଼ି ମାଆ କୋଳ ଭିତରେ ଆଖି ବୁଜି ଲୁଚିଯାଏ । ଅଧିଆ ଶିଆଳ ଭୁକି ଉଠନ୍ତି । ନିଦ ହୁଏ ନାହିଁ ରଞ୍ଜନକୁ । ଏକଡ଼ସେକଡ଼ ହୋଇ ଛାଟିପିଟି ହୁଏ । ଖଟ ଉପରେ ପିଟି ବାଡ଼େଇ ହୁଏ । ଛାରପୋକ କାମୁଡ଼ୁଛନ୍ତି । ଡ଼ି.ଡ଼ି.ଟି ଆଣିବା ପାଇଁ ସେ ପଇସା ମାଗିଥିଲା, ମାଆ ଚମକିପଡ଼ି କହିଲେ ଡ଼ି.ଡ଼ି.ଟି ଆଣି କଣ ମଣିଷକୁ ମାରିବାକୁ ଚାହଁ ନା କଣ ? କିଛି ଉତ୍ତର ଦେଇ ନଥିଲା ରଞ୍ଜନ । ସେ ଅନୁଭବ କରିଥିଲା—ପ୍ରକୃତରେ ସେ ଭୁଲ କଥା କହିଛି । ଡ଼ି.ଡ଼ି.ଟି ବିଷାକ୍ତ ପଦାର୍ଥ । ମଣିଷତ ଗନ୍ଧରେ ଚେତନା ହରାଏ । କେହି ଯଦି ରାଗ ମୁହୂର୍ତ୍ତରେ ଖାଇ ଦିଏ, ସେ ମରେ । ତେଣୁ ଜାଣୁ ଜାଣୁ ଘରେ ବିଷାକ୍ତ ଦ୍ରବ୍ୟ ରଖିବା ଉଚିତ ନୁହେଁ । କାହିଁକି ସେ ଡ଼ି.ଡ଼ି.ଟି ଆଣିବା କଥା କହିଲା । ମାଆ ବାରଲୋକଙ୍କ ପାଖରେ ବନେଇ ଚୁନେଇ କହିବେ । ସମସ୍ତେ ତାକୁ ଛି ଛା କରିବେ ।

 

ସେ ଅନୁଭବ କରୁଥିଲା—ତା ମୁଣ୍ଡ ଭିତର ଖୋଲା ଖୋଳପାରେ ଯେପରି କେବଳ ପବନ ବିଚରଣ କରୁଛି । ରକ୍ତ, ମାଂସ, ଶିରା-ପ୍ରଶିରା କିଛି ନାହିଁ । କେବଳ ଭେକ୍ୟୁମ କେବଳ ଭେକ୍ୟୁମ । ନିଜପ୍ରତି ଅଭିମାନ ଆସିଲା । ମନେ ପଡ଼ିଲା—ସ୍କୁଲ ଜୀବନର କଥା । ସବୁ ଶିକ୍ଷକମାନେ ତାକୁ ଭଲ ପାଆନ୍ତି । ପ୍ରତି ପ୍ରଶ୍ନରେ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇପାରେ ବୋଲି ତାର ନାଆ ଥିଲା । ସମସ୍ତେ କହୁଥିଲେ—ବଡ଼ ହେଲେ ଟି ନାଆଁ ରଖିବୁରେ, କିନ୍ତୁ କଣ ହେଲା ? ଆଜି ସେ କିଛି ଉତ୍ତର ଦେଇପାରୁ ନାହିଁ । ଯାହା କହୁଚି ସେ ପୁଣି ଭୁଲ୍ ହୋଇ ଯାଉଛି । ମାଆ ତାର ବେଶୀ ପାଠ ପଢ଼ି ନାହିଁ । ଗାଆଁ ଅପରପ୍ରାଇମେରୀ ସ୍କୁଲରେ ପାଠ ପଢ଼ିଛ । ସେ ଆଜି ତାର ପ୍ରତି କଥାକୁ ଧରି ପକାଉଛି । ତାର ଦୋଷ ସବୁ ଦେଖାଇ ଦେଉଛି । ନିଜକୁ ଖୁବ୍ ଛୋଟ ମଣିଲା ରଞ୍ଜନ । ତାର ମନେ ହେଲା—ପୁରୁଷ ଯେତେ ଉଚ୍ଚ ଶିକ୍ଷା ପାଉ ପଛକେ ଅଶିକ୍ଷିତା, ମଫସଲୀ, ନିରକ୍ଷରା ସ୍ତ୍ରୀ ସମାଜ ନିକଟରେ ସେ କେବେ ବିଜେତା ହୋଇପାରିବ ନାହିଁ । ଏଥିପାଇଁ ସାଧନା ଲୋଡ଼ା । ମଶାମାନଙ୍କର ଗୁଣୁ ଗୁଣୁ ଶବ୍ଦରେ ଚମକି ପଡ଼ିଲା ରଞ୍ଜନ । ଭାରି ଭଲ ଲାଗିଲା ତାକୁ, ସେ ସେହି ଶବ୍ଦ ଉପଭୋଗ କରିବାକୁ ଲାଗିଲା । ମନେ ପଡ଼ିଲା—ମାଆ ଯେପରି ଗୁଣୁଗୁଣୁ ଗୀତ ଗାଇ ତାକୁ ଶୋଇ ପକାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପର ମୁହୂର୍ତ୍ତରେ ସେ ଅନୁଭବ କଲା ସେହି ସ୍ୱର ଯେପରି ନିକଟରୁ ନିକଟତର ହେଉଛି, ଭୟରେ ପିଠି ତଳୁ ତଉଲିଆ କାଢ଼ି ବିଞ୍ଚି ହୋଇପଡ଼ିଲା-। ମଶାମାନେ କାଁ ଭାଁ ଚିତ୍କାର କରି ଉଡ଼ି ପଳାଇଲେ । ମନେ ମନେ ହସି ଉଠିଲା ରଞ୍ଜନ । କେହି ନହାରନ୍ତୁ ପଛେ ମଶାମାନେ ତାକୁ ଭୟକରି ହାରିଗଲେ । ପଳାୟନପନ୍ଥୀ ସୈନ୍ୟବାହିନୀ ପରି ସେମାନେ ଛତ୍ରଭଙ୍ଗ ଦେଲେ । ପରମୁହୂର୍ତ୍ତରେ ଉଃ ବୋଲି କହି ସେ ଉଠି ପଡ଼ିଲା । ତରବରରେ ପିଠିକୁ ହାତ ବୁଲାଇ ରାମ୍ପି ପକାଇଲା । ପିଠି ଫଳି ଯାଇଛି, ଛାରପୋକ ବୋଧେ ରିଟ୍ କରି କାମୁଡ଼ି ଦେଲା । ପିଠିଟା ଜଳୁଛି, ଶୋଇପାରିଲା ନାହିଁ ରଞ୍ଜନ–ଝରକା ଖୋଲି ଦେଲା । ହିମ ପବନ ଘର ଭିତରକୁ ବହି ଆସିଲା । ତାକୁ ଟିକେ ଆରାମ ଲାଗିଲା । ସେ ପୁଣି ଚିତ୍‍ ହୋଇ ଶୋଇ ବାହାରକୁ ଚାହିଁଲା । ବାହାରେ ପାତାଳ କଳା ଶାଢ଼ୀର ଆସ୍ତରଣ ପରି ଦେଖାଗଲା ।

 

ତରାମାନେ ମିଞ୍ଜି ମିଞ୍ଜି କରି ହସୁଛନ୍ତି । କର ପାଖକୁ ଚାହିଁଲା—ଗହଳିଆ ବୁଦାଟା ମଣିଷ ବସିବା ପରି ଦେଖାଯାଉଛି । ଭୟ ଲାଗିଲା ରଞ୍ଜନକୁ ଫଡ଼ ଫଡ଼୍ ଶବ୍ଦ କରି ବାଦୁଡ଼ିଟିଏ ଉଡ଼ିଗଲା । ବର ଅଶ୍ୱତ୍ଥ ଗଛ ଆଡ଼କୁ ରଞ୍ଜନ ଚାହିଁଲା । ଗଛ ମଣିଷ ପରି ଛିଡ଼ା ହୋଇଥିବାର ତାକୁ ଦେଖାଗଲା । ଆଖି ଦୁଇଟି ଫେରାଇଲା ରଞ୍ଜନ । ଝରକା ଅଧା ବୁଜି ଦେଲା । ଶିରି ଶିରି ପବନ ବହୁଚି—ଖୁବ୍ ଶାନ୍ତି ଲାଗିଲା ତାକୁ । ସେ ଆଖି ବୁଜିଲା । ଭାସି ଉଠିଲା ସ୍ମିତାର ମୁହଁ । କି କରୁଣଦୀପ୍ତ ସେ ଚାହାଣୀ । ପୂର୍ବପରି ସେ ଯେପରି ତଳକୁ ମୁହଁ ପୋତି କହୁଚି—ଭାଇ ସବୁ କଣ ଭୁଲିଗଲ ? ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପାରିଲ ନାହିଁ । କର୍ମଭୂମିରେ ତୁମେ ହାରିଗଲ । ତୁମେ ପରା ମୋତେ ଗୀତା ପଢ଼ାଅ ବୁଝାଅ । ମନେ ନାହିଁ ? ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କଣ କଣ କହିଥିଲେ—

 

“ଜାତସ୍ୟହି ଧ୍ରୁବ ମୃତ୍ୟୁ ର୍ଧ୍ରୁବଂ ଜନ୍ମ ମୃତସ୍ୟ ଚ

ତସ୍ମାଦ୍ ପରିହାର୍ଯ୍ୟାର୍ଥ ନ ତ୍ଵଂ ଶୋଽଚିତୁ ମର୍ହସି ।”

 

ତେବେ କାହିଁକି ତୁମେ ସେଠି ପଡ଼ି ଏପରି ଘାଣ୍ଟି ହେଉଚ ? ଭୟ ଲାଗୁଚି ବାହାରେ ଚଳିବ କିପରି ? ନିଜ କର୍ମରେ ଲାଗିବ କିପରି ? ମନେ ନାହିଁ ଭାଇ, ଏ ସୃଷ୍ଟିରେ ତ ପ୍ରଥମେ କିଛି ନ ଥିଲା । ନଥିଲା ଦୋକାନ, ବଜାର, ଫଳ ମୂଳ କିଛି । ମଣିଷ ପ୍ରଥମେ ଜନ୍ମ ହେଲା, ସଂଗ୍ରାମ କଲା, ଖାଇବା ପାଇଁ ଉପାୟ ବାହାର କଲା । ସେ ବଞ୍ଚିଲା, ଆଗାମୀ ବଂଶଧରଙ୍କ ପାଇଁ ପଥ ଦେଖାଇଲା । ତମେ କଣ ଦୁର୍ବଳ ? ତମେ କଣ ଗୋଟିଏ ପେଟକୁ ଚଳାଇ ନିଜ ଗୋଡ଼ରେ ଛିଡ଼ା ହୋଇ ପାରିବ ନାହିଁ । ତମେ ଦିନେ କହିଥିଲ ନାଁ ପାଠପଢ଼ି ବଡ଼ ମଣିଷ ହେବ । ମୋତେ ନେଇ ବାହାରେ ରଖିବ । ସମସ୍ତ ପ୍ରକାର ନିର୍ଯ୍ୟାତନାରୁ ରକ୍ଷାକରିବ । କଣ ହେଲା ? କାହିଁକି ତମେ ଏପରି ନିର୍ଯ୍ୟାତୀତ ହୋଇ ପଡ଼ି ରହିଛ ? ନିଜ ପ୍ରତି ବିଶ୍ଵାସ ନାହିଁ ? ନିଜର କ୍ଷମତା ଉପରେ ଆସ୍ଥାନାହିଁ ?? କଇଁ କଇଁ ହୋଇ କାନ୍ଦିଉଠିଲା ରଞ୍ଜନ । ସେ ଭାବପ୍ରବଣ ହୋଇ କହି ଉଠିଲା ହଁ ହଁ ମୁଁ ସବୁ ପାରିବିରେ । କିନ୍ତୁ କଣ ପାଇଁ ? କାହିଁକି ଆଉ ସଂଗ୍ରାମ କରିବି ? ମୋ ମନର ଆଶା ମରିଯାଇଛିରେ ଭଉଣୀ । ତୁ ତ ଆଉ ମୋ ପାଖରେ ନାହୁଁ । ତୋରି ପ୍ରେରଣାରେ, ତୋରି ମୁହଁରେ ହସ ଦେଖିବା ପାଇଁ ମୁଁ ଅଦୃଶ୍ୟ ଭାବରେ ବଳ ପାଇ ଆଗେଇ ଯାଉଥିଲି । କିନ୍ତୁ ତୁ ଯିବା ଦିନରୁ ସେ ସ୍ପୃହା ମୋ ମନରେ ମରିଯାଇଛି । ମୁଁ ଦେଖୁଛି ଜୀବନରେ ଆଉ ସଂଗ୍ରାମ କରି କିଛି ଲାଭନାହିଁ-। କାହିଁକି ସଂଗ୍ରାମ କରିବି, କେବଳ ମୋରି ସୁଖ ପାଇଁ-? ମୋ ନିଜକୁ ପ୍ରତିଷ୍ଠା କରିବାପାଇଁ ? ଲୋଡ଼ା ନାହିଁରେ ଭଉଣୀ, ଲୋଡ଼ାନାହିଁ । ଏହିପରି ଜୀବନ ବରଂ ଖୁବ ଭଲ । ଆଉ କେଇଟା ଦିନ ପାଇଁ ଏ ସଂଗ୍ରାମ ? ବରଂ ମୃତ୍ୟୁରେ ମୋର ଶାନ୍ତି ଆସିବ । ମୁଁ ଚାହେଁ ମୃତ୍ୟୁ ।

 

ଭାଇ ! ତୁମେ ଏସବୁ କଣ କହୁଛ ? ତମେ ପରା ମୋତେ କୁହ ଏଇଟା ଆମର ସ୍ଥୂଳ ଶରୀର । ମୋର ସେହି ସ୍ଥୂଳ ଶରୀର ସିନା ନଷ୍ଟ ହୋଇଚି । ତଥାପି ମୁଁ ବଞ୍ଚିଛି । ଏହି ମୋର ସୁକ୍ଷ୍ମ ଶରୀର । ତୁମ ରାଜ୍ୟ ପରି ଏଠି ମଧ୍ୟ ରାଜ୍ୟ ଅଛି । ଏଠି ଆମେ ମଧ୍ୟ ଖେଳୁବୁଲୁ, ସବୁପ୍ରକାର ସୁବିଧା ସୁଯୋଗ ପାଉ । କିନ୍ତୁ ତୁମ ରାଜ୍ୟପରି ଏଠି ବାଦ–ବିବାଦ, ହିଂସା–କପଟ କିଛି ନାହିଁ । ଖୁବ ସୁନ୍ଦର ଏ ରାଜ୍ୟ । ମୋତେ ଖୁବ୍ ଭଲ ଲାଗୁଛି । ମୁଁ ମରିନାହିଁ ଏବେ ବି ବଞ୍ଚିଛି । ତୁମେ ସିନା ମୋତେ ଦେଖି ପାରୁନାହଁ । କିନ୍ତୁ ମୁଁ ତୁମକୁ ସବୁବେଳେ ଦେଖୁଛି । ତୁମ ମନର କଥା ଜାଣି ପାରୁଛି-। ସବୁ ସମୟରେ ତୁମକୁ ପୂର୍ବପରି ଅନେକ କଥା କହୁଚି, କିନ୍ତୁ ତୁମେ ଶୁଣିପାରୁ ନାହିଁ, ତୁମେ ଜାଣିପାରୁ ନାହଁ । ଭାଇ ମୋର ଅନୁରୋଧ—ତୁମେ ତୁମ ଲକ୍ଷ୍ୟ ପଥରେ ଆଗେଇ ଯାଅ । ମୁଁ ତୁମ ନିକଟରେ ସବୁବେଳେ ଅଛି । ତୁମେ ଭାଙ୍ଗିପଡ଼ ନାହିଁ, ତୁମେ ଅବୁଝା ହୁଅ ନାହିଁ । ଦୀର୍ଘଶ୍ୱାସ ପକାଇଲା ରଞ୍ଜନ । ପୁଣି ଚାହିଁଲା ସ୍ମିତା ନାହିଁ । ତାକୁ ସ୍ମରଣ କଲା, କିନ୍ତୁ ସ୍ମିତାର ମୁଖ ଅସ୍ପଷ୍ଟ ହୋଈ ଉଠିଲା । ସେ ପାଗଳ ପରି ବିଭିନ୍ନ ଘଟଣାକୁ ମନେ ପକାଇଲା । କିନ୍ତୁ କଛି ମନେପଡ଼ିଲା ନାହିଁ । ଆଖି ଆଗରେ ଭାସିଉଠିଲା ବିନୀର ମୁଁହ । ମନେପଡ଼ିଲା ବିନୀର ଶେଷବେଳର ଦୃଶ୍ୟ । ଭୋରୁ ଭୋରୁ ବାଜା ଶବ୍ଦରେ ତାର ନିଦ ଭାଙ୍ଗିଗଲା । ବାପା, ମାଆ ସମସ୍ତେ କହିଲେ—ହେଇରେ ବିନୀର ବରଆସିଲାଣି ଦେଖିବା ଚାଲ । ତାପରେ ସମସ୍ତେ ଉଠିଗଲେ ବାହାରକୁ । ରଞ୍ଜନର ଖୁବ୍ ଇଚ୍ଛା ହେଲା ବର ଦେଖିବାକୁ ଯାଆନ୍ତା, ବାଜାବାଲାଙ୍କର ନାଚ ଦେଖନ୍ତା, ଗୀତ ଶୁଣନ୍ତା । ଉଠି ପଡ଼ିଲା । ମାତ୍ର ପରମୁହୂର୍ତ୍ତରେ ପାଦ ତାର ଆଗକୁ ଚାଲିଲା ନାହିଁ । ବାହାରକୁ ଯିବାକୁ ଇଚ୍ଛା ହେଲା ନାହିଁ । ସେ ଝରକା ଖୋଲି ଖଟ ଉପରକୁ ଶୋଇ ବାହାରକୁ ଚାହିଁ ରହିଲା । ବାଜା ବଜେଇ ବାଣ ଫୁଟେଇ ଝରକା ପାଖ ଦେଇ ବରଯାତ୍ରୀମାନେ ଆଗେଇ ଚାଲିଲେ । ରଞ୍ଜନର କେଜାଣି କାହିଁକି ନିଜ ପ୍ରତି ଅଭିମାନ ଆସିଲା । ସେ ନ ଚାହିଁବାକୁ ଇଚ୍ଛା କଲା । ମାତ୍ର ପରମୁହୂର୍ତ୍ତରେ ଆପଣା ଛାଏଁ ଆଖି ଚାଲିଗଲା ପାଲଙ୍କି ଆଡ଼କୁ । ଧଳା ଲୁଗା ଏବଂ ଧଳା କାମିଜି ପିନ୍ଧି ଖୋକନ ବସିଛି । ଧଳା ପଞ୍ଜାଵୀ ଉପରେ ସୁନାର ହାରଟା ଚିକ୍ ଚିକ୍ କରୁଛି । ଚିକ୍ ଚିକ୍ କରୁଛି ମଧ୍ୟ ଲଲାଟର ଧାଡ଼ି ଧାଡ଼ି ଦିଆହୋଇଥିବା ଚନ୍ଦନ ବିନ୍ଦୁ । ଦୃଷ୍ଟିଗଲା ତଳକୁ । ଖୋକନ ଦୁଇହାତରେ ନଡ଼ିଆ ଧରିଛି, ଆଙ୍ଗୁଳିରେ ସୁନାମୁଦି ଗୁଡ଼ିକ ଚିକ୍ ଚିକ୍ କରୁଛି, ପୁଣି ସେ ଚାହିଁଲା ଖୋକନ ମୁହଁକୁ—ଆଃ କି ଶାନ୍ତି ସେ ମୁଖମଣ୍ଡଳ, ନୀରବ ସେ ନୟନର ଭାଷା, ଶରତର ସ୍ୱଚ୍ଛ କାଶତଣ୍ଡୀ ପରି, ପୁର୍ଣିମା ଚାନ୍ଦର ରଜତ ଜ୍ୟୋଛନା ପରି କି ଲୋଭିଲା ସେହି ମୁହଁଟି, ଅଧରରେ ସ୍ମିତ ହସର ରେଖା—ଠିକ୍ ତାଙ୍କ ଘରେ ଟଙ୍ଗା ଯାଇଥିବା ଯୁଗଳ ରାଧାକୃଷ୍ଣଙ୍କର ମୂର୍ତ୍ତିପରି । କେତେ ସଜୀଵ ଦେଖା ନ ଯାଆନ୍ତା କୃଷ୍ଣଚନ୍ଦ୍ର । ସେ କିଛି କହନ୍ତି ନାହିଁ—ମାତ୍ର ଅନେକ କିଛି ସେ ମୁହଁରୁ ଜଣାପଡ଼େ । ସେହିପରି ଖୋକନ କାହାରିକୁ କିଛି କହୁନାହିଁ—ମାତ୍ର ତା ମନରେ ଅନେକ କଥା ଅଧରରୁ ଜାଣି ହେଉଛି । ତା ଜୀବନରେ ସତରେ କଣ ଏହିଦିନ ଆସିବ ? ସେ ଯଦି ଏପରି ପାଲିଙ୍କି ରେ ବସି ସଜ ବାଜ ହୋଇଯାଆନ୍ତା ? ଦୀର୍ଘଶ୍ୱାସ ଛାଡ଼ିଲା ରଞ୍ଜନ । ପାଲିଙ୍କି ଝରକା ଅତିକ୍ରମ କରି ଚାଲିଗଲାଣି । ବୋଧହୁଏ ବିନୀଙ୍କ ଦାଣ୍ଡରେ ପହଞ୍ଚି ଗଲାଣି । ବାଜା ନୀରବ ହୋଇଗଲାଣି । ମାତ୍ର ଲୋକମାନଙ୍କର ପାଟିତୁଣ୍ଡରେ ଯାତ୍ରା ବସିବା ପରି ଶୁଣାଯାଉଛି । କର ଲେଉଟାଇ ଶୋଇଲା ରଞ୍ଜନ । ନିଦ ହେଲା ନାହିଁ । କେଜାଣି କାହିଁକି ମୁଣ୍ଡ ଗୋଳମାଳ ହୋଇଗଲା । ଦେହରୁ ଝାଳ ବୋହିଗଲା । ସେ ଉଠିଯାଇ ଅନ୍ଧାରରେ ପାଣିଗ୍ଲାସେ ପିଇଦେଇ ଆସି ପୁଣି ଶୋଇଲା । ନିଦ ଭାଙ୍ଗିଲା ବେଳକୁ ଅନେକ ସମୟ ହୋଇଯାଇଥିଲା । ବାହାରକୁ ଚାହିଁଲା—ଖରା ଆସି ନଡ଼ିଆ ଗଛ ଉପରେ ପଡ଼ିଲାଣି । ବେଳଆସି ଦୁଇଘଡ଼ି ହେବ ବୋଲି ସେ ଅନୁମାନ କରିନେଲା । ବରଯିବା କଥା ଛପିଲା ଛପିଲା ମନେ ପଡ଼ିଲା । ଅନ୍ତରରେ ଆଉକିଛି ଭାବ ତାର ସୃଷ୍ଟି ହେଲାନାହିଁ-। ମାତ୍ର ସେ ବାହାରକୁ ଯିବାକୁ ଇଚ୍ଛା କଲାନାହିଁ । ଧୀରେ ଧୀରେ ଦାନ୍ତଘଷିବା ପାଇଁ ବାଡ଼ି ଆଡ଼କୁ ଗଲା । ନିଜର ନିତ୍ୟକର୍ମ ସାରି ପଖାଳ ଖାଇ ଦେଇ ବାଡ଼ିଘରେ ମଶିଣା ବୁଣିବାରେ ମନଦେଲା । ଦ୍ୱିପ୍ରହର ବେଳେ ସୁଲ ଦାଦା ଆସି ପହଞ୍ଚିଲେ । ରଞ୍ଜନକୁ ତାଙ୍କ ଘରକୁ ଯିବାକୁ ବାଧ୍ୟ କଲେ । ଭାଇମାନେ ସମସ୍ତେ ପତ୍ର ପକାଇଲେଣି । ସେ ନ ଗଲେ ଦାଦା ଖାଇବେ ନାହିଁ ବୋଲି କହିଲେ । ରଞ୍ଜନ ଗାଧୋଇପଡ଼ି ତାଙ୍କ ଘରଆଡ଼େ ଚାଲିଲା । ଲୋକମାନେ ଖାଇସାରି ଚାଲିଗଲେ । ଆଉ କିଏ କିଏ ବା ଖାଇବା ପାଇଁ ଆସୁଥିଲେ ପରଷୁଣି ଲୋକଙ୍କ ଧାଁ ଧପଡ଼ ପାଟିଗୋଳରେ ସ୍ଥାନଟି ପୁରି ଉଠୁଥିଲା । ଜନଗହଳି ଭେଦ କରି ସୁଲଦାଦା ଏବଂ ରଞ୍ଜନ ତାଙ୍କ ଦାଣ୍ଡରେ ପହଞ୍ଚିଲେ । ଦାଣ୍ଡ ପିଣ୍ଡାରେ ଖୋକନ ପଛପଟେ ତକିଆ ଦେଇ କାନ୍ଥକୁ ଡ଼େରି ହୋଈ ବସିଚି । ଆଉ କେତେ ଜଣ ବରଯାତ୍ରୀ ଗପ ସପରେ ମଜ୍ଜି ଯାଇଛନ୍ତି । ରଂଜନର ଦୃଷ୍ଟି ଖୋକନ ଉପରେ ପଡ଼ିଯିବା ମାତ୍ରେ ଖୋକନ ତାକୁ ହାତଠାରି ଡ଼ାକିଲା । ରଞ୍ଜନ ଟିକେ ହସି ଦେଇ ଆସୁଚି ବୋଲି ଇଙ୍ଗିତରେ କହିଦେଇ ସୁଲଦାଦା ପଛେ ପଛେ ତାଙ୍କ ଘର ଭିତରକୁ ଚାଲିଗଲା । ଦାଣ୍ଡ ପାଖ ଘରେ ସ୍ତ୍ରୀଲୋକମାନଙ୍କ ମଝିରେ ବିନୀ ବସିଛି । ମୁଣ୍ଡରେ ଓଢ଼ଣା, ସମଗ୍ର ଶରୀର ଲାଲ ଶାଢୀ ଦ୍ୱାରା ଆବୃତ୍ତ କରି ସକାଳର ସୂର୍ଯ୍ୟ ପରି ଦେଖା ଯାଉଥାଏ ବିନୀ । ଛାଏଁ ଛାଏଁ ରଞ୍ଜନର ଦୃଷ୍ଟି ପଡ଼ିଲା ବିନୀ ଉପରେ । ବିନୀ କଣେଇ କରି ଚାହିଁ ଦେଲା ରଞ୍ଜନକୁ । ସୁଲଦାଦା କହିଲେ—ଆ ରଞ୍ଜୁ, ଏଇ ଭିତର ଘରେ ବସ । ରଞ୍ଜନ ହଠାତ୍ ଆଖି ଫେରାଇ ସଙ୍ଗେ ସଙ୍ଗେ ଭିତର ଘରକୁ ଚାଲିଗଲା । ସୁଲଦାଦା କହିଲେ—ତୁ ଏଇନେ ଖାଇଦେ । ରଞ୍ଜନ କହିଲା ନାଇଁ ନାଇଁ, ମୋତେ ଭୋକ ଲାଗୁ ନାହିଁ । ତମେ ବାହାର ଲୋକଙ୍କ କଥା ବୁଝି ଆସ । ତାପରେ ଆମେ ସାଙ୍ଗ ହୋଇ ସମସ୍ତେ ଖାଇବା । ସୁଲଦାଦା ହଉ କହି ବାହାରକୁ ଚାଲିଗଲେ । ନିର୍ଜନ ଘରଟି । କେବଳ ଗୋଟିଏ କୋଣରେ ବସି ବିନୀର ମାଆ ପାନ ଭାଙ୍ଗୁଛନ୍ତି । ରଞ୍ଜନ ଖଟ ଉପରେ ବସି ଚାରି ପାଖରେ ଥିବା ଚିତ୍ର ଆଡ଼କୁ ଚାହିଁଲା । ବିନୀ ମାଆ ପାନ ଭାଙ୍ଗି ସାରି ପାନ ନିଅ ପୁଅ କହି ଦୁଇ ଖଣ୍ଡ ପାନ ରଞ୍ଜୁ ହାତରେ ଗୁଞ୍ଜି ଦେଇ ବାହାରକୁ ଚାଲିଗଲେ । କିଛି ସମୟ ପରେ ବିନୀର ସାନ ଭଉଣୀ ନିନୀ ସେଠାରେ ପହଞ୍ଚି କହିଲା—ରଞ୍ଜୁ ଭାଇ, ଏତେବେଳ ଯାଏ କୁଆଡ଼େ ଥିଲ ? ଅପା ପରା ମୋତେ ସବୁବେଳେ ତୁମେ ଆସିଲଣି କି ନାହିଁ ପଚାରୁ ଥିଲା । ତାପରେ ନିନୀ ଚାରିଆଡ଼କୁ ଚାହିଁ ଦେଇ ଧୀରେ କହିଲା, ଅପା କଣ ଦେଇଛି ନିଅ । ଏହା କହି ମୁଦା ଲିଫାପା ରଞ୍ଜନ ହାତରେ ଗୁଞ୍ଜି ଦେଇ ଚାଲିଗଲା । ରଞ୍ଜନର କୌତୁହଳ ବଢ଼ିଗଲା । କଣ ଦେଇଛି ବିନୀ, ବୋଧହୁଏ ଚିଠି, ବିନୀର ଲେଖା ପଢ଼ିବା ପାଇଁ ସେ ଚଞ୍ଚଳ ହୋଇ ଉଠିଲା । ଲଫାପା ଖୋଲୁଥିବା ସମୟରେ ସୁଲଦାଦା ଘର ଭିତରକୁ ପଶି ଆସିଲେ । ରଞ୍ଜନର ଦେହ ଥରି ଉଠିଲା । ସେ ହଠାତ୍ ଲଫାପାକୁ ଅଣ୍ଟାରେ ଗୁଞ୍ଜିଦେଇ କହିଲା—କଣ, ସବୁ କାମ ସରିଗଲା ?

 

ସୁଲଦାଦା କହିଲେ ନାଁ ନାଁରେ ସେ କଣ ସହଜରେ ସରୁଛି ? ତୁ ଆଗେ ଖାଇନେ, ମୋର ଡ଼େରି ହେବ । ତା ପରେ ସୁଲଦାଦା ଭାତ ମଗାଇଲେ । ରଞ୍ଜନ ପାଣି ନେଇ ହାତ ଧୋଇବାକୁ ବାଡ଼ି ପାଖକୁ ଚାଲିଗଲା । ତାର ଭାରି ଇଚ୍ଛା ହେଲା ବିନୀର ଚିଠି ଦେଖିବାକୁ । ନିଜର କୌତୂହଳକୁ ଦମନ କରି ନ ପାରି ସେ ତରବରରେ ଚାରିଆଡ଼କୁ ଚାହିଁଦେଇ ଲଫାପା ଖୋଲିଲା । କିନ୍ତୁ ଲଫାପା ଭିତରେ ଚିଠି କାହିଁ ? ବିସ୍ମିତ ହେଲା ରଞ୍ଜନ । କାଗଜ ମଧ୍ୟରେ ଦଶଟଙ୍କିଆ ନୋଟଟି ରଖାହୋଇଛି । ସାଧା କାଗଜଟା, କିଛି ଲେଖା ହୋଇ ନାହିଁ । ମନ ତାର ଖରାପ ହୋଇଗଲା । ସେ ବିଷର୍ଣ୍ଣ ମନରେ ଲଫାପାକୁ ଅଣ୍ଟାରେ ମାରି ହାତ ଧୋଇ ପକାଇ ଖାଇବାକୁ ଚାଲିଗଲା । ବିନୀର ମାଆ କେତେ କଣ ପାଖରେ ବସି ପଚାରୁଛନ୍ତି । ତରକାରୀ ଭଲ ହୋଇଛି ନା-? ଆଉ ଟିକେ ଦହି କାଞ୍ଜି ଦିଏ, କଦଳୀ ଭଜା ଖାଇ ଦେଉନା କାହିଁକି ପୁଅ ? ସବୁଗୁଡ଼ା କଣ ସେମିତି ଥୁଆ ହୋଇଛି ? କିଛି ଶୁଣି ମଧ୍ୟ ଶୁଣି ପାରୁନାହିଁ ରଞ୍ଜନ । କେବଳ ହୁଁ ହାଁ ମାରି ସେ ଯନ୍ତ୍ରଚାଳିତ ମେସିନପରି ଖାଇବାରେ ଲାଗିଛି । ମନରେ ଅସଂଖ୍ୟ ଢେଉ ଖେଳୁଛି । ବିନୀ କାହିଁକି ଆଜି ଟଙ୍କା ପଠାଇଲା ? ପୂର୍ବରୁ ଅବଶ୍ୟ ସେ କେତେବେଳେ କେମିତି ତାକୁ ଟଙ୍କା ଯାଚେ । ମାତ୍ର ନିଏ ନାହିଁ ରଞ୍ଜନ । କହେ ଟଙ୍କା ମୋର କଣ ହେବରେ ? ମୁଁ ତ ଖାଇବାକୁ ମୁଠେ ପାଉଚି । ଟଙ୍କା ମୋର କଣ ହେବ ? କେତେବେଳେ ଯଦି ବିନୀ ଦଶଟଙ୍କା ଦେଇ ସୂତା, କପଡ଼ା ହାଟରୁ ମଗାଏ ତେବେ ଟଙ୍କେ ଦୁଇ ଟଙ୍କାର ଜିନିଷ ହୋଇଥିଲେ ଅବଶିଷ୍ଟ ଟଙ୍କା ରଞ୍ଜନ ଫେରାଇଲେ ବିନୀ ନିଏ ନାହିଁ । କହେ ତମେ ରଖିଥାଅ ରଞ୍ଜୁ ଭାଇ, ଆଉ କେତେବେଳେ ଯଦି ଦରକାର ପଡ଼େ ମୁଁ ନେଇନେବି । ବୁଝିପାରେ ସବୁ ରଞ୍ଜନ । ସେ ଜାଣେ ବିନୀ କେବେ ଟଙ୍କା ନେବ ନାହିଁ । ତେଣୁ ସେ କାହିଁକି ବିନୀଠାରୁ ଟଙ୍କା ନେଇ ଧାରୁଆ ହୋଇ ରହିବ ? ସେ ବହି ଖଣ୍ଡେ କି ଅନ୍ୟ ଭଲ ଫଟୋ ଖଣ୍ଡିଏ ତାରି ଟଙ୍କାରେ କିଣି ତାକୁ ଦେଇଦିଏ । ମାତ୍ର ଆଜି କାହିଁକି ବିନୀ ତା ପାଖକୁ ଟଙ୍କା ପଠାଇଲା ? ତାର ଇଚ୍ଛା ହେଲା, ନାଁ ସେ ଟଙ୍କା ରଖିବ ନାହିଁ—ସେ ବିନୀକୁ ଫେରାଇ ଦେବ । କିନ୍ତୁ ବିନୀ ସହ ଦେଖାହେବ କିପରି ? କିଛି ଭାବିପାରୁ ନ ଥିଲା ରଞ୍ଜନ । ସୁଲଦାଦା ଭାତ ଦେବାପାଇଁ କହିଲେ । ଚମକିପଡ଼ି ରଂଜନ କହିଲା, ନାଁ ନାଁ ଢେର ଖାଇଲିଣି, ଆଉ ଖାଇ ପାରିବି ନାହିଁ । ପାଣି ନେଇ ବାହାରକୁ ଉଠିଗଲା । ତାପରେ ସେ ମୁହଁ ହାତ ପୋଛି ପାନ ନେଇ ଖୋକନ ପାଖକୁ ଚାଲି ଗଲା । ଖୋକନ ପଚାରିଲା—କେମିତି ଅଛନ୍ତି ରଞ୍ଜନ ବାବୁ ?

 

ଶୁଷ୍କ ହସ ହସି ରଞ୍ଜନ କହିଲା–‘Face is the index of the mind.’ ମୁହଁ ଦେଖି ମନର କଥା ଜାଣିହୁଏ ବୋଲି କେତେକ ଦାର୍ଶନିକ କହିଛନ୍ତି । ତେଣୁ ମୋ ଚେହେରାରୁ ଅନ୍ତତଃ ତମେ ଅନେକ କିଛି ବୁଝିପାରୁଥିବ ବୋଲି ମୁଁ ଆଶାକରେ । ହସିଉଠିଲା ରଞ୍ଜନ । ଖୋକନ ଦୁଃଖ ପ୍ରକାଶ କରି କହିଲା—ବାସ୍ତବିକ୍ ଆପଣ ଖୁବ୍ ଝଡ଼ି ଯାଇଛନ୍ତି । ସ୍କୁଲରେ ମୁଁ ଆପଣଙ୍କୁ ଯେମିତି ଦେଖିଥିଲି ସେ ରୂପର କାଣିଚାଏ ନାହିଁ । ଆପଣ ଏମିତି କଙ୍କାଳସାର ହୋଇଗଲେ କିପରି ।

 

ରଞ୍ଜନ କହିଲା—ହଉ ସେ ସବୁ କଥା ଥାଉ, ତମେ ଆଗ କହିଲ କଲେଜ କିପରି ଲାଗୁଛି ?

 

ଖୋକନ କହିଲା—ମୁଁ ତ ସେଇକଥା ଆପଣଙ୍କୁ କହିବାକୁ ଚାହୁଁଥିଲି । ଆପଣ ପଢ଼ା ବନ୍ଦ୍ କଲେ କାହିଁକି ? ଜାଣନ୍ତି କଲେଜରେ ଏତେ ଭଲ ଲାଗୁଛି ଯେ ମୁଁ ବିଭା ହେବାକୁ ମନା କରୁଥିଲି, କିନ୍ତୁ ଖାଲି ବାପାଙ୍କ ବାଧ୍ୟରେ...ଶେଷ ବେଳକୁ ଦୁଃଖିତ ହେବାପରି ଜଣାପଡ଼ିଲା ଖୋକନ-

 

ରଞ୍ଜନ କହିଲା—ସେଥିରେ କଣ ଅଛି, ଆଜି ବିଭାଘର ହୋଇ ନ ଥିଲେ କାଲି ହୋଇଥା’ନ୍ତ । ସେଥିରେ କଣ ଅଛି ? ବାପା ମା’ଙ୍କ ମୁଣ୍ଡରୁ ବୋଝଟା ଓହ୍ଲାଇଗଲା ଭଲ ହେଲା । ଏଣିକି ଘର ସଂସାର ବିଷୟରେ ସଚେତନ ହେବ ।

 

ତାହା ଠିକ୍ କଥା ଯେ—କିନ୍ତୁ ମୁକ୍ତ ଜୀବନର ଯେଉଁ ସ୍ୱାଦ ତାହା ଯେ ମୋର ଖୁବ୍ ଶୀଘ୍ର ଲୋପ ପାଇଗଲା । ଆଉ କଣ ସେ ଜୀବନ କେବେ ଆସିବ ? ବରଂ ମୋ ଜୀବନର ଗୋଟିଏ ଅବଶୋଷ ରହିଗଲା ।

 

ମୁକ୍ତ ଜୀବନ ? ଆଉ କିଛି କହିପାରିଲା ନାହିଁ ରଞ୍ଜନ । ମାତ୍ର ସେ ଭାବିଲା—ତା ଜୀବନ ତ ମୁକ୍ତ । ସେ ସଂସାରୀ ନୁହେଁ ସେ ବନ୍ଧନରେ ବାନ୍ଧି ହୋଇନାହିଁ, ତେବେ ସେ କାହିଁକି ଆଜି ଅସ୍ଥିକଙ୍କାଳସାର ହୋଇଛି ? ସେ କାହିଁକି ନୀରବରେ ଅଶ୍ରୁବିସର୍ଜନ କରୁଛି ? ମାତ୍ର ଏଇ ଖୋକନ ଦିନେ ତାର ତଳ କ୍ଳାସରେ ପଢ଼ୁଥିଲା । ସ୍କୁଲ ଜୀବନରେ ତା ଆଗକୁ ଆସିବାକୁ ଭୟ କରୁଥିଲା—ସେ ଆଜି ସ୍ୱଚ୍ଛନ୍ଦ ଭାବରେ କେତେ ଦାର୍ଶନିକ ବ୍ୟାଖ୍ୟା ନ କରି ପାରୁଛି ? ମୁକ୍ତ ଜୀବନ ପାଇଁ ସେ କେତେ ବ୍ୟଗ୍ର । ଚାହାଣୀ ତାର କେତେ ଦୀପ୍ତ । କେତେ ଉଜ୍ଜ୍ୱଳ ! ମାତ୍ର ସେ ?? ହୁଏତ କାନ୍ଦି ପକାଇଥାନ୍ତା ରଞ୍ଜନ । ମାତ୍ର ଖୋକନର ଡାକ ଶୁଣି ସେ ସଚେତନ ହେଲା । ସ୍ମିତା ହସି କହିଲା—ତା ଠିକ୍ କଥା ଯେ । ତେବେ ଏ ବି ଗୋଟାଏ ଜୀବନର ସ୍ଵାଦ । ପରିବର୍ତ୍ତିତ ପରିସ୍ଥିତି ସହିତ ନିଜକୁ ଖାପ୍ ଖୁଆଇ ପାରିଲେ ସମସ୍ତ ମଧୁମୟ, ସମସ୍ତ ମଙ୍ଗଳ । ଖୋକନ କଣ କହି ଆସୁଥିଲା, ଏହି ସମୟରେ ବାରିକ ସେଠାରେ ପହଞ୍ଚି କହିଲା—ଏବେ ଚାଲ ବାବୁ ସେ ଘରେ ହୋମହେବ । ପୁରୋହିତ ଅପେକ୍ଷା କରି ବସିଚି । ଖୋକନ ତାକୁ ଅପେକ୍ଷା କରିବାକୁ କହି ବାରିକ ସହ ଚାଲିଗଲା । ରଞ୍ଜନ ବରଯାତ୍ରୀମାନଙ୍କ ସହ ଆଳାପ ଆଲୋଚନାରେ ଲାଗିଗଲା ।

 

ସଞ୍ଜ ହୋଇଗଲାଣି । ସମସ୍ତ କାର୍ଯ୍ୟ ମଧ୍ୟ ସରିଗଲାଣି । ଏବେ ବରକନିଆଁ ବିଦା ହେବେ । ଘର ଭିତରେ ସ୍ତ୍ରୀଲୋକମାନଙ୍କର ପାଟିଗୋଳ ଶୁଭୁଛି । କନ୍ଦା କଟା ଚାଲିଛି । ବରଯାତ୍ରୀମାନେ ଆଗେ ଆଗେ ଚାଲିଗଲେଣି । ଦ୍ୱାର ଆଗରେ ସବାରୀ ଲଗାଗଲା । ବାହାକମାନେ ବର ସବାରୀ ଉଠାଇ ଚାଲିଗଲେ । ଏବେ ବିନୀତାକୁ ସବାରୀରେ ବସାଇ ନେଇଯିବେ । ରଞ୍ଜନ ଭାବିଲା—ସେ କଣ ତେବେ ଶେଷ ସମୟରେ ଥରେ ବିନୀତାକୁ ଦେଖି ପାରିବ ନାହିଁ ? ଘର ଭିତରକୁ ଉଠିଗଲା ରଞ୍ଜନ । ମାତ୍ର ବିନୀତା କାହିଁ ? ସମସ୍ତେ କାନ୍ଦୁଛନ୍ତି । ଅନ୍ଧାରରେ କାହାରିକୁ ଚିହ୍ନି ହେଉନାହିଁ । ଘର ସ୍ତମ୍ଭକୁ ଧରି ଛିଡ଼ାହୋଇ ରହିଲା ରଞ୍ଜନ । ସୁଲଦାଦା ସେଠାରେ ଛିଡ଼ା ହୋଇଛନ୍ତି । ସେ କାହାରିକୁ କିଛି କହୁ ନାହାନ୍ତି । ନିର୍ଜୀବ ପାଷାଣ ମୂର୍ତ୍ତିପରି ସେ ଦଣ୍ଡାୟମାନ । ବିନୀ ମାଆଙ୍କର କରୁଣ ବିଳାପ ଭାସି ଆସୁଛି । ମଝିରେ ମଝିରେ ସେ ଅଚେତ ହୋଇ ଯାଉଛନ୍ତି । ମୁଣ୍ଡ ଫାଟି ରକ୍ତ ଝରୁଛି । କେତେଜଣ ସ୍ତ୍ରୀଲୋକ ପୋଡ଼ାକନା ମୁଣ୍ଡରେ ମାରି ତାଙ୍କୁ ପ୍ରବୋଧନା ଦେଉଛନ୍ତି । ମୁଖିଆ ଲୋକମାନେ ଘର ଭିତରକୁ ପଶିଯାଇ ବିନୀକୁ ଜୋରକରି ଟେକିଆଣି ସବାରୀରେ ବସାଇ ଦେଇ କହିଲେ—ଚାଲ । ବିନୀତା ସବାରୀ ଭିତରେ ପିଟି ବାଡ଼େଇ ହୋଇ ମୋ ବୋଉଲୋ ବୋଉଲୋ କହି ଚିତ୍କାର କରୁଛି । କିଏ ଜଣେ କହୁଛି—କାହିଁ ପାଣି ନୋଟା ? କେଉଁଠି ଅଛି ? ତାପରେ ସେ ପାଣି ନୋଟା ନେଇ ସବାରୀ ପଛେ ପଛେ ଦଉଡ଼ୁଛି । ସୁଲଦାଦା ମୋ ବିନୀଲୋ କହି ପଡ଼ିଯିବା ସମୟରେ ଧରିନେଲା ରଞ୍ଜନ । ନିଜର ଉଦ୍‍ଗତ କୋହକୁ ଚାପିରଖି କହିଲା—ଏମିତି ଅଧେର୍ଯ୍ୟ କାହିଁକି ହେଉଛ ? ଦାଦା ରଞ୍ଜନକୁ ଜାବୋଡ଼ି ଧରି ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଲେ । ଘର ଭିତରୁ ବିନୀମାଆଙ୍କର କାନ୍ଦଣା ଭାସି ଆସୁଛି । ଧୀରେ ଧୀରେ ସ୍ୱର କମି ଯାଉଚି । ମୋ ବିନୀରେ ମୋ ବିନୀରେ, ତୁ କୁଆଡ଼େ ଗଲୁରେ କହି ନିଶ୍ୱାସ ପରେ ନିଶ୍ୱାସ ଛାଡ଼ି ତଳେ ଗଡ଼ୁଛନ୍ତି । ଘର ଭିତରେ ଆଉ ଗହଳି ନାହିଁ । ସମସ୍ତେ ସବାରୀ ପଛେ ପଛେ ଚାଲି ଗଲେଣି । ଆଉ କେବଳ ଜଣେ ଲୋକ ନୀରବରେ ଛିଡ଼ାହୋଇ ରହିଛନ୍ତି । ସେ ହେଉଛନ୍ତି ଖୋକନର ଦାଦା । ଶେଷରେ ଧୀରେ ଧୀରେ ସେ କେତେକଥା ସମୁଦୁଣୀଙ୍କୁ ବୁଝାଇ କହିଲେ–ସବାରୀ ଅନେକ ବାଟ ଚାଲି ଗଲାଣି ମୁଁ ଯାଉଚି । ତା’ ପରେ ସେ ରଞ୍ଜନକୁ କହିଲେ, ବାବୁ ତମେ ଟିକେ ଏମାନଙ୍କୁ ବୁଝାଇବ ମୁଁ ଯାଉଚି । ରଞ୍ଜନ କିଛି କହିଲା ନାହିଁ । ସମସ୍ତେ ଚାଲିଗଲେ । କିଛି ସମୟ ପରେ ସମସ୍ତ ନୀରବ ହୋଇଗଲା । ଘର ଖାଲି ଖାଁ ଖାଁ ଗୋଡ଼ାଇଲା । ସୁଲ ଦାଦା ତୁନି ହୋଇ କହିଲେ—ପଦାଆଡ଼େ ଯିବା ଚାଲିଲୁ ରଞ୍ଜୁ । ସେମାନେ କେତେ ବାଟରେ ହେଲେଣି ଦେଖିବା । ରଞ୍ଜୁ କହିଲା—ହଉ ଚାଲନ୍ତୁ । ତା’ପରେ ଦୁହେଁ ପଦାଆଡ଼େ ଚାଲିଲେ । ରଞ୍ଜନ କେବଳ ହିଁ ମାରି ଚାଲିଥାଏ । ପଦାରେ ପହଞ୍ଚି ସେମାନେ ଦୂରକୁ ଚାହିଁଲେ । ଆଲୋକ କ୍ରମେ ଅସ୍ପଷ୍ଟ ହୋଇ ଆସୁଛି । ସୁଲ ଦାଦା କହିଲେ ଏଁ ଏତେବାଟରେ ହେଲେଣି । ଆଉ ବୋଧହୁଏ ଘଣ୍ଟାକ ଭିତରେ ସେମାନେ ଘରେ ପହଞ୍ଚିଯିବେ ।

 

ରଞ୍ଜନ କହିଲା—କେତେ ବାଟ କି ଆଉ ?

 

—ବୁଝିଲୁ ରଞ୍ଜୁ ଏତେ ଭଁଲରେ କାମ ମେଣ୍ଟିଯିବ ବୋଲି ମୋର ଧାରଣା ନଥିଲା । ଆଃ ପିଲାଖଣ୍ଡକତ ସିଏ—କିଛି ଚାହିଁଲା ନାହିଁ, କିଛି ମାଗିଲା ନାହିଁ । ଆଉ କେଉଁ ଜ୍ଵାଇଁ ହୋଇଥିଲେ ତୋରାଣି ଖାଇବାବେଳେ ରୁଷିଥାନ୍ତା । ମୋତେ ଘଣ୍ଟା ନଦେଲେ ଖାଇବି ନାହିଁ, ମଟର ସାଇକେଲ କାହିଁ ? ଇତ୍ୟାଦି...କେତେ କଥା ବାହାରିଥାନ୍ତି । କିନ୍ତୁ ଖୋକନର ସେ କଥା ନାହିଁ । ଯେମିତି ତୋରାଣି କଂସା ତା ପାଖରେ ବସହେଲା, ସଙ୍ଗେ ସଙ୍ଗେ ସେ ଖାଇ ବସିଲା । ସବୁ ବିନିତାର ଭାଗ୍ୟରେ ସବୁ ତାର ଭାଗ୍ୟ । ସେ ଏତେ ଦିଅଁ ଦେବତାଙ୍କୁ ପୂଜା କରୁଥିଲା, ଦିଅଁ କଣ ଶୁଣନ୍ତେ ନାହିଁ ? ଆନନ୍ଦରେ କେତେ କଥା କହିଯାଉଥିଲେ ସୁଲଦାଦା । ରଞ୍ଜନ କେବଳ ‘ହୁଁ’ ମାରୁଥାଏ । କିଛି ସମୟରେ ସେମାନେ ଫେରି ଆସିଲେ । ରଞ୍ଜନ ତାଙ୍କ ଘରକୁ ନଯାଇ କହିଲା–ମୁଁ ଏବେ ଘରକୁ ଯାଉଚି । ଘରେ ପହଞ୍ଚିବା ବେଳକୁ ସମସ୍ତେ ଖାଇପିଇ ଶୋଇଲେଣି । ରାଜାରାଣୀ ବୁଢ଼ୀ ଲଣ୍ଠନଟା ତେଜିଦେଇ ବସିଛି । ରଞ୍ଜନ ପହଞ୍ଚିବାରୁ ଭାତନେଇ ଆସିଲା । ରଞ୍ଜନ ଖାଇବାକୁ ମନାକରି ଶୋଇବାକୁ ଚାଲିଗଲା । ଏହାରି ଭିତରେ ସେ କେତେ କଣ ହୋଇଗଲା ସେ କିଛି ଭାବି ପାରୁନଥିଲା । ତାର ଇଚ୍ଛା ହେଉଥିଲା ଖାଲି କାନ୍ଦିବାକୁ । କିନ୍ତୁ ଆଖିରେ ଲୁହ ଆସୁ ନଥିଲା, ମୁଣ୍ଡ ଭାରି ଭାରି ଲାଗିଲା, ଘରଖାଲି ବିଷପରି ଲାଗିଲା ସେ କଣ ଭାବୁଛି କିଛି ଜାଣିପାରିଲା ନାହିଁ । କେବଳ ସେ ଖାଲି ଛଟପଟ ହେଉଥିଲା । ବିଛଣାରୁ ଘଡ଼ି ଘଡ଼ି ଉଠି ବସୁଥିଲା । ଚାଇଁ ଚାଇଁ ନିଦ ଭାଙ୍ଗି ଯାଉଥିଲା । ଶେଷରେ ଅନନ୍ୟୋପାୟ ହୋଇ ସେ ଅଗଣା କୁ ଆସିଲା । ରାତି ଅନେକ ହୋଇଗଲାଣି । ଗାଆଁରେ ସମସ୍ତେ ଶୋଇଗଲେଣି । କାହାର ପାଟିତୁଣ୍ଡ ଶୁଭୁନାହିଁ । ନିଶା ଗର୍ଜୁଛି, ତାରାମନେ ଆକାଶରେ ଉଜ୍ଜ୍ଵଳ ଦେଖାଯାଉଛନ୍ତ । ତରାମାନଙ୍କୁ ଚାହିଁବ ରେ ତାକୁ ଆନନ୍ଦ ଲାଗିଲା । ସେ ଉପରକୁ ଚାହିଁ ବସି ରହିଲା । ମନେପଡ଼ିଲା—ସ୍ମିତା ମରିବା ବର୍ଷର କଥା । ତାକୁ କେହି କିଛି କହନ୍ତି ନାହିଁ । ସେ ଏକୁଟିଆ ଯେଉଁଠି ଇଚ୍ଛା ହୁଏ ସେଇଠି ବସେ । କେତେବେଳେ ଖାଏ ତ କେତେବେଳେ ଖାଏ ନାହିଁ । ବେଳେ ବେଳେ ନଟ ବାବୁ ତାଙ୍କ ଘରକୁ ଆସନ୍ତି । କୁନାକୁ ଦାଣ୍ଡରେ ଖେଳୁଥିବାର ଦେଖି ହସି ହସି କହନ୍ତି କୁନାକିରେ ! କୁନା ହସି ହସି ଧୀର ଧୀର ପାଦପକାଇ ଘର ଭିତରକୁ ଛୁଟି ଆସେ । ହେଇ କୁନା ଗାଲରେ କହି ନଟବାବୁ କୁନା ପଛରେ ଦୌଡ଼ିବାରେ ଅଭିନୟ କରନ୍ତି । କୁନା ପଡ଼ିଗଲେ ଆ ଚୁ ଚୁ କହି କୋଳକୁ ଟେକି ନିଅନ୍ତି । କୁନା କାନ୍ଦିଉଠେ ସେ ନଟବାବୁଙ୍କ କୋଳରେ ନରହିଁବାକୁ ଛାଟିପିଟି ହୁଏ । ଘର ଭିତରୁ ମା କଅଣ ହେଲା କଅଣ କହି ଦଉଡ଼ି ଆସନ୍ତି । ଆଗରେ ନଟବାବୁ କୁନାକୁ ତଳେ ଛାଡ଼ିଦେଇ ସେ ମୃଦୁ ମୃଦୁ ହସନ୍ତି । ଅଟକି ଯାଆନ୍ତି ମାଆ । ତାପରେ ଓଢ଼ଣାଦେବା ଭଙ୍ଗୀରେ ପଚାରନ୍ତି କେତେବେଳେ ଆସିଲେ ? ଘର ଭିତରୁ ଆସୁନାହାନ୍ତି ପଦାରେ କାହିଁକି ଠିଆ ହୋଇଛନ୍ତି । ତାପରେ କୁନାକୁ କୋଳକୁ ନେଇ ମାଆ ଘର ଭିତରକୁ ଯାଆନ୍ତି । ତାଙ୍କ ପଛେ ପଛେ ନଟବାବୁ ମଧ୍ୟ ଘର ଭିତରକୁ ଯାଆନ୍ତି । ରଞ୍ଜନର ଦେହ ଗରମହୋଇ ଉଠେ । ମନେପଡ଼େ ବିନିତାର କଥା-। ସେ ଭାବେ ଏଇ ନଟବାବୁ, ଲମ୍ପଟ ନଟବାବୁଙ୍କ ପାଇଁ ଭଉଣୀ ତାର ମୁତ୍ୟୁମୁଖରେ ପଡ଼ିଲା-। ପୁଣି ସେ ଆଜି ଛଳନାର ଭଙ୍ଗି ନେଇ ଆସୁଛନ୍ତି । ସତେକି ସୁପୁରୁଷ । ରଞ୍ଜନର ଇଚ୍ଛା ହୁଏ, ଦଉଡ଼ିଯାଇ ତାଙ୍କୁ ପିଟି ପିଟି ଦରମରା କରିଦିଆନ୍ତା । ଦେହ ଥରି ଉଠ, ମୁହଁରୁ ଝାଳ ବୋହି ପଡ଼େ-। ଶୁଣେ ନଟବାବୁ କହୁଛନ୍ତି ମୁଁ ଏବେ ଯାଉଛି—ତେଣେ ଅନେକ କାମ ଅଛି ପରେ ଆସିବ-। ମାଆ କହନ୍ତି—କି କାମ ସେ ଏମିତିଲାଗିଚି । ଜଳଖିଆ ଦି’ ଟା ଖାଇଦେଇଯାଅ । ନଟବାବୁ କହନ୍ତି—ନାଇଁ ନାଇଁ ଖାଲି ପାନଖଣ୍ଡିଏ ଦିଅ । ପରେ ଆସି କେତେବେଳେ ଜଳଖିଆ ଖାଇବା-। ତାପରେ ମାଆ ହସି ହସି ନଟବାବୁଙ୍କୁ ବିଦାୟ ଦେବାକୁ ଆସନ୍ତି । ନଟବାବୁ ରଞ୍ଜିନକୁ ଚାହିଁଦେଇ ସଙ୍ଗେ ସଙ୍ଗେ ମୁହଁ ଫେରାଇ ଚାଲିଆସନ୍ତି । ମାଆ ଚାହିଁ ରହିଥାନ୍ତି ତାଙ୍କ ଯିବାପଥକୁ । ରଞ୍ଜନର ବୁକୁଥରାଇ ଦୀର୍ଘନିଶ୍ଵାସ ବାହାରିପଡ଼େ । ତାପରେ ସେ ଅସହାୟ ଭାବରେ ଟଳି ଟଳି ନିଜ ବିଛଣାକୁ ଚାଲିଯାଏ । ପରୀକ୍ଷା ଫଳ ବାହାରିଲା । ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିବା କଥା ଶୁଣିବାକୁ ପାଇଲା । କିନ୍ତୁ ସେ ହସି ପାରିଲାନାହିଁ । ତଥାପି ତାର ଆସିଥିଲା ସେ ପାଠ ପଢ଼ିବ-। ମାତ୍ର ତାହା ହେଲା ନାହିଁ । ମାଆ ନିଜ ସ୍ୱରୂପ ପ୍ରକାଶ କଲେ । ସେ ହେଲା ଦୁଃସ୍ଥ, ଅବହେଳିତ । କାହିଁକି ? କଣ ପାଇଁ ? ସେ କଣ ଏ ଘରର ସନ୍ତାନ ନୁହେଁ ? ତାର କଣ ସମ୍ପତ୍ତି ଉପରେ ଅଧିକାର ନାହିଁ ? ସେ ମନ ଇଚ୍ଛା କିଛି କାମ କରିପାରିବ ନାହିଁ କାହିଁକି ? ନାଁ ନାଁ ସେ କିଛି କରିପାରିବ ନାହିଁ । କିଛି କରିପାରି ନଥିଲା ସ୍ମିତା । ସେ ମଧ୍ୟ କିଛି କରିପାରିବ ନାହିଁ । ତାର ମାଆ ନାହିଁ । ତା ଆଖିରୁ ଲୁହ ପୋଛିଦେବା ପାଇଁ, ତା ମନର କଥା ବୁଝିବାକୁ ଆଜି କେହି ନାହିଁ । ସେ ଦୁଃସ୍ଥ, ସେ ଅଭିଶପ୍ତ । ହୁଏତ କିଛି କହିଲେ ସେ ହେବ ତେଜ୍ୟପୁତ୍ର । ତାପରେ....ତାପରେ କଣ ସେ ଭିକ ମାଗିବ । ନାଁ ନାଁ ପାରିବ ନାହିଁ, ପାରିବ ନାହିଁ କହି କାନ୍ଦି ଉଠିଲା ରଞ୍ଜନ । ଚାକରାଣୀ ଡାକରେ ସେ ଚମକି ପଡ଼ିଲା । ଦେଖିଲା ସକାଳ ହୋଇଗଲାଣି । ବାଡ଼ିରେ ଆଜି ବେଙ୍ଗଳା ପକା ହେବେ ବୋଲି ବାପ କହିଥିଲେ । ତରବରରେ ଉଠିଗଲା ରଞ୍ଜନ । ଦିନସାରା କାହାରିକୁ କିଛି କହିଲା ନାହିଁ । ମନଦେଇ କାମରେ ଲାଗିଗଲା । ଦ୍ୱିପହର ଖାଇସାରି ସେ ଶୋଇଲା ନାହିଁ । ବେଳ ଓଳି କାମ ନାହିଁ । କେବଳ କଳରୁ ସନ୍ଧ୍ୟାବେଳକୁ ପାଣି ଆଣିବା କଥା । ତେଣୁ ସେ ବାଡ଼ି ଆଡ଼କୁ ଚାଲିଗଲା । ଏ ବାଡ଼ିରୁ ସେ ବାଡ଼ି ଏ ଗଛ ପାଖରୁ ସେ ଗଛ ପାଖ ହୋଇ ପ୍ରତ୍ୟେକ ସ୍ଥାନରେ ଭଲ ଭାବରେ ବୁଲିଲା । ତାକୁ ଖୁବ୍ ଆନନ୍ଦ ଲାଗିଲା । ତାଙ୍କ ବାଡ଼ିରେ ସେ ଏତେ କଅଁଳିୟା, ଛନଛନିଆ ଗଛ ଅଛି, ସେ କେବେ ଦେଖି ନଥିବା ପରି ମନେ ହେଲା । ଧିରେ ଧିରେ ପତ୍ରମାନଙ୍କ ଦେହରେ ହାତମାରି ସାଉଁଳି ଦେଲା, ପତ୍ରମାନେ ଶିର ଶିର ପବନରେଦୋହଲି ଉଠିଲେ, କେଉଁଠି ଗଛଗୁଡ଼ିକରେ ଫୁଲମାନେ ଚାହିଁଥିବା ପରି ତାର ମନେ ହେଲା । କପୋତ କପୋତୀ ଗଛ ଉପରେ ନୀରବରେ ବସି ତାକୁ ଦେଖୁଥିବା ପରି ସେ ଅନୁଭବ କଲା । ସେ ମନଇଚ୍ଛା ବୁଲିଲା, କେଉଁଠି ଛିଡ଼ା ହୋଇଗଲା ତ, କେଉଁ ଗଛତଳେ କ୍ଷଣିକ ପାଇଁ ବସିଗଲା । ତାପରେ ସେ ଘରକୁ ଫେରିଲା । ଭାତ ସଜାଡ଼ି ସଙ୍ଗେ ସଙ୍ଗେ ପାଣି ଆଣିବାକୁ ଚାଲିଗଲା । ସବୁ କାମ ସରି ଯାଇଛି, ଆଉ ଆଜିପାଇଁ କିଛି କାମ ନାହିଁ । ଖଟତଳୁ ବିନିତା ଦେଇଥିବା ଲଫାପାକୁ ଖୋଲିଲା, ଦଶଟଙ୍କା ପୂର୍ବପରି ରହିଛି । ତାକୁ ସେ ଅଣ୍ଟାରେ ମାରିଲା । ଚାଦର ଘୋଡ଼ି ହୋଇ ସଞ୍ଜ ଅନ୍ଧାର ମାଡ଼ିଆସିବା ସଙ୍ଗେ ସଙ୍ଗେ ସେ ଅନିଧିଷ୍ଟ ପଥରେ ଚାଲିବାକୁ ଲାଗିଲା ।

 

ରଞ୍ଜନ ଚାଲିଛି, ଦୂରରୁ ଦୂରକୁ । ରାତି ବଢ଼ି ଚାଲିଛି । ତାର ସେ ଦିଗରେ ଲକ୍ଷ୍ୟ ନାହିଁ । ମନେ ହେଉଛି ଯେପରି ତା ଚାଲିବାର ଶେଷ ନାହିଁ । ବେଳେ ବେଳେ ସେ ନିଜକୁ ଚାହିଁ ଚମକି ପଡ଼ୁଥିଲା । ଆଖି ଆଗରେ ଭାସି ଉଠୁଥିଲା ଚଳଚ୍ଚିତ୍ର ପରି ଅନେକ ଦୃଶ୍ୟ । ସେ ଆଖିବୁଜି ପୁଣି ଆଗକୁ ଚାହୁଁଥିଲା । ସେ କେବଳ ଚାଲିଥିଲା । ଅନ୍ତରରେ ତାର ଭୟ ନ ଥିଲା । ପରିଷ୍କାର ସ୍ୱଚ୍ଛନ୍ଦ ବିସ୍ତୀର୍ଣ୍ଣ କ୍ଷେତ ମଝିରେ ସେ ଚାଲିଥିଲା ଆଗକୁ ଆଗକୁ । ଉପରେ ଚନ୍ଦ୍ର ହସୁଛି, ଚତୁଃପାର୍ଶ୍ଵରେ ଚନ୍ଦ୍ରର ରଜତ ଧବଳ କିରଣ ବିସ୍ମୟ ସୃଷ୍ଟି କରୁଛି । ହିଡ଼ ବାଡ଼ ସବୁ ସମାନ ହୋଇ କେବଳ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ ପରି ଦେଖାଯାଉଛି ।

 

ବେଳେ ବେଳେ ମନେ ହେଉଛି—ସେ କିଏ ? ତାର ସ୍ଥିତି କଣ ? କାହିଁକି ସେ ଘୁରୁଛି । କେହି ନାହିଁ ସେ ଏକା ଏକା ? ଏପରି ଘୁରି ବୁଲିବାରେ ଲାଭ କଣ ? ତେବେ କଣ ସେ କେଉଁଠି ଟିକେ ବସିବ ? ନାଁ ନାଁ ବସିବା ପାଇଁ ତାର ଜନ୍ମ ନୁହେଁ । କେବଳ ଚାଲିବ, ସେ କେବଳ ଚାଲିବ ପାଦ ଗଣି ଗଣି । ଉପନିଷଦରେ ୠଷି କହିଗଲେ—ଚରୈବେତି, ଚରୈବେତି, ଆଗେଇଚାଲ ଆଗେଇଚାଲ । ଚଳିବାଟାହିଁ ସତ୍ୟ । ଆଃ କେଉଁଠି କେମିତି ବୁଦାଟିଏ କି ଗଛଟିଏ ଥାଆନ୍ତାକି ? ତାକୁ ଭୟ ଲାଗନ୍ତା । ସେ ପୁଣି ତାକୁ ଚାହିଁ ଚାହିଁ ଖୋଲା ସ୍ଥାନକୁ ଚାଲି ଯାଆନ୍ତା । ମାତ୍ର ତାହା ମଧ୍ୟ ନାହିଁ । ତେଣୁ ସେ ନିର୍ଭିକ ହୋଇଉଠିଛି । ମନେ ହେଉଛି—ତାରି ପରି ନୀରବ ଦର୍ଶକ । ତାର ସାଥୀ ଲକ୍ଷ ଲକ୍ଷ ତରା । ସତର୍କ ହୋଇ ସେମାନେ ତାକୁ ଚାହିଁ ରହିଛନ୍ତି । ଚେତେଇ ଦେଉଛନ୍ତି—ଭୟନାହିଁ, ଆମେ ତୋ ପାଖରେ ସବୁବେଳେ ଅଛୁ, ଆମେ ଆଲୋକ—ଆଲୋକ ନିକଟରେ ଭୂତ, ପ୍ରେତ, ଡାଆଣୀ, ଚିରଗୁଣିର ଆବିର୍ଭାବ ଘଟେ ନାହିଁ । ସେ ଆଗେଇ ଚାଲିଛି. । ପାଦ ଥକି ପଡ଼ିଲାଣି । ନାଁ ଆଉ ଚାଲିହେବ ନାହିଁ । ପ୍ରଭାତୀ ତରା ଉଇଁଲାଣି । ସେ ହୁଏତ ନିମିଷକେ ଲୁଚିଯିବ । ତା’ପରେ ହେବ ସକାଳ । ତେବେ ସେ କ’ଣ ଷ୍ଟେସନରେ ପହଞ୍ଚି ପାରିବ ନାହିଁ । ତା ହେଲେ ତା ମନର ସମସ୍ତ କଥା କଣ କେବଳ ମନରେ ରହିଯିବ ? ନାଁ ସେ ଯିବ । ପଦାକୁ ଘୋସାରି ଘୋସାରି ସେ ପୁଣି ଆଗେଇ ଚାଲିଲା । ନିକଟରେ ହୁଇସିଲ ଶବ୍ଦ ଭାସି ଉଠିଲା । ସେ ଚମକି ପଡ଼ିଲା । ଆଗକୁ ଚାହିଁଲା—ଏମିତି ଗୋଟାଏ ଲମ୍ବ ହୋଇ ତାକୁ ଚାହିଁଛି କଣ ? ସେ ପାଖରୁ ହୁଇସିଲ୍ ଶବ୍ଦ ଶୁଭୁଛି । ସେ ନିର୍ଭିକ ଭାବରେ ତା ପାଖକୁ ଆଗେଇ ଗଲା । ଏ ଘରଟାଏ । ପକା ଦିଆଲ ବୁଲା ହୋଇଛି । ସେ ତାଲବରରେ ଆଗକୁ ବୁଲି ଗଲା । ଆଲୋକରେ ତା ଆଖି ଝଲସି ଉଠିଲା । ତୃତୀୟ ଘଣ୍ଟି ବାଜି ଉଠିଲା । ଲୋକମାନେ ଘୋ ଘୋ ରବରେ ଦଉଡ଼ି ଦଉଡ଼ି ଉଠି ଯାଉଥାଆନ୍ତି ଗାଡ଼ି ଭିତରକୁ । ସେ ମଧ୍ୟ ତରବରରେ ଉଠିଗଲା । ମାତ୍ର ଜାଣେନା’ଗାଡ଼ି—କେଉଁଠାକୁ ଯିବ ? ତାର ଲକ୍ଷ୍ୟ ସ୍ଥଳ କେଉଁଠି ? ତଥାପି ସେ ନିଶ୍ଚିନ୍ତ ହେଲା, ସଭିଏଁ ଯୁଆଡ଼େ ଯାଉଛନ୍ତି, ସେ ସିଆଡ଼େ ଯିବ । କାଷ୍ପିୟାନ ହ୍ରଦ କୂଳରୁ ମଣିଷତ ଦିନେ ଚାଲି ଚାଲି ପ୍ରକାଣ୍ଡ ଭୂଖଣ୍ଡର ଅଧିକାରୀ ହୋଇଥିଲା । ସମୟ ଆସିଲା ସେ ପୁଣି ଗ୍ରହ ଗ୍ରହାନ୍ତରରେ ଭ୍ରମଣ କଲା । ମାତ୍ର ସେ ନଦୀର ଅବବାହିକାରେ ନାହିଁ; ସେ ଚାଲୁ ନାହିଁ । କିଏ କହିପାରିବ ଯେ ସେ ଦିନେ ସୂର୍ଯ୍ୟାକାଶରୁ ଯାଇଁ ତତ୍ତ୍ଵକାଶରେ ନ ପହଞ୍ଚିବ ବୋଲି । ଭିଡ଼ ଠେଲି ସେ କ୍ରମଶଃ ଭିତରକୁ ଆଗେଇ ଗଲା । ଏଁ ବସିବି କେଉଁଠି ? ଲୋକ ସବୁ ଖୁନ୍ଦା ଖୁନ୍ଦି, ଉପରେ ତଳେ ସମସ୍ତେ ବସିଛନ୍ତି-। ତଳେ ସ୍ତ୍ରୀ ଲୋକ ଗୁଡ଼ାକ ଜଣକ ଉପରେ ଜଣେ ଶୋଇ ଗଲେଣି । ଠିକ୍ ବୋଇତି କଖାରୁ ପରି ଟାଲି ଦିଆ ଯାଇଛି । କେଉଁଠି ପିଲାଟିଏ ମୃତି ପକାଇଲାଣି ତ କାହାରି ସେଥିପ୍ରତି ଦୃଷ୍ଟି ନାହିଁ । ତାହାରି ଉପରେ ମଧ୍ୟ ସ୍ତ୍ରୀଲୋକଟିଏ ଢୁଳେଇ ପଡ଼ିଛି । ଝମାଝମ୍ କରି ଆଗେଇ ଚାଲିଛି ଲୌହ ଦାନବଟା । ହଠାତ୍ କାହାର କାହାର ଟିକେଟ ଟିକେଟ ଚିତ୍କାରରେ ସେ ଚମକି ପଡ଼ି ପଛକୁ ଚାହିଁଲା-। ମାଟିଆ ପେଣ୍ଟ ପରିହିତ କିଏ ଜାଣେ ବିରାଟକାୟ ଲୋକ ମୁଣ୍ଡର ଟୋପିକୁ ଆଖି ପର୍ଯ୍ୟନ୍ତ ଝୁଲାଇ ଦେଇ, ଗୋଟିଏ ହାତରେ ଖାତା ଖଣ୍ଡେ ଧରି; ଡାହାଣ ହାତର ପେନ୍ ସିଲ ବଢ଼ାଇ ଟିକଟ ମାଗୁଛି । ମନେ ହେଲା ତାର, ସିନ୍ଧୁ ନଦୀ ଅବବାହିକାରେ ଲୋକ ଯେତେବେଳେ ଆଗେଇ ଥିଲା ତାକୁ କଣ ଏମିତି ଟିକେଟ ଦେଖାଇବାକୁ ପଡ଼ୁଥିଲା ? ନାଁ ନାଁ ସେ କାହିଁକି ଟିକଟ ଦେବ ? ବରଂ ଗୋଟେ ଦଳ ଅନ୍ୟ ଦଳ ସହିତ ଯୁଦ୍ଧ କରୁଥିଲା । ଯୁଦ୍ଧରେ ସେମାନଙ୍କୁ ପରାଜିତ କରି ସେ ପୁଣି ଆଗେଇ ଚାଲିଥିଲା । ତେବେ ସେ ଯୁଦ୍ଧ କରିବ ନାହିଁ କାହିଁକି ? ସେ ମୁକ୍ତ ସେ ସ୍ଵାଧୀନ ? ଯାତ୍ରା ମଧ୍ୟ ତାର ମୁକ୍ତ ହେବା ଉଚିତ୍ । ତାର ଇଚ୍ଛାହେଲା—ଅନ୍ୟମାନେ ତା ସହିତ ସହଯୋଗ କରନ୍ତେ କି ? ସମସ୍ତଙ୍କ ମୁହଁକୁ ଥରେ ଚାହିଁ ଦେଲା । କେତେ ଜଣ ଟିକେଟ ଧରି ଆଗକୁ ବଢ଼ାଇଛନ୍ତି । ଆଉ କେତେ ଜଣ ଭୟରେ ଟଙ୍କାକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ନୋଟ ଥରି ଥରି ବଢ଼ାଉଛନ୍ତି-। ତାର ମନେ ହେଲା—ନାଁ କେହି ତାକୁ ସାହାଯ୍ୟ କରିବେ ନାହିଁ । ଭାରି ଭୟ ଲାଗିଲା ତାକୁ । ବାବୁ ଜଣକ ଆଗେଇ ଆସି ପେନ୍‍ସିଲରେ ତାକୁ ଠେଲି ଦେଇ କହିଲେ ଟିକେଟ ଦିଅ ? ଟି–କେଟ-। –କଣ୍ଠ ତାର ଥରିଉଠିଲା ।

 

ବାବୁ ଜଣକ ମନେ ମନେ ଗର୍ବ ଅନୁଭବ କରି ହସି ଦେଲେ । ତାପରେ ଜୋର ଗଳାରେ କହିଲେ କୁଆଡ଼େ ଯିବ ?

 

କୁଆଡ଼େ ଯିବ ? କିଛି ଭାବିପାରୁ ନଥିଲା ସେ ।

 

ବାବୁ ଜଣକ ଆଉ ଟିକେ ଚଢ଼ା ଗଳାରେ କହିଲେ—ଶୁଭୁ ନାହିଁକି ?

 

ଥରି ଥରି ସେ ହଠାତ୍ କହିଦେଲା କଲିକତା ।

 

ଟିକେଟ ନାହିଁ ଯଦି ବୋଲପୁରରୁ ଗାଡ଼ି ଭଡ଼ା ଚାରିଟଙ୍କା ସହିତ ଜୋରିମାନା ଦଶଟଙ୍କା ଏମିତି ଚୌଦ ଟଙ୍କା ଦିଅ । ନହେଲେ ଚାଲ ଜେଲକୁ ।

 

ଏଁ ଜେଲ...ପାଟି ଖନି ବାଜିଗଲା ତାର । ଅଣ୍ଟାରୁ ଦଶ ଟଙ୍କିଆ ନୋଟଟି ବାହାର କରି ବାବୁଙ୍କ ହାତକୁ ବଢ଼ାଇ ଦେଇ ତାଙ୍କର ପାଦ ଧରି ପକାଇ କହିଲା । ଆଉ ନାହିଁ ।

 

ବାବୁ ସନ୍ତୁଷ୍ଟ ହେଲେ । କହିଲେ ଆଚ୍ଛା ହେଉ ଛାଡ଼୍ । ତାପରେ ସେ ଆଗେଇଗଲେ । ଦିନ ଦଶଟା ବେଳକୁ ସେ ପହଞ୍ଚିଲା—କଲିକତାରେ । ପ୍ଳାଟଫର୍ମ ପାରହୋଇ ସେ ଯେତେବେଳେ ବାହାରକୁ ଆସିଲା—ଆଖିତାର ଖୋସିହୋଇଗଲା । ସେ କୁଆଡ଼େ ଯିବ ? କେମିତି ଯିବ । ଆଗରେ ଦେଖାଯାଉଛି ବିରାଟ ପୋଲ । ଦୁଇ ପାଖରେ ପିମ୍ପୁଡ଼ି ଯୂଥପରି ଗାଡ଼ି ମଟର ମାଳ ମାଳ ହୋଇ ଯିବା ଆସିବାରେ ଲାଗିଚି । ଘରେ କେତେଥର ହାବଡ଼ା ପୋଲକଥା ଶୁଣିଥିଲା । ତେଣୁ ତାର ସନ୍ଦେହ ତୁଟିଗଲା । ଏଇ ନିଶ୍ଚୟ ହାବଡ଼ା ପୋଲ । ତାପରେ ସେ ଧୀରେ ଧୀରେ ଆଗକୁ ପଛକୁ ଚାହିଁବାବେଳେ ପେଁ ପେଁ ଶବ୍ଦରେ ଚମକିପଡ଼ି ପୋଲ ଆଡ଼କୁ ଆଗେଇ ଚାଲିଲା । ତଳେ ଗଙ୍ଗାର ନୀଳ ଜଳରାଶି ଶାନ୍ତ ପଡ଼ିଯାଇଛି । ମନ ତାର ଆନନ୍ଦିତ ହୋଇଗଲା । ମନେ ପଡ଼ିଲା—ମାଆ ମଲାବେଳେ ଟୋପିଏ ଗଙ୍ଗାଜଳ ପାଇଁ ସେ କେତେ ଆକୁଳ ବିକଳ ହେଉ ନ ଥିଲେ ! ଟୋପିଏ ଗଙ୍ଗାଜଳରେ ଜୀବନଯାକର ପାତକ ଛାଡ଼ିଯାଏ ବୋଲି ଲୋକମାନେ କହନ୍ତି । ସେ ପୋଲ ପାର ହୋଇ ନଦୀ ଧାରକୁ ଆଗେଇ ଗଲା । ମନଇଚ୍ଛା ଆଞ୍ଜୁଳା ଆଞ୍ଜୁଳା କରି ପାଣି ପିଇ ମୁହଁରେ ମୁଣ୍ଡରେ ମାରିଦେଲା । ତାକୁ ଖୁବ୍ ଶାନ୍ତି ଲାଗିଲା । ତାପରେ ସେ ସହର ଆଡ଼କୁ ଚାଲିଲା-। ଆଗରେ ସରୁ ଲୁହାର ରାସ୍ତା ପଡ଼ିଛି । ପଚାରିଲା ଏଠି କଣ ରେଳ ଆସେ । ଲୋକ ହସିଦେଇ କହିଲେ ନାଁ ନାଁ ଟ୍ରାମ ଆସିବ । ଏହି ସମୟରେ ଟ୍ରାମ୍ ପହଞ୍ଚିଲା । ସେ ଭିଡ଼ ଠେଲି ଭିତରକୁ ପଶିଗଲା । କେଉଁଆଡ଼େ ଟ୍ରାମ ଚାଲିଛି ସେ ଜଣେ ନାହିଁ । ତଥାପି ସେ ସାହସ କରି ଚାଲିଥିଲା । ଗୋଟାଏ ବିରାଟ ପ୍ରାନ୍ତର ପାଖରେ ଟ୍ରାମଟି ରହିଗଲା । ସେ ଚାହିଁଲା ପଡ଼ିଆରେ ଘୋଡ଼ା ଦୌଡ଼ ହେଉଛି, ଦଳ ଦଳ ହୋଇ ଯୁବକ ଯୁବତୀ ବୁଲୁଛନ୍ତି । ପଡ଼ିଆ ସେପାଖେ ମନ୍ଦିର, ବଡ଼ ବଡ଼ କୋଠା ଘରମାନ ଦେଖାଯାଉଛି । ଟିକେଟ ଟିକେଟ କହି କିଏ ଜଣେ ତା ନିକଟକୁ ଆଗେଇ ଆସିଲା । ଟ୍ରାମ ଫାଙ୍କା ପଡ଼ି ଆସିଲାଣି । ସେ ଚମକି ପଡ଼ି ଟ୍ରାମରୁ ଡେଇଁ ପଡ଼ି ତଳକୁ ପଳାଇଗଲା । ଟ୍ରାମ ଚାଲିଗଲା । ସେ ପଡ଼ିଆରେ ବସିଲା । କିନ୍ତୁ ଭୋକରେ ତାର ଦେହ ଥରି ଉଠିଲା । କଣ କରିବ କିଛି ଭାବି ପାରିଲା ନାହିଁ । ଠିକ୍ କଲା ସେ ଭିକ ମାଗିବ । ତାଙ୍କ ଘରକୁ ତ ଅନେକ ଭିକାରୀ ଆସନ୍ତି । ସେ ଚାଉଳ ମୁଠିଏ ଦିଏ । କିନ୍ତୁ ଭିକାରୀ ଯିଦ୍କରେ, ପଖାଳ ଗଣ୍ଡେ ଦିଅ ବାବୁ ଭାରି ଭୋକ ହେଉଛି । ମାଆ କୁଆଡ଼େ ଥାଆନ୍ତି ଦଉଡ଼ି ଆସି କହନ୍ତି—ଏଠି କଣ ଅନ୍ନଛତର ଖୋଲାହୋଇଛି ? ଆମକୁ ତ ଖାଇବାକୁ ହେଉନାହିଁ ତତେ ପୁଣି ପଖାଳ ଦେଉଛୁ । ହଇରେ ଭିକତ ମାଗିଲୁ ଭିକନେଲୁ ପୁଣି ପଖାଳ କଣ ? ଆରେ ଅତି ସରଳରୁ ଏଇଆ । ମାଉସୀ ଲୋ ମାଉସୀ ବସିବାକୁ ଟିକେ ଜାଗା ଦିଏ ନି, ତାପରେ ଘର ଭିତରକୁ...... । ଭିକାରୀଟି ମାଆଙ୍କର ପାଟି ଶୁଣି କହେ–ଥାଉ ମାଆ ମୁଁ ଯାଉଛି । ସହି ପାରେନାହିଁ ସେ, ଭିକାରୀକୁ ଆଖିଠାରି ଉହାଡ଼କୁ ଡାକିନିଏ, ଘରୁ ଚୂଡ଼ା ମୁଢ଼ି ଯାହା ପାଏ ଅଣ୍ଟିରେ ଲୁଚେଇ ନେଇ ଦେଇ ଆସେ । ସେ ଯଦି ସେହିପରି ଗାଳି ସହି ମାଗେ, ତାକୁ ନିଶ୍ଚୟ ଖାଇବାକୁ ମିଳିବ । ଏହି ବିଶ୍ଵାସ କରି ଦୋକାନ ଆଡ଼କୁ ଆଗେଇ ଗଲା ସେ । ଦୋକାନରେ ଛିଡ଼ାହୋଇ କହିବାକୁ ତାର ସାହସ ହେଲାନାହିଁ । ସେ ଫେରି ଆସିଲା । କଣ କରିବ, କେମିତି କହିବ ? ଦୋକାନୀ କଣ ଭାବିବ ? ସେ ମେଟ୍ରିକ ପାସ କରି ଆଜି ଭିକ ମାଗୁଛି ? କିନ୍ତୁ ଭୋକରେ ଯେ ଦେହ ଥରୁଛି । ମୁଠାଏ କିଛି ମିଳନ୍ତା କି ? ତାର ଜୀବନ ରହିଯାଆନ୍ତା । ପୁଣି ମନରେ ବଳ ଆସିଲା, ପେଟରେ ଭୋକ ରଖି ମୁହଁରେ ଲାଜ କଣ ? ସେ କହିବ । ନ ହେଲେ ପେଟର ଜ୍ଵାଳା ସହିବା ଅତିକଷ୍ଟ । ଗୋଟିଏ ଛୋଟ ଚାଳୀ ଦୋକାନ ଦେଖି ଆଗେଇ ଗଲା । ଦୋକାନରେ ସାଜସଜ୍ଜା ସେମିତି କିଛିନୁହେଁ, ଗୋଟିଏ ମାତ୍ର ଛୋଟ କାଚ ଆଲମାରୀରେ ଦୁଇ ତିନି ଥାଳି ପକୁଡ଼ି, ବରା ଥୁଆ ହୋଇଚି, ଗୋଟିଏ ପଟକୁ ଅଧ ଟିଣେ ମୁଢ଼ି ଏବଂ ଅଧ ଟିଣେ ଚୂଡ଼ା ଥୁଆ ହୋଇଚି । ବୁଢ଼ାଟିଏ ଆଲମାରୀ ପାଖରେ ବସି ଆଗରେ ଆଞ୍ଚ ଉପରେ କେଟିଲିଟା ବସେଇ ଫୁଙ୍କୁଛି । ଦଶବାର ବର୍ଷର ପିଲାଟାଏ—ଏବା’ ବା’ ଫୁଙ୍କନା’ ଥାଉ ମୁଁ ବିଞ୍ଚି ଦେଉଛି କହି ରସ ଖଣ୍ଡେ ଆଣି ବିଞ୍ଚିଲା । ଗରାଖ କେହି ନାହାନ୍ତି । ଚୁଡ଼ା ଦେଖି ତାର ଭୋକ ଯେପରି ସହସ୍ର ଗୁଣ ବଢ଼ିଗଲା । ମୁଠିଏ ଖଣ୍ଡେ ମିଳନ୍ତା କି ? ଶୁଖିଲା ଚୋବାଇ ପକାଇ ପାଖି ଗ୍ଲାସେ ପିଇ ଦେଲେ କେତେ ଶାନ୍ତି ଲାଗନ୍ତା ? କିନ୍ତୁ ସେ କିଛି ନ କହିପାରି ବେଞ୍ଚ ଉପରେ ଯାଇ ବସିଗଲା । ମୂର୍ଦ୍ଦାରକୁ ଶ୍ମଶାନରେ ପକାଇବାବେଳେ ଗଛ ଉପରେ ଶାଗୁଣା ଚାହିଁଥିବା ପରି ମୁଢ଼ି ଏବଂ ଚୁଡ଼ା ଡିବା ଉପରେ ତାର ଦୃଷ୍ଟି ନିବଦ୍ଧ ହେଲା । ବୁଢ଼ା କହିଲା—କଣ ନବ ବାପ ? ସେ ଚମକି ପଡ଼ି କହିଲା ଏ...

 

–କଣ ଖାଇବ ?

 

ପାଖରେ ପଇସା ନାହିଁ । ଖାଇସାରି ସେ ଦେବ କଅଣ ? କିପରି କହିବ ସେ ଭିକାରୀଟେ ବୋଲି । କିଛି ଭାବି ପରିଲା ନାହିଁ । ବୁଢ଼ା ହୁଏତ ତାକୁ ସନ୍ଦେହ କରି ପାରନ୍ତି । ତେଣୁ ସଙ୍ଗେ ସଙ୍ଗେ କହିଦେଲା ପାଣି ଗ୍ଲାସେ ଦେଲ ?

 

ବୁଢ଼ା କହିଲା—କିଛି ସିନା ପାଟିରେ ଦେଇ ପାଣି ପିଅନ୍ତି ।

 

ପୁଅ ଚିଡ଼ି ଉଠି କହିଲା ଏ ବାବା ତୋର କାଣ୍ଡ ଜ୍ଞାନ ନାହିଁ । ସିଏ ସିନା ମୁଁହ ହାତ ଆଗ ଧୁଇନେ କିଛି ଖାଇବେ ।

 

ବୁଢ଼ାକହିଲା ସେ କଥା କହୁନା ବାପ ! ହଉ ରୂପା ପାଣି ଝଅଟ ଦେ’ରେ । ଏହି ସମୟରେ ଜଣେ ବୟସ୍କ ଲୋକ ହସି ହସି ପଶି ଆସି କହିଲେ—କଣ ଭଲ ଅଛ ମଉସା ?

Unknown

 

ବୁଢ଼ା ଖୁସିହୋଇ କହିଲା—ତମରତ କାହିଁ, ଏହି ଦୁଇ ଚାରିଦିନ ହେବ ଦେଖାନାହିଁ ପୁଅ । କୁଆଡ଼େ ଯାଇଥିଲ କି ?

 

ମୁଁ ଆନ୍ଧ୍ରକୁ ଚାଉଳ ପାଇଁ ଯାଇଥିଲି । କଣ କରିବି ଏକୁଟିଆ ଲୋକ ବେପାର ନ କଲେ ଚଳିବା କେମିତି ?

 

—ହଁ ତା ନୁହେଁ କଣ ପୁଅ ? ଆରେ ରୂପା ସେ ଭିତରେ ଚୌକିଟା ସଫା କରିଦେରେ ବାବୁ ବସିବେ । କଣ ପୁଅ ବରା ଗରମ ଗରମ ଅଛି । ବରା ତରକାରୀ ଖାଅ । ତାପରେ ଲୋକଟି ଭିତରକୁ ଯାଇ କହିଲେ—ହଁ ମଉସା ସେଇଆ ଦିଅ ।

 

ବୁଢ଼ା ତା ଆଡ଼କୁ ଅନାଇ କହିଲେ—ହଁ ବାପ କିଛି କହିଲା ନାହିଁ ଯେ ! ବରା ଖାଇବ ?

 

ପାଟିରୁ କିଛି କଥା ବାହାରିଲାନି ତାର । ବୁଢ଼ା କଥା ଶୁଣି ମୁହଁ ଶୁଖିଗଲା । ତାପରେ ଅତି କଷ୍ଟରେ କହିଲା—ଏଠି କେଉଁଠି ଚାକିରୀ ମିଳିବ ?

 

ବୁଢ଼ା ଚମକି ପଡ଼ିଲା—ଏଁ ଚାକିରୀ ? ତାପରେ ହସିଦେଇ କହିଲା—ଚାକିରୀ କିଏ ଦେବ ବାପ ? ଆଜିକାଲି ନିଜକୁ ଖାଇବାକୁ ତ ଅଣ୍ଟୁନାହିଁ । ଯେଡ଼େ ବାଉଁଶ ତେଡ଼େ ପୋଲ । ତା ପରେ ଦି ବରଷ ହେଲା କୁରୁସି ହଉ ନାହିଁ ଯେ ଶହ ଶହ ଭେଣ୍ଡିଆ ଆସି ଅଇଁଠା ବାସନ ଧୋଇ ପେଟଖାଇ ପଡ଼ି ରହିଛନ୍ତି । ଆଉ ଚାକିରି କିଏ ଦେବ ?

 

ସେହି ପେଟ ଖାଇ ରହିବା ପାଇଁ କେଉଁଠି ମିଳିବ ନାହିଁ ମଉସା ?

 

ଏଁ ମଉସା ? ଏ ମଉସା ଡାକରେ ବୁଢ଼ା ଚମକି ପଡ଼ିଲା । ବୁଢ଼ା । ଅନ୍ତରରେ ସ୍ନେହଭାବ ଜାଗ୍ରତହେଲା । ବୁଢ଼ା କହିଲା—ତମ ଘର କେଉଁଠିରେ ପୁଅ ?

 

ଚମକି ପଡ଼ିଲା ସେ । ତାକୁ ଭାରି ଭୟ ଲାଗିଲା । ବୁଢ଼ା ପ୍ରଶ୍ନରେ କଣ ଉତ୍ତର ଦେବ ସେ କିଛି ଭାବି ପାରିଲା ନାହିଁ । ବୁଢ଼ା ଯଦି ତା ଗାଁ ଲୋକଙ୍କ ସହିତ ପରିଚିତ ହୋଇଥାଏ ତେବେ ଘରକୁ ଖବର ଦେବ, ତାକୁ ଗାଳିଦେବ, ସେ ଅପମାନ ସହି ପାରିବ ନାହିଁ । ସଙ୍ଗେ ସଙ୍ଗେ ସେ ଗୋଟିଏ ଅଜଣା ଗାଆଁ ନାଆଁ କହିଦେଲା ।

 

ବୁଢ଼ା କହିଲା—ହଁ ସମୁଦ୍ର ପାଖିଆ ଅଞ୍ଚଳ ତ । କୁରୁସି ହଉ ନଥିବ । ନହେଲେ ତମ ଭଳିଆ ଭେଣ୍ଡିଆ ଚାଷବାସ ନ କରି ଅଇଁଠା ପତର ଗୋଟାଇବାକୁ ଏ କଲିକତା ଆସି ଥାଆନ୍ତା ? ବୁଢ଼ା ଠାରୁ ସମବେଦନା କଥା ଶୁଣି ତା ଆଖିରେ ଲୁହ ଛଳ ଛଳ ହେଉଥିଲା । ହଠାତ୍ ପୁଅ କଥାରେ ସେ ସଚେତନ ହୋଇଗଲା ।

 

ଏ ବା ଚା ଦଉନୁ । ବାବୁପା ତେଣେ ପାଣି ପିଇ ବସିଛନ୍ତି ।

 

ବୁଢ଼ା ତରବରରେ ଚା ଦେଇ ସାରି କହିଲା—ତ’ର ଆଉ କିଏ ଅଛିରେ ପୁଅ ।

 

ସେ କାନ୍ଦ କାନ୍ଦ ହୋଇ କହିଲା—କେହି ନାହାନ୍ତି ମଉସା । ତାପରେ ସେ କଥାର ସ୍ୱରବଦଳାଇ କହିଲା—ମୋତେ ଭାରି ଭୋକ ଲାଗିଲାଣି ମଉସା । ଯଦି କିଛି ଖାଇବାକୁ ଦିଅନ୍ତ, ତେବେ ଯେଉଁ କାମ କରିବାକୁ କୁହନ୍ତ ମୁଁ ତମର କାମ କରିଦିଅନ୍ତି ।

 

ବୁଢ଼ା ଚମକି ପଡ଼ି କହିଲା—କେଉଁଠୁ ଆଣି ଦେବିରେ ପୁଅ ? ଏତକ ସମ୍ୱଳ । ଏ ବିକ୍ରୀ ହେଲେ ଆମେ ଆଠ ପରାଣୀ କୁଟୁମ୍ବ ପୋଷି ହେବୁ । ସକାଳପହରୁ ଦି’ଟଙ୍କାର ବରା ଛାଣିଥିଲି ଯେ ମୁଟେ ପଚିଶି ପଇସାର ବିକିରୀ ହେଇଚି । କୁଆଡ଼ୁ ଆଣିଦେବି ? ତମେ ସେ ବଡ଼ ଦୁକାନକୁ ଯାଉନା, ସେଇଟି ହୁଏତ ମିଳିପାରେ ।

 

ରଞ୍ଜନର ମନ ଖରାପ ହୋଇଗଲା । ବଡ଼ ଦୋକାନରେ ମିଳିବା ସମ୍ଭବ ନୁହେଁ । ଶହ ଶହ ଧୋବ ଧାଉଳିଆ ଲୋକ ପ୍ରତି ଟେବୁଲ ପାଖରେ ଘେରି ବସି ନାନାଦି ଆଳାପ ଆଲୋଚନାରେ ମାତି ଯାଇଛନ୍ତି । ଦୋକାନୀ ଯଦି ତାକୁ କିଛି କହେ—ସମସ୍ତେ ତାକୁ ଚାହିଁ ଥଟ୍ଟାକରିବେ, ତାକୁ ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରାଣୀ ବୋଲି ଭାବି ଚାହିଁ ଚାହିଁ ହସିବେ । ନାଁ ନାଁ ସେ ସହିପାରିବ ନାହିଁ । ତେବେ ଏ ପେଟର ଜ୍ଵାଳାକୁ କଣ ସେ ସହିପାରିବ ? କି କଷ୍ଟ ସତେ ଏହି ପେଟର ଜ୍ଵାଳା ? ଚତୁର୍ଦ୍ଦିଗ ତାକୁ ଅନ୍ଧକାର ଦେଖାଯାଉଚି, କଥା କହିବା ବେଳେ ଓଠ ଶୁଖିଯାଉଚି, ଟାଣି ଓଟାରି ହସିବାକୁ ଚେଷ୍ଟା କଲାବେଳେ କାନ୍ଦି ପକାଇବା ପରି ତାର ମନେ ହେଉଚି, ବୁଢ଼ା ମୁହଁ ତାକୁ ଶହ ଶହ ବୁଢ଼ାର ମୁହଁ ପରି ଦେଖାଯାଉଚି । ପାଟିରୁ କଥା ବାହାରୁ ନାହିଁ । ବହୁ କଷ୍ଟରେ କଥା କହିବା ବେଳେ କଣ୍ଠ ଥରି ଉଠୁଛି । ଛୋଟ ପିଲାଙ୍କ ଭଳି କଥା ତାର ଲାଗିଯାଉଚି । ତାପରେ ମନରେ ସାହସ ଆସିଲା । ସେ ନିର୍ଭୀକ ହୋଇଗଲା । କ୍ଷୁଧାର ଜ୍ଵାଳା ସତେ ଯେପରି ଅନ୍ତରରୁ ଦୂରେଇ ଗଲା । ଆଖି ଆଗରେ ଭାସି ଉଠିଲା—ଗଙ୍ଗାର ପ୍ରଶାନ୍ତ ଜଳ ରାଶି । ଏ ଦୁନିଆ ତାକୁ ଯଦି ଆଦର କରି, କୋଳ କରି ଗ୍ରହଣ ନକଲା, ତାର ଭୋକିଲା ପ୍ରାଣରେ ଟୋପିଏ ଜଳ ଦେଇ ତାକୁ ଶାନ୍ତ ନ କଲା, ତେବେ ସେ ଗଙ୍ଗାରେ ଝାସ ଦେବ । ସେଇଠି ହୁଏତ ତାର ମୁକ୍ତି ଅଛି । ଚିରଦିନ ପାଇଁ ଯନ୍ତ୍ରଣାରୁ ସେ ତ୍ରାହି ଲଭିବ । ଉଠିବାକୁ ଚେଷ୍ଟା କଲା ସେ ।

 

ବୁଢ଼ା କହିଲା—ଯାଉଚ ପୁଅ, ହଉ ଯାଅ । କଣକରିବି । କେତେ ଲୋକଙ୍କୁ ଏଇ ହାତରେ ମୁଁ ଖାଇବାକୁ ଦେଇଚି । କାହାରି ବିକଳ ସହି ନପାରି ମୁଁ ଆଜି ଫକଡ଼ । ଆଜି କିନ୍ତୁ ତମକୁ ମୁଠିଏ କିଛି ଦେଇ ପାରିଲି ନାହିଁ...ଭାଗ୍ୟର ଖେଳ ଏ’ ରେ ବାପ, ସବୁ ଭାଗ୍ୟ ।

 

ସେ ହସି ପାରିଲା ନାହିଁକି କାନ୍ଦି ପାରିଲା ନାହିଁ । ମନର କୋହକୁ ଚାପିଧରି ବୁଢ଼ା ଆଡ଼କୁ ନଚାହିଁ ଧୀରେ କହିଲା—ମୁଁ ଯାଉଚି । ଭଦ୍ରଲୋକ ଜଣକ ଏକଥା ସବୁ ଶୁଣୁଥିଲେ । ସେ ଉଠିଆସି କହିଲେ—ଏ ବାବୁ ଶୁଣ ।

 

ସେ ଥମକି ଛିଡ଼ା ହେଲା । ବାବୁ ଜଣକ ତାକୁ ଦୋକାନକୁ ଡାକି ବୁଢ଼ାକୁ କହିଲେ—ତାଙ୍କୁ ଜଳଖିଆ ଦିଅ । ମୁଁ ପଇସା ଦେଉଛି । ବୁଢ଼ା ଆନନ୍ଦରେ ଡାକିଲା ରୂପା ଏ ରୂପା ।

 

ରୂପା ପ୍ଳେଟ ଗୋଟାଉ ଗୋଟାଉ ବିରକ୍ତ ହୋଇକହିଲା—ଏମିତି କାହିଁକି ହଉବୁଢ଼ା । ବୁଢ଼ା ଟିକେ ଚିଡ଼ି ଉଠି କହିଲା—ହାରେ ବାଳୁଙ୍ଗା । କିରେ ଶୁଣୁ । ବାବୁଙ୍କୁ ଜଳଖିଆ ନେଇ ଦେ ।

 

ରଞ୍ଜନର ମସ୍ତକ କୃତଜ୍ଞତାରେ ନଇଁଗଲା । ଜୀବନରେ ସବୁଦିନ ପାଇଁ ହାରିଯିବା ପରି ତାର ମନେ ହେଲା । ତଥାପି ତଳକୁ ମୁହଁ ପୋତି ଖାଇବାରେ ଲାଗିଗଲା । ବୁଢ଼ା କହୁଥିଲେ—ଦେଖିଲୁ ବାପ ଧରମ ଅଛିରେ, ଦୁନିଆରେ ଧରମ ଅଛି । ରାମ ରାଇଜ ସବୁଦିନେ ଅଛି, କିନ୍ତୁ ଜଣାପଡ଼େ ନି । କାଇଁକିନା କଳିର ମାତ୍ରାଟା ଟିକେ ବେଶି ହୋଇଛି । ଗିଲାସରେ ଚା’ ଢୋକେ ପାଟିକି ନେଉ ନେଉ ବୁଢ଼ା କହିଲା—ଏ ବାବୁଙ୍କୁ ଜାଣିନୁରେ—ଭାରି ଦୟାବନ୍ତ ଲୋକ । କାହାରି ବିକଳପା ସହି ପାରନ୍ତି ନାଇଁ ।

 

ରୂପା ଚିଡ଼ି ଉଠି କହିଲା—ଏଁ ତୁ ସବୁପିଇ ଦେଉଛୁ ନାଁ କଣ ? ମତେ ଦେ । ବୁଢ଼ା ଗିଲାସକୁ ଚାହିଁ ଚମକିପଡ଼ି କହିଲା—ଆଉ ଢୁକେ ପିଏରେ ।

 

ସବୁ ପିଇ ଦଉନୁ । ତୋ ପେଟରେ ତ କିଛି ଅଣ୍ଟିବ ନାହିଁ । ରୂପା ଗରଗର ହୋଇ ଚାଲିଯିବାକୁ ବସିଲା ।

 

ବୁଢ଼ା ରାଗିଯାଇ କହିଲା—ନେ, ରେ ବାଳୁଙ୍ଗା—ଏବେ ଖାଇ ମର । ଏହା କହି ଗିଲାସକୁ କଚାଡ଼ି ଦେଲା ।

 

ରୂପା ଚା’ପିଉ ପିଉ କହିଲା—ତୁ ତର ଏବେ କଣ କରୁଚୁ କର ବା’ମୁଁ ଯାଉଚି ଗୁଡ଼ି ଉଡ଼େଇବି ।

 

ବୁଢ଼ା କହିଲା—ହଅ ଯାଆ ବାପ ସେଇଥିରେ ଆମର ରୁଜଗାର ହବ ।

 

ହାଇରେ ବାଳୁଙ୍ଗା, ଛତରା । ଦେଖୁଛ ବାପ, ଭଦ୍ରଲୋକଙ୍କୁ ଚାହିଁ ବୁଢ଼ା କହିଲା—ଏ ଟୋକା ଖଣ୍ଡକ ମଣିଷ ହେଲା ନାହିଁ । କଣ କରିବି ?

 

ରୂପା ଚା’ ଗ୍ଳାସ ରଖି କହିଲା—ହଉ ତୁ ମଣିଷ ହଅ, ବା’ମୁଁ ଚାଲିଲି । ତାପରେ ସେ ଦଉଡ଼ି ଦଉଡ଼ି ପଳାଇଗଲା ।

 

ରଞ୍ଜନ ଖାଇସାରି, ଶାନ୍ତିରେ ନିଃଶ୍ୱାସଟାଏ ପକାଇଲା । ବାବୁ ଜଣକ ତାକୁ ଡାକିଲେ । ତାଙ୍କର ପଛେ ପଛେ ଚାଲିଲା ସେ । କିଛିବାଟ ଯିବାପରେ ସେ ଭାବିଲା କୁଆଡ଼େ ସେ ଯାଉଚି ? ଏ ବାବୁ କାହିଁକି ତାକୁ ଏମିତି ଅଯାଚିତ ଭାବେ ଜଳଖିଆ ଖାଇବାକୁ ଦେଇ ଡ଼ାକି ନେଇଛନ୍ତି ? କିଛି ବୁଝିପାରିଲା ନାହିଁ ସେ । ତଥାପି ବୁଡ଼ିଯାଉଥିବା ଲୋକ କୁଟାଖିଅ ଧରି ଆଶ୍ରା ପାଇବା ପରି ସେ ଚାଲିଥିଲା । ମନରେ ନାନାପ୍ରକାର ପ୍ରଶ୍ନ ଉଙ୍କି ମାରୁଥିଲା । ସେ ପଚାରିଲା ଆଉ କେତେ ବାଟ ?

 

ବାବୁଜଣକ ପଚାରିଲେ କେତେବାଟଯାଏ ପାଠ ପଢ଼ିଛ ?

 

ଚମକି ପଡ଼ିଲା ସେ । ବାବୁଜଣକ କିପରି ଜାଣିଲେ ସେ ପାଠ ପଢ଼ିଛି ବୋଲି ? ଏଁ ସେ ତାକୁ ଚିହ୍ନନ୍ତିକି ? ମନେ ପକାଇଲା—ନାଁ କେଉଁଠି ତାଙ୍କୁ ଦେଖିନାହିଁ । ତେବେ.. ? ଭୟ ଲାଗିଲା । ପୁଣି ଭାବିଲା ହୁଏତ ତାକୁ ଜାଣିବାପାଇଁ ପଚାରି ପାରୁଥାନ୍ତି । ସେ କହିଲା—ଆମେ କେଉଁଠିକୁ ଯିବା ?

 

ଚାକିରୀ କରିବ ?

 

ହଁ,

 

ପାଠ ପଢ଼ିବ ?

 

(ନୀରବ)

 

ଚାକିରୀ କରିବ, ପାଠ ପଢ଼ିବ ।

 

(ନୀରବ)

 

କିଛି ନ କରି ବି ପାଠ ପଢ଼ିପାର ।

 

(ନୀରବ)

 

ବ୍ୟବସାୟ ମନ୍ଦ ନୁହେଁ ।

 

ସେ ଭାବିଲା ଭଦ୍ରଲୋକ ଜଣକ ହୁଏତ ପାଗଳ । ମନରେ ଭୟ ଆସିଲା । ସେ ତାକୁ ଏମିତି କାହିଁକି ପଚାରୁଛନ୍ତି । ତଥାପି ସେ କହିଲା—ଚାଷ ।”

 

ହଁ କଲମ ଚାଷ ଆଜିକାଲି ପ୍ରଧାନ ।

 

କଲମ ଚାଷ ହୁଏ ନାହିଁ ।

 

କଲମ ବିନା ଚାଷ ହୁଏ ନାହିଁ ।

 

ସେ ଆଉ ଆଗେଇଲା ନାହିଁ, ରହିଗଲା । ଭଦ୍ରଲୋକ ଜଣକ ପଛକୁ ବୁଲି ଚାହିଁ ଚମକି ପଡ଼ି କହିଲେ—କ’ଣ ହେଲା ? ଏମିତି ରହିଗଲ ଯେ । ତାପରେ ସେ ପାଖକୁ ଆସିଲେ । ଏଁ ତମେ କାନ୍ଦୁଛ ?

 

ନାଁ ନାଁ ମୁଁ କୁଆଡ଼େ ଯିବିନାହିଁ । ଆପଣ ଯାଆନ୍ତୁ । ଆପଣଙ୍କ ଦାନ ପାଇଁ ମୁଁ କୃତଜ୍ଞ ।

 

ଭଦ୍ରଲୋକ ହସିଲେ । କହିଲେ ଭୟ କରୁଛ ? ମୁଁ ପାଗଳ ନୁହେଁ । ମୁଁ ତମରି ପରି ମଣିଷ । ମୋ ପାଖରେ ରହିବାରେ ତମର କିଛି ଆପତ୍ତି ଅଛି ?

 

ସେ ଆଶ୍ଵସ୍ଥ ହେଲା । କହିଲା—ନାଁ ।

 

ତେବେ ରହିଲ କାହିଁକି ? ଦୋକାନରେ ମୁଁ ତୁମମାନଙ୍କର କଥୋପକଥନ ଶୁଣିଛି । ତୁମର କଥାବାର୍ତ୍ତାରୁ ମୁଁ ଜାଣିଲି ତୁମେ ନିରାଶ୍ରୟ, କିନ୍ତୁ ତୁମେ ଶିକ୍ଷିତ । ମୁଁ ବି ଜଣେ ଯାଯାବର । ମହାରାଷ୍ଟ୍ର ମୋର ଜନ୍ମସ୍ଥାନ ହୋଇଥିଲେ ହେଁ—ମହାରାଷ୍ଟ୍ରରେ ମୋର କେହି ନାହାନ୍ତି । ମୁଁ ବ୍ୟବସାୟ କରି ପତ୍ନୀ କନ୍ୟା ସହ ଏହି କଲିକତାରୁ ନିଜର ଆଶ୍ରୟ ସ୍ଥଳୀ ଭାବି ରହିଯାଇଛି । ତୁମେ ଆସ ସାଙ୍ଗ ହୋଇ ରହିବା । ତୁମେ ମୋ ବ୍ୟବସାୟ ବୁଝିବ, ଇଚ୍ଛା ହେଲେ ପାଠ ପଢ଼ିବ ।

 

ସେ ଆନନ୍ଦରେ ଆତ୍ମହରା ହୋଇ କହିଲା—ହଁ ହଁ ମୁଁ ପାଠ ପଢ଼ିବି । ତେବେ ଚାଲିଆସ । ମୋ କନ୍ୟା ସହ ମିଶି ତମେ ଭାଇ ଭଉଣୀ ପରି ଆନନ୍ଦରେ ସମୟ ଅତିବାହିତ କରିବ । ମୋର ଆଶା ପୂର୍ଣ୍ଣ ହେବ ।

 

ଭଦ୍ର ଲୋକଙ୍କୁ ଅନୁଗମନ କଲା ସେ ।

 

ରଞ୍ଜନ ତାଙ୍କ ଘରେ ପହଞ୍ଚିବା ପରେ ଯିଏ ପ୍ରଥମେ ବା ଉପରେ ସମସ୍ତ ଅଧିକାର ସାବ୍ୟସ୍ତ କରିବା ପାଇଁ ବ୍ୟଗ୍ର ହୋଇ ଉଠିଥିଲା ସେ ହେଉଛି ଲୀଳା । ଆଜି ମୋ ଫ୍ରକ୍‍ଟା ଧୋବା ଘରେ ଦେଇ ଆସି । ଆଜି ବଜାରରୁ ଭଲ ମାଛ ଆଣିବ ? ତୁମେ କାହିଁକି ମୋ ପାଇଁ ବଜାରରୁ ଭଲ ବହି ଆଣିଲ ନାହିଁ, ତେଣୁ ତୁମକୁ ଖାଇବାକୁ ଦେବି ନାହିଁ ଆଜି ତାର ଅଳି ଥିଲା । ମାଆ ଶୁଣି ଗାଳି ଦିଅନ୍ତି, କେତେ ବୁଝାନ୍ତି—ତଥାପି ବୁଝେ ନାହିଁ ଲୀଳା । ଘର ଭିତରେ ରଞ୍ଜନ ଶୋଇଥିଲେ ଲୀଳା ବାହାର ପଟରୁ ଚାବି ଦେଇ ଖୋଲେ ନାହିଁ । ମାଆ ବିରକ୍ତ ହୁଅନ୍ତି, କେତେ ରାଣ ନିୟମ ପକାନ୍ତି ତାପରେ କବାଟ ଖୋଲେ ସେ । ମାତ୍ର ଯେଉଁ ଦିନ ବାପା କହିଲେ ଲୀଳା ତୁ ରଞ୍ଜୁ ପାଖରେ ଏଣିକି ପଢ଼ିବୁ—ସେଦିନ ତାକୁ ଆଶ୍ଚର୍ଯ୍ୟ ଲାଗିଥିଲା । ଏଁ ତାହାହେଲେ ରଞ୍ଜୁ ପାଠ ପଢ଼ିଛି ? ସେତେବେଳକୁ ନାଇଟ୍ କଲେଜରେ ରଞ୍ଜନର ନାଆଁ ଲେଖା ସରିଥାଏ । ଦିନରେ ମାଲ ଚିତ୍ର ବିକା କିଣାରେ ହିସାବ କରେ ରଞ୍ଜନ । ରାତିରେ ପଢ଼ିବାକୁ ଯାଏ । ଏକଥା କିନ୍ତୁ ଜାଣି ନ ଥିଲା ଲୀଳା । ତାପରେ ସେ ଯେତେବେଳେ ବାପାଙ୍କ କଥାରେ ହସକୁ ଚାପି ଧରି ପାଠ ପଢ଼ିବାକୁ ଗଲା, ରଞ୍ଜନର ବୁଦ୍ଧି ଦୀପ୍ତ ଚାହାଣୀକୁ ଦେଖି ଆଶ୍ଚର୍ଯ୍ୟ ହେଲା । ତଥାପି କୈତୁହଳୀ ହୋଇ ରଞ୍ଜନକୁ ମାଟ୍ରିକୁଲେସନ ଇଂରେଜୀ ପଦ୍ୟ ବହିକୁ ଚଢ଼େଇ ଦେଇ କହିଲା ମୋତେ ବୁଝେଇ ଦିଅ । ରଞ୍ଜନ କହିଲା ହଉ ଶୁଣ । ତାପରେ ସେ ଯେତେବେଳେ ବୁଝାଇଲା, ଲୀଳା ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁ ରହିଲା ଏକ ଧ୍ୟାନରେ । ରଞ୍ଜନ ଡନଜନଙ୍କର ମେଟା ଫିଜିକାଲ ପଦ୍ୟକୁ ବୁଝେଇ ଚାଲିଥାଏ । କବି କିପରି ନିଜକୁ ଏବଂ ତାଙ୍କର ପ୍ରେମିକାକୁ କମ୍ପାସର ଦୁଇଟି ମୁନ ସହିତ ତୁଳନା କରିଛନ୍ତି; ଏବଂ ଯେତେ ଯୁଆଡ଼େ ବୁଲୁଥିଲେ ମଧ୍ୟ ସେମାନେ କିପରି ପରସ୍ପର ଗୋଟିଏ କମ୍ପାସର ଦୁଇଟି ମୁନପରି ଅଭିନ୍ନ ତାହା ଦର୍ଶାଇଛନ୍ତି । ଖୁବ୍ ଭୁଲ୍ ଲାଗିଲା ଲୀଳାକୁ । କ୍ଲାସରେ ସେ କିଛି ବୁଝିପାରେ ନାହିଁ ବୋଲି ତାକୁ ଇଂରେଜୀ ପଢ଼ିବାକୁ ଭାରି ଡ଼ରମାଡ଼େ । ମାତ୍ର ରଞ୍ଜନର ବୁଝାଇବାରେ ତାର ଇଂରେଜୀ ପାଠ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ପରସ୍ପର ପରସ୍ପରକୁ ଅନ୍ତର ମଧ୍ୟରେ ସେହି ଦିନରୁ ଭଲପାଇ ବସିଲେ ।

 

ଚାହୁଁ ଚାହୁଁ ଛଅ ବର୍ଷ ଅତିବର୍ଷ ଅତିବାହିତ ହୋଇଗଲା । ରଞ୍ଜନ ଏମ୍.ଏ. ପାସକଲା । ଲୀଳା ଏହା ମଧ୍ୟରେ ଆଇ.ଏ. ପାସ୍ କଲାଣି । ତାପରେ ଲୀଳାର ପିତା ରାମେଶ୍ଵର ମେହେଟ୍ଟା ଲୀଳାକୁ ଆଉ ପଢ଼ାଇବାକୁ ମନା କଲେ । କନ୍ୟାର ମନୋଭାବ ବୁଝିପାରି ସେ ରଞ୍ଜନ ସହିତ ତାକୁ ବିବାହ କରାଇ ଦେଇ ସମସ୍ତ ଦାୟିତ୍ଵ ରଞ୍ଜନ ହସ୍ତରେ ଅର୍ପଣ କରିଦେଲେ । ଦିନପରେ ଦିନ ବିତି ଚାଲିଲା । ରାମେଶ୍ଵର ବାବୁ ପତ୍ନୀଙ୍କ ସହ ବୃନ୍ଦାବନ ଭ୍ରମଣ କରିବାକୁ ଗଲେ ।

 

ଦିନେ ରଞ୍ଜନ ବସି ବସି ନିଜର ଅତୀତ ଜୀବନ ବିଷୟ ଭାବୁଥିବା ସମୟରେ କାହାର ନମସ୍କାର ଶଦ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇ ଆଗନ୍ତୁକଙ୍କୁ ଚାହିଁ ଦେଲା । ସୁଦର୍ଶନ ଯୁବକଟି, ସମ୍ମୁଖରେ ଠିଆ ହୋଇଛି । ଦୋଳାୟମାନ ଅବସ୍ଥାରେ ପଡ଼ି ରଞ୍ଜନ କେବଳ ଚାହିଁ ରହିଲା । କେଉଁଠି ଦେଖିଛି–କେଉଁଠି ଦେଖିଛି ବୋଲି ମନ ମଧ୍ୟରେ ବିଭିନ୍ନ ଦୃଶ୍ୟର ଅବତାରଣା ହେଲା । ଯୁବକଟି କହିଲା କଣ ଚିହ୍ନିପାରୁ ନାହାନ୍ତି ରଞ୍ଜନ ବାବୁ ?

 

ଯୁବକଙ୍କର କଣ୍ଠସ୍ୱର ଶୁଣି ରଞ୍ଜନ ତଥାପି ସନ୍ଦେହ ମିଶାସ୍ଵରରେ କହିଲା ଖୋକନ...

 

ଏତେବେଳେ ଚିହ୍ନିଲେ ?

 

ରଞ୍ଜନ କହିଲା—ଏହା ମଧ୍ୟରେ ତୁମର ଚେହେରାରେ ଯଥେଷ୍ଟ ପରିବର୍ତ୍ତନ ହୋଇ ଯାଇଛିକିନା । ତେଣୁ ହଠାତ୍ ଚିହ୍ନି ପାରିଲି ନାହିଁ । ଆରେ ଛିଡ଼ାହୋଇ ରହିଲଯେ—ବସ । ଖୋକନ ବସୁ ବସୁ କହିଲା—ବିନୀତା କହୁଥିଲେ ଆପଣ କୁଆଡ଼େ ଘରଛାଡ଼ି ପଳାଇ ଆସିଥିଲେ । ଏବେ ଘରକୁ ଗଲେଣି ?

 

ରଞ୍ଜନ ମନମଧ୍ୟରେ ଘରକଥା ଶୁଣି ଦୁଃଖ ଅନୁଭବ କଲା । ତଥାପି ସେ ହସିଦେଇ କହିଲା—ତୁମକଥା ଆଗେ କହିଲ, କଣକରୁଚ ? ବିନୀ ଭଲଅଛି ନା ?

 

ମୁଁ ଏବର୍ଷ କଲିକତାରେ appointment ପାଇଛି । ବିନୀତା ମଧ୍ୟ କଲିକତାରେ ଥିଲେ । ଏହି ତିନି ଚାରି ଦିନ ହେବ ଗାଆଁ ଆଡ଼େ ଯାଇଛନ୍ତି ।

 

ରଞ୍ଜନ ଖୁସି ହୋଇ କହିଲା—ଆରେ, ତମେମାନେ କଲିକତାରେ ଅଛ ? ବେଶ୍ ଭଲ ହେଲା । ଏଣିକି ସବୁବେଳେ ଆମେ ପରସ୍ପରକୁ ଦେଖିପାରିବା ।

 

ଆପଣଙ୍କ କଥା କିଛି କହିଲେ ନାହିଁ ଯେ...

 

—କଣ ଆଉ କହିବି ? ତେବେ ମୁଁ ବର୍ତ୍ତମାନ ଭଲରେ ଅଛି । ଏମ୍.ଏ. ପାଶ କରି ବିଜନେସ୍‍ ରେ ଲାଗି ଯାଇଛି ।

 

ତେବେ ଆପଣ ଘରୁ ପଳାଇ ଆସିବା କଣ ମିଛ କଥା ? ବିନୀ ଏତେ ଦୁଃଖ ପ୍ରକାଶ କରି ଯାହା ସବୁ କହୁଥିଲେ...

 

—ନାଁ ନାଁ ମିଛ କାହିଁକି ହେବ ? ମୁଁ ଘରୁ ପଳାଇ ଆସିଥିଲି । କାହାରିକୁ ମୋ ଆସିବା ଖବର ଜଣାଇ ନ ଥିଲି । ଏ ପର୍ଯ୍ୟନ୍ତ ମଧ୍ୟ ଜଣାଇନାହିଁ ।

 

ଏଁ...ଆଶ୍ଚର୍ଯ୍ୟ ହେଲା ଖୋକନ । ତାପରେ ଦୁଃଖ ପ୍ରକାଶ କରି କହିଲା—ବିନୀତା କଣ କହୁଥିଲା ଜାଣନ୍ତି ?

 

କଣ ?

 

ଆପଣଙ୍କ ପିତାଙ୍କର ପରଲୋକ ହୋଇଯାଇଛି । ସେ ଆପଣଙ୍କୁ ଦେଖିବା ପାଇଁ ଶେଷ ସମୟରେ କୁଆଡ଼େ ଭାରି ଖୋଜୁଥିଲେ ।

 

ନିର୍ଲିପ୍ତ ଭାବରେ ହସିଦେଲା ରଞ୍ଜନ । ମାତ୍ର କିଛି କହିପାରିଲା ନାହିଁ । ଲୀଳାଙ୍କର ଗଳା ଖଙ୍କାର ଶୁଣି ରଞ୍ଜନ ପଛକୁ ଚାହିଁ ଦେଖିଲା—ଲୀଳା ଏକା ଏକା କେତେବେଳୁ ଆସି ଛିଡ଼ା ହୋଇଛନ୍ତି । ରଞ୍ଜନ କହିଲା—ଆରେ ତମେ କେତେବେଳୁ ଆସିଲାଣି ? ଖୋକନ ଲୀଳାଙ୍କୁ ଦେଖି ଲଜ୍ଜା ଅନୁଭବ କଲା । ରଞ୍ଜନ କହିଲା—ଖୋକନ ଏ ହେଉଛନ୍ତି ତମ ଭାଉଜ । ଖୋକନ ନମସ୍କାର ଜଣାଇଲା । ତାପରେ ରଞ୍ଜନ ହାତଘଣ୍ଟାକୁ ଚାହିଁ ଦେଇ କହିଲା—ଡେରି ହେଲାଣି ଖୋକନ ଆମେ ଯାଉଛୁ । ତମେ ବହୁବଜାର ମେହେଟ୍ଟା କୋମ୍ପାନୀକୁ ଆସିବ । ଦେଖା ହେବ । ତାପରେ ଲୀଳା ଏବଂ ରଞ୍ଜନ ଉଠିଗଲେ । ବିସ୍ମିତଭାବେ ଚାହିଁରହିଥିଲା ଖୋକନ ସେମାନଙ୍କର ଗତିପଥକୁ ।

 

ଏହା ମଧ୍ୟରେ ତିନି ଚାରି ଦିନ ବିତି ଗଲାଣି । ରଞ୍ଜନକୁକିଛି ଭଲ ଲାଗୁନାହିଁ । ଯେଉଁଠି ବସୁଛି, ଭାବନାରେ ବୁଡ଼ିଯାଉଛି । ଖାଇବା ପିଇବାକୁ ଭଲ ଲାଗୁନାହିଁ । ଆଖି ଆଗରେ ଭାସିଉଠୁଛି–ପିତାଙ୍କର ତୀକ୍ଷ୍ଣ ଚାହାଣୀ, ଗାଆଁର ପୋଖରୀତୁଠ ସ୍ମିତା, ବିନୀତା ଅନେକ ଛବି–ଅନେକ ଛବିର ଭୁଲା ଅଭୁଲା ଅନେକ ଦୃଶ୍ୟ । ତାର ମନେହେଲା–ସତେ କଣ ସେ ଭୁଲ କରିଛି ? ଯେତେ ଯାହା ହେଲେ ସୁଦ୍ଧା ବାପାଙ୍କୁ ଶେଷରେ ଖବରଟା ଜଣାଇବା କଥା । ସେ ବିବାହ କଲା, ପାଠ ପଢ଼ି ମଣିଷ ହେଲା, ଏତକ ମଧ୍ୟ ଜଣାଇଲା ନାହିଁ । ମଣିଷ ତ ଏୟାକୁ ପାଥେୟ କରି ବଞ୍ଚେ-। ଟିକିଏ ଖାଲି ରକ୍ତର ବିଜୟ ଶୁଣି, ରକ୍ତର ଗୌରବ ଶୁଣି । ଲୋକେ କହନ୍ତି–ବନସ୍ତରେ ହାତୀ ବୁଲୁଥିଲେ ରଜାର । କିନ୍ତୁ ସେ କଣ ତାହାର ବାପାର ହୋଇ ରହିପାରିଲା ? କାହିଁକି ଏପରି ହେଲା-? କଣ ତାର ତ୍ରୁଟି ରହିଲା କିଛି ଭାବିପାରିଲା ନାହିଁ ରଞ୍ଜନ । ଶେଷରେ ସେ ଘରକୁ ଯିବାପାଇଁ ନିଷ୍ପତ୍ତି କଲା । ନାଁ, ଥରଟିଏ ହେଲେ ମଧ୍ୟ ସେ ଗାଆଁକୁ ଯାଇ ବୁଲି ଆସିବ । ତାର ଜନ୍ମଭୂମିରେ ଲୁହ ଟିକେ ଅନ୍ତତଃ ଢାଳିଦେବ । ତାର ବାପାର ଆତ୍ମା ହୁଏତ ଶାନ୍ତି ପାଇବ ।

 

ଲୀଳା ରଞ୍ଜନର କଥାଶୁଣି ଆଶ୍ଚର୍ଯ୍ୟ ହେଲା । ସେ କହିଲା—ତମେପରା କହୁଥିଲ ତମର କେହି ନାହାନ୍ତି । ପୁଣି ଘର କୁଆଡ଼ୁ ଆସିଲା ? ରଞ୍ଜନ କହିଲା—ହଁ ମୋର କିଛି ନଥାଇବି ସବୁ ଅଛି । ମୁଁ ତମକୁ ସମସ୍ତ କଥା କହିବି । ଚାଲ, ଆମେ ଗାଆଁକୁ ଯିବା । ଆମ ଗାଆଁ ମଧ୍ୟ ତୁମେ ଦେଖି ଆସିବ । ବାପା ବୋଉ ଅନ୍ତତଃ ମାସକ ପୂର୍ବରୁ ତୀର୍ଥକରି ଫେରିବା ଅସମ୍ଭବ । ଏହି ସମୟ ମଧ୍ୟରେ ଆମେ ବୁଲି ଆସିବା । ତାପରେ ରଞ୍ଜନ ଏବଂ ଲୀଳା ଶେଷରେ ଦିନ ଠିକ୍‍ କରି ଗାଆଁକୁ ଯାତ୍ରା କଲେ ।

 

ମୀନାକ୍ଷୀ ପାଟଣା ଛକରେ ରଞ୍ଜନ ଏବଂ ଲୀଳା ଗାଡ଼ିରୁ ଓହ୍ଲାଇ ଚା’ଦୋକାନକୁ ଗଲେ-। ରଞ୍ଜନ ବିସ୍ମିତ ହେଲା, କେହି ତାକୁ ଚିହ୍ନି ପାରୁ ନାହାନ୍ତି । ସେ ମଧ୍ୟ ପରିଚୟ ଦେବାକୁ ସଂକୋଚବୋଧ କରୁଛି । ମନେପଡ଼ୁଥିଲା ସେ ଦୋଲନ ଭାଇ ସହିତ ଏହି ବଜାରର ପ୍ରତ୍ୟେକ ଦୋକାନରେ ଦିନେ ଦିନେ କେତେ ଆଡ଼୍ଡ଼ା ଜମାଉ ନ ଥିଲା ? ସମସ୍ତେ ତା ସହିତ ଭାଇ ବନ୍ଧୁ ଭଳି ମିଶି ଯାଉଥିଲେ । ମାତ୍ର ଆଜି କେହି ତା ସହିତ ଭରସି କରି କଥା କହି ପାରୁନାହାନ୍ତି । ସମସ୍ତେ ଯେପରି ସନ୍ଦେହ ମିଶା ଚାହାଣୀରେ ତାକୁ ଚାହିଁଛନ୍ତି । ସେ ମଧ୍ୟ କାହାରିକୁ କିଛି କହିପାରୁ ନାହିଁ । ଶେଷରେ ଦୋକାନରୁ ଚା’ଜଳଖିଆ ଖାଇ ଲୀଳା ସହିତ ହରିପୁରକୁ ଚାଲି ଚାଲି ଗଲା । ଗାଆଁ ଯେତିକି ନିକଟ ହୋଇ ଆସୁଥାଏ, ରଞ୍ଜନ ସେତିକି ଆତ୍ମହରା ହୋଇପଡ଼ୁଥାଏ । ରାସ୍ତାରେ ସେ ଏବଂ ଲୀଳା ଚାଲିଛନ୍ତି । ରାସ୍ତାର ଅଣୁ ପରମାଣୁଠାରୁ ଆରମ୍ଭ କରି ଦୁଇ ପାଖର ଧାନବିଲ ଓ ଗାଆଁ ସମସ୍ତ ଯେପରି ଇନ୍ଦ୍ରଜାଲର ମାୟା ସୃଷ୍ଟି କରୁଛି । ଦେଖୁଛ ଲୀଳା—କି’ଶାନ୍ତ ପରିବେଶ ! ଓଃ ଯୁଗ ଯୁଗର ବନ୍ଧନରୁ ଯେପରି ମୁକ୍ତି ପାଇବାପରି ଲାଗୁଛି । ପଲ୍ଲୀ ଗାଆଁ ମାନଙ୍କର ଶାନ୍ତ ସୁନ୍ଦର ପରିବେଶ କେଡ଼େ ମଧୁମୟ ନୁହେଁ ଲୀଳା । ହେଇ ଦେଖୁଛ ଲୀଳା—ସେ ଯେଉଁ ମନ୍ଦିର ନୁହେଁ ନା’–ସେ ଆମ ଗାଆଁର ପ୍ରଧାନ ଦେବତାଙ୍କ ମନ୍ଦିର । ସେଠାରେ ପ୍ରତିବର୍ଷ ବଡ଼ ଯାତ୍ରାହୁଏ । ହେଇ ସେ ଡାହାଣ ପାଖରେ ଯେଉଁ ଗଛଟା ଦେଖାଯାଉ ନାହିଁ, ସେଠି କେନାଲ କଟାହୋଇ ନଈ ସହିତ ମିଶାଇ ଦିଆଯାଇଛି । ସେଇ ଗଛ ପାଖରେ ଯେଉଁ ଉଚ୍ଚା ଢିପ ଦେଖା ଯାଉନାହିଁ, ତାହାରି ତଳକୁ ଆମର ମାଣିକିଆ ଜମି ଅଛି । ଶୁଣୁଛ ଲୀଳା, ସେହି ଯେଉଁ ବଜାରରେ ଆମେ ଜଳଖିଆ ଖାଇଲେ, ସେହି ନିକଟରେ ମୋ ପିଉସୀ ଘର ଅଛି । କିନ୍ତୁ ଘରକୁ ଫେରିଲେ ରାତି ହୋଇଯିବ ଭାବି ମୁଁ ତୁମକୁ ସେଠାକୁ ନେଲିନାହିଁ । ମୁଁ ଅଧିକାଂଶ ସମୟରେ ଏହି ମୀନାକ୍ଷୀ ପାଟଣାରେ ପିଉସୀଙ୍କ ଘରେ ରହେ । କିନ୍ତୁ ଏଠାରେ ଲୋକମାନେ ମୋତେ ଆଜି ଚିହ୍ନି ପାରିଲେ ନାହିଁ । କାହିଁକି ଜାଣିଛ ? ସେମାନଙ୍କ ସହ ମୋର ଛଅ ବର୍ଷର ସମ୍ପର୍କ ନାହିଁ । ଯେମିତି ମଣିଷ ଏ ଶରୀର ଛାଡ଼ି ପୁନର୍ଜନ୍ମ ନେଲେ ତାର ଜ୍ଞାତି ବନ୍ଧୁ କେହି ଆଉ ତାକୁ ଚିହ୍ନି ପାରନ୍ତି ନାହିଁ । ନୁହେଁ ଲୀଳା, ମୁଁ ମରି ଜନ୍ମ ନେଲେ ତୁମେ କଣ ମୋତେ ଚିହ୍ନି ପାରନ୍ତ ?

 

ଛିଃ—ଏଗୁଡ଼ା କଣ କହୁଛ ! ଲୀଳା ରାଗିଗଲେ ।

 

ରଞ୍ଜନ ହସି ହସି କହିଲା—ନା ନା ମୋର ଭୁଲ ହୋଇଛି, ଆଉ କେବେ କହିବି ନାହିଁ, ଆସ । ତାପରେ ସେମାନେ ଚାଲିଲେ । ରଞ୍ଜନ କହିଲା—ବୁଝିଲ ଲୀଳା ମୁଁ କିନ୍ତୁ ସମସ୍ତଙ୍କୁ ଜାତି ସ୍ମର ପରି ଚିହ୍ନି ପାରୁଛି । ଆରେ ଚାଲି ପାରୁନ ନାଁ କଣ—ଏତେ ପଛରେ ପଡ଼ିଗଲଣି । ଶୀଘ୍ର ଆସ, ଅନ୍ଧାର ହୋଇଗଲେ ହିଡ଼ରେ ଚାଲି ପାରିବ ନାହିଁ । ହଁ, ଏଇ ଦେଖ ଆକାଶରେ କେମିତି ଭେଳାଭେଳା ହୋଇ ଚଢ଼େଇ ଉଡ଼ିଯାଉଛନ୍ତି । କେତେ ସ୍ଵାଧୀନ ନୁହଁନ୍ତି ସେମାନେ ! ଠିକ୍ ଆମରି ପରି ନୁହେଁ ଲୀଳା । ଆରେ କିଛି କହୁନା ଯେ ।

 

କ’ଣ କହିବି ? ତମେ ତ ଆଉ କିଛି ସମୟ ପରେ ପାଗଳ ହୋଇଯିବ କି କଣ ମୁଁ ସେ କଥା ଭାବୁଛି ।

 

ବାସ୍ତବିକ୍ ଗାଆଁର ଏହି ଦୃଶ୍ୟ, ଗୋଧୂଳି ଆକାଶର ଏହି ଭସା ଭସା ବାଦଲର ଲୁଚକାଳି, ବନାନୀର ସବୁଜିମା, ଚଢ଼େଇ ଦଳ ଦଳ ହୋଇ ଉଡ଼ିବାର ଦୃଶ୍ୟ—ଏ ସମସ୍ତ ମୋତେ ପାଗଳ କରିଦିଏ ଲୀଳା । ଏହି ଟିକିଏ ପରିବେଶ ପାଇବା ପାଇଁ କଲିକତାରେ କ’ଣ ମୁଁ କମ୍ ନଦୀ କୂଳକୁ, ଇର୍ଡେନ ଗାର୍ଡ଼ନକୁ ଦଉଡ଼ିଛି । କିନ୍ତୁ କେହି ମୋ ସନ୍ତାପିତ ପ୍ରାଣରେ ଟିକିଏ ଚନ୍ଦନର ପ୍ରଲେପ ଦେଇନାହିଁ । ବରଂ ଜନଗହଳି ମଧ୍ୟରେ, ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ମୁଁ ଅଣନିଶ୍ୱାସୀ ହୋଇପଡ଼ିଛି । ଆରେ ବସିଗଲ ନାଁ କଣ ? ଆସ ।

 

—ନାଁ, ଟିକେ ରୁହ । ମୁଁ ଆଉ ଚାଲିପାରୁନି’ ।

 

—ସଞ୍ଜ ହୋଇ ଆସୁଛି ପରା ଆଉକିଛି ବାଟ କଷ୍ଟ କରି ଚାଲିଆସ । ଲୀଳା ମୁହଁ ଫଣ ଫଣ କରି କହିଲା—ତମେ ମଣିଷ ନା କ’ଣ ? ହେଇ ଦେଖିଲ ମୋ ଗୋଡ଼ କିପରି ଫୁଲି ଗଲାଣି-

 

ରଞ୍ଜନ ହସି ହସି କହିଲା—ରୋଗ ହେଲେ ସିନା ମେଡ଼ିକାଲରେ ଆନନ୍ଦରେ ସମୟ ବିତାଇବାକୁ ଅବସର ମିଳିବ । ଗୋଡ଼ଫୁଲା କ’ଣ ହେବ । ତେଲ ମାରି ମାଲିସ୍ କଲେ ଛାଡ଼ିଯିବ ନାହିଁ ?

 

ଲୀଳା ହସି ପକାଇଲା । କହିଲା, ଥାଉ ଥାଉ ସେ ଉପଦେଶ ତମେ ରଖ । କାଦୁଅ ଅଞ୍ଚଳରେ ଘର କରିଛ । ଗାଡ଼ି ମଟର ଆସିବାର ସୁବିଧା ଥାଆନ୍ତା ଭଲା ।

 

ରଞ୍ଜନ କହିଲା—ସେ ଗାଡ଼ି ମଟର ନ ଚାଲି ବରଂ ଭଲ ହୋଇଛି ଲୀଳା । ଗାଡ଼ି ମଟର ଏ ପାଖରେ ଚାଲୁଥିଲେ ନା’ତମମାନଙ୍କ ପରି ଏ ଅଞ୍ଚଳରେ କେତେ ଗ୍ରାମ୍ୟସୀମନ୍ତିନୀ ପ୍ରଜାପତି ପାଲଟି ଉଡ଼ି ବୁଲନ୍ତେଣି ।

 

ତମେ ଆଉ ମୋଟେ କଣ ଉଡ଼ୁଛ ? ଏକାତ ଆମ ଜାତିଟା ଯାହା କରୁଛି ସବୁ ଭୁଲ୍ ।

 

ଆରେ ମୁଁ କଣ ଭୁଲ କରୁଛ ବୋଲି କହିଲି । ସମାଜକୁ ନଷ୍ଟ କରିବା କଥା କହିଲି ନାଁ ।

 

ହଁ, ଆମେ ତ କେବଳ ସମାଜକୁ ନଷ୍ଟ କରୁଛୁ । ଆଉ ତମେମାନେ...ଗଢ଼ିବାକୁ ଚେଷ୍ଟା କରୁଛ । ରଞ୍ଜନ ହସିହସି କହିସାରି ଦେଖିଲା—ଲୀଳା ଅଭିମାନ କରି କାନ୍ଦିବା ଆରମ୍ଭ କରି ଦେଲାଣି । ରଞ୍ଜନର ମନ ଖରାପ ହୋଇଗଲା । ସେ କହିଲା—ତମେ ଏତିକିରେ କାନ୍ଦି ପକାଇଲ-? ଛାଡ଼, ଆମର ଆଉ ସେ କଥା ପକାଇବା ନାହିଁ । ଏବେ ତମେ ଆସ ।

 

ହଁ, ତମେ କେବେ କୋଣାର୍କ ଯାଇଛ ଲୀଳା ?

 

ଲୀଳା ଚାଲୁ ଚାଲୁ କହିଲା ନାଁ ।

 

ଥରେ ଆମେ ସେଠାକୁ ଯିବା । ଷୋହଳ ବର୍ଷ କାମ କରି ବାର ଶହ ଶିଳ୍ପୀ କିପରି ବିଶ୍ୱ ବିସ୍ମିତ କୋଣାର୍କ ମନ୍ଦିର ସୃଷ୍ଟି କରିଥିଲେ ତମେ ଦେଖିବ ।

 

ଏ ଷୋହଳ ବର୍ଷ ! ବିସ୍ମିତ ହେଲା ଲୀଳା ।

 

ହଁ, ଓଡ଼ିଶାର ଧୈର୍ଯ୍ୟ ସୀମୀତ ନୁହେଁ ଲୀଳା । ସେ ଏକଦା ଭାରତବର୍ଷରେ ଧନ, ମାନ, ଯଶ, ଖ୍ୟାତିରେ ପ୍ରଧାନ ରାଜ୍ୟଥିଲା । ମାତ୍ର କାଳର ବଦଳରେ ସେହି କୋଣାର୍କର ପୂର୍ଣ୍ଣାଙ୍ଗ ରୂପ ନ ଥିଲେ ମଧ୍ୟ ତାର ମୁଖଶାଳା ଅତୀତର ଗୌରବକୁ ଏବେ ବି ସମୁଦ୍ର ଗର୍ଜନ ଛଳରେ ବୟାନ କରେ-। ଏବେ ବି କୋଣାର୍କର ପ୍ରତି ପ୍ରସ୍ତର ଖଣ୍ଡରେ ଓଡ଼ିଆ ଜାତିର କଳା ନୈପୁଣ୍ୟର ସ୍ୱାକ୍ଷର ବିଦ୍ୟମାନ-। ସେହି କୋଣାର୍କର ଶିଳା ଚିତ୍ରରେ ତମେ ଦେଖିବ ଲୀଳା, କିପରି ଅତୀତରେ ଜଣେ ରମଣୀ ବଣ୍ୟ ଶୂକରକୁ ଖାଲି ହାତରେ ଲଢ଼ି ଚିରି ଦେଇଛି । ମାତ୍ର ତମେ ସେହି ରମଣୀ ହୋଇ ଚାଲିବାକୁ କୁଣ୍ଠା ପ୍ରକାଶ କରୁଛ । କାହିଁକି ଜାଣ ? ତମେ ପରିଶ୍ରମ କାତର । ଫଳରେ ଦୁର୍ବଳ ଶରୀର ନେଇ ଜୀବନ ଅତିବାହିତ କରୁଛ ।

 

ଲୀଳା କହିଲା—ହେଇ ଦେଖିଲ ଆମ ଆଡ଼କୁ କିଏ ଆସୁଛି । ରଞ୍ଜନ ଦେଖିଲା—ଜଣେ ସବଳକାୟ ଯୁବକ ତାଙ୍କରି ଆଡ଼କୁ ଆସୁଛି । ଦୋ ଦୋ ଚିହ୍ନା ହେଲା ରଞ୍ଜନ । ପରସ୍ପର ନିକଟରୁ ନିକଟତର ହେବା ମାତ୍ରେ ଯୁବକଟି ନମସ୍କାର କରି ଛିଡ଼ାହୋଇ ରହିଲା । ରଞ୍ଜନ ବିସ୍ମିତ ହୋଇ ତାକୁ ଚାହିଁ ରହିଥାଏ । କିଛି ସମୟ ପରେ କହିଲା—ଆମେ ଆସୁଛୁ ବୋଲି ତୁ କିପରି ଜାଣିଲୁ କୁନା ?

 

ଭାଇ ! ତମେ ମୀନାକ୍ଷୀ ପାଟଣାରୁ ବାହାରି ଆସିବାପରେ, ମୁଁ ଶୁଣିବାକୁ ପାଇଲି ତମେ ଆସିଛ ବୋଲି । ମୁଁ କଳକୁ ଧାନ ଭାଙ୍ଗିବାକୁ ନେଇଥିଲି । ସଙ୍ଗେ ସଙ୍ଗେ ବିଲବାଟେ ଆସି ଘରେ ପହଞ୍ଚି ଦେଖିଲି ତମେ ଆସିନାହ । ତାପରେ ଚାଲି ଆସିଲି ।

 

ରଞ୍ଜନ ବୁଝିପାରିଲା କୁନା ଲୀଳାଙ୍କୁ ଚିହ୍ନି ନପାରି ସଂକୋଚ ବୋଧ କରୁଛି । ସେ ସଙ୍ଗେ ସଙ୍ଗେ କହିଲା—ଏ ତୋ ଭାଉଜ କୁନା ।

 

କୁନା ଭାଉଜଙ୍କର ପଦ ଧୂଳି ନେଲା । ଲୀଳା ମୃଦୁ ମୃଦୁ ହସୁଥିଲେ । ତାପରେ କୁନା ଭାଇଙ୍କ ହାତରୁ ବ୍ୟାଗନେଇ ଚାଲିଲା । ଘରେ ପହଞ୍ଚିବାବେଳକୁ ରାତିହୋଇ ଯାଇଥିଲା । ରଞ୍ଜନ ଘରେ ପହଞ୍ଚିବାମାତ୍ରେ ଗ୍ରାମର ଆବାଳବୃଦ୍ଧବନୀତା ତାକୁ ଦେଖିବାକୁ ଆସିଲେ । ରଞ୍ଜନ ସମସ୍ତଙ୍କୁ ନମସ୍କାର କରି କୁଶଳପ୍ରଶ୍ନ ପଚାରିଲେ । ଧୀରେ ଧୀରେ ଜନଗହଳି କମିବାକୁ ଲାଗିଲା । ସ୍ତ୍ରୀଲୋକମାନେ ଲୀଳାକୁ ଦେଖି ତାକୁ କେତେକଥା ପଚାରି, କଲ୍ୟାଣ କରି ବିଦାୟ ନେଲେ । ମାତ୍ର ରଞ୍ଜନ ପ୍ରଥମ ଦେଖାରେ ମାଆଙ୍କର କରୁଣ ନୟନ, ବୈଧବ୍ୟହସ୍ତ, ଧୀରକଥା—ଏ ସମସ୍ତ ଦେଖି ବିସ୍ମିତ ହେଲା । ଆର ଘରେ ମାଆ ଏବଂ ଲୀଳା ବସିଛନ୍ତି । କୁନା କୁଆଡ଼େ ଦାଣ୍ଡଆଡ଼େ ବୁଲିବାକୁ ଚାଲିଯାଇଛି । ରଞ୍ଜନ ଏକୁଟିଆ ମେଲାରେ ଖଟ ଉପରେ ଶୋଇ ଅନେକ କଥା ଭାବୁଥିଲା । ତା ମାଆର ଏପରି ପରିଵର୍ତ୍ତନ ହେଲା କିପରି ? ତେବେ ବିନୀତା ଯାହା କହୁଥିଲା ତାହା କଣ ମିଛ କଥା ? ମାଆ ସେ ବାପାଙ୍କୁମାରି ରଞ୍ଜନକୁ ପାଗଳ କରିଦେଇ ନଟବାବୁଙ୍କସହ ଚାଲିଯିବା କଥା କଣ ଭିତ୍ତିହୀନ ଥିଲା ? କିନ୍ତୁ ଏପରି ମିଛକଥା କହିବାରେ ବା ତାର କଣ ସ୍ୱାର୍ଥ ଥିଲା ? କିଛି ଭାବିପାରୁ ନଥିଲା ରଞ୍ଜନ । ଖୁବ୍ ଆନନ୍ଦ ଲାଗୁଥିଲା ତାକୁ ଘରେ । ଜୀବନରେ ଯେପରି ସମସ୍ତ ଆନନ୍ଦ ସେ ପାଇପାରିଛି । ସଂସାର ହସୁଚି, ଜୀବନ ହସୁଚି । କିନ୍ତୁ ସ୍ମିତା ଯଦି ଆଜି ଥାଆନ୍ତା... । ଆଖିରେ ଲୁହ ଛଳ ଛଳ ହେଲା ରଞ୍ଜନର । ନାଁ ନାଁ ସ୍ମିତା ଆଉ ଫେରିବିନି । ସେ ହଜି ଗଲା । ସେ ନିଜକୁ ହତ୍ୟାକରି ତାକୁ ଶାନ୍ତି ଦେବାପାଇଁ ବୋଧେ ଚାଲିଲା । ଏ ଶାନ୍ତି କଣ ? ସେ କଣ କେବେ ଶାନ୍ତି ଚାହୁଁଥିଲେ ? ଅଶାନ୍ତି ବରଂ ଭଲ ହୋଇଥାନ୍ତା । ଆହା ପ୍ରାଣର ଭଉଣୀ ସ୍ମିତା ଆଜି ବଞ୍ଚିଥାଆନ୍ତା କି ? ହଠାତ ଖଟଉପରୁ ଓହ୍ଲାଇ ବାହାରକୁ ଚାଲିଗଲା ରଞ୍ଜନ । କୁନା ଫେରିଲା । ଭାଇକୁ ଦାଣ୍ଡରେ ବୁଲୁଥିବା ଦେଖି କହିଲା—ଭାଇ ଚାଲନ୍ତୁ ଖାଇବେ । ରଞ୍ଜନ ଟିକେ ଗଳା ଖଙ୍କାର ମାରି କହିଲା—ଆରେ ବାପା କେବେ ଚାଲିଗଲେ । କୁନା କିଛି କହିପାରିଲା ନାହିଁ । ଶେଷରେ ରଞ୍ଜନ କହିଲା—ବାପାଙ୍କ ଶୁଦ୍ଧିକ୍ରିୟା ଭଲରେ ହେଲା ନାଁ ?

 

ହଁ ଭାଇ, ସବୁ ଭଲରେ ହୋଇଛି । ତୁ କଣ କରୁଛୁ ?

 

ଗତବର୍ଷ ବାପାଙ୍କ ମୃତ୍ୟୁପରେ ମୁଁ ପଢ଼ା ଛାଡ଼ିଦେଇ ଚାଷକାମ ବୁଝୁଛି ।

 

ମେଟ୍ରିକ୍ ପାସ୍ କଲୁ ।

 

ନାଁ ଭାଇ ପରୀକ୍ଷା ଦେଲି ନାହିଁ ।

 

ରଞ୍ଜନ କହିଲା—ତୁ ଏ ବର୍ଷ ପଢ଼ାପଢ଼ି କରି ପରୀକ୍ଷାଟା ଦେଇଦେ’କୁନା । ଘରକଥା କିଏ ବୁଝିବ ଭାଇ । ସବୁବେଳେ କାମ ଲାଗି ରହିଛି । ରଞ୍ଜନ ଚିନ୍ତା କଲା ପ୍ରକୃତରେ କୁନା ଘରକଥା ନ ବୁଝିଲେ କେହି ବୁଝିବେ ନାହିଁ । ସେତ ସବୁଦିନେ ରହିପାରିବ ନାହିଁ । ତା’ପରେ କହିଲା—ହଉ ଚାଲ୍ ରାତି ହେଲାଣି, ଖାଇଦେଇ ଶୋଇବି ।

 

ରଞ୍ଜନ ଘରକୁ ଆସିବାର ତିନି, ଚାରିଦିନ ବିତିଗଲାଣି । ଖାଇବା ପିଇବାରେ ତାର ଠିକ୍ ରହୁନାହିଁ । ଯେଉଁଠି ଛିଡ଼ା ହୋଇଛି ତ ସେଇଠି ଛିଡ଼ା ହୋଇଛି, ଗାଆଁର ପ୍ରତ୍ୟେକ ଲୋକଙ୍କୁ ଦେଖି କୋଟିନିଧି ପାଇବାପରି ହେଉଛି । ଯାହାକୁ ଦେଖୁଛି ବେଳେବେଳେ ଖାଇ ବିସିଥିବାବେଳେ କେହି ଯଦି ଆସି ଖୋଜିଲାଣି ରଞ୍ଜୁ ଅଛିକି ? ଦେ ସରିଲା—ସେତିକିରେ ରଞ୍ଜନର ଖିଆପିଆ ଶେଷ । ସଙ୍ଗେ ସଙ୍ଗେ ହାତଧୋଇ ପକାଇ ଆସି ହସି ହସି ଗପରେ ମାତିଗଲା । ପୂର୍ବରୁ ସ୍ମିତା ଗାଆଁ ଦାଣ୍ଡ, ପୋଖରୀତୁଠ ଆଜି ସେପରି ତାକୁ ନୂଆ ନୂଆପରି ଲାଗୁଛି । ଉପରଓଳି ହେବାମାତ୍ରେ ଏକା ଏକା ହେଲେ ସୁଦ୍ଧା ସେ ଗାଆଁ ପାଖ ପଡ଼ିଆ, ବିଲଆଡ଼େ ଯାଇ ବୁଲୁଛି । ସେ ଦିନ ସଞ୍ଜବେଳେ ସେ ଯାଇ ରୁକୁଣୀ ମା’ଘରେ ପହଞ୍ଚି କହିଲା—ମାଉସୀ ଜୁହାର ।

 

ରୁକୁଣୀ ମା’କହିଲା କିଏ ରଞ୍ଜୁ କିରେ—ଆ ବାବା ବସ । ରୁକୁଣୀ ମା’ରଞ୍ଜନକୁ ଆସନ ଦେଇ ପାନ ଭାଙ୍ଗୁ ଭାଙ୍ଗୁ କହିଲା—କେତେ ଦିନ ହେଲା ଆସିଲୁଣି ବାପ ! କାହିଁ ଆମ ଆଡ଼କୁ ତ ଆସୁ ନଥିଲୁ । ମୁଁ ଭାବୁଚି ରଞ୍ଜୁ ବୋଧେ ଆମକୁ ଭଳିଗଲାଣି ।

 

—ନାଁ । ନାଁ, ମାଉସୀ ମୁଁ କଣ ଆସିବାକୁ ଇଚ୍ଛାକରି ନାହିଁ ? କିନ୍ତୁ ସମୟ ପାଇନାହିଁ । ସବୁବେଳେ ଆମ ଘରେ ଲୋକ । ଆଜି ତଥାପି କଣ କମ୍ ଚେଷ୍ଟାକରି ଆସିଛି ?

 

ହଉ ବାପ ଆଉ ସବୁ ଭଲ ନା ? ଆରେ ତୁ ଏମିତି ଘରୁ ପଳେଇଯିବୁ ବୋଲି କଣ ଆମେ ଜାଣିଥିଲୁ । ଆରେ ତୁ କେଉଁଠି ଥିଲୁରେ ? କିମିତିଯାଇ ରହିଲୁ ? ବାହା ହେଲୁ ଆମକୁ ଟିକେ ସୁଦ୍ଧା ଜଣେଇଲୁ ନାହିଁ ? ଆଃ ବୋହୂଖଣ୍ଡିଏ ଏକା । ଠିକ୍ ଲକ୍ଷ୍ମୀଠାକୁରାଣୀ ଭଳି । ଆରେ—କି ଧୀରକଥା, ଗୁରୁଜନମାନଙ୍କୁ କି ମାନିତି—ସାଫେ ବୁନିଆଦୀ ଘରର ଝିଅଟାଏ । ସହରରେ ବଢ଼ିଲା, ପାଠପଢ଼ିଲା, ତଥାପି ତାର କଣ ଟିକିଏ ଗରବ ଅଛି ? ଆଉ ଆମ ଗାଆଁ ଝିଅଙ୍କୁ ଦେଖୁନୁ, ଯେତିକି ସବୁ ଗଛଚଢ଼ୀ ବାଲୁଙ୍ଗୀଗୁଡ଼ାଏ, ଖାଲି ଟୁକାଙ୍କ ପରି ହେଁ ହେଁ ଫେ ଫେ ହଉଥିବେ । ନା ଗୁରୁଜନଙ୍କୁ ଗୋଟାଏ ମାନିତ ଅଛି ନା କାହାରି ବୁଲହାକ ଟିକେ ଶୁଣିବେ ? ଖାଲି ୟା ଘର, ତା ଘର, ଏଠି ଫୁସ୍ ଫୁସ୍ ସେଠି ଫୁସ୍ ଫୁସ୍ ଏ କଣ ଲୋ ମା ? ସତରେ ରଞ୍ଜୁ ତ ରାଣରେ, ବୋହୂଟି ଆମର ଭାରି ସୁଧାର ପିଲା । ଚେହେରା ଯେମିତି ଗୁଣ ବି ସେମିତି । ଠିକ୍ ବ୍ରାହ୍ମଣ ଝିଅ ଭଳିଆ ଦେଖାଯାଉଚିରେ ।

 

ରଞ୍ଜନ ହସି ହସି କହିଲା—ଯେତିକି ପୋତାମୁହଁ ମାଉସୀ ସେତକ ଭାରି ବଦମାସ୍ । ତୁ ଜାଣିନୁ ମାଉସୀ ସେ ଭାରି ରାଗୀ ।

 

ରୁକୁଣା ମା’କହିଲା—ତୁ ଯେତେ କହିନେ ମୁ ମାନିମି ? ଆରେ ‘ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିନେ ଯା, ସବୁ ଭାତ ଚିପିନେ ସେଇଆ । ’ମଣିଷ ଜନମ ପାଇଛି, ଘରକରି ରାଗିବ ନାହିଁତ, ଭଲରେ ମନ୍ଦରେ କହିବ ନାହିଁତ ଆଉ କଣ ପରଆସି ଘର କରିଦେବେ ? ତମ ଭଳିଆ ଫୁଲାଫାଙ୍କିଆ ଟୁକାଙ୍କୁ ସେଇ ଭଳିଆ ବୋହୂ ହେଲେ ତମକୁ ଠିକ୍ ବାଟରେ କଣ୍ଟ୍ରୋଳକରି ଚଳେଇ ପାରିବେ । ରୁକୁଣା ମା’ପାନ ଦେଉ ଦେଉ କହିଲା—ଆରେ ରଞ୍ଜୁ, କୁନା କଉଥିଲା ତୁ କୁଆଡ଼େ ପାଠପଢ଼ି କଲିକତାରେ ବଡ଼ ଚାକିରୀ କରିଚୁ ?

 

—ନାଁ ମାଉସୀ ଚାକିରୀ ନୁହେଁ; ଶ୍ୱଶୁର ବ୍ୟବସାୟ କରିଛନ୍ତି । ମୁଁ ସେଥିରେ ତାଙ୍କୁ ସାହାଯ୍ୟ କରୁଥିଲି ।

 

ଆରେ କି ବ୍ୟବସାୟ ତମେ କରୁଥିଲ ? ଭଲ ନାଭ ହଉ ଥବତ ?

 

ହଁ ସେଇ ଭଳିଆ ହୁଏ ।

 

ରୁକୁଣା ମା’ପାନ ଦଳି ପାଟିରେ ପକାଉ ପକାଉ ଧୀରେ କହିଲେ—ଆରେ ରଞ୍ଜୁ, ବୋହୂ ଆମର କି ଘରଝିଅ ?

 

ରଞ୍ଜନ ଚମକି ପଡ଼ିଲା—ଏଁ ସତେ ତ ସେ ଏକଥା ଭାବିପାରି ନଥିଲା । ତାର ଧାରଣା ଥିଲା—ସେ ପାଠପଢ଼ି ଉଚ୍ଚଶିକ୍ଷା ଲାଭ କରିଛି । ତା ସଙ୍ଗରେ କଥା କହିବାକୁ ଗାଆଁର ସ୍ତ୍ରୀଲୋକମାନେ ଭୟ କରିବେ । କେହି ତାକୁ କିଛି ପଚାରିବେ ନାହିଁ । ସେ ଭୁଲ୍ କଲେବି କେହି ପ୍ରତିବାଦ କରିବେ ନାହିଁ । ମାତ୍ର ଏ କଣ ? ରୁକୁଣା ମା’ପାଠ ଶାଠ ନ ପଢ଼ିଲେବି, ବଜାର ସହର ନ ବୁଲିଲେବି ତାର କେତେ ବୁଦ୍ଧି । ମନର ସନ୍ଦେହକୁ ସେ କିପରି ଭାବରେ ପ୍ରକାଶ କରି ନ ପାରୁଛି ? ରଞ୍ଜନ ସଂଯତ ହୋଇଗଲା । ନାଁ ନାଁ ସେ ନିଜକୁ ସଂଯତ ନ କଲେ ହୁଏତ ପଛରେ ଅନୁତାପ କରିବାକୁ ପଡ଼ିବ । ସେ ଉଚ୍ଚଶିକ୍ଷା ସମ୍ପନ୍ନ ହୋଇଥିଲେ ମଧ୍ୟ ସମାଜର ଚଳଣି, ସମାଜର ବ୍ୟାବହାରିକ ଜ୍ଞାନ ନିକଟରେ ସେ ନିତାନ୍ତ ଶିଶୁ । ରଞ୍ଜନ ହସି ହସି କହିଲା—ସେ ଧୋବାଘର ଝିଅଲୋ ମାଉସୀ ।

 

ରୁକୁଣା ମା’ଚମକି ପଡ଼ିଲା—ଲଲାଟ କୁଞ୍ଚି ଅସ୍ପଷ୍ଟ ସ୍ୱରରେ କହିଲା—

 

ଏଁ ଧୁବଣୀ.....

 

କାହିଁକି କଣ ହେଲା ମାଉସୀ ? ଧୋବଣୀ କଣ ମଣିଷ ନୁହେଁ ? ଧୋବଣୀ ରକ୍ତ ଏବଂ ଖଣ୍ଡାୟତ ରକ୍ତ ମଧ୍ୟରେ କଣ ଫରକ ଅଛି ? ବୁଢ଼ୀ ବିରସ ମନରେ କହିଲା—ନାଁରେ ଯେତେ ହେନେ କଣ ହବ, ଜାତିରେ ଛୁଟ ହେଲା ନାଁ ? ତା’ହାତରୁ କଣ ଆମ ପିତୃପୁରୁଷ ପାଣି ପାଇବେ-?

 

କାହିଁକି ମାଉସୀ ତମେ ପରା ଏଇନେ କହୁଥିଲ ସେ ବ୍ରାହ୍ମଣ ଝିଅ ଭଳି ଦେଖ ହେଉଛି-। ମୁଁ ଯଦି ସେହି ବ୍ରାହ୍ମଣ ଝିଅ କଥା କହିଥାନ୍ତି, ତମେତ କିଛି ଜାଣି ପାରି ନ ଥାନ୍ତ । ବରଂ ଖୁସି ହୋଇଥାନ୍ତ । କିନ୍ତୁ ମୁଁ ଧୋବଣୀ କହିବାରୁ ତମେ ବିରସ ହେଲ କାହିଁକି ?

 

ରୁକୁଣାମା’ ହସି ଦେଇ କହିଲା—ଆରେ ରଞ୍ଜୁ, ମୋତେ ବାଲିଙ୍ଗିରେ କହୁଚୁ ମୁଁ ବୁଝିପାରୁନାହିଁ । ମୁଁ ତ ସେଇଆ ଭାବିନି—ଆମ ରଞ୍ଜୁ କଣ ଏମିତି କରିବ ? ସେ କାହା ପୁଅ, କାହା ନାତି—ସେ ଛୁଟ ଘରେ ବଂଧୁ ବାନ୍ଧିବ ? ଶଙ୍କରା ମାଆ, ଦୀନାମା’ଙ୍କୁ ପରା ମୁଁ ଏଇ କଥା କାଲି କହିଥିନି । ସତ କହନି ବାପ, ସେ କି ଘର ଝିଅ ?

 

ରଞ୍ଜନ ଭାବିଲା—ସେ ଯଦି ମାରୁଆଡ଼ୀ ଘର ଝିଅ ବୋଲି କହେ, ତେବେ ମଧ୍ୟ ଗାଆଁର ସମସ୍ତେ ତାକୁ ଘୃଣା କରିବେ । କ୍ଷଣିକ ଭୁଲ ପାଇଁ ତାର ପରିବାରଙ୍କୁ ସବୁଦିନ ପାଇଁ ଗଞ୍ଜଣା ସହିବାକୁ ପଡ଼ିବ । ତାର ପରବର୍ତ୍ତୀ ବଂଶଧର ମଧ୍ୟ ଏହି ଗଞ୍ଜଣାରୁ ରକ୍ଷା ପାଇବେ ନାହିଁ । ତେବେ କଣ ମଣିଷର ଏହି ତୁଚ୍ଛ ରକ୍ଷଣଶୀଳ ମନୋବୃତ୍ତି; ଯାହାର କିଛି ଅର୍ଥ ନାହିଁ, ଯାହାଖାଲି କାରଣ ନ ଥାଇବି ମନରେ ବିକାର ଆଣେ, ତାହା ସେ ବରଦାସ୍ତ କରିଯିବ ? କିଏ ଯେପରି ତା ମନ ଭିତରେ କହି ଉଠିଲା ହଁ ହଁ କରିବାକୁ ପଡ଼ିବ । ଶତ ଉପଦେଶ, ଶତ ପ୍ରଚାର, ଶତବାର ବିଦ୍ରୋହ କଲେ ମଧ୍ୟ ଯୁଗ ଯୁଗର ମଣିଷ ମନର ପୁଞ୍ଜିଭୂତ ରୁଦ୍ଧ ମନୋବୃତ୍ତିକୁ ବଦଳାଇବା ଅସମ୍ଭବ । ଅନ୍ତରର ବୁଝାମଣାହିଁ ଏହାର ଗତିପଥ ବଦଳାଇପାରେ । ତେଣୁ ସମୟ ଲୋଡ଼ା । ଧୀରେ ଧୀରେ ଏହା ଦିନେ ନିଶ୍ଚୟ ବଦଳି ଯିବ । ଏହିପରି ଆଧୁନିକଯୁବକ । ଯୁବତୀମାନେ ନୀରବରେ ତାଙ୍କ ଲକ୍ଷ୍ୟପଥରେ ଆଗେଇଗଲେ—ଏ ସମାଜ ଦିନେ ଅଦ୍ଭୁତ ଭାବେ ପରିବର୍ତ୍ତିତ ହୋଇଯିବ । ଜାତି ଭେଦ ଲୋପପାଇଁ କାହାରିକୁ କହିବା ଆବଶ୍ୟକ ପଡ଼ିବ ନାହିଁ । ସରକାରୀ କଳ ଏଥିପାଇଁ ପ୍ରୟୋଜନ ହେବନାହିଁ, ଏଥିପାଇଁ ପ୍ରୟୋଜନ ଶିକ୍ଷା ।

 

ରୁକୁଣା ମା’କହିଲା—ଆରେ କିଛି କହିଲୁ ନାହିଁ ଯେ...

 

ରଞ୍ଜନ ହସି ହସି କହିଲା—ନାଁ ଲୋ ମାଉସୀ, ସେ ପରା ବୋଷଘର ଝିଅ । ବୁଢ଼ୀ କହିଲା ତା କହୁନୁ । ମୁଁ ତ ସେଇଆ ଅନୁମାନ କରିଥିନି । ଆରେ ବୁଝିଲୁ ପୁଅ, ତମେ ଆଜିକାଲିକା ଟୁକା, ତମେ ସିନା ଜାଣି ପାରିବନି ମୁଁ ପରା ଘରର ଚାଳ ଦେଖି ଘର ଭିତର କଥା କହିଦେମି ।

 

ମାଉସୀ ମଧୁ କୁଆଡ଼େ ଯାଇଛି କି ? ତାର ତ କାହିଁ ଦେଖାନାହିଁ । —ମୁଁ ପରା ତାରି କଥା କହୁଥିନି । ଟିକେ ସିଆଡ଼େ ଦେଖନ୍ତୁନି ଚାକିରୀ—ଫାକିରୀ ଖଣ୍ଡିଏ କରି ଦିଅନ୍ତୁ ଯଦି ତର ଧରମ ହଅନ୍ତା । ସେ ତାର ଖାଲି ପେଟ ଚଳେଇ ରହୁ, ମର କିଛି ଦରକାର ନାଇଁ । ଏଠି ଟୁକାଟା ଖରାପ ହେଇଗଲା । ହେଇ ଦେଖୁନୁ, ବେଳଉତାରୁ କୁଆଡ଼େ ଦାଣ୍ଡିଆ ଖେଳି ଯାଇଚି ଯେ ଆସି ସଞ୍ଜ ରାତି ହେଲାଣି ତାର ଦେଖା ନାଇଁ । କ’ଣ କରିବି କହ । ତା ନାଗି କେତେ ଆଉ ମୁଁ ହନ୍ତସନ୍ତ ହେମି । ମୂରୁଖ ଟୁକାଙ୍କ ମେଳରେ ପଡ଼ି ସେ ଖରାପ ହେଇଗଲା । ମୋ ବାବାଟା ପରା, ତାକୁ ଟିକେ ତ ଭାଇ ଭାବି ବାହାରକୁ ନେଇଯା । ତା ଆଖି ଟିକେ ଫେରିପଡ଼ୁ ।

 

କ’ଣ କରିବା ମାଉସୀ, ତମେ ସିନା ବାହାର କଥା ଜାଣି ପାରୁନାହଁ । ଭାବୁଛ—ବିଦେଶ ଗଲେ ସମସ୍ତେ ପେଟ ପୋଷି ପାରିବେ । ସେ ଯୁଗ ଆଉ ନାହିଁ ଲୋ ମାଉସୀ । ସମସ୍ତେତ ପାଠପଢ଼ି ଚାକିରୀ ଖୋଜିଲେ । ଆଉ ଚାକିରୀ ଏତେ ଆସିବ କୁଆଡ଼ୁ ? ଶୁଣିବୁ ମାଉସୀ, ବି.ଏ, ଏମ୍.ଏ ପାସକରି ବର୍ତ୍ତମାନ ଟୋକାମାନେ ପାନ ଦୋକାନ, ସିନେମା ଟିକେଟ ବିକାରେ ଲାଗି ଗଲେଣି ।

 

ହ, ସେଇଆ ନୁହେଁ ଆଉ କଣରେ ପୁଅ । କଥା ଅଛି ପରା—ଚାଷ କଲେ ବାସ ଅଛି । ଖାଲି ପଢ଼ିନେ କଣ ହେବ । ଖାଲି ବେଳ ସେମିତି ପଡ଼ିଛି ବୋଲି ମୁଁ ମଧୁକୁ ପଠାଇବାକୁ ଚାହୁଁଚିନା ନ ହେଲେ ତାକୁ ଜାଣୁ ଜାଣୁ ପର ଗୋଲାମି କରିତେ ପଠାନ୍ତି ।

 

କାହିଁକି ମାଉସୀ ମଧୁକୁ ଚାଷ କରାଉନାହଁ ?

 

ଆରେ ତାକୁ ଚାଷ କରାଇବାକୁ କଣ ମୁଁ ମନା କରୁଛି ? ଖାଲିତ ଚାଷ ହେବ ନାହିଁ ? ସେଥିପାଇଁ ଖୁରାକି, ବଳଦ, ଲଙ୍ଗଳ ଦରକାର । ଦି’ବରଷ ହେଲା ମରୁଡ଼ି ପଡ଼ିଲା ଯେ ଖାଇବାକୁ ଦାନା ମିଳୁନାହିଁ । ଆଉ ଚାଷ କରିବ କେମିତି ? ତୁ ବାପ ତାକୁ ଯଦି କେଉଁ ଦୁକାନ ଫୁକାନରେ ଏଇସାତେ ରଖେଇ ଦିଅନ୍ତୁ, ନ ହେନେ ଚାରି ମାସକୁ କୁରୁସି ହେନେ ମୁଁ ତାକୁ ନେଇ ଆସନ୍ତି ।

 

ନାଁ ମାଉସୀ, ସେସବୁ ଯୋଗାଡ଼ କରିବା କଷ୍ଟ । ମୁଁ ଅନ୍ତତଃ ତମକୁ ଯୋଗାଡ଼ କରି ଶହେ ଖଣ୍ଡେ ଟଙ୍କା ଦେଇଦେବି । ସେ ଚାଷ ଫସଲ ହେଲେ ମୋତେ ଦେଇଦେବ ।

 

ରୁକୁଣାମା’ ଖୁସି ହୋଇ କହିଲା—ସେଇଆ ଯଦି ହୁଅନ୍ତାରେ ପୁଅ ମୋର ଆଉ ଭାବିବାର ନାହିଁ । ତୁ ଏଇସାତେ ଆମକୁ ଟିକେ ସାହାଯ୍ୟ କର । ଫସଲ ହେଲା ମାତ୍ରେ ବିଲ ମୁଣ୍ଡରୁ ମୁଁ ଧାନ ବିକି ଦେଇ ତତେ ତ ଟଙ୍କା ଗଣ୍ଡକ ଦେଇଦେମି ।

 

ହଉ ମାଉସୀ ମୁଁ ନିଶ୍ଚୟ ଦେବି ।

 

ମୋତେ ଟଙ୍କା ଦେବା କଥା ଆଉ କାହାରିକୁ ଜଣେଇବୁ ନାହିଁ ତ ପୁଅ । ନ ହେଲେ ସମସ୍ତେ ମୋତେ କେଟା କେଟା କରି ମାରିବେ । ଅଭାବରେ ସମସ୍ତଙ୍କଠୁ ଧାରିଛି—ଭୁଗ ବାଣ୍ଟିଲା ଭଳିଆ ଟଙ୍କା ସରିଯିବ ।

 

ନାଁ ନାଁ ମାଉସୀ ମୁଁ କାହାକୁ ଜଣେଇବି କାହିଁକି ? ତମେ ତ ଟଙ୍କା ପାଇବା କଥା ପାଇବ ।

 

ରୁକୁଣା ମା’ ପାନ ଛେପ ପକେଇ ଦେଇ କହିଲା—ଆଉ ଘରେ ଚଳୁଛୁ କେମିତିରେ ପୁଅ । ମା’ ଶରଧା କରୁଛି ନା ।

 

ହଁ ମାଉସୀ, ମୁଁ ସେଇ କଥା ଭାବୁଛି । ମାଆର ଏପରି ପରିବର୍ତ୍ତନ ହେଲା କିପରି ? ଏତେ ସ୍ନେହ ମମତା ତ ମୁଁ କେବେ ପାଇ ନ ଥିଲି । ସବୁବେଳେ ତା ବୋହୂ ପାଖରେ ରହୁଛି, ଖାଇବା ପିଇବାରେ କିଛି ଅସୁବିଧା ନାହିଁ । ବରଂ ତା ବୋହୂ କିଛି କାମ କରିବାକୁ ଚାହିଁଲେ ସେ ଚିଡ଼ି ଉଠି ନିଜେ କରି ବସୁଛି ।

 

ରୁକୁଣା ମା’ ହସିଦେଇ—କହିଲା ଗଦ କାଟୁ କରିଛିରେ ପୁଅ । ମାଡ଼କୁ ପରା ମହାଦେବଙ୍କର ଡର—ଏ ତ ଛାର ମାଇପିଟା ।

 

ରଞ୍ଜନ ବିସ୍ମିତ ହେଲା । କହିଲା—କଣ ହେଇଚି ମାଉସୀ ?

 

କିରେ ତୁ କ’ଣ କିଛି ଶୁଣିନାହୁଁ ?

 

ନାଁ, ତ ।

 

ରୁକୁଣା ମା’ କହିଲା ହଉ କହୁଛି ରହିଥା । ଚାରିଆଡ଼କୁ ଟିକେ ଅନେଇ ଦେଇ କବାଟ ଆଉଜେଇ କହିଲା—ଆରେ ବାସି ଦିନୁଟାରେ ବାପ, ଖାସ୍ ବାସି ଦିନୁଟାରେ । ତ ବାପ ମରିବାର ପନ୍ଦରଟା ଦିନ ଯାଇଛିକି ନାହିଁ, ଦ୍ଵି ପହରିଆ ବେଳେ ନଟିଆ ମାଷ୍ଟର ଆଉ ତ ମାଆ ରାଧା କୃଷ୍ଣ ଲୀଳା କରୁଥିଲେରେ ପୁଅ । କୁନା ଦଶୁଟା ବେଳେ ଖାଇ ଦେଇ ଇସ୍କୁଲକୁ ଚାଲିଗଲା, ଆଉ ୟାଙ୍କୁତ ଗୁଟାଏ ମଉକା ମିଳିଗଲା ଆଉ କଣ ? କୁନା ସେଦିନ ତା ଦିହ ଭଲ ନ ଥିବାରୁ ଦ୍ଵି ପହରେ ଫେରିଆସି ଦେଖେ ତ ଦାଣ୍ଡ କବାଟ ଆଉଜା ହୋଇଚି, ବାଡ଼ି କବାଟ ମେଲା । ଘରେ କେହି ନାହାନ୍ତି । ଘର କବାଟ ଦେଖିଲା ବେଳକୁ ବନ୍ଦ ଅଛି । ସେ ଭାବିଲା ମାଆ ବୋଧହୁଏ କବାଟ ଦେବାକୁ ଭୁଲିଯାଇ ଶୋଇ ଯାଇଛି । ମେଲାରେ ସାର୍ଟ–ପେଣ୍ଟ ବଦଳାଉ ଥିବା ସମୟରେ ଘର ଭିତରୁ ଚାପା ହସ ଶୁଭିଲା । କୁନା ଚମକି ପଡ଼ିଲା, ଏଁ ଘର ଭିତରେ ଆଉ ହସୁଚି କିଏ ? ଆଃ ଚାଣ୍ଡାଳୀ, ଝରକାଟା ଭଲା ବନ୍ଦ୍ କରିଥାନ୍ତୁ । ଝରକା ଦରଆଉଜା ହୋଇଛି । କୁନା ମନରେ ସନ୍ଦେହ ହେଲା । ସେ ଚାହିଁ ଦେଖେତ.....ରୁକୁଣା ମା’ଜିଭ କାମୁଡ଼ି ପକେଇ କହିଲା—କଣ ଆଉ କହିବିରେ ତତେ, ତୁ ତ ପୁଅ ଆଉ ମୁଁ ମାଆ—ସେ କଥା କହିବାକୁ ମୋ ଜିଭ ଲେଉଟୁ ନାହିଁରେ । ବେଶ୍ୟାଙ୍କ ପରି ଏ ଦରବୁଢ଼ା ଦରବୁଢ଼ୀ ଦିଟା ଖାସ୍ ଉପର ତଳରେ.....

 

ରଞ୍ଜନ କହିଲା—ଥାଉ ମାଉସୀ, ସେକଥା ଶୁଣିବା ମୋର ଦରକାର ନାହିଁ ।

 

ହ ସେଇଆ ନୁହେଁ କଣ ? ଆରେ କଥାରେ ଅଛି ପରା ‘ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ ।” ଛିଃ ଛିଃ ଛିଃ ଏ କି ଯୁଗ ହେଲା ଲ ମା......ପନ୍ଦର ବରଷ ଘଇତା ସଙ୍ଗରେ ଘର କରି, ପିଲାଛୁଆଙ୍କୁ କୋଳେଇ କାଖେଇ ପୁଣି ପରପୁରୁଷ ଆଡ଼କୁ ନଜର କେମିତି ଯାଏବା ? କୁନାକି ଆଉ ସମ୍ଭାଳି ହୁଏ । କାହାକୁ ନ ଡାକି ସେ ଖଣ୍ଡେ ଗଣ୍ଠିଆ ରୁଲ ଧରି ଡାକିଲା—ମା’ ମା’ ।

 

ଏଁ......

 

କବାଟ ଖୋଲିଲୁ ?

 

ଖୋଲୁଚିରେ ? ମାଆଙ୍କ କଣ୍ଠ ଯେମିତି ଥରି ଉଠୁଥିଲା ।

 

ଆଉ କେତେବେଳେ ଖୋଲିବୁ ?

 

ଯାଉଛି ରହ ।

 

କେତେବେଳେ ଆସୁଚୁ ? ଦଶ ମିନିଟ ହେଲା ତ କହୁଚୁ ଯାଉଚି । କଣ କରୁଛୁ କି ? ମାଆ କବାଟ ଖୋଲୁ ଖୋଲୁ ଥର ଥର ହୋଇ କହୁଥିଲେ—ମୋ ଦିହ ଭଲ ନ ଥିଲାରେ, ଟିକେ ଶୋଇ ଯାଇଥିଲି । ଆ, ଖାଇବୁ ଆ ।

 

କୁନା ଘର ଭିତରକୁ ଯିବା ସମୟରେ କହୁଥିଲା—ତୁ ଯାଉନୁ ଭାତ ବାଢ଼ିବୁ, ମୁଁ ଯାଉ ନାହିଁ କି ?

 

ମାଆ କୁନାକୁ ଘର ଭିତରକୁ ଯିବା ଦେଖି ଚମକି ପଡ଼ି କହିଲେ—ଖାଇବୁ ଆସୁନୁ—ଆଉ ପୁଣି ଘର ଭିତରକୁ ଯାଉଛୁ କାହିଁକି ? କୁନା ଫେରିପଡ଼ି ଚାହିଁ ଦେଲା । ମାଆ ସେ ଆଖିରୁ କଣ ବୁଝିଲେ କେଜାଣି, ଦେହ ତାଙ୍କର ନିମିଷକ ପାଇଁ ଥରି ଉଠିଲା । କୁନା ଘର ଭିତରକୁ ଯିବା ମାତ୍ରେ ସେ ଧୀରେ ଧୀରେ ବାହାରକୁ ପଳାଇ ଆସିଲେ । କୁନା ଘର ଭିତରେ ଚାରିଆଡ଼େ ଚାହିଁଲା-। ଦେଖିଲା କେହି ନାହିଁ । ତାର ସନ୍ଦେହ ହେଲା—ସେ ତନ୍ନ ତନ୍ନ କରି ଚାରିଆଡ଼େ ଖୋଜିଲା । କିନ୍ତୁ ନାଟବାବୁ ଗଲେ କୁଆଡ଼େ ? ମାତ୍ର ସେ ଯେ ତାଙ୍କୁ ଦେଖିଛି—ଆଉ କଣ ଶୂନ୍ୟରେ ମିଳେଇଗଲେ । କବାଟ କଣରେ ଖଡ଼କିନା ଶବ୍ଦରେ ଚମକି ପଡ଼ି ଚାହିଁ ଦେଖେ ତ ମଶିଣାଟା ହଲୁଚି । ସେ ସଙ୍ଗେ ସଙ୍ଗେ ପିଟିଦେଲା ପାହାରେ । ମଶିଣା ତଳକୁ ଗଡ଼ିପଡ଼ିଲା, କୁନା ମନଇଚ୍ଛା ଗୋଇଠା ପରେ ଗୋଇଠା କଷି ଦେଇଗଲା । ନଟବରବାବୁଙ୍କର ବୋଉ ଲୋ ବାପା ଲୋ ମରିଗଲି ଲୋ ଚିତ୍କାର ଶୁଭୁଥାଏ । କିଛି ସମୟପରେ ମସିଣା ଖୋଲିଦେଇ ଦେଖେ ତ ନଟବର ବାବୁ ଆଉ କିଛି କହିପାରୁ ନାହାନ୍ତି, ଉଠିପାରୁ ନାହାନ୍ତି । ଡାକିଲା ମା’ ଦେଖିବୁ ଆ—ଏଘରେ ପରା କେହି ନ ଥିଲେ ? ମାଆଙ୍କ ପାଟି ଶୁଭୁନାହିଁ । ତାର ସନ୍ଦେହ ହେଲା ସେ ନଟବାବୁଙ୍କୁ କହିଲା ତୁ ଥା ମୁଁ ଆସେ—ତୋର ମୋର କଥାବାର୍ତ୍ତା । ତାପରେ ସେ ଘର ବାହାର ଚାରିଆଡ଼କୁ ଚାହିଁଲା—ମାଆ ନାହିଁ । ତେବେ ତା ଅନୁମାନ କଣ ସତ୍ୟ । ସଙ୍ଗେ ସଙ୍ଗେ ସେ ବାହାରକୁ ଛୁଟିଗଲା । ଛୋଟ ଛୋଟ ପିଲା ଖେଳୁଛନ୍ତି । କୁନା କାନ୍ଦିଲା—ମୋ ମାଆକୁ ଦେଖିଛକିରେ; ଜଣେ ଛୋଟ ପିଲା କହିଲା ହଁ, ସିଏ ପାଳକୁ ଗଲା । ସଙ୍ଗେ ସଙ୍ଗେ ଛୁଟିଲା କୁନା । କିଆବୁଦା ଡେଇଁ, ହିଡ଼ବାଡ଼ ନ ମାନି ସେ ଖୋଜି ଚାଲିଲା । ଆଗରେ ବଡ଼ ପୋଖରୀ । ମାଆ ତାର ଛୁଟି ଚାଲିଛି ପୋଖରୀ ଆଡ଼େ । ହଠାତ୍ କୁନା ପଛ ଆଡ଼ୁ ଆସୁଥିବା ଦେଖି ପଛକୁ ଆଗକୁ ଚାହିଁ ମାଆ ଦଉଡ଼ିଲେ । କୁନା ଦୁଇ ତିନି କୁଦା ମାରିଦେଇ ମାଆକୁ ଧରି ପକେଇ କହିଲା—କୁଆଡ଼େ ଯାଉଛୁ ? ଆ’ ଘରକୁ ଆ । ତାପରେ ସେ ମାଆର ବାହାକୁ ଧରି ଟାଣି ଟାଣି ଘର ଆଡ଼େ ଚାଲିଲା-। ମାଆ କିଛି କହିପାରୁ ନାହାନ୍ତି । ଅଜାଗା ଘା’ଦେଖି ହୁଏ ନାଁ କି ଦେଖେଇ ହୁଏନା । ଆଖିରେ ଲୁହ ଛଳ ଛଳ ହେଉଛି । ଖାଲି କୁନାରେ କୁନାରେ କହୁଛନ୍ତି । ଆଉ ତାଙ୍କ ପାଟିରୁ କିଛି ବାହାରୁ ନାହିଁ । କିନ୍ତୁ ଏକ ଧ୍ୟାନରେ କୁନା ମାଆର ବାହାକୁ ଧରି ଘରେ ପହଞ୍ଚିଲା । ଘର ଭିତରକୁ ପଶିଯାଇ ଦେଖିଲା—ନଟବାବୁ ନାହାନ୍ତି । ତାପରେ କହିଲା—ତୁ କୁଆଡ଼େ ଯାଉଥିଲୁ ? ଭାବିଛୁ ଆତ୍ମହତ୍ୟା କରି ତୋ ପାପର ଶାସ୍ତି ପାଇଯିବୁ ବୋଲି ? ମୁଁ ସବୁ ଆଜି ଜାଣି ପାରିଛି । ଭାଇ କାହିଁକି ଘର ଛାଡ଼ିଛି ? ସ୍ମିତା ଅପା କାହିଁକି ମରିଛି ? ହଉ, ସେ ନଟିଆ ଗୋଟେ ଗୋଡ଼କୁ କାଟିବି, ଆଉ ତୋ କଥା ବିଚାର କରିବି । ସଙ୍ଗେ ସଙ୍ଗେ ଛୋଟ ଦଉଡ଼ିରେ ବାନ୍ଧି ପକେଇଲା ମାଆକୁ । ମାଆଙ୍କର ଆଖିରେ ଲୁହ, କୁନାରେ କୁନାରେ ବିକଳ ଡାକ ଡାକ କୁନା ହୃଦୟକୁ ତରଳାଇ ପାରିଲା ନାହିଁ । ଶେଷରେ ବନ୍ଧାହୋଇ ତଳେ ପଡ଼ିଗଲେ ମାଆ । କଳସୀ ପରେ କଳସୀ ପାଣି ଆଣି କୁନା ଢାଳିଗଲା ମା ଉପରେ । ଆକ୍‍ଚା ହୋଇ ମରିଗଲିରେ ବୋଲି ଚିତ୍କାର କରି ଉଠିଲେ ମାଆ !

 

ପାଣି ଢାଳୁ ଢାଳୁ କୁନା କହି ଚାଲୁଥାଏ—ଆଉ ଏ କାମ କରିବୁ ? ବୁଡ଼ି ମାରିବାକୁ ଯିବୁ-?

 

ମାଆଙ୍କର କଥା କିଛି ଶୁଭୁ ନଥାଏ । ଏତେକଥା ହୋଇଗଲା, କେହି ଆମେ ଜାଣିପାରିଲୁଣି ରେ ବାପ । ତାପରେ କୁନା ଦରଡ଼ି ଫିଟେଇ ଦେଖେତ ମାଆ ପାଣି ପାଣିବୋଲି ପାଟି ଆଫାଆଫା କରୁଛି । କୁନା ପାଣି ଗିଲାସରେ ପିଆଉ ଥିବାବେଳେ ତା ଆଖିରୁ ଖାଲି ଲୁହଧାର ଛୁଟିଥିଲା । ଏହି ସମୟରେ ମୁଁ ପହଞ୍ଚିଗଲିରେ ବାପ । ସବୁ କଥା ମୋତେ କୁନା କହିଲା-। ମୁଁ କଣ କମ୍ ତାକୁ ଗାଳି ଦେଇଛି । କହିଲି କହନାରେ ବାପ—ଯା ହେବାର ହେଇଗଲାଣି, ତେଲ ଆଣିଦେ, ମୁଁ ଟିକେ ତୋ ମାଆକୁ ଘଷିଦିଏ, ନହେଲେ ବିଚାରୀ ବଞ୍ଚିବଟି ? ତାପରେ କୁନା ତେଲ ଶିଶି ବଢ଼େଇ ବାହାରକୁ ଚାଲିଗଲା । ରଞ୍ଜନ ତଉଲିଆରେ ଆଖି ପୋଛିଦେଇ କହିଲା—ଥାଉ ମାଉସୀ ଅନେକବେଳ ହେଲାଣି ମୁଁ ଯାଉଛି । ତା’ପରେ ସେ ରୁକୁଣା ମା’କୁ ନ ଚାହିଁ ଏକ ମୁହଁ । ଉଠି ଚାଲିଗଲା ।

 

ରଞ୍ଜନର ଥର ଥର କଥାରେ ରୁକୁଣା ମା କଣ ବୁଝିଲା କେଜାଣି, କହିଲା ଆରେ ଆଉ ଖଣ୍ଡେ ପାନ ନେ ରେ ।

 

ନାଁ, ଥାଉ ମାଉସୀ । ରଞ୍ଜନ ଯାଉଯାଉ ଏତକ କହିଦେଇ ଘରଆଡ଼େ ଚାଲିଗଲା ।

 

ଦେଖ ଲୀଳା, ତମେ ଯଦି ସବୁବେଳେ ଏମିତି ନଖାଇ ନପିଇ କାନ୍ଦିବ, ମୁଁ କେମିତି କଣ କରିବି କହିଲ ? ଘରକୁ ଫେରି ଆସିବାପରେ ମୁଁ ତମର ଏପରି ଶ୍ରୀହୀନ ଅବସ୍ଥା ଦେଖି ମନ ଦୁଃଖ ମନରେ ମାରୁଛି । ମୋତେ ଯେମିତି ସବୁକିଛି ନିଃସ୍ଵ ଲାଗୁଛି । ଆଇନାରେ ଟିକେ ନିଜ ଶରୀରକୁ ଦେଖିଲ ? ଏଇ ଆଠଦିନ ଭିତରେ ତମେ କଣ ହୋଇଛ ? ଛିଃ ଲୀଳା, ମୋ ରାଣ ତମେ ଆଉ ଏମିତି ଚିନ୍ତା କରନାହିଁ । ବରଂ ସମସ୍ତ ସେହି ଈଶ୍ଵରଙ୍କ ଉପରେ ଅର୍ପଣ କରିଦିଅ । ଦେଖିବ, ତମେ ଖୁବ୍ ଶାନ୍ତି ପାଇବ । ଜାଣ ଲୀଳା ମଣିଷ କିଛି କରିପାରେ ନାହିଁ । ସେ ସେହି ଅଦୃଶ୍ୟ ହସ୍ତରେ କ୍ରୀଡ଼ା ପୁତ୍ତଳିକା । ମନୁଷ୍ୟ ଯାହାଭାବେ ତାହା ହୁଏନାହିଁ—ସେ ଯାହା ନଭାବେ, ତାହା ହୋଇଥାଏ-। ଆଶ୍ଚର୍ଯ୍ୟ ଏହି ସଂସାର । ସେଥିପାଇଁ ପରା ଗୀତାରେ ଅଛି— ‘କର୍ମ୍ମଣ୍ୟେ ବାଧିକାରସ୍ତେ ମା ଫଳେଷୁ କଦାଚନ” —ଏହା କଣ କେବଳ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି— “ତୁମେ କର୍ମ କରିଯାଅ ଫଳ ପାଇବାର ଆଶା ରଖନାହିଁ ।” ନାଁ ନାଁ, ଏହା ହେଉଛି ସମସ୍ତ ପ୍ରାଣୀ ସମାଜପାଇଁ ଉପଦେଶ । ଆଲୋକପରେ ଅନ୍ଧାର ଆସେ, ସୁଖ ପରେ ଦୁଃଖ ଆସେ—ଏହାହିଁ ଚିରନ୍ତନ । ସେହିପରି ଜନ୍ମହେଲେ ମରିବା ମଧ୍ୟ ଚିରନ୍ତନ । କିନ୍ତୁ ପ୍ରକୃତରେ କଣ ଆତ୍ମା ମରେ ? ନାଁ, ନାଁ, —ଏ ଆତ୍ମା ମରେ ନାହିଁ ଲୀଳା !

 

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି

ନୈନଂ ଦହତି ପାବକଃ

ନ ଚୈନଂ କ୍ଳେଦୟନ୍ତ୍ୟାଽପୋ

ନ ଶୋଷୟତି ମାରୁତଃ ।”

 

ଏ ଆତ୍ମାକୁ ଶସ୍ତ୍ର କାଟିପାରେ ନାହିଁ, ଅଗ୍ନିଦଗ୍ଧ କରିପାରେ ନାହିଁ, ଜଳବୁଡ଼ାଇପାରେ ନାହିଁ, ପବନ ଉଡ଼ାଇପାରେ ନାହିଁ । ଏ ଆତ୍ମା କ’ଣ ଜାଣ ଲୀଳା ? ଏହି ଆତ୍ମା ହେଉଛି ସୂକ୍ଷ୍ମ ଶରୀର । ପଞ୍ଚ ମହାଭୂତରେ ଗଢ଼ା ଏହି ସ୍ଥୂଳ ଶରୀର ନଷ୍ଟ ହେଲେ ମଧ୍ୟ ସୂକ୍ଷ୍ମ ଶରୀର ନଷ୍ଟ ହୁଏ ନାହିଁ । କାରଣ ସେହି ସୂକ୍ଷ୍ମ ଶରୀର ମଧ୍ୟରେ ସ୍ଵୟଂ ଭଗବାନ ବିରାଜମାନ କରନ୍ତି । ତେଣୁ ଆତ୍ମା ମରେ ନାହିଁ । ମାତ୍ର ପୁରାତନ ବସ୍ତ୍ର ପରିତ୍ୟାଗ କରି ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରିବା ପରି ଜୀବାତ୍ମା ପୂରାତନ ଶରୀର ତ୍ୟାଗକରି ଅନ୍ୟ ନୂତନ ଶରୀର ଧାରଣ କରେ ।

 

“ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହ୍‍ଣାତି ନରୋଽପରାଣି

ତଥା ଶରୀରାଣି ବିହାୟଜୀର୍ଣ୍ଣା—

ନ୍ୟନ୍ୟାନି ସଂଯାତି ନବାନିଦେହୀ ।”

 

ତେଣୁ ଏ ସଂସାରରେ କେହି କାହାରି ନୁହନ୍ତି ଲୀଳା । କେବଳ ସମସ୍ତେ ମାୟାବନ୍ଧନରେ ମୋର ମୋର ହୁଅନ୍ତି । ଏହି ‘ମୋର’ ହେଉଛି ଅହଂତ୍ଵ—ଯାହାକି ପ୍ରକୃତିର ନିଜସ୍ଵ-। ତେଣୁ ସତ୍ଵ, ରଜ, ତମରୂପୀ ପ୍ରକୃତିକୁ ଜୟକରି ସତ୍‍ଚିତ୍ ଆନନ୍ଦରୂପୀ ପୁରୁଷ ରାଜ୍ୟରେ ପହଞ୍ଚିଲେ ଏହି ଅହଂତ୍ଵର ବିନାଶ ହୁଏ । ପ୍ରାଣୀ ଆଉ ନିଜରହୋଇ ରହେନାହିଁ । ଆସକ୍ତି ମମତାଠାରୁ ସେ ଦୂରେଇଯାଇ ବିଶୁଦ୍ଧ ଆନନ୍ଦଲାଭ କରେ । ତମେ ଜାଣ ଲୀଳା, ରଘୁ ବଂଶରେ ଅଜ ଆଉ ଇନ୍ଦୁମତୀଙ୍କର ପ୍ରଣୟ କାହାଣୀ । ଇନ୍ଦୁମତୀଙ୍କ ବିୟୋଗରେ ଯେଉଁ ଅଜ ପାଗଳ ହୋଇ ଯାଇଥିଲେ, ସେ ପୁଣି ସ୍ଵର୍ଗ ପୁରରେ ଅନ୍ୟ ରୂପସୀ ଅପସରାଙ୍କ ପ୍ରେମରେ ନିଜକୁ ହଜାଇ ଦେଇ ଇନ୍ଦୁମତୀଙ୍କୁ ଚାହିଁନଥିଲେ । ମନେ ପଡ଼ୁଛି ମହା ଭାରତର ଅର୍ଜୁନଙ୍କ କଥା । ବୀର ପୁତ୍ର ଅଭିମନ୍ୟୁଙ୍କୁ ହରାଇ ଅର୍ଜୁନ କିପରି ଅଗ୍ରଜ ଯୁଧିଷ୍ଠିର, ପ୍ରିୟସଖା କୃଷ୍ଣ, ପ୍ରାଣପ୍ରିୟା ଦ୍ରୌପଦୀ, ସୁଭଦ୍ରାଙ୍କର ମମତାକୁ ଦୂରେଇ ଦେଇ ଥରେ ମାତ୍ର ଅଭିକୁ ଦେଖିବାଲାଗି ସ୍ଵର୍ଗପୁରକୁ ଛୁଟି ଯାଇଥିଲେ ! ମାତ୍ର ହେଲା କଣ ? ଅଭି ଚିହ୍ନିପାରିଲା ନାହିଁ, ପିତାଙ୍କୁ ତିରସ୍କାର କଲା । ଦୁର୍ବଳ ଚିତ୍ତରୂପୀ ଅର୍ଜ୍ଜୁନଙ୍କୁ ଘୃଣାପୂର୍ଣ୍ଣ ଉକ୍ତିରେ ଫେରାଇ ଦେଲା । ତେଣୁ ଏ ସଂସାର ବଡ଼ ବିଚିତ୍ର ଲୀଳା-। ପ୍ରତ୍ୟେକ ମୂହୁର୍ତ୍ତରେ ଏଠାରେ ସଂଗ୍ରାମ କରି ବଞ୍ଚିବାକୁ ହୁଏ । ସେ ସଂଗ୍ରାମ ଅର୍ଥ ନୁହେଁ—ଖଣ୍ଡା ସଙ୍ଗରେ ଖଣ୍ଡାର ଯୁଦ୍ଧ, ପରମାଣୁ ସଙ୍ଗରେ ପରମାଣୁର ଯୁଦ୍ଧ । ସେ ଯୁଦ୍ଧ ଅନ୍ତରର । ସେ ଯୁଦ୍ଧ କର୍ମର । ତୁମେ ଜାଣ ଲୀଳା, ମୁଁ କାହିଁକି ଘର ଛାଡ଼ିଥିଲି । ତୁମେ କଣ ଭାବିଥିଲ—ସେଇ ଘରେ ଏମିତି ପରିବର୍ତ୍ତନ ହୋଇଥିବ ବୋଲି । ମାସଟିଏ ଆମେ ଘରେ କେତେ ଆନନ୍ଦରେ ବିତାର ନ ଆସିଥିଲେ ? କିଂତୁ କଣହେଲା—ଏଠାରେ ପହଞ୍ଚି ଟେଲିଗ୍ରାମ ପାଇଲେ । ସରକାର ଟେଲିଗ୍ରାମ କରିଥିଲେ—ଦିଲ୍ଲୀ ଏକ୍‍ସପ୍ରେସ ଆକ୍ସିଡ଼େଣ୍ଟ ଫଳରେ ତୁମ ପିତା ମାତା ଚିରଦିନ ପାଇଁ ଏ ସଂସାରରୁ ବିଦାୟ ନେଇଛନ୍ତି । ଏକଣ କାହର ହାତର କଥା ଥିଲା ? ପ୍ରତ୍ୟେକ ଜୀବନରେ ଏପରି ଦୁର୍ଘଟଣା ଅଛି ଲୀଳା, ପ୍ରତ୍ୟେକେ ଏହିପରି ଦୁର୍ଘଟଣାରେ ସମ୍ମୁଖୀନ ହୁଅନ୍ତି । ତମେ ବଞ୍ଚିଥାଉଁ ଥାଉଁ ମୁଁ ଯେ ନ ଯିବି ଏହାର କଣ ମାନେ ଅଛି ? ଆମେ ସମସ୍ତେ ଯିବା । କିଏ ପଛରେ ଯିବ, କିଏ ହୁଏତ ଆଗରେ ଯିବ । ଏଥିପାଇଁ ଏତେ ଦୁଃଖ କରି ନିଜ କର୍ତ୍ତବ୍ୟରେ ଅବହେଳା କରିବା କାହିଁକି-? ତୁମେ ଜାଣ ଲୀଳା, ମହାଭାରତରେ ଧର୍ମବଳ ଯୁଧିଷ୍ଠିରଙ୍କୁ କଣ ପଚାରିଥିଲେ-?

 

ଧର୍ମବଳ ପଚାରିଲେ—କଃ ପନ୍ଥା ?

 

ଅର୍ଥାତ୍ ପନ୍ଥା କଣ ?

 

ଯୁଧିଷ୍ଠିର କହିଥିଲେ—ନାନା ଶାସ୍ତ୍ର ପୁରାଣ ନାନାକଥା କହେ, ନାନା ମୁନିମାନେ ନାନା ଉପଦେଶ ଦିଅନ୍ତି, ଋଷିମାନେ ପର୍ବତ କନ୍ଦରାରେ ତପସ୍ୟା କରିବାରୁ ଧର୍ମ ତାଙ୍କ ପାଖରେ ରହିଲାଣି । ତେଣୁ ସଂସାରୀ ଲୋକମାନେ କେବଳ ମହାପୁରୁଷମାନଙ୍କର ପଥକୁ ଅନୁସରଣ କରିବାହିଁ ଉପଯୁକ୍ତ ପନ୍ଥା । ସେହି ମହାପୁରୁଷମାନଙ୍କର ପଥ କଣ ଜାଣ ଲୀଳା ? ‘ଧୈର୍ଯ୍ୟ’ ଚିତ୍ତରେ ସଂସାରରେ ନିର୍ଲିପ୍ତ ରହି ନିଜର କର୍ମରେ ଅଗ୍ରସର ହେବା । ସମୟ ଚାଲିଯିବ । ସ୍ମୃତି ବିସ୍ମୃତି ଗର୍ଭରେ ଲୀନ ହେବ, କେହି ପଛକୁ ଫେରିବେ ନାହିଁ । ଏପରି କି ତୁମେ କାନ୍ଦି କାନ୍ଦି ନିଜକୁ ପାଉଁଶ ପରି ନିଃଶେଷ କରିଦେଲେ ମଧ୍ୟ ତୁମର ପିତାମାତା ତୁମ ଆଖିରୁ ଲୁହ ପୋଛି ଦେବାକୁ ଆସିବେ ନାହିଁ । ତେବେ ତୁମେ କାହିଁକି ଏତେ ସେମାନଙ୍କ ପାଇଁ ଭାବି ଭାବି ନିଜ କର୍ତ୍ତବ୍ୟରେ ଅବହେଳା କରୁଛ ? ନିଜର କର୍ମରୁ କେହି ଭାଗ ନେବେ ନାହିଁ, ତୁମେ ଯାହାଙ୍କ ପାଇଁ ଭାବି ଭାବି ନିଜକୁ ଏପରି ନଷ୍ଟ କରୁଛ, ସେମାନେ ତୁମର ବିପଦର ବନ୍ଧୁ ହୋଇ ଆସି ଛିଡ଼ା ହେବେ ନାହିଁ ? ମୁଁ ବୁଝୁଛି—ତୁମେ ହୁଏତ ମୋତେ ନିଷ୍ଠୁର ହୃଦୟର ଲୋକ ବୋଲି ଭାବୁଥିବ । କିନ୍ତୁ ତୁମେ ଜାଣ ଲୀଳା, କେବଳ କୋମଳ ହୃଦୟର ଲୋକହିଁ ଏପରି ଜୀବନକୁ ବିଶ୍ଳେଷଣ କରିପାରେ । ଯିଏ କେବଳ ଅନ୍ତରରେ କାନ୍ଦେ, ସିଏ କେବଳ ଅନ୍ୟକୁ ହସାଇପାରେ । ମୁଁ କଣ କାନ୍ଦେ ନାହିଁ ? କାନ୍ଦିବାରେ ଅନେକ ମହତ୍ତ୍ୱ ଅଛି ଲୀଳା, କାନ୍ଦିବାରେ ହିଁ ପ୍ରକୃତ ଜୀବନ ଅଛି—ଏହା କେହି ଅସ୍ୱୀକାର କରିପାରିବେ ନାହିଁ । ମଣିଷ କାନ୍ଦେ—ତାର ସ୍ମୃତିକୁ ପାଥେୟ କରି, ମଣିଷ କାନ୍ଦେ ତାର ମମତାକୁ ଚିନ୍ତାକରି । ମାତ୍ର ତୁମେ ଜାଣ ଲୀଳା, ମଣିଷ କାନ୍ଦି କାନ୍ଦି ଶେଷରେ ସେହି ସ୍ମୃତିକୁ ଭୁଲିଯାଏ । ତେବେ ତୁମେ କଣ ତୁମର ସେହି ପିତାମାତାଙ୍କର ସ୍ମୃତିକୁ ଭୁଲି ଯିବାକୁ ଚାହଁ ? ସିଏ ତୁମକୁ ଏଡ଼ୁଟିରୁ ଏଡ଼ୁଟିଏ କରି ବଢ଼ାଇଲେ, ନିଜେ କାନ୍ଦି ତୁମ ମୁଖରେ ହସ ଫୁଟାଇଲେ ତୁମେ କଣ ଏଡ଼େ କୃତଘ୍ନ—ତାଙ୍କର ସ୍ମୃତିକୁ ଭୁଲିଯିବ ? ତାଙ୍କର ମମତାକୁ ସ୍ୱପ୍ନ ପରି ଦେଖିବ ? ନା ନା ଲୀଳା, ଏହା କଲେ ତୁମେ ବିରାଟ ଭୁଲ କରି ବସିବ । ଅନ୍ତରର ଦୁଃଖକୁ ଅନ୍ତରରେ ସାଇତି ରଖ । ନିଜର କର୍ତ୍ତବ୍ୟ ପଥରେ ଆଗେଇ ଚାଲ । ଦେଖିବ, ଏ ବିରାଟ ବିଶ୍ୱ ତୁମକୁ ଆନନ୍ଦ ଲାଗିବ, ମମତ୍ୱ ବଂଧନରୁ ଦୂରେଇ ଯାଇ ତୁମେ ସମସ୍ତଙ୍କୁ ଆପଣାର କରିପାରିବ ।

 

ସେ ଦିନର ଏକ ଅଳସ ମଧ୍ୟାହ୍ନ । ରବିବାର ଯୋଗୁଁ ଦୋକାନ ବନ୍ଦ । ଗତ କେତେଦିନ ଧରି ଲୀଳା ଉପରଦେଇ ଦୁର୍ବାର ଝଡ଼ ବହିଯାଉଛି । ବାପ ମା’ଉଭୟେ ଏକ ସଙ୍ଗରେ ଚାଲିଗଲେ । ତାଙ୍କ ଶୁଦ୍ଧିକ୍ରିୟା ବଢ଼ାଇ ଲୀଳାର ଅଶାନ୍ତ ମନରେ ଟିକିଏ ଶାନ୍ତି ଆସିଛି । ମାତ୍ର ପୂର୍ବର ବେଦନା ଭୁଲି ପାରିନାହିଁ । ରଞ୍ଜନ ଖଟ ଉପରେ ବିଶ୍ରାମ ନେଉଁ ନେଉଁ ଡାକିଲା ଲୀଳା !

 

ଉଁ—

 

ମୁଁ ଭାବୁଛି ଆଉ ବ୍ୟବସାୟ କରିବି ନାହିଁ ?

 

ଏଁ, ...ଆଉ କଣ କରିବ ?

 

ମୁଁ ଏହା ମଧ୍ୟରେ ଗୋଟିଏ ଇଣ୍ଟରଭ୍ୟୁ ଦେଇଥିଲି ଚିଠି ଆସିଛି ।

 

କଣ ?

 

ଦିଲ୍ଲୀରେ ଚାକିରୀ କରିବାକୁ ପଡ଼ିବ । ଭଲ ଦରମା ବି ଅଛି ।

 

ତାହାହେଲେ ଏ ଘର କଣ ଭଡ଼ା ଲଗାଇ ଦେବା ?

 

ଆରେ ଆମର ଘର କଣ ହେବ ? ଛୁଟିରେ ତ ଗାଆଁକୁ ଯିବା । ଗାଆଁରେ ଘର ଥାଉଁ ଥାଉଁ ଏତେ ଘର ରଖି ଲାଭ କଣ ?

 

କିନ୍ତୁ......

 

ଆରେ କିନ୍ତୁ କଣ ? ତମେ ଭାବୁଛ ତମ ପିତା ଯେଉଁ ଘର କରିଥିଲେ ମୁଁ ତାକୁ କାହିଁକି ବିକିବାକୁ କହୁଛି ? ଶୁଣ ଲୀଳା, ତୁମ ପିତା ବ୍ୟବସାୟ କରି ଏଠାରେ ଘରକରି ରହିଥିଲେ । ସେତ ଗଲେ, ଏ ଘର କାହିଁକି ଆଉ ରଖିବା । ଏଣିକି ଆମେ ପରିଶ୍ରମ କରି ଘର କରିବା ।

 

ଲୀଳା ନୀରବ ।

 

ରଞ୍ଜନ ପଚାରିଲା—କିଛି କହୁନ ଯେ ।

 

କଣ କହିବି ?

 

ଏ ଘର ବିକିଦେବା ।

 

ମୋତେ କଣ ପଚାରୁଛ ? ତମର ଯାହା ଇଚ୍ଛା କର ।

 

ପରିଶେଷରେ ଘର ବିକିଦେଇ ନୂଆ ଚାକିରୀ ନେଇ ଦୁହେଁ ଦିଲ୍ଲୀ ଚାଲିଗଲେ ।

 

ରଞ୍ଜନ ଥିଲା ସ୍ପଷ୍ଟବାଦୀ । ତେଣୁ ସେ କେବେ ଜାଣୁ ଜାଣୁ ଭୁଲ୍ କୁ ପ୍ରଶ୍ରୟ ଦିଏନାହିଁ କି କାହାରି ପାଖରେ ଅସମ୍ମାନିତ ହେବାକୁ ଚାହେଁ ନାହିଁ । ଟିକି ସଂସାରଟି ତାର ଆନନ୍ଦରେ ହସି ଉଠିଲା । କ୍ରମେ ପିଲା ହେଲେ । ରଞ୍ଜନ ସବୁଠାରୁ ବେଶି ଭଲପାଏ ବୁଲୁକୁ । ବୁଲୁ ମଧ୍ୟ ରଞ୍ଜନ ପରି ଶାନ୍ତ ସରଳ ଏବଂ ତୀକ୍ଷ୍ଣ ବୁଦ୍ଧି ସଂପନ୍ନ । ମାତ୍ର ବିପର୍ଯ୍ୟୟ ଦେଖାଦେଲା ରଞ୍ଜନ ସଂସାରରେ । ରଞ୍ଜନ ବାରବାର ଉପଦେଶ ଦେବା ସତ୍ତ୍ୱେ ଲୀଳାଦେବୀ ପାଖ ପଡ଼ିଶାଙ୍କ ଘରେ ଟଙ୍କା ପଇସା ସୁଧରେ କାରବାର କରନ୍ତି । ଦରକାର ପଡ଼ିଲେ କାହା ପାଖରୁ ଟଙ୍କା ପଇସା କରଜ ଆଣି ବିଭିନ୍ନ ଜିନିଷ ପତ୍ର କିଣି ପକାଇଥାନ୍ତି । କାରଣ ସବୁକ୍ଷେତ୍ରରେ ରଞ୍ଜନ ହୁଏତ ଲୀଳାଙ୍କ ସହିତ ଏକମତ ହୋଇ ନ ପାରନ୍ତି । ତେଣୁ ଘର ପାଖକୁ ଯଦି କିଛି ଗୋଟାଏ ଭଲ ଜିନିଷ ଆସିଲା, ଲୀଳାଦେବୀ ଲୋଭ ସମ୍ୱରଣ କରି ପାରନ୍ତି ନାହିଁ । ସଙ୍ଗେ ସଙ୍ଗେ କହନ୍ତି ବୁଲୁ ଗଲୁ ସେ ଚା’ଦୋକାନୀ ରାମଠାରୁ ଦଶଟା ଟଙ୍କା ଆଣିବୁ । ତାକୁ କହିବୁ ମା’କହିଲେ ଦଶଟା ଟଙ୍କା ଆମକୁ ଦିଅ, ବାପା ଦରମା ପାଇଲେ ମା’ସୁଧ ମୂଳ ସହ ଆର ମାସକୁ ତମ ଟଙ୍କା ଦେଇ ଦେବେ । ବୁଲୁ ମା’କଥାରେ ଯାଇ ଟଙ୍କା ନେଇ ଆସେ । ଏମିତିକି ଯଦି ବଣିଆଟା ପହଞ୍ଚିଗଲା—ଲୀଳାଦେବୀ କହନ୍ତି ଏ ହାରଟା ଦିଅ ମୋ ଝିଅ ପାଇଁ ରଖିବି । ଟଙ୍କା ନ ଥିଲେ କହନ୍ତି ବୁଲୁ ତୁ ଯାଆ ନାରଣବାବୁଙ୍କଠାରୁ ଶହେଟଙ୍କା ଆଣିବୁ । ନାରଣବାବୁଙ୍କୁ କହିବୁ ମା’କହିଲେ ଆର ମାସକୁ ଆପଣଙ୍କ ଟଙ୍କା ଦେଇ ଦେବେ । ସଙ୍ଗେ ସଙ୍ଗେ ବୁଲୁ ଟଙ୍କା ନେଇ ଆସେ, ହାର ରଖନ୍ତି ଲୀଳା । ମାତ୍ର ରଞ୍ଜନ ଏସବୁ କିଛି ଜାଣିପାରେ ନାହିଁ । ଥରେ ଅଧେ ଅବଶ୍ୟ ଶୁଣିଲାଣି ରଞ୍ଜନ । ଘରେ ବିରକ୍ତ ହୁଏ—କହେ ତମେ ଏମିତି କାହିଁକି କରୁଛ ? ଟଙ୍କା ଦରକାର ଯଦି ମୋତେ କହୁନାହଁ, ତମେ ଏ ଚା’ବାଲା ପାନବାଲାଙ୍କଠାରୁ ଟଙ୍କା ଧାର ଆଣୁଛ, ସେମାନେ ମୋତେ ରାସ୍ତା ଘାଟରେ ମାଗୁଛନ୍ତି । ଲୀଳାଦେବୀ କହନ୍ତି—ତମେ ସେଥିରୁ କଣ ପାଇବ, ଆମ କଥା ଆମେ ବୁଝୁନୁ କି ? କି ଟଙ୍କା ସେ ଚା’ବାଲା ମାଗୁଥିଲା ? ତାର ତ ଆମ ଉପରେ କିଛି ଟଙ୍କା ନାହିଁ । ସଙ୍ଗେ ସଙ୍ଗେ ଲୁଚେଇ ବୁଲୁ ହାତରେ ଟଙ୍କା ପଠେଇ ଦିଅନ୍ତି ଲୀଳାଦେବୀ ।

 

ଦିନକର କଥା । ସେଦିନ ରଞ୍ଜନ ବଡ଼ ବିବ୍ରତ ମନରେ ଘରକୁ ଫେରୁଥାଏ । ଅଫିସରେ ଅଡ଼ିଟ୍ ହେଉଛି । ଗୋଟାଏ ଖାତାରେ ସେ ଭୁଲ ହିସାବ କରି ଦେଇଥିଲା ବୋଲି ଉପରିସ୍ଥ ଅଫିସର ତାଙ୍କୁ ଅପମାନିତ କଲେ । ସେ କହିଲେ–Mr. Ranjan, you are not fit for this job. It is regret however that you are intelligent like a M.E. Student. ରଞ୍ଜନ ର ମୁଣ୍ଡ ଗୋଳମାଳ ହୋଇଗଲା । ଏଁ, ତାର ଦୀର୍ଘକାଳର ଚାକିରୀ ମଧ୍ୟରେ ସେ କେବେ ଏପରି ଶୁଣି ନ ଥିଲା । ସାମାନ୍ୟ ଟିକିଏ ମିଶାଣ ଭୁଲ ହୋଇଗଲା ବୋଲି ତା ବୁଦ୍ଧି ସହିତ ଗୋଟିଏ ମାଇନର ସ୍କୁଲ ଛାତ୍ରର ବୁଦ୍ଧିକୁ ଉପରିସ୍ଥ ଅଫିସର ତୁଳନା କଲେ । ନାନା ସେ ଚାକିରୀ ଛାଡ଼ିଦେବ । ପରପାଦତଳେ ମୁଣ୍ଡ ବିକିଲେ ଏହିପରି ଅନେକ କଥା ଶୁଣିବାକୁ ମିଳିବ । ଚମକି ପଡ଼ିଲା ରଞ୍ଜନ । ତେବେ ତାର ସଂସାର ଚଳିବ କେମିତି ? ବ୍ୟବସାୟ କରିବ ? କି ବ୍ୟବସାୟ ସେ କରିବ ? କଲିକତାରେ ଘର ଥିଲେ ହୁଏତ ସେ ଫେରିଯାଇ ପୁଣି ବ୍ୟବସାୟ କରନ୍ତା । ମାତ୍ର ଘର ବିକ୍ରି ସରିଛି । ଦିଲ୍ଲୀର ଘର ଭଡ଼ାନେଇ ନୂଆକରି ବ୍ୟବସାୟ କରିବା ଅସମ୍ଭବ-। ତାପରେ ସେ ଚିନ୍ତାକଲା ନା’ସେ ସହିଯିବ । ଆଉ କେତେଟା ଦିନ ଅବା । ବୁଲୁ ଆଉ ତିନି ଚାରି ବର୍ଷ ପରେ ପାଠପଢ଼ା ଶେଷକରି ଚାକିରୀ କଲେ ତାର ଦୁଃଖ ରହିବ ନାହିଁ । କନ୍ୟା ବି ଆଉ ଗୋଟାଏ ବର୍ଷ ପରେ ମେଟ୍ରିକ୍ ପାସ୍ କରିବ । ଏକା ଟୁଲୁ... । ହଁ, ତା ପାଇଁ ଚିନ୍ତା କଣ-?

 

ବାବୁ ଶୁଣନ୍ତୁ ।

 

ରଞ୍ଜନ ପଛକୁ ଚାହିଁଲା ଚା’ ବାଲା ରାମା ଡାକୁଚି । ରଞ୍ଜନ କହିଲା—ଦେଖ ସନ୍ଧ୍ୟା ହେଲାଣି । ମୋତେ ଖୁବ୍ ଭୋକ ଲାଗିଲାଣି । ମୁଁ ଘରୁ ଫେରେ କଣ କହିବ ।

 

ରାମା କହିଲା—ଇଆଡ଼େ ଟିକେ ଆମ କଥା ବୁଝି ତାପରେ ଖାଇବାକୁ ଯାଅ ବାବୁ ।

 

ରଞ୍ଜନ ରାମାର ଏପରି ଟାଏଁ ଟାଏଁ କଥା ଶୁଣି ରାଗିଗଲା । ସେ ଜଣେ ଅଫିସର । ଏମ୍.ଏ. ପାସ୍ କରି ଚାକିରୀ କରିଛି । ସାମାନ୍ୟ ଜଣେ ଚା’ବାଲା ତାକୁ ଏପରି କହିବାର ଅର୍ଥ କଣ-? ରଞ୍ଜନ ଖୁବ୍ ଶାନ୍ତ ସରଳ । ମାତ୍ର ରାମାର ବ୍ୟବହାରରେ ସେ ଉତ୍ତ୍ୟକ୍ତ ହୋଇପଡ଼ିଲା । କହିଲା କଣ କହୁଚୁ ? ତମର ଶହେ ପଚାଶ ଖାଇଲା ଉଳିଆ କଣ ଏପରି କଥା କହୁଚ ?

 

ଶହେ ପଚାଶ ଖାଇନ ନାଁ କଣ ? ଇଆଡ଼େ ଆମ ଟଙ୍କା ଦେଇଯାଅ ।

 

କି ଟଙ୍କା ? ତୁମ ମୁଣ୍ଡ ଖରାପ ନା କଣ ?

 

ଆମ ମୁଣ୍ଡ କାହିଁକି ଖରାପ ହେବ ? ତୁମ ମୁଣ୍ଡ ଖରାପ ଥିବ ବାବୁ, ବୁଝିସୁଝି କଥାବାର୍ତ୍ତା କର ।

 

ରଞ୍ଜନ ବିସ୍ମିତ ହୋଇ କହିଲା କି ଟଙ୍କା ? କେତେ ଟଙ୍କା ?

 

ଦୋକାନୀ—କହିଲା କି ଅଜବ ଦୁନିଆ ଏ । ତମେ ପରା ଗତ ମାସ ତୁମ ପୁଅକୁ ପଠାଇ କଣ ଦରକାର ଥିଲା ବୋଲି ପଚାଶ ଟଙ୍କା କରଜ ନେଇଥିଲା ? ଟଙ୍କାର ପୁଣି ସୁଧ ଅଛି । ସେ ଟଙ୍କା ତମେ ଦେବା କଥା । ଏତିକି ଟଙ୍କା କଣ ପଠାଇଛ ? ଆମେ କଣ ତମକୁ ଟଙ୍କା ମାଗୁଛି ନାଁ କଣ ? ଏମିତି ପକେଇ ଦେଇ କାହିଁକି—ଚାଲିଆସିଲ ? ଦେଇଯାଅ ଆଉ ପନ୍ଦର ଟଙ୍କା ।

 

ରଞ୍ଜନ ଏବେ ବୁଝିପାରିଲା ବୁଲୁ ତା ନାଁ କହି ଟଙ୍କା କରଜ ନେଇ ତା ମାଆକୁ ଦେଇଛି-। ଉତ୍ତ୍ୟକ୍ତ ହୋଇଉଠିଲା ସେ । ରାମଙ୍କୁ କିଛି ନ କହି ପନ୍ଦରଟି ଟଙ୍କା ଦେଇ ଘରଆଡ଼େ ଚାଲିଲା-। ଟୁଲୁ ଦାଣ୍ଡରେ ଖେଳୁ ଖେଳୁ ବାପାଙ୍କର ଏପରି ରୂପ ଦେଖି ଭୟ ପାଇ ନୀରବରେ ଛିଡ଼ା ହୋଇରହିଲା । ରଞ୍ଜନ ଘର ଭିତରକୁ ପଶି ଯାଉଁ ଯାଉଁ ବୁଲୁ କାହିଁ ବୁଲୁ କାହିଁ ବୋଲି ପାଟିକଲେ । ବୁଲୁ ବାପାଙ୍କର ଏପରି ରୂପ ଦେଖି ଭୟରେ କହିଲା—କଣ ବାପା ?

 

ହଇରେ ତୁ କାହିଁକି ସେ ରାମାଠାରୁ ଟଙ୍କା କରଜ ଆଣିଥିଲୁ ? ତାପରେ ଛଡଟାଏ ଉଠାଇ ଆଣିବା ବେଳକୁ ବୁଲୁ ଭୟରେ ଦଉଡ଼ି ଘର ଭିତରକୁ ଚାଲିଗଲା । ରଞ୍ଜନ ପଛେ ପଛର ବୁଲୁକୁ ଗୋଡ଼ାଇଛନ୍ତି । ବୁଲୁ ବାପା ଲୋ ବାପଲୋ କହି କାନ୍ଦି କାନ୍ଦି ଭୟରେ ଖଟ ଓ କାନ୍ଥମଝିରେ ପଶିଗଲା । ରଞ୍ଜନ ନିଜର କ୍ରୋଧକୁ ଆୟତ୍ତ କରି ନ ପାରି ପାହାରେ ପିଟି ଦେଲେ । ତାପରେ ସେ ବୁଲୁକୁ ଖଟ ପାଖରୁ ଟାଣି ଆଣି ତା ଗାଲରେ ଜୋର କରି ଚାପୁଡ଼ାଏ ପକାଇଲେ । ବୁଲୁ ତଳେ ପଡ଼ିଗଲା । ମାତ୍ର ତାର କିଛି ସ୍ୱର ଶୁଭିଲା ନାହିଁ । ଲୀଳାଦେବୀ ଘରେ କଣ କାମ କରୁଥିଲେ । ପାଟିଗୋଳ ଶୁଣି ହାଁ ହାଁ କରି ଦଉଡ଼ି ଆସି ଦେଖନ୍ତି ତ ବୁଲୁ ତଳେ ପଡ଼ିଯାଇଛି । ଲୀଳାଦେବୀ ମୋ ବୁଲୁରେ କହି ଦୌଡ଼ିଯାଇ ଦେଖନ୍ତି ତ ବୁଲୁ ଆଉ ଇହଧାମରେ ନାହିଁ । ରଞ୍ଜନ ବୁଲୁର ମୃତ ଶରୀରକୁ ଦେଖି କିଂକର୍ତ୍ତବ୍ୟ ବିମୁଢ଼ ହୋଇ ବସିପଡ଼ିଲେ ।

 

ରଞ୍ଜନ ଅଫିସରୁ ଯିବାପରେ ଅଫିସର ହିସାବ ମିଳାଇ ଚମକି ପଡ଼ିଲେ । କହିଲେ—ମୁଁ କେତେ ବଡ଼ ଭୁଲ ନ କଲି । ରଞ୍ଜନବାବୁ ଠିକ୍ କରିଛନ୍ତି । ମାତ୍ର ମୋ ନିଜର ତ୍ରୁଟିବଶତଃ ମୁଁ ତାଙ୍କୁ ନ ଜାଣି ଅପମାନିତ କଲି । ବିଚରା ଭଦ୍ରଲୋକ କି ଦୁଃଖ ଅନୁଭବ ନ କରିଥିବେ । ପିଆନକୁ କହିଲେ—କାଲି ରଞ୍ଜନବାବୁ ଅଫିସ କୁ ଆସିଲେ ମୋ ପାଖକୁ ପଠାଇ ଦେବ । ମୁଁ ତାଙ୍କୁ ବୁଝାଇଦେବି କହି ଅଫିସର ଗାଡ଼ି ନେଇ ଚାଲିଗଲେ ।

 

ଅଫିସରଙ୍କ କଥା ଶୁଣି ଏ ଶୁଭ ସମ୍ବାଦ ଦେବା ପାଇଁ ମୁଁ ରଞ୍ଜନ ଘରକୁ ଛୁଟିଗଲି । ମାତ୍ର ଯାହା ଅବସ୍ଥା ଦେଖିଲି ତାହା କଳ୍ପନାତୀତ । ଲୀଳାଦେବୀଙ୍କର ଚେତନା ନାହିଁ, ରଞ୍ଜନ ନୀରବ ନିସ୍ପନ୍ଦ ଭାବରେ ବସି ରହିଛି । ଘଟଣାଟା ମୁଁ ବୁଝିପାରିଲି । ତାପରେ ଲୀଳାଦେବୀଙ୍କୁ ବୁଝାଇ କହିଲି—ଯାହାର ହେବାର ହୋଇଗଲାଣି—ବର୍ତ୍ତମାନ ଏ ଖବର ଲୋକେ ଜାଣିଲେ ବିଷମ କାଣ୍ଡ ହେବ । ରଞ୍ଜନ ହତ୍ୟା ଅଭିଯୋଗରେ ନିଶ୍ଚୟ ଜେଲ୍ ଭୋଗିବ । ତୁମେ କଣ ଆଉ ବୁଳୁକୁ ଫେରିପାଇବ ? ଧୈଯ୍ୟଧର, ଏ ସମୟରେ ଅଧୈର୍ଯ୍ୟ ହୋଇ କାମ କଲେ କିଛି କରିପାରିବ ନାହିଁ-। ଅନେକ ବୁଝାସୁଝା ପରେ ଲୀଳାଦେବୀ ଆଶ୍ୱସ୍ଥ ହେଲେ-। ତାହାର ଉପାୟ ସ୍ଥିର କରାଗଲା-। ଶେଷରେ ରଞ୍ଜନଙ୍କ ଘରେ କ୍ରନ୍ଦନ ରୋଳ ଉଠିଲା । ବୁଲୁ ର ମୃତ୍ୟୁ ରେ ସମସ୍ତେ ଆହା କଲେ । ବୁଲୁର ଶବକୁ ପୋଡ଼ି ଦିଆଗଲା । ତାର ପେଟବିନ୍ଧା ରୋଗ ଥିଲା ଏବଂ ସେହି ରୋଗରେ ତାର ମୃତ୍ୟୁ ହେଲା ବୋଲି ପ୍ରଚାର ହୋଇଗଲା । ରାତ୍ରିର ଅନ୍ଧକାର ରେ ବୁଲୁ ମୃତ୍ୟୁର ଏହି ଗୋପନ ରହସ୍ୟ ଗୋପନରେ ରହିଗଲା ।

 

ରଞ୍ଜନ ପୂର୍ବପରି ଅଫିସ ଯାଏ । ସମସ୍ତେ ତାକୁ ଭଲ ପାଆନ୍ତି । ସଦ୍ୟ ପୁତ୍ର ବିଚ୍ଛେଦ ପିତାଙ୍କୁ ଦୟା କରନ୍ତି, ବୁଲୁର ମୃତ୍ୟୁ କଥା କହି ଆହା ହା କରନ୍ତି । ମାତ୍ର ରଞ୍ଜନ କିଛି କହେ ନାହିଁ । ବେଳେବେଳେ ଅଫିସରୁ ଉଠି ପଳାଇ ଯାଏ । ଅନ୍ୟ କର୍ମଚାରୀମାନେ ରଞ୍ଜନ ଲାଗି କାମ କରିଦିଅନ୍ତି । ଉପରିସ୍ଥ ହାକିମଙ୍କ ଆଗରେ ରଞ୍ଜନର ପ୍ରଶଂସା କରନ୍ତି । ମାତ୍ର ରଞ୍ଜନର ପରିବର୍ତ୍ତନ ଘଟିଲା ନାହିଁ । ବେଳେ ବେଳେ ସେ ନିର୍ଜନରେ ବୁଲୁଥାଏ । ଏପରିକି ମୁଁ ଗଲେ ମଧ୍ୟ ପୂର୍ବପରି ସେ ଆଉ ହସି ହସି ମୋତେ ସମ୍ଭାଷଣ ଜଣାଏ ନାହିଁ । ଅନେକ ବୁଝାଏ ତାକୁ । ଅନେକ ଆଶ୍ଵସନା ଦିଏ । ମାତ୍ର ଶୁଣିପାରେ ନାହିଁ ରଞ୍ଜନ । ସେ ଯେପରି ସବୁବେଳେ କଣ ଚିନ୍ତା କରୁଥାଏ । ମଝିରେ ତିନି ଚାରି ଦିନ ମୋର ଦେଖା ହୋଇ ନ ଥାଏ ରଞ୍ଜନ ସହିତ । ମୋ ସ୍ତ୍ରୀ ବାନଲତାଙ୍କ ଦେହ ଭଲ ନ ଥିବାରୁ ମୋତେ ମେଡ଼ିକେଲରେ ରହିବାକୁ ହେଉଥାଏ । ହଠାତ୍ ଦିନେ ସଂଧ୍ୟାବେଳେ ମୁଁ ବଜାରରୁ ଫେରୁ ଫେରୁଦେଖିଲି—ନିର୍ଜନ ରାସ୍ତା ଉପରେ କିଏ ଜଣେ ଟଳି ଟଳି ଆଗକୁ ଚାଲିଛି । ରଞ୍ଜନ ପରି ସେ ମୋତେ ଦେଖାଗଲା । ମୁଁ ତା ନିକଟ ହେବା ପାଇଁ ଚାଲିଲି । ରଞ୍ଜନ ଚାଲୁଚାଲୁ କେତେବେଳେ ହାତକୁ ହଲାଇ କହୁଥାଏ— ‘ନାଇଁ’... । ତାପରେ ପୁଣି ଟଳି ଟଳି ଚାଲୁଥାଏ ‘ଏ’... ବୋଲି ଚିତ୍କାର କରି ପୁଣି ଚାଲୁଥାଏ । ରଞ୍ଜନର ନିକଟବର୍ତ୍ତୀ ହେବାପରେ ମଦଗନ୍ଧରେ ମୁଁ ରହିଗଲି । ଏଁ... ରଞ୍ଜନ ତା ହେଲେ ମଦ ଖାଉଛି । ଆଶ୍ଚର୍ଯ୍ୟ ହେଲା ମୁଁ । ଭରି ଦୁଃଖ ଲାଗିଲା । ଭାବିଲି ଏ ନୀତିବାଦୀ ରଞ୍ଜନ ଯିଏ ମଦକୁ ଘୃଣା କରେ, ଶାସ୍ତ୍ର ପୁରାଣର ବ୍ୟାଖ୍ୟା କରି ନାନା ଉପଦେଶ ଦିଏ, ସିଏ ଶେଷରେ ମଦ ଖାଇଲା । କାହିଁକି ଏପରି ହେଲା ! ରଞ୍ଜନ ପରି ଶାନ୍ତ ସରଳ ଲୋକର ଜୀବନରେ ଏପରିଅଦିନିଆ ଝଡ଼ ଦେଖାଦେଲା କାହିଁକି ? ରଞ୍ଜନ ଜାଣୁ ଜାଣୁ ତ କିଛି ଭୁଲ କରି ନାହିଁ, ସେ ତ କାହାରି କିଛି ଅନିଷ୍ଟ କରେ ନାହିଁ । ତା ଜୀବନରେ ଏପରି ବିପର୍ଯ୍ୟୟ ଦେଖାଦେଲା କାହିଁକି ? ସତରେ କଣ ପରିବର୍ତ୍ତନ ହେବ ନାହିଁ ? ଏହା ମଧ୍ୟରେ ପୁଣି ରଞ୍ଜନର ଚାକିରୀ ଚାଲିଗଲା । କେତେଦିନ ଆଉ କର୍ମଚାରୀମାନେ ଉପରିସ୍ଥ ହାକିମଙ୍କ ପାଖରେ ଛଳନା କରି ତାର ଚାକିରୀ ରଖିବେ ? ରଞ୍ଜନର ପରିବାର ଆଜି କିପରି ରହିବେ ? ଡାକିଲି ରଞ୍ଜନ !

 

ମୋ ଡାକରେ ରଞ୍ଜନ ଚମକିପଡ଼ି ପଛକୁ ଚାହିଁ ‘ଏ’ ବୋଲି କହି ଆଗକୁ ଝପଟି ଚାଲିଲା । ଆଉ ଟିକେ ଯାଇଥିଲେ ରଞ୍ଜନ ତଳେ ପଡ଼ି ଯାଇଥାନ୍ତା । ମୁଁ ତାକୁ ଧରି ପକେଇଲି । ରଞ୍ଜନ କହିଲା— ‘ନାଇଁ’ ଚାପୁଡ଼େ... । ମୁଁ ଅନେକ ତାକୁ ବୁଝେଇଲି । ଅନେକ କଥା କହିଲି । ମାତ୍ର କିଛି ଉତ୍ତର ଦେଲାନାହିଁ ରଞ୍ଜନ । ଶେଷକୁ ତାକୁ ଧରି ଧରି ନେଇ ଘରେ ପହଞ୍ଚିଲି । ଲୀଳାଦେବୀ ରଞ୍ଜନକୁ ନେଇ ଘରେ ଶୁଆଇ ଦେଲେ । ମୁଁ ରଞ୍ଜନ ଘରୁ ଫେରୁ ଫେରୁ ଲୀଳାଦେବୀଙ୍କୁ କହିଲି—ତୁମେ ଗାଆଁକୁ ରଞ୍ଜନକୁ ନେଇଯାଅ । ହୁଏତ ତାର କିଛି ପରିବର୍ତ୍ତନ ଆସିପାରେ । ଏହା ମଧ୍ୟରେ କିଛିଦିନ ଅତିବାହିତ ହୋଇଯାଇଛି । ସରକାରୀ ଆଦେଶ ପାଇ ମୁଁ ମାସଟିଏ କଲିକତା ଚାଲିଯାଇଥିଲି । କଲିକତାରୁ ଫେରିବା ପରେ ରଞ୍ଜନକୁ ଦେଖିବା ଲାଗି ମନ ମୋର ବ୍ୟଗ୍ର ହୋଇଉଠିଲା । ଦିନେ ସଂଧ୍ୟାବେଳେ ରଞ୍ଜନ ଘରେ ପହଞ୍ଚିଲି । ବିଷର୍ଣ୍ଣ ବଦନା ଲୀଳାଦେବୀ ବସିଥାନ୍ତି । ମୋତେ ଦେଖି କହିଲେ—ଆରେ ମା’ମଉସାଙ୍କୁ ଆସନ ଖଣ୍ଡେ ଦେଲୁ ।

 

ମୁଁ କହିଲି ଥାଉ ମୁଁ ବସୁଚି । ରୁମାଲ ବିଛାଇ ଦେଇ ବାରଣ୍ଡାରେ ବସି ଗଲି । ଲୀଳାଦେବୀ କହିଲେ—ମୁଁ କଣ କରିବି ମୋତେ ବୁଦ୍ଧି ଦେଖାଯାଉ ନାହିଁ । ଗାଆଁରେ ତାଙ୍କ ଭାଇ ସମ୍ପତ୍ତି ଦେବାକୁ ରାଜି ନୁହେଁ । ୟାଙ୍କର ଏପରି ଅବସ୍ଥା ଦେଖି ସମସ୍ତେ ଦାଉ ସାଧୁଛନ୍ତି । କୁନାକୁ କହିଲି—କିଛି ଟଙ୍କା ଦିଅ ଆମେ ଚଳିବୁ । କୁନା କହିଲା—ତମର ତ ପାଞ୍ଚ ଏକର ଜମି । ବର୍ଷକୁ ଚାରି ଭରଣ ଧାନ ଫଳେ । ତା ମଧ୍ୟରୁ ତମେ ଦୁଇ ଭରଣ ପାଇବା କଥା । ପ୍ରତ୍ୟେକ ଛୁଟିରେ ଘରକୁ ଆସିଲେ ତମ ପିଛା ସେ ସବୁ ଖର୍ଚ୍ଚ ହୋଇଯାଏ, ଆଉ ଟଙ୍କା ଆସିବ କୁଆଡ଼ୁ ? କିନ୍ତୁ ତମେ ବିଶ୍ୱାସ କରିପାରିବ ନାହିଁ—କୁନା ଗାଁରେ ଜଣେ ଧନୀଲୋକ ବୋଲି ପରିଚିତ । ଏପାଖରେ ବ୍ୟାଙ୍କରେ ଯାହା ଟଙ୍କା ପଇସା ଥିଲା ତାହା ସରି ଆସିଲାଣି । ଏ ପିଲାଙ୍କୁ କେମିତି ମଣିଷ କରିବି କିଛି ବୁଦ୍ଧି ଦେଖାଯାଉ ନାହିଁ । ପିଲାଏ ଗାଆଁରେ ରହିଲେ ଅପଦାର୍ଥ ହୋଇଯିବେ । ଆଉ ଦି’ଚାରିଟା ବର୍ଷରେ ଝିଅ ଯଦି ପଢ଼ିସାରି ଚାକିରୀ କରନ୍ତା, ତାହେଲେ ମୋର ଆଉ କିଛି ଭାବିବାର ନାହିଁ; ସେ ଟୁଲୁକୁ ମଣିଷ କରିପାରନ୍ତା । ଏହି ଟୁଲୁ କଥା ଭାବି ମୋତେ କିଛି ଭଲ ଲାଗୁନାହିଁ । ତୁମେ ଯଦି ମୋ ପାଇଁ ଖଣ୍ଡିଏ ଚାକିରୀ ହେଲେ ବୁଝନ୍ତ ମୁଁ ଚାକିରୀ କରି ଏପିଲା ଦୁଇଟିଙ୍କୁ ମଣିଷ କରନ୍ତି ।

 

ମୁଁ ଆଶ୍ଚର୍ଯ୍ୟ ହେଲି ଲୀଳାଦେବୀଙ୍କ କଥାରେ । ଯେଉଁ ଲୀଳାଦେବୀ ପଦେ କଥା କହିବା ବେଳେ କେତେ ମାପି ଚୁପି କଥା କହନ୍ତି, ସେଇ ଲୀଳାଦେବୀ ଆଜି ଯେପରି ସମସ୍ତ କିଛି ନିଃସଂକୋଚ ଭାବରେ ଗପି ଯାଉଛନ୍ତି । କେବଳ ଗୋଟିଏ ପିଲା ବୁଲୁ ପାଇଁ ଆଜି ଏ ପରିବାରରେ କଣ ନ ହେଲା ? ମୋତେ ଦେଖା ଗଲା ଯେପରି ମୃତ ବାଳକ ବୁଲୁକୁ କେନ୍ଦ୍ରବିନ୍ଦୁରେ ରଖି ସମସ୍ତେ ଅସହାୟ ଭାବରେ ତାର ଚତୁର୍ଦ୍ଦିଗରେ ଘୁରୁଛନ୍ତି । ତାପରେ ଲୀଳା ଦେବୀଙ୍କ କଥାରେ ସଚେତନ ହୋଇଉଠିଲି । ଲୀଳାଦେବୀ କହୁଥିଲେ—ଅନେକ ସ୍ଥାନରେ ବୁଝିଲିଣି । କିନ୍ତୁ କେଉଁଠି ଚାକିରୀ ପାଇ ପାରୁନାହିଁ । ଯଦି ବି. ଏ.ଟା ପାସ୍ କରିଥାନ୍ତି, ତେବେ ଏତେ ଭାବିବାକୁ ଆଜି ହେଉ ନଥାନ୍ତା । ମୋ ବାପା ମୋତେ ଏପରି ମଝି ନଈରେ ଭସାଇଦେଲେ । ସେ ଯଦି ମନା କରି ନଥାନ୍ତେ ମୁଁ କଣ ପଢ଼ି ନଥାନ୍ତି ?

 

ଲୀଳାଦେବୀଙ୍କ ମନର ଅବସ୍ଥା ବୁଝିପାରିଲି । ମଣିଷ ଅସହାୟ ହେଲେ ସେ କାହାରି ନା କାହାରି ଉପରେ ଦୋଷ ଦେଇ ନିଜକୁ ଆଶ୍ୱାସନା ଦେବାକୁ ଚାହେଁ । ଲୀଳାଦେବୀଙ୍କର ମଧ୍ୟ ଆଜି ସେହି ଅବସ୍ଥା । ଅନ୍ତର ମୋର କାନ୍ଦି ଉଠିଲା । ଇଚ୍ଛା ହେଉଥିଲା—ମୋ ହାତରେ କିଛି କରିବାର ଥାଆନ୍ତା କି ? ମୁଁ ମୋର ବଂଧୁ ପାଇଁ କିଛି କରି ଆନନ୍ଦ ଉପଲବ୍ଧ କରନ୍ତି । ମାତ୍ର ମୁଁ ଯେ ନିଜେ ଅସହାୟ । କେତେବେଳେ ଯେ ମୋର ଚାକିରୀ ଯିବ କିଏ କହିବ ? ମୁଁ କହିଲି—ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଲୀଳାଦେବୀ । ମୁଁ ଚେଷ୍ଟା କରୁଛି ଆପଣଙ୍କ ଚାକିରୀ ପାଇଁ ।

 

ତାପରେ ପଚାରିଲି—ରଂଜନ କାହିଁ ?

 

ଲୀଳାଦେବୀ କହିଲେ ସେ ଦିନସାରା ନ ଖାଇ ନ ପିଇ କୁଆଡ଼େ ବୁଲି ଆସି ସେ ଘରେ ଶୋଇଛନ୍ତି । ଡାକିଲେ ଶୁଣୁ ନାହାନ୍ତି କି କିଛି ଉତ୍ତର ଦେଉ ନାହାନ୍ତି । ମୁଁ କେମିତି ଏ ପରିବାର ଚଳେଇବି କିଛି ଭାବି ପାରୁନାହିଁ ।

 

ତା ପରେ ମୁଁ ରଂଜନ ପାଖକୁ ଗଲି । ରଂଜନ ଶୋଇଯାଇଛି । ଭାବିଲି ସେ ଶୋଉ । ତାର ନିଦ ଭାଙ୍ଗିବା ଉଚିତ ହେବ ନାହିଁ । ମଣିଷ ଶୋଇଲେ ତାର ମାନସିକ ସ୍ଥିତି ଫେରିଆସେ । ନୀରବରେ ଫେରିଆସି ଲୀଳାଦେବୀଙ୍କୁ କହିଲି—ରାତି ହେଲାଣି ମୁଁ ଯାଉଛି । ଆପଣଙ୍କ ପାଇଁ ଚେଷ୍ଟା କରିବି । ତା ପରେ ଫେରି ଆସିଲି ରଂଜନ ଘରୁ ।

 

ଘରେ ପହଞ୍ଚିବା ମାତ୍ରେ ମୋ ସ୍ତ୍ରୀ ବନଲତା ଟେଲିଗ୍ରାମ ଦେଇ କହିଲେ ଦେଖିଲ କି ଟେଲିଗ୍ରାମ ଇୟେ ?

 

ତରବରରେ ଟେଲିଗ୍ରାମ ପଢ଼ି ବସିଲି । ଆଜି ରାତି ଭିତରେ ବମ୍ବେ ଯିବାକୁ ପଡ଼ିବ । ସ୍ତ୍ରୀ କହିଲେ—କଣ ?

 

ବ୍ୟାଙ୍କର ଗୋଟିଏ ମିଟିଂ ଅଛି । ଡାଇରେକ୍ଟର ଡକାଇଛନ୍ତି । ସକାଳ ଦଶଟା ସୁଦ୍ଧା ମୋତେ ବମ୍ବେରେ ପହଞ୍ଚିବାକୁ ପଡ଼ିବ । ତମେ ଶୀଘ୍ର ରୋଷାଇ ସାରିଲ, ମୋତେ ପ୍ଲେନ ଧରିବାକୁ ହେବ ।

 

କେବେ ଫେରିବ ?

 

ଏଇ ଦୁଇ ତିନି ଦିନ ଭିତରେ ମୁଁ ଫେରିଆସିବି ।

 

ବମ୍ବେରେ ସମସ୍ତ କାମ ସାରି ଦିଲ୍ଲୀ ଫେରିବାକୁ ମୋତେ ପାଞ୍ଚ ଦିନ ଲାଗିଗଲା । ଦେହ ଭଲ ନ ଥାଏ । ବାହାରେ ବୁଲିବାକୁ ଇଛା ହେଉ ନ ଥାଏ । ମନେ ପଡ଼ିଲା—ଲୀଳାଦେବୀଙ୍କ କଥା-। ବିଚରା ଭଦ୍ର ମହିଳାଙ୍କ ପାଇଁ କିଛି ଏପର୍ଯ୍ୟନ୍ତ କରିପାରି ନାହିଁ ଭାବି ଦୁଃଖ ଲାଗିଲା । କଣ କହିବି ତାଙ୍କୁ ? କି ଉତ୍ତର ଦେବି ତାଙ୍କୁ ? ଅନିଛାସତ୍ତ୍ୱେ ତଥାପି ମୁଁ ରଂଜନକୁ ଦେଖିବା ଲାଗି ଚାଲିଲି । ଲୀଳାଦେବୀ ମୋତେ ଦେଖି କାନ୍ଦ ପକାଇଲେ । ମୁଁ କିଛି ବୁଝି ପାରିଲି ନାହିଁ । ମନରେ ମୋର ଆଶଙ୍କା ଦେଖାଦେଲା । ଭୟରେ ଦେହ ଥରି ଉଠିଲା । ରଂଜନର ଆଉ କିଛି ହେଲା କି ? ମୁଁ ପଚାରିଲି ରଂଜନ କାହିଁ ?

 

ଲୀଳାଦେବୀ କହିଲେ—ତମେ ଯେଉଁଦିନ ଆସିଥିଲ ସେହିଦିନ ରାତିରୁ ଉଠି ସେ କୁଆଡ଼େ ଚାଲିଗଲେ । ସକାଳୁ ଉଠି ଦେଖେତ, ଦାଣ୍ଡ କବାଟ ଖୋଲା ଅଛି । ଚାରିଆଡ଼େ ଖୋଜାଇଲି । ଏପର୍ଯ୍ୟନ୍ତ ତାଙ୍କର କିଛି ଖବର ପାଉନାହିଁ । କଇଁ କଇଁ ହୋଇ କାନ୍ଦି ଉଠିଲେ ଲୀଳାଦେବୀ ।

 

ମୁଁ କିଛି କହି ପାରିଲି ନାହିଁ । ସ୍ଥାଣୁଭଳି କେବଳ ଛିଡ଼ା ହୋଇଥିଲି । ଆଖିଆଗରେ ଭାସିଉଠୁଥିଲା—ରଂଜନର ଶାନ୍ତ ସ୍ନିଗ୍ଧ ମୁଖମଣ୍ଡଳ । ସେହିଦିନଠାରୁ ମୁଁ ଯାହାକୁ ଅସ୍ୱାଭାବିକ ଅବସ୍ଥାରେ ଦେଖୁଛି, ତା ପାଖକୁ ଚାଲି ଯାଉଛି । ତାକୁ ଭଲ ଭାବରେ ଦେଖୁଛି । ମନରେ ବିଶ୍ୱାସ–କାଳେ ରଂଜନକୁ ପାଇଯିବି କି ?

Image